Unknown

 

 

 

 

 

 

 

 

 

 

ଅଜ୍ଞାତ ଦ୍ୱୀପ

ଅନୁବାଦକ

ବଂଶୀଧର ଦାସ

 

ପ୍ରଶାନ୍ତ ମହାସାଗରରେ ଅଶାନ୍ତ ବକ୍ଷରେ

 

ମାନଚିତ୍ରରେ ପ୍ରଶାନ୍ତ ମହାସାଗର ଦେଖିଥିବ । ତା’ର ଗୋଟିଏ ପ୍ରାନ୍ତରେ ଅଷ୍ଟ୍ରେଲିଆ ମହାଦେଶ ଏବଂ ଅନ୍ୟ ପ୍ରାନ୍ତରେ ଦକ୍ଷିଣ-ଆମେରିକା–ଦୁଇ ଦେଶ ମଧ୍ୟରେ ଦୂରତା ପ୍ରାୟ ଛ ହଜାର ମାଇଲ । ପ୍ରଶାନ୍ତ ମହାସାଗରର ବିଶାଳ ନୀଳାନ୍ତ ବକ୍ଷରେ ଭରି ହୋଇ ରହିଛି ଅଗଣିତ ଦ୍ୱୀପପୁଞ୍ଜ । ସେମାନଙ୍କ ମଧ୍ୟରେ ନିଉଜିଲାଣ୍ଡ ଅନ୍ୟତମ । ସାଗରର ସୁନୀଳ ବକ୍ଷରେ ଏହି ଦ୍ୱୀପପୁଞ୍ଜଟି ଦେଖିଲେ ମନେହୁଏ ସତେ ଯେପରି ଗୋଟିଏ ସୁନ୍ଦର ପ୍ରଜାପତି ତା’ର ଦୁଇ ଡେଣା ମେଲାଇ ଦେଇ ଭୋଳ ହୋଇ ବସିପଡ଼ିଛି କେଉଁ ଏକ ଅନନ୍ତ ସ୍ୱପ୍ନ ବିଳାସରେ । ପ୍ରଶାନ୍ତ ମହାସାଗରର ଅଶାନ୍ତ ବକ୍ଷରେ ବହୁଦିନ ଧରି ଜାହାଜ ଚଳାଇବା ପରେ ଓଲନ୍ଦାଜ ନାବିକମାନେ ପ୍ରଥମେ ଯେତେବେଳେ ଏହି ଦ୍ୱୀପରେ ପଦର୍ପଣ କଲେ, ସେମାନଙ୍କର ମନେହେଲା ଗୋଟାଏ ମାୟାଲୋକରେ ଆସି ପହଞ୍ଚିଗଲେ । ସେହିମାନେ ହିଁ ଏ ଦ୍ୱୀପକୁ ନାମ ଦେଇଥିଲେ ନିଉଜିଲାଣ୍ଡ–ଅର୍ଥାତ୍‌ ନବସିନ୍ଧୁ ସୈକତ ।

 

ଆମର ଏହି କାହାଣୀ ସେହି ବିଚିତ୍ର ଦେଶରୁ ଆରମ୍ଭ ହୋଇଛି । ଆକ୍‌ଲାଣ୍ଡ୍‌ ସହର ନିଉଜିଲାଣ୍ଡ ଉପକୂଳରେ ଗୋଟିଏ ଛୋଟ ବନ୍ଦର । ଛୋଟିଆ ହେଲେ କ’ଣହେଲା, ସହରଟିରେ ବହୁ ଧନୀ ଓ ସମ୍ଭ୍ରାନ୍ତ ପରିବାରର ଲୋକେ ବାସକରନ୍ତି ଏବଂ ସେଠାରେ ଗୋଟିଏ ସ୍କୁଲ ସମଗ୍ର ନିଉଜିଲାଣ୍ଡର ଆଦର୍ଶ ସ୍କୁଲ ବୋଲି ଖ୍ୟାତିଲାଭ କରିଛି । ସ୍କୁଲଟିର ନାମ ଚାରମାନ୍‌ ବୋର୍ଡ଼ିଂ ସ୍କୁଲ୍‌ ।

 

ଅଠରଶ ଷାଠିଏ ସାଲର କଥା । ଚାରମାନ୍‌ ବୋର୍ଡିଂ ସ୍କୁଲରେ ସେତେବେଳେ ନିଉଜିଲାଣ୍ଡର ବିଶିଷ୍ଟ ପରିବାରର ପିଲାମାନେ ପଢ଼ୁଥିଲେ । ସ୍କୁଲରେ ଖୁବ୍‌ ଉଚ୍ଚ ଧରଣର ଶିକ୍ଷା ଦିଆଯାଉଥିଲା । କେବଳ ବହି ପଢ଼ି ପରୀକ୍ଷାରେ ପାସ୍‍ କଲେ ତ ପାଠପଢ଼ା ହୋଇଯାଏ ନା, ସ୍କୁଲର ଚାରିକାନ୍ଥ ବାହାରେ ଯେଉଁ ବିରାଟ ଜଗତ ପଡ଼ିରହିଛି ତାକୁ ନୀଳ ଆଖିରେ ନ ଦେଖିଲେ, ତା’ ସମ୍ବନ୍ଧରେ ପ୍ରତ୍ୟେକ୍ଷ ଅନୁଭୂତି ନ ପାଇ ପାଠପଢ଼ା ଅଧା ହୋଇ ରହିଯାଏ । ତେଣୁ ଚାରମାନ୍‌ ସ୍କୁଲର ପ୍ରିଧାନ ଶିକ୍ଷକ ବ୍ୟବସ୍ଥା କରିଥାନ୍ତି ଯେ ପ୍ରତିବର୍ଷ ବାର୍ଷିକ ଛୁଟିରେ ସ୍କୁଲ ପିଲାମାନେ ଦଳ ଦଳ ହୋଇ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯିବେ । ଏ ବିୁଲିବାର ନାମ ହେଲା ପ୍ରମୋଦଭ୍ରମଣ ।

 

ସେ ବର୍ଷ କଥା ହେଲା–ସ୍କୁଲର ଦଳେ ବଛା ବଛା ପିଲା ଗୋଟିଏ ଜାହାଜରେ ନେଇ ନିଉଜିଲାଣ୍ଡର ଉପକୂଳରେ ଥିବା ବିଭିନ୍ନ ଦ୍ୱୀପ ବୁଲାଇ ଦେଖାଯିବ । ସେ ସ୍କୁଲରେ ତା’ ପୂର୍ବରୁ କେବେ ଏପରି ପ୍ରମୋଦଭ୍ରମଣ ହୋଇ ନ ଥିଲା । ଜାହାଜରେ ବସି ଦୁଇମାସ କାଳ ସମୁଦ୍ରରେ ବୁଲିବାର ସୁଯୋଗ ମିଳିବ ଶୁଶି ପିଲାଏ ଖୁସିରେ ନାଚି ଉଠିଲେ । ଅବଶ୍ୟ ଏଥିପାଇଁ ହାତରୁ ବହୁତ ପଇସା ଦେବାକୁ ପଡ଼ିବ । କିନ୍ତୁ ସେ ସ୍କୁଲରେ ଗରିବ କିଏସେ ଯେ ଏଥିକୁ ଚିନ୍ତା କରିବେ ! ପିଲାମାନେ ବିଡ଼ା ବିଡ଼ା ନୋଟ୍‌ ଆଣି ଆଗତୁଆ ଜମା ଦେଇଦେଲେ । ବାକି ରହିଲା ବଛାବଛି ପରୀକ୍ଷା । ପ୍ରଧାନ ଶିକ୍ଷକ କହିଲେ, ‘‘କେବଳ ପଇସା ଦେଇଦେଲେ ଚଳିବ ନାହିଁ, ବଛାବଛି ପରୀକ୍ଷାରେ ବି ପାସ୍‍ କରିବାକୁ ପଡ଼ିବ ।’’ କେତେ ଜଣ ଅଭିଭାବକ ଓ ଶିକ୍ଷକ ମିଶି ଗୋଟାଏ ବଛାବଛି ପରୀକ୍ଷା କଲେ । ଶେଷରେ ବିଭିନ୍ନ ଶ୍ରେଣୀର ବିଭିନ୍ନ ବୟସରେ ପନ୍ଦର ଜଣ ଛାତ୍ରଙ୍କୁ ସେହି ପ୍ରମୋଦଭ୍ରମଣ ପାଇଁ ବଛାଗଲା । ଅନ୍ୟମାନେ ଦୁଃଖ ଓ ଈର୍ଷାରେ ଜଳି ପୋଡ଼ିଗଲେ । କିନ୍ତୁ କରିବେ କ’ଣ ? ପରୀକ୍ଷାରେ ତ ପାରିଲେ ନାହିଁ । ଅବଶ୍ୟ ଅନ୍ୟମାନେ ସବୁ ଅନ୍ୟାନ୍ୟ ଦଳରେ ଭିନ୍ନ ଭିନ୍ନ ସ୍ଥାନକୁ ପ୍ରମୋଦଭ୍ରମଣରେ, ଯିବେ ବୋଲି ବଛାଗଲେ । ସବୁବର୍ଷ ସେହିପରି ହୁଏ, ନିଉଜିଲାଣ୍ଡରେ ତ ଦର୍ଶନୀୟ ସ୍ଥାନର ଅଭାବ ନାହିଁ । ସୁନ୍ଦର ସୁନ୍ଦର ବରଫମୟ ପର୍ବତମାଳା, ଅପୂର୍ବ ରୂପମୟୀ ହ୍ରଦ, ଅତୀତ ହିମ ଯୁଗର ବରଫ ନଦୀ ଓ ଉଷ୍ମଜଳ ପ୍ରସ୍ରବଣ ନିଉଜିଲାଣ୍ଡରେ ପୂର୍ଣ୍ଣ ହୋଇ ରହିଛି । ବାର୍ଷିକ ଛୁଟି ହୁଏ ଫେବୃଆରୀ ମାସରେ । ଛୁଟି ଦୁଇମାସ କଟିଯାଏ ପ୍ରମୋଦଭ୍ରମଣରେ ।

 

ସେ ବର୍ଷ ଫେବୃଆରୀ ପନ୍ଦରରେ ଛୁଟି ଆରମ୍ଭ ହେଉଥାଏ । ଯେଉଁ ପନ୍ଦର ଜଣ ଛାତ୍ର ସେହି ବିଚିତ୍ର ଜଳଯାତ୍ରା ପାଇଁ ବଛା ଯାଇଥାନ୍ତି, ସେମାନଙ୍କ ମଧ୍ୟରେ ବ୍ରାଆଁତ୍‍ ଓ ତା’ ଭାଇ ଜ୍ୟାକ୍‌ ହେଲେ ଫରାସୀ ଜାତିର ପିଲା, ଗର୍ଡ଼ନ୍‍ ଆମେରିକାନ୍‌ ଏବଂ ଡୋନ୍‌ଗାନ, ବକ୍‌ସ୍‍ଟାର, କ୍ରସ, ସର୍ଭିସ୍‌, ଉଇଲ୍‌ କକ୍‌ସ ପ୍ରଭୃତି ଅନ୍ୟାନ୍ୟ ପିଲାମାନେ ହେଲେ ଇଂରେଜ । ସବୁଗୁଡ଼ିକ ଆଠ ବର୍ଷରୁ ଚଉଦ ବର୍ଷ ଭିତରର ପିଲା ।

 

ଜଳଯାତ୍ରାର କିଛିଦିନ ପୂର୍ବରୁ ଗୋଟିଏ ପାଲଟଣା ଜାହାଜ ଭଡ଼ା ନିଆଗଲା । ଛୋଟ ଜାହାଜ । ତା’ର ଦୁଇଟି ମାସ୍ତୁଲ । ଉପକୂଳ ଅଞ୍ଚଳରେ ବୁଲିବାପାଇଁ ସେତେବେଳେ ସେହିପରି ଜାହାଜ ବ୍ୟବହାର କରାଯାଉଥିଲା । ନାବିକମାନଙ୍କ ଭାଷାରେ ସେ ଜାହାଜକୁ ବୋଲାଯାଏ ଷ୍କୁନର୍‌-। ଛୋଟହେଲେ କ’ଣହେଲା, ମଜବୁତ୍‌ ଜାହାଜ । ଜାହାଜ ପାଇଁ ଜଣେ କ୍ୟାପ୍ଟେନ, ଦୁଇଜଣ ମେଟ୍‌, ଛ’ଜଣ ନାବିକ ଓ ଜଣେ ଖାନ୍‌ସାମା ନିଯୁକ୍ତ ହୋଇଥାନ୍ତି । ଯାତ୍ରୀମାନଙ୍କର ଦୁଇ ତିନି ମାସପାଇଁ ଆବଶ୍ୟକ ସମସ୍ତ ଜିନିଷର ଗୋଟାଏ ତାଲିକା କରି ତାରି ଅନୁଯାୟୀ ଭଲ ଭଲ ଜିନିଷମାନ କିଣି ଆଣି ଜାହାଜରେ ମହଜୁଦ୍‌ କରାଗଲା । ରୁଟି, ବିସ୍କେଟ, ଅଣ୍ଡା, ମାଂସ, ଆଚାର, ମୋରବ୍‌ବା ପ୍ରଭୃତି ନାନାପ୍ରକାରର ଖାଦ୍ୟ ସାମଗ୍ରୀ ଏବଂ ଲୁଗାପଟା, ବିଛଣାପତ୍ର, ବାସନକୁସନ, ତେଲ-ସାବୁନ୍‌, ଦୀପ-ଲଣ୍ଠନ ଓ କେରୋସିନ ପ୍ରଭୃତି ନିତିଦିନିଆ ଆବଶ୍ୟକ ଜିନିଷରେ ଜାହାଜ ପୂର୍ଣ୍ଣ ହୋଇଗଲା-। କାଳେ କେଉଁଠି ବିପଦ ପଡ଼ିପାରେ, କେଉଁଠି ଜଳଦସ୍ୟୁ ଆକ୍ରମଣ କରିପାରନ୍ତି ଭାବି ଜାହାଜରେ ଯଥେଷ୍ଟ ପରିମାଣର ଅସ୍ତ୍ରଶସ୍ତ୍ର, ପିସ୍ତଲ, ବନ୍ଧୁକ ଓ ଗୋଳାବାରୁଦ ଆଣି ମହଜୁଦ କରାଗଲା; ଏପରି କି ଛୋଟ ଜାହାଜଟିରେ କେତୋଟି କମାଣ ବି ଖଞ୍ଜି ଦିଆଗଲା । ତା’ଛଡ଼ା, ପ୍ରତି ପିଲା ପାଖରେ ତା’ର ନିଜର ପିସ୍ତଲ ଓ ଗୁଳିଥାଏ । ଶେଷରେ ଜାହାଜର ଏକ ଗୁପ୍ତ ସ୍ଥାନରେ ପିଲାଙ୍କ ଟଙ୍କା ବାକ୍‌ସ ଆଣି ରଖାଗଲା । ସେଥିରେ ଭରିହୋଇ ରହିଥାଏ ତାଡ଼ାତାଡ଼ା ନୋଟ୍‌ । ଦରକାର ହେଲେ ବାଟରେ ଖର୍ଚ୍ଚ ହେବ ।

 

ଫେବୃଆରୀ ପନ୍ଦର ଦିନ ଜଳଯାତ୍ରା ଆରମ୍ଭ ହେବା କଥା । ତେଣୁ ଫେବୃଆରୀ ଚଉଦ ଦିନ ସନ୍ଧ୍ୟାରେ ପନ୍ଦରଜଣ ଯାକ ପିଲା କ୍ୟାପ୍ଟେନ୍‌ଙ୍କ ଅନୁମତି ନେଇ ଜାହାଜରେ ଚଢ଼ିଗଲେ । ଯେଉଁସବୁ ଶିକ୍ଷକ ଓ ଅଭିଭାବକମାନେ ସେମାନଙ୍କ ସହିତ ଯିବାର କଥା, ସେମାନେ ପନ୍ଦର ତାରିଖ ଦିନ ଜାହାଜକୁ ଆସିବେ ବୋଲି ସ୍ଥିର ହେଲା । ପିଳାଙ୍କ ସହିତ ସ୍କୁଲର ଗୋଟାଏ ପୋଷା କୁକୁର ଆସି ଜାହାଜରେ ଚଢ଼ିଗଲା । ଭାରି କଉତୁକିଆ କୁକୁରଟିଏ । ନାଁ ତା’ର ଫ୍ୟାନ୍‍ । କ୍ୟାପ୍ଟେନ୍‌ କହିଲେ, ‘‘ନିଅ, ନିଅ, ବିଚରା ଟିକିଏ ବୁଲିଆସୁ ।’’

 

କାଲି ସକାଳୁ ଜାହାଜ ଚାଲିବ । ହାତରେ ମୋଟେ ରାତିଟା । ନାବିକମାନେ କହିଲେ, ‘‘ଆମେ ସହରକୁ ଯାଇ ଟିକିଏ ଫୁର୍ତ୍ତି କରି ଆସବୁ ।’’ କ୍ୟାପ୍ଟେନ୍‌ ଆପତ୍ତି କଲେ ନାହିଁ । ଶେଷକୁ କ୍ୟାପ୍ଟେନ୍‌ ଓ ମେଟ୍‌ମାନେ ବି କ’ଣ ଗୋଟାଏ କାମରେ ସହରକୁ ଯିବାକୁ ବସିଲେ । ଖାନସାମା ମୋକୋକୁ ଡାକି କ୍ୟାପ୍ଟେନ୍ କହିଲେ, ‘‘ଦେଖ ମୋକୋ, ଆମେ ଦୁଇ ଚାରି ଘଣ୍ଟା ଭିତରେ ସହରରୁ ଫେରିଆସିବୁ । ତୁ ଟିକିଏ ଜାହାଜ ପ୍ରତି ନଜର ରଖି ଥା ।’’

 

ମୋକୋର ବୟସ ବି ବେଶି ନୁହେଁ; ଚଉଦ କି ପନ୍ଦର ହେବ । କିନ୍ତୁ ପିଲାଟି ଦିନୁ ସେ ଜାହାଜରେ ଚଳିଆସିଛି । ଜାତିରେ ସେ ମାଓରୀ–ନିଉଜିଲାଣ୍ଡର ଆଦିମ ଅଧିବାସୀ । ପିଲା ହେଲେ କ’ଣହେଲା, ମୋକୋ ଖୁବ୍‌ ସୁନ୍ଦର ରାନ୍ଧିଜାଣେ । ଜାହାଜ ବିଷୟରେ, ସମୁଦ୍ର ବିଷୟରେ ବି ତା’ର ଅଭିଜ୍ଞତା ଯଥେଷ୍ଟ ବେଶି । ତେଣୁ କ୍ୟାପ୍ଟେନ୍‌ ତାକୁ ଖୁବ୍‌ ଭଲପାଆନ୍ତି, ଖୁବ୍‌ ବିଶ୍ୱାସ କରନ୍ତି । କ୍ୟାପ୍ଟେନ୍‌ ଓ ମେଟ୍‌ମାନେ ଗଲାପରେ ଜାହାଜରେ ରହିଲେ ମୋକୋ, ପନ୍ଦର ଜଣ ସ୍କୁଲ ଛାତ୍ର ଓ କୁକୁର ଫ୍ୟାନ୍‍ ।

 

ଜାହାଜରେ କେହି ଅଭିଭାବକ ନାହାନ୍ତି, କ୍ୟାପ୍ଟେନ୍‌ ନାହାନ୍ତି, ନାବିକମାନେ ବି ନାହାନ୍ତି-। ସେମାନ ଫେରିବାକୁ ଆହୁରି ବହୁତ ଡେରି ଅଛି; ମୋକୋକୁ ବା ଭୟ କରୁଛି କିଏସେ ? ପିଲାମାନଙ୍କୁ ଅବାଧ ସ୍ୱାଧୀନତା ମିଳିଗଲା । ସେମାନେ ଜାହାଜ ଉପରେ ଖେଳ କସରତ ଆରମ୍ଭ କରିଦେଲେ । ବଡ଼ବଡ଼ ପିଲାମାନେ ମାସ୍ତୁଲରେ ଚଢ଼ି ପାଲ ଓ ଦଉଡ଼ା ଟଣାଟଣି କରି ଓସ୍ତାଦି ଦେଖାଇ ହେଲେ । ଛୋଟମାନେ ଡେକ୍ ଓ କ୍ୟାବିନରେ ଡୁଡୁ ଓ ଲୁଚକାଳି ଖେଳ ଆରମ୍ଭ କରିଦେଲେ । ଫ୍ୟାନ୍‌ ତା’ର ଦଉଡ଼ୁ ଥାଏ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ । ଜାହାଜରେ ରୀତିମତ ଗୋଟାଏ ହଲ୍‌ଲା ଆରମ୍ଭ ହୋଇଗଲା । ଆକଟ କରିବାକୁ କେହିନାହିଁ । ମୋକୋ ବି ତ ସେମାନଙ୍କ ବୟସର ପିଲା । ଚୁଡ଼ାରେ ଗୁଡ଼ ମିଶିଲା ପରି ସେ ସେମାନଙ୍କ ସହିତ ମିଶିଗଲା-। ଜାହାଜର ନଙ୍ଗର ବନ୍ଧା ଯାଇଥାଏ ଖୁବ୍‌ ଗୋଟାଏ ମଜଭୁତ୍‌ ଦଉଡ଼ାରେ । ଭୟର କୌଣସି କାରଣ ନ ଥାଏ ।

 

ଖେଳ-କସରତ୍‌ ଓ ପାଟିତୁଣ୍ଡ କରୁ କରୁ ରାତି ଦଶଟା ବାଜିଗଲା । ପିଲାମାନେ ଖେଳି ଖେଳି କ୍ଳାନ୍ତ ହୋଇପଡ଼ିଲେ । ଶେଷକୁ ସେଲୁନ୍‌ର ଆଲୁଅ ଲିଭାଇ ଦେଇ ଯେ ଯାହାର ବିଛଣା ଧରିଲେ । ମୋକୋ ଆଖିକୁ ବି ନିଦ ଆସଲା । ସେ ବାହାରକୁ ଆସି ଚାରିଆଡ଼ଟା ଟିକିଏ ପରୀକ୍ଷା କରିନେଲା । ଦେଖିଲା–ସବୁ ଠିକ୍‌ ଅଛି । କେବଳ ସେତେବେଳକୁ ଗୋଟାଏ ଝଡ଼-ପବନ ବୋହିଆସୁଥାଏ । ଆରମ୍ଭ ହୋଇଯାଇଥାଏ ଜୁଆର । ମୋକୋ ଭାବିଲା, ମୁଁ ଟିକିଏ ଶୋଇପଡ଼େ । କିଛ ସମୟ ପରେ ସେ ବି ଶୋଇପଡ଼ିଲା । ସମସ୍ତଙ୍କ ଆଖି ଉପରେ ମାଡ଼ି ବସିଲ ନିଦର ବହଳା ପରଦା ।

 

ଏବଂ ତା’ ସଙ୍ଗେ ସଙ୍ଗେ ଆକ୍‌ଲାଣ୍ଡ ସହର ଉପରକୁ ମାଡ଼ି ଆସିଲା ଗୋଟାଏ ପ୍ରଚଣ୍ଡ ଝଡ଼-ପବନ । କେଉଁଠି କେତେ ମେଘ ଥିଲେ (........) ସବୁ ମେଘ ଆସି ଜମା ହୋଇଗଲେ ଆକ୍‌ଲାଣ୍ଡର ଆକାଶ ଉପରେ । ଝଡ଼ର ଦାଉରେ ସହରର ସବୁ ଆଲୁଅ ଲିଭିଗଲା । କ୍ଷଣକ ମଧ୍ୟରେ ଘୋଟିଗଲା ଅମାଅନ୍ଧକାର । ମନେହେଲା, ପୃଥିବୀରେ ଗୋଟାଏ ଖଣ୍ଡପ୍ରଳୟ ସୃଷ୍ଟି ହେବ-। ହଠାତ୍‌ କ’ଣହେଲା କେଜାଣି, ଜାହାଜର ନଙ୍ଗର ଦଉଡ଼ିଟା ଛିଣ୍ଡିଗଲା ।

 

ଗଭୀର ଅନ୍ଧାର ଭିତରେ ଜାହାଜର ଅବସ୍ଥା ଅନ୍ୟ କେହି ଜାଣିପାରିଲେ ନାହିଁ । ଖେଳି ଖେଳି କ୍ଳାନ୍ତ ହୋଇ ଶୋଇଛନ୍ତି ପିଲାଏ ! ସହଜରେ ସେ ନିଦ ଭାଙ୍ଗିବାର ନୁହେଁ । ଜାହାଜର କ’ଣହେଲା–ସେମାନେ ବା ଜାଣିବେ କିପରି । ସେତିକିବେଳକୁ ସମୁଦ୍ରରେ ଭଟ୍ଟା ପଡ଼ିଥାଏ । ସୁସୁ ହୋଇ କମି ଯାଉଥାଏ ଜୁଆର । ସାଇଁ ସାଇଁ ହୋଇ ପିଟିଦେଉଥାଏ ପବନ । ଜାହାଜକୁ ସବୁପ୍ରକାର ଅନୁକୂଳ ଅବସ୍ଥା ମିଳିଗଲା । ପାଣି ଓ ପବନର ସୁଅରେ ପଡ଼ି ଜାହାଜଟା ଚାଲିଗଲା ବନ୍ଦର ବାହାରକୁ । ଏଥର ଚାରିଆଡ଼େ ଖୋଲା ସମୁଦ୍ର । ବାଧା ନାହିଁ, ବନ୍ଧନ ନାହିଁ, ଜାହାଜର ଗତିବେଗ ବଢ଼ିଗଲା । ତୋଫାନର ଗତି ସହିତ ତାଳ ଦେଇ ଆଗେଇ ଚାଲିଲା ଜାହାଜ । ଆକ୍‌ଲାଣ୍ଡଠାରୁ କ୍ରମଶଃ ଦୂରରୁ ଦୂରକୁ–ବହୁଦୂରକୁ ଭାସି ଚାଲିଲା । ଜାହାଜର ଯାତ୍ରୀମାନେ ଏ କଥା ମୋଟେ ଜାଣିପାରିଲେ ନାହିଁ । ଜାହାଜ ଭାସୁଥିଲା ପ୍ରଶାନ୍ତ ମହାସାଗରର ଅଶାନ୍ତ ବକ୍ଷରେ, ସେମାନେ ଭାସୁଥିଲେ ନିଦ୍ରାଦେବୀଙ୍କର ସ୍ୱପ୍ନ ରାଜ୍ୟରେ । ଏହିଭଳି ଭାବରେ ବହୁତ ସମୟ କଟିଗଲା ।

 

ହଠାତ୍‌ କ’ଣ ଗୋଟାଏ ଖରାପ ସ୍ୱପ୍ନ ଦେଖି ମୋକୋର ନିଦ ଭାଙ୍ଗିଗଲା । ସେ ଦେଖେ ତ ଜାହାଜ ଚାଲୁଛି । ସଙ୍ଗେ ସଙ୍ଗେ ଆଖି ମଳିମଳି ସେ ଘର ଭିତରୁ ବାହାରକୁ ବାହାରିଆସିଲା । ଘଟଣା ଦେଖି ଆଖି ଖୋସି ହୋଇଗଲା ତା’ର । ସେତେବେଳକୁ ସେମାନେ ଯେ କୋଉଁଠି, କେତେ ଦୂରରେ ଆସି ପହଞ୍ଚିଲେଣି ସେ ମୋଟେ ବୁଝିପାରିଲା ନାହିଁ । ଚରିଆଡ଼େ ଖାଲି ନୀଳ ଜଳରାଶି । ତା’ ଉପରେ ଚାଲିଛି ବର୍ଷା ଓ ତୋଫାନର ଖେଳ । ସମୁଦ୍ର ଗର୍ଜନ କରୁଛି ଘୁଘୁ । ଏକମୁହାଁ ହୋଇ ଜାହାଜ ଧାଇଁଛି କେଉଁ ଏକ ଅଜଣା ରାଇଜକୁ । ସେ ନିରୁପାୟ ହୋଇ ଚାହିଁ ରହିଲା କିଛିସମୟ । ଅନ୍ୟମାନେ ଅବା କିଛି କରିପାରନ୍ତି ଭାବି ସେ ଅନ୍ୟମାନଙ୍କୁ ଉଠାଇଲା କିନ୍ତୁ ସମସ୍ତେ ତ ପିଲା । ଜାଣନ୍ତି କ’ଣ ସେମାନେ ? ଶକ୍ତି ବା କେତେ ସେମାନଙ୍କର ! କ’ଣ ବା କରିବେ ସେମାନେ ! ଘୋର ଅନ୍ଧକାର ରାତିରେ ମଝି ଦରିଆରେ କିଏସେ କେଉଁଠି ଅଛି ଯେ ଆସି ସାହାଯ୍ୟ କରିବ ? ପିଲାମାନେ ଅବାକ୍‌ ହୋଇଗଲେ ! ଏ ଘଟଣା ସତ୍ୟ ନା ସ୍ୱପ୍ନ ତାହା ବୁଝିପାରିଲେ ନାହିଁ । କେବଳ ବିସ୍ମିତ ହୋଇ ଚାହିଁରହିଲେ ପରସ୍ପରକୁ ।

 

ଛୋଟ ଜାହାଜଟି ଭୀଷଣ ବେଗରେ ଭାସି ଚାଲିଥାଏ ପୂର୍ବଦିଗକୁ । ଚାହୁଁ ଚାହୁଁ ତୋଫାନର ତୀବ୍ରତା ବଢ଼ିଗଲା । ଆକାଶରେ ମେଘ ରାଜ୍ୟରେ ମହାଯୁଦ୍ଧ ଲାଗିଗଲା । ସମୁଦ୍ରରେ ଉଠିଲା ତାଣ୍ଡବ । ମେଘ ଅନ୍ଧାର ଭିତରେ ମୁହଁକୁ ମୁହଁ ଦିଶିଲା ନାହିଁ । ବିପଦ ମାଡ଼ିଆସିବାଦେଖି ପିଲାମାନେ ଅସ୍ଥିର ହୋଇପଡ଼ିଲେ । ପିଲାମାନଙ୍କ ମଧ୍ୟରେ ବ୍ରାଆଁତ୍‍ ହେଲା ବୟସରେ ସମସ୍ତଙ୍କଠାରୁ ବଡ଼ । ସେ ମୋକୋର ହାତ ଧରି କହିଲା, ‘‘ମୋକୋ, ଆଉ ଚିନ୍ତା କରି ଲାଭ ନାହିଁ-। ଆସ, ଜାହାଜର ପାଲ ଦୁଇଟା ସଜାଡ଼ି ଦେବା । ନ ହେଲେ ଏ ତୋଫାନରେ ଜାହାଜ ବୁଡ଼ିଲା ଜାଣ ।’’

 

ସାଲୁନ୍‌ ଭିତରୁ ଅନ୍ୟପିଲାମାନେ ପାଟି କରି ଉଠିଲେ ‘‘ବ୍ରାଆଁତ୍‍ ! ଆମେ ଯିବୁ, ଆମେ ବି ତୁମକୁ ସାହାଯ୍ୟ କରିବୁ ।’’

 

ବ୍ରାଆଁତ୍‍ କହିଲା, ‘‘ଖୁବ୍‌ ସାହାଯ୍ୟ କରିବ ! ସାଲୁନ୍‌ ଭିତରେ ଚୁପ୍‌ଚାପ୍‌ ହୋଇ ଶୋଇପଡ଼ । କେହି କାହା ସଙ୍ଗେ କଳିକର ନାହିଁ । ଭିତରୁ ଦ୍ୱାର ବନ୍ଦ କରିଦିଅ । ଆମେ ଚାଲିଲୁ କାମକୁ ।’’

 

ପିଲାମାନେ ଚୁପ୍‌ ହୋଇଗଲେ, କିନ୍ତୁ ଡୋନ୍‌ଗାନ୍ କହିଲା, ‘‘କାହିଁକି, ଆମେ କ’ଣ କାମ କରିପାରିବୁ ନାହିଁ ?’’

 

ବ୍ରାଆଁତ୍‍ କହିଲା, ‘‘ଆଚ୍ଛାହେଉ, ତୁ ଆସ୍‌, ଗର୍ଡ଼ନ୍‍ ବି ଆସୁ । ଅନ୍ୟମାନେ ଶୋଇପଡ଼ ।’’

 

ଡୋନ୍‌ଗାନ୍‌ର ବୟସ ହେବ ତେର କି ଚଉଦ । ଗର୍ଡ଼ନ୍‌ ବି ସେହି ବୟସର ପିଲା । ଚାରିବନ୍ଧୁ ମିଶି ପାଲ ସଜାଡ଼ିବାରେ ଲାଗିଗଲେ । ଉଦ୍ଦେଶ୍ୟ ହେଲା–ଜାହାଜର ଗତିଟା ଅନ୍ତତଃ ଠିକ୍‌ ରହୁ, ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ଯଦି ଜାହାଜ ଚାଲେ ତେବେ ନିଶ୍ଚୟ କୌଣସି ସ୍ଥଳଭାଗରେ ଯାଇ ଲାଗିବ । ସ୍ଥଳଭାଗରେ ଥରେ ପହଞ୍ଚିଗଲେ ଆଉ ଚିନ୍ତା କ’ଣ ? କିଛିସମୟ ପରେ ମୋକୋ ଯାଇ ଜାହାଜର ଷ୍ଟିଏରିଂ ଧରିଲା, ଅନ୍ୟ ତିନିଜଣ ପାଲ ପାଖରେ ରହିଲେ । ଚାହୁଁଚାହୁଁ ରାତି ପାହି ସକାଳ ହେଲା । ତୋଫାନର ବିରାମ ନାହିଁ । ଜାହାଜର ଗତି କ୍ରମଶଃ ବଢ଼ି ଚାଲିଛି । କିନ୍ତୁ କାହିଁ, ସ୍ଥଳଭାଗର ଦେଖା ନାହିଁ !!

 

ତେଣେ ଫେବୃଆରୀ ପନ୍ଦର ତାରିଖ ଦିନ ସକାଳୁ ଦେଖାଗଲା ପିଲାଙ୍କର ଜାହାଜଟି ଆଉ ଆକ୍‌ଲାଣ୍ଡ ବନ୍ଦରରେ ନାହିଁ । ଚାରମାନ୍‌ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅଭିଭାବକମାନେ କାତର ହୋଇପଡ଼ିଲେ । କ୍ୟାପଟେନ୍‍ଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ନୋଇଁଗଲା । ଘରେ ଘରେ ଆରମ୍ଭ ହୋଇଗଲା କନ୍ଦାକଟା । ସମଗ୍ର ନିଉଜଲାଣ୍ଡରେ ଗୋଟାଏ କମ୍ପନ ଖେଳିଗଲା । ସେ ଯେଉଁ ପିଲାମାନେ କେଉଁ ଅନିଶ୍ଚିତ ପଥରେ ଛୋଟ ପାଲବନ୍ଧା ଜାହାଜଟିରେ ଭାସିଗଲେ, ସେମାନେ କୌଣନସି ସାଧାରଣ ଲୋକଙ୍କର ପିଲା ନୁହନ୍ତି । ବନ୍ଦର କର୍ତ୍ତୃପକ୍ଷ ପୃଥିବୀର ଚାରିଆଡ଼େ ବେତାର ସମ୍ବାଦ ପଠାଇଦେଲେ । ନିରୁଦ୍ଦିଷ୍ଟ ଜାହାଜକୁ ଠାବ କରିବା ପାଇଁ ଦଶ ପନ୍ଦରଟା ଜାହାଜ ନେଇ ପୁରୁଖା ନାଉରିମାନେ ସମୁଦ୍ରକୁ ବହାରିପଡ଼ିଲେ । ନିଉଜିଲାଣ୍ଡର ଚାରିଆଡ଼େ ତନ୍ନ ତନ୍ନ କରି ଖୋଜାଗଲା; କିନ୍ତୁ ଜାହାଜ ଭାସି ଚାଲିଥିଲା ଏପରି ଏକ ପଥରେ ଯେଉଁପଥ ଦେଇ ପ୍ରାୟ କେବେ କୌଣସି ଜାହାଜ ଯାଏ ନାହିଁ । ତେଣୁ ସବୁ ଚେଷ୍ଟା ବିଫଳ ହେଲା । ସମସ୍ତେ ଫେରିଆସିଲେ ନିରୁପାୟ ହୋଇ । ପୃଥିବୀର ସବୁ ସମ୍ବାଦପତ୍ରରେ ଏ ଦୁଃସମ୍ବାଦ ବାହାରିଗଲା । ଦିନ ପରେ ଦିନ କଟିଗଲା । କିନ୍ତୁ କୌଣସି ସ୍ଥାନରୁ କୌଣସି ସମ୍ବାଦ ଆସିଲା ନାହିଁ । ସମସ୍ତେ ଧରିନେଲେ–ଭୀଷଣ ଝଡ଼ତୋଫାନ ଭିତରେ ପଡ଼ି ଛୋଟ ଜାହାଜଟି ବୋଧହୁଏ ବୁଡ଼ିଗଲା ପ୍ରଶାନ୍ତ ମହାସାଗରର ଅଶାନ୍ତ ବକ୍ଷରେ ।

Image

 

ବିପଦ ଉପରେ ବିପଦ

 

ସେଦିନ ମାର୍ଚ୍ଚମାସ ନ’ତାରିଖ । ଫେବୃଆରୀ ପନ୍ଦରରୁ ମାର୍ଚ୍ଚ ନ’ ଚବିଶ ଦିନ । ପ୍ରଶାନ୍ତ ମହାସାଗରର ଅଶାନ୍ତ ବକ୍ଷରେ ଛୋଟ ଜାହାଜଟି ଚବିଶ ଦିନ ଧରି ଭାସିଚାଲିଛି, ଏକମୁହାଁ ହୋଇ ପୂର୍ବଦିଗକୁ ଭାସିଚାଲିଛି । କାହିଁ ସ୍ଥଳଭାଗର ଦେଖା ନାହିଁ ।

 

ମୋକୋ, ବ୍ରାଆଁତ୍, ଡୋନ୍‌ଗାନ୍‌ ଓ ଗର୍ଡ଼ନ୍‍ ଦିନରାତି କଳ ପରି କାମ କରି ଚାଲିଛନ୍ତି । ମନରେ ଆଶା ଅଛି–ଜାହାଜ ଯଦି ଦିଗ ନ ବଦଳାଇ ଭାସିଚାଲେ, ତେବେ ନିଶ୍ଚୟ ଦିନେ ନା ଦିନେ ସ୍ଥଳଭାଗରେ ପହଞ୍ଚିବ । ପିଲାମାନେ ଏ କିଛିଦିନ ଭିତରେ ସମୁଦ୍ର ଓ ଝଡ଼ ସହିତ ପରିଚିତ ହୋଇଗଲେଣି ।

 

ଏଇ ଭିତରର ଦିନକର କଥା ବ୍ରାଆଁତ୍‍ ପଚାରିଲା, ‘‘ଗର୍ଡ଼ନ୍‍, ଆମ ଜାହାଜରେ ଖାଲି ବୋତଲ ଅଛି ?’’

 

‘‘ହଁ, ହଁ, ଗୋଟିଏ ବାକ୍‌ସରେ ଭରି ହୋଇ ରହିଛି ଖାଲି ବୋତଲ ।’’

 

‘‘ତାହାହେଲେ ଗୋଟାଏ କାମକଲେ ଚଳିବ ଖାଲି ବୋତଲକୁ ଠିପି ବନ୍ଦକରି ପାଣିରେ ଭସାଇ ଦେଲେ ନିଶ୍ଚୟ ଭାସିବ; ତା’ ଭିତରେ ବାୟୁ ରହିଲା କି ନା । ଆଚ୍ଛା ! ଆମେ ଖଣ୍ଡେ ଖଣ୍ଡେ କାଗଜରେ ଆମର ଓ ଜାହାଜର ବର୍ତ୍ତମାନ ଅବସ୍ଥା ବର୍ଣ୍ଣନା କରି ଲେଖି ପକାଇବା । କାଗଜଟିକୁ ବୋତଲରେ ଭରି କରି ବୋତଲର ଠିପି ଭଲ ଭାବେ ବନ୍ଦ କରିଦେବା, ତା’ପରେ ସମୁଦ୍ରରେ ଭସାଇଦେବା । ଏଭଳିଆ ଗୁଡ଼ାଏ ବୋତଲ ଭସାଇ ଦେବା ।’’

 

‘‘ଲାଭ କ’ଣ ?’’ –ଡୋନ୍‌ଗାନ୍‌ ପଚାରିଲା ?

 

‘‘ବୋତଲଗୁଡ଼ାକ ତ ନିଶ୍ଚୟ ଭାସିବ । ଭାସି ଭାସି ଯାଇ କୌଣସି ନା କୌଣସି କୂଳରେ ଲାଗିବ । କୂଳର ଲୋକେ ବୋତଲ ପାଇ ତା’ ଭିତରର କାଗଜଟି କାଢ଼ି ପଢ଼ିବେ । ତା’ପରେ ଖବରଟା ନିଉଜିଲାଣ୍ଡରେ ପହଞ୍ଚିଯିବ । ଯଦି ଭଗବାନଙ୍କ ବରାଦଥିବ, ତେବେ ଉଦ୍ଧାର କରିବା ପାଇଁ ଅନ୍ୟ ଜାହାଜ ଆସି ଆମ ପାଖରେ ପହଞ୍ଚଯିବ ।’’–ବ୍ରାଆଁତ୍‍ କହିଲା ।

 

ବ୍ରାଆଁତ୍‍ର ପ୍ରସ୍ତାବରେ ସମସ୍ତେ ରାଜିହେଲେ । ସବୁ ବିଷୟ ବର୍ଣ୍ଣନା କରି ଖଣ୍ଡିଏ କାଗଜରେ ଲେଖାଗଲା । ତା’ପରେ ଛୋଟ ଛୋଟ ପିଲାମାନେ ସେହି ଆଦର୍ଶରେ ଗୁଡ଼ାଏ କପି ଲେଖି ପକାଇଲେ । ଏ ଦୁଃସମୟରେ ହସ୍ତାକ୍ଷର ଓ ବର୍ଣ୍ଣ ଶୁଦ୍ଧି ବିଷୟରେ ପାଠପଢ଼ା ବି ହୋଇଗଲା-। ବ୍ରାଆଁତ୍‍ ସେସବୁ କାଗଜକୁ ବୋତଲରେ ପୂରାଇ ସମୁଦ୍ରରେ ଭସାଇ ଚାଲିଲା ।

 

ହଁ, ମାର୍ଚ୍ଚ ନ’ ତାରିଖ କଥା ।

 

ସେଦିନ ସମୁଦ୍ରରେ ଗୋଟିଏ ନୂଆ ତୋଫାନ ଉଠିଥାଏ । ସମୁଦ୍ରରେ ଉଠିଥାଏ ଲହରୀ, ପର୍ବତ ପ୍ରମାଣ ଲହରୀ । ଖୋଲା ଡେକ୍ ଉପରେ ପାଣି ପବନର ଅତ୍ୟାଚାର ଚାଲିଥାଏ । କିନ୍ତୁ ସମସ୍ତ ବିପଦ ସମ୍ମୁଖରେ ଛାତି ପତାଇ ଡେକ୍‌ ଉପରେ କାମ କରୁଥାନ୍ତି ସେହି ଚାରିଜଣ । ମୋକୋ ବସିଥାଏ ଜାହାଜର ଷ୍ଟିଏରିଂ ଚକ୍‌ ପାଖରେ । ତା’ର ସେହି ଗୋଟାଏ ମତ ଜାହାଜର ମୁହଁଟା ସିଧା ଅଛି ତ ସବୁ ଠିକ୍‌ ଅଛି । ଅନ୍ୟମାନେ ପାଲ ଓ ଦଉଡ଼ା ସଜାଡ଼ୁଥାନ୍ତି ।

 

ରାତି ଦୁଇଟା ବେଳକୁ ତୋଫାନର ଉତ୍ପାତ ଆହୁରି ବଢ଼ିଗଲା । ପାଣି ଓ ପବନର ଗର୍ଜନରେ କାନ ଅତଡ଼ା ପଡ଼ିଗଲା । ହଠାତ୍‌ ମୋକୋ ପାଟି କରିଉଠିଲା ‘‘ଆସିଲା, ଆସିଲା ବ୍ରାଆଁତ୍‍, ସେ ଯେଉଁ ବଡ଼ ଲହରୀଟା ଆସିଲାଣି, ଗିଳିଦେବ ଆମ ଜାହାଜକୁ; ସାବଧାନ ! ସାବଧାନ !!’’

 

ଯାହା ହାତରେ ଯେଉଁ ଆଶ୍ରୟ ପଡ଼ିଲା ସେ ତାକୁ ଧରି ପକାଇଲା । ଗୋଟାଏ ଗୋଟାଏ ଶକ୍ତ ଜିନିଷ ଧରି ଶୋଇପଡ଼ିଲେ ତିନିଜଣ । ବିରାଟ ଲହରୀଟା ଆଖି ପିଛୁଡ଼ାକେ ଆସି ଭାଙ୍ଗିପଡ଼ିଲା ଜାହାଜ କାନ୍ଥରେ । ଜାହାଜଟା କମ୍ପିଗଲା । କିନ୍ତୁ ରକ୍ଷା ହୋଇଛି, କାହାର କିଛି କ୍ଷତି ହୋଇନାହିଁ । ଏତେ ବଡ଼ ବିପଦରୁ ସାଥୀମାନଙ୍କୁ ରକ୍ଷା କରିପାରି ଥିବାରୁ ମୋକୋର ଅଧରରେ ଛୋଟ ହସଟିଏ ଖେଳିଗଲା । କିନ୍ତୁ ସେ ଯେଉଁ ପ୍ରଚଣ୍ଡ ଶବ୍ଦହେଲା, ସାଲୁନ୍‌ ଭିତରେ ଥିବା ପିଲାମାନେ ଖୁବ୍‌ ଡରିଗଲେ ସେଥିରେ । ଦୁଇ ଚାରିଜଣ ‘ବାପା ଲୋ’ ‘ବୋଉ ଲୋ’ ଡାକ ଛାଡ଼ି କାନ୍ଦି ଉଠିଲେ । ବକ୍‌ସଟାର୍‍ ବୋଲି ଗୋଟିଏ ଦଶ ବର୍ଷିଆ ପିଲା ସାଲୁନ୍‍ର ଦୁଆର ଖୋଲି ବ୍ରାଆଁତ୍‍କୁ ପଚାରିଲା ‘‘ବ୍ରାଆଁତ୍‍, ଆମେ ସବୁ ଆସିବୁ ତୁମକୁ ସାହାଯ୍ୟ କରିବୁ ?’’

 

ଯାଉଛୁ ନା ଭିତରକୁ ! ହଇରେ, ‘‘ତୁମେ ମେଞ୍ଚଡ଼ଗୁଡ଼ାକ କି ସାହାଯ୍ୟ କରିବ ? ତୁମେସବୁ ଦୁଆର ଦେଇ ଭିତରେ ରହ । ଛୋଟ ପିଲାଙ୍କୁ କହ, ସେ କାନ୍ଦିବେ ନାହିଁ । ଦରକାର ବେଳେ ତୁମକୁ ଡାକିବା ।’’

 

ବକ୍‌ସଟାର୍‌ ବାଧ୍ୟ ହୋଇ ଦୁଆର ବନ୍ଦକଲା । ତେଣେ ଆକାଶରେ ମେଘ ଗର୍ଜି ଉଠୁଥାଏ । ହଠାତ୍‌ ଗୋଟିଏ ବିକଟ ଗର୍ଜନରେ ଦିଗଦିଗନ୍ତ କମ୍ପି ଉଠିଲା । ଯେ ଯେଉଁଠି ଥିଲା, ସେ ସେଇଠି ଠିଆହୋଇଗଲା । କିଛି ବେଳଯାଏ କାହାରି ପାଟିରୁ କଥା ବାହାରିଲା ନାହିଁ । କେହି ବୁଝିପାରିଲେ ନାହିଁ କ’ଣହେଲା ! ପିଲାଏ ବିସ୍ମିତ ହୋଇ ଚାରିଆଡ଼କୁ ଚାହିଁବାରେ ଲାଗିଲେ । ଘନ ଅନ୍ଧକାର ଭିତରେ ମୋକୋ ଦେଖିଲା, ଜାହାଜର ବଡ଼ ପାଲଟା ଆଉ ଉପରେ ନାହିଁ । ସେ ପାଟିକରିଉଠିଲା, ‘‘ଆରେ, ବଡ଼ ପାଲଟା ଉଡ଼ିଗଲାରେ !’’

 

ବ୍ରାଆଁତ୍‍ର ପାଟି ଶୁଭିଲା, ‘‘ପାଲଟା ତ ଗଲା, ଏପଟ ମାସ୍ତୁଲର ଅଧାଅଧି ଭାଙ୍ଗିଗଲା ।’’

 

‘‘ଗୋଟାଏ ମାସ୍ତୁଲ କ’ଣ, ଦୁଇଟା ଯାକ ମାସ୍ତୁଲ ଭାଙ୍ଗିଯାଇଛି ।’’ –ମୋକୋ କହି ଉଠିଲା !

 

ହାୟ, ଏ ଅକୂଳ ସମୁଦ୍ରରେ ଏ କଥା ବି ଘଟିବାକୁ ଥିଲା ! ଯାହାହେଲେ ବି, ଅନ୍ତତଃ ଜାହାଜଟା ତ ଚାଲୁଥିଲା । କିନ୍ତୁ ବର୍ତ୍ତମାନ ଜାହାଜ–ପଙ୍ଗୁ, ଆଉ ଚାଲିବ କିପରି ?

 

ଗର୍ଡ଼ନ୍‍ କହିଲା, ‘‘ବିପଦ ଯେତେବେଳେ ଆସେ, ସେ ଏକା ଆସେ ନାହିଁ ।’’

 

କିନ୍ତୁ ବ୍ରାଆଁତ୍‍ କହିଲା, ‘‘କୌଣସି ଭୟ ନାହିଁ । ବଡ଼ ପାଲ ନଥିଲେ କ’ଣ ଜାହାଜ ଚାଲେ ନାହିଁ ? ମାସ୍ତୁଲ ଦୁଇଟା ତ ଅଧାଅଧି ଅଛି । ସେଥିରେ ଦୁଇଟା ଛୋଟ ପାଲ ବାନ୍ଧି ଦେବା । ପବନ ତ ଖୁବ୍‌ ଜୋରରେ ପିଟୁଛି । ସେତିକିରେ ଜାହାଜ ଚାଲିବ ।’’

 

ଭଙ୍ଗା ମାସ୍ତୁଲ ଉପରେ ଛୋଟ ଛୋଟ ପାଲ ବାନ୍ଧି ଦିଆଗଲା । ବ୍ରାଆଁତ୍‍ କହିଲା, ‘‘ଦେଖିଲ, ଜାହାଜ ଏଥର କିପରି ଚାଲୁଛି !’’

 

‘‘ସେ କଥା ପଛେ ଦେଖିବା, ଆଗ ଆସ ମାସ୍ତୁଲର ଭଙ୍ଗାଅଂଶ, ଛିଣ୍ଡା ଦଉଡ଼ି ଓ ଛିଣ୍ଡା ପାଲଗୁଡ଼ାକ ଗୋଟେଇ ଆଣି ଗୋଟାଏ କୋଣରେ ରଖିଦେବା ।’’–ଡୋନ୍‌ଗାନ୍‌ର ଏ ପ୍ରସ୍ତବାକ୍ରମେ ଭଙ୍ଗା କାଠ, ଛିଣ୍ଡା ଦଉଡ଼ି, ତାର ଓ ପାଲଗୁଡ଼ାକୁ ଗୋଟିଆ ଗୋଟିକରି ଆଣି ଗୋଟାଏ କୋଣରେ ଜମାଇ ଦିଆଗଲା ।

 

କିନ୍ତୁ ସେ କାମ ସରିଚି କି ନାହିଁ, ହଠାତ୍‌ ଜାହାଜର ମଝି ପିଠିରେ କରି ମାଡ଼ିବସିଲା ଗୋଟାଏ ସର୍ବଗ୍ରାସୀ ଲହରୀ । ବ୍ରାଆଁତ୍‍, ଡୋନ୍‌ଗାନ୍‌ ଓ ଗର୍ଡ଼ନ୍‍ କିଛି ନା କିଛି ଗୋଟାଏ ଜିନିଷକୁ ଆଶ୍ରୟ କରି ଆଖି ପିଛୁଳାରେ ତଳେ ଶୋଇପଡ଼ିଲେ । ଲହଡ଼ି ଯେତେବେଳେ ଚାଲିଗଲା, ଦେଖାଗଲା ଜାହାଜର ଭଙ୍ଗା ମାସ୍ତୁଲର ଅଂଶ ଓ ଅନ୍ୟାନ୍ୟ ଭଙ୍ଗାରୁଜା କାଠପତ୍ରସବୁ ଲଲରୀ ମୁହଁରେ ଭାସିଯାଇଛି । କେବଳ ସେତିକି ନୁହେଁ, ଆଉ ଗୋଟାଏ ଜିନିଷ ବି ଅଦୃଶ୍ୟ ହୋଇଯାଇଛି-। ସେ ହେଉଛି ମୋକୋ । ମୋକୋ ଆଉ ଡେକ୍‌ ଉପରେ ଦେଖାଯାଉନାହିଁ !

 

ଖୁବ୍‌ ପାଟିକରି ବ୍ରାଆଁତ୍‍ ଡାକି ଉଠିଲା, ‘‘ମୋକୋ ! ମୋକୋ !’’

 

ଡୋନ୍‌ଗାନ୍ ବି ରଡ଼ି ଛାଡ଼ିଲା, ‘‘ମୋକୋ, ତୁ କେଉଁଠି ?’’

 

ତିନି ଜଣ ଯାକ ପାଗଳ ପରି ଡାକ ପକାଇଲେ..... ମୋକୋ, ମୋକୋ, ମୋକୋ । କିନ୍ତୁ କାହିଁ, କୌଣସି ଦିଗରୁ ମୋକୋର ସୁର ଶବ୍ଦ ଶୁଭିଲା ନାହିଁ । ଓଃ, ମୋକୋ, କି ସାହାଯ୍ୟ ନ କରିଛି ସେ ! ସେ ନଥିଲେ ଏ ଭିତରେ ସମସ୍ତେ ସମୁଦ୍ରରେ ବୁଡ଼ି ମରିଥାନ୍ତେ । ଶତ ବାଧାବିଘ୍ନ ଏଡ଼ାଇ ସେ ଜାହାଜକୁ ଆଗେଇ ନେଇ ଚାଲିଛି । ନା, ନା, ମୋକୋକୁ ଖୋଜି ବାହାର କରିବାକୁ ହେବ ।

 

ବ୍ରାଆଁତ୍‍ କହିଲା, ‘‘ଗର୍ଡ଼ନ, ଧାଇଁଯା, ପାଣିରେ ଲାଇଫ୍‌ ବେଲ୍‌ଟ୍‍ ପକାଇ ଦେ । ଡୋନ୍‌ଗାନ୍‌, ସେ ଲମ୍ବା ଦଉଡ଼ିଟା ଆଣ, ପାଣିଲେ ପକାଇ ଦେବା । ସେ ଯଦି ସମୁଦ୍ରରେ ପଡ଼ିଯାଇଛି, ତେବେ ଲାଇଫ୍‍ ବେଲ୍‌ଟ୍‌ ଓ ଦଉଡ଼ି ଧରି ଆତ୍ମରକ୍ଷା କରିବ ।’’

 

ସମୁଦ୍ର ଉପରେ ଲାଇଫ୍‌ ବେଲ୍‍ଟ୍‌ ଓ ଲମ୍ବା ଦଉଡ଼ି ଫୋପାଡ଼ି ଦିଆଗଲା । ଦଉଡ଼ିର ଗୋଟାଏ ପାଖକୁ ଜାହାଜ ସହିତ ବାନ୍ଧି ଦିଆଗଲା । ତିନିବନ୍ଧୁ ସମୁଦ୍ରକୁ ଚାହିଁ ‘ମୋକୋ’ ‘ମୋକୋ’ ବୋଲି ଡାକିବାକୁ ଲାଗିଲେ । ଶେଷକୁ ବ୍ରାଆଁତ୍‍ ବଡ଼ ବ୍ୟସ୍ତ ହୋଇପଡ଼ିଲା । ସେତେବେଳେ ଲହରୀ ଭିତରେ ଜାହାଜର ଖଣ୍ଡେ ଭଙ୍ଗାକାଠ ଖେଳି ବୁଲୁଥାଏ । ସେଇଟାକୁ ମୋକୋ ବୋଲିଭାବି, ତାକୁ ଉଦ୍ଧାର କରିବା ଲାଗି ବ୍ରାଆଁତ୍‍ ପାଣି ଭିତରକୁ ଡେଇଁ ପଡ଼ୁଥିଲା, କିନ୍ତୁ ହଠାତ୍‌ ସେତିକିବେଳେ ଅତି କ୍ଷୀଣ କଣ୍ଠରେ ଗୋଟାଏ ଆର୍ତ୍ତସ୍ୱର ଶୁଭିଲା, ‘‘ମରିଗଲି, ମରିଗଲି, ଧାଇଁଆସ ।’’

 

ବ୍ରାଆଁତ୍‍ ହଠାତ୍‌ ଅଟକିଗଲା । ଗର୍ଡ଼ନ କହିଲା, ‘‘ଏ ସ୍ୱର ତ ସମୁଦ୍ର ଭିତରୁ ଆସୁନାହିଁ । ସମୁଦ୍ରକୁ ଡେଇଁ ଲାଭ କ’ଣ ?’’

 

ସମସ୍ତେ କାନ ଡେରି ଶୁଣିବାକୁ ଚେଷ୍ଟାକଲେ । ହଁ ତ, ସ୍ପଷ୍ଟ ମୋକୋର କଣ୍ଠସ୍ୱର; ମୋକୋ କହୁଛି, ‘‘ଧାଇଁଆସ । ରକ୍ଷାକର !!’’ କିନ୍ତୁ କାହିଁ, କେଉଁଠି ସେ ? ଝଡ଼ବର୍ଷାର ସାଇଁ ସାଇଁ ଶବ୍ଦ, ଲହରୀର ଘୋର ଗର୍ଜନ, ଏ ଭିତରେ ତ କିଛି ବାରି ହେଉ ନାହିଁ । ଶେଷକୁ କେବଳ ଅନ୍ଦାଜ ଉପରେ ନିର୍ଭର କରି ବ୍ରାଆଁତ୍‍ ଧୀରେ ଧୀରେ ଆଗକୁ ଚାଲିଲା । ତା’ ପଛେ ପଛେ ଅନ୍ୟ ଦୁଇଜଣ ଏଣେ ତେଣେ ଖୋଜିବା ପରେ ଦେଖାଗଲା–ଜାହାଜର ଆଗପଟେ ଗୋଟାଏ ଗାତ ଅଛି । ସେହି ଗାତଦେଇ ଡେକ୍‌ ଉପରର ପାଣି ଖଲାସ ହୁଏ । ମୋକୋ ସହି ଗାତ ଭିତରେ ଅଟକି ରହିଛି । ଲହରୀ ମୁହଁରେ ଭାସିଆସି ସେ ସେହି ପାଖରେ ଲାଗିଯାଇଛି । ତା’ ଦେହର ଅଧେ ଜାହାଜ ବାହାରେ, ଅଧେ ଜାହାଜ ଭିତରେ, ସେ ଗୋଟାଏ ତ୍ରିଶଙ୍କୁ ଅବସ୍ଥାରେ ରହିଯାଇଛି ।

 

କେବଳ କ’ଣ ସେତିକି ? ତା’ ସଙ୍ଗେ ସଙ୍ଗେ ଗୋଟାଏ ପ୍ରକାଣ୍ଡ ପିପା ମଧ୍ୟ ଯାଇ ଗାତ ମୁହଁରେ ଲାଗିଛି । ସେ ଭିତରେ ଚିପି ହୋଇ ରହି ମୋକୋ ଆର୍ତ୍ତନାଦ କରୁଛି, ‘‘ଧାଇଁ ଆସ, ରକ୍ଷାକର ।’’ ତିନିଜଣ ମିଶି ଟାଣି ଓଟାରି ମୋକୋକୁ ଗାତ ଭିତରୁ ବାହାର କରି ଆଣିଲେ । ସେତେବେଳକୁ ଅବସ୍ଥା ତା’ର ସାଙ୍ଘାତିକ । ତଥାପି ସେ ଧାଇଁଗଲା ଷ୍ଟିଅରିଂ ଧରିବାକୁ । ପଛରୁ ତେଣେ ଯେ ବଡ଼ବଡ଼ ଲହରୀଗୁଡ଼ାକ ମାଡ଼ିଆସୁଛନ୍ତି ! କଥାଭାଷା ହେବା ପାଇଁ ବେଳ କାହିଁ ?’’

 

ଦେଖୁ ଦେଖୁ ସକାଳ ପାଞ୍ଚଟା ହୋଇଗଲା । ସେତେବେଳକୁ ଝଡ଼ବର୍ଷାର ତାଣ୍ଡବ କମିଗଲାଣି । ଧୀରେ ଧୀରେ କାଳିମା ଭିତରେ ଫୁଟି ଉଠିଲା ଗୋଟିଏ କ୍ଷୀଣ, ଅତି କ୍ଷୀଣ ଆଲୋକରେଖା । ଗର୍ଡ଼ନ୍‍ ପଚାରିଲା, ‘‘ଜାହାଜଟା ଚାଲୁଛି, ନା ଯେଉଁଠି ସେଇଠି ପଡ଼ିଛି ମ ! –ଆମେ କେତେ ବାଟ ଆସିଥିବା ?’’

 

ମୋକୋ କହିଲା, ‘‘ତା’ର କିଛି କଳନା ନାହିଁ । ମୁଁ କେବଳ ଏତିକି ଜାଣେ ଯେ ଆମ ଜାହାଜ ଖୁବ୍‌ ଜୋରରେ ଚାଲିଛି । ଏ ଯେଉଁ ପବନ, ଏଥିରେ ଜାହାଜ ଆଉ ଧୀରେ ଧୀରେ ଚାଲିବ ନା !’’

 

‘‘ତାହାହେଲେ କାହିଁ, ସ୍ଥଳଭାଗ କାହିଁ ? ଏ ମହାସମୁଦ୍ରରେ ଗୋଟାଏ ଦ୍ୱୀପ ବି ନାହିଁ !’’

 

ବ୍ରାଆଁତ୍‍ କହିଲା, ‘‘ପ୍ରଶାନ୍ତ ମହାସାଗର କେତେ ବଡ଼ ଜାଣିଛୁଟି ? ଆମ ଜାହାଜ ଏବେ ପ୍ରଶାନ୍ତ ମହାସାଗର ଭିତରେ ନ ଚାଲୁଛି ବୋଲି କିଏସେ କହିବ !’’

 

ସିନ୍ଦୂରା ଫାଟିଲା । ଆସ୍ତେ ଆସ୍ତେ ତାହାର ପରିସର ବଢ଼ିବାକୁ ଲାଗିଲା । ଚାରିବନ୍ଧୁ ମିଶି ଅପଲକ ନୟନରେ ପ୍ରକୃତିର ଧୂସର ରୂପ ଦେଖିବାକୁ ଲାଗିଲେ । ଦିଗନ୍ତ-ବିସ୍ତାରୀ ସମୁଦ୍ର ଓ ଦିଗନ୍ତ-ବିସ୍ତାରୀ ଆକାଶ ଭିତରେ ଚାଲିଥାଏ ପାଣି ଓ ପବନର ଖେଳ । ସେ ଖେଳ ଭିତରେ ମଧ୍ୟସ୍ଥ ହୋଇ ପ୍ରବେଶ କରିଥାଏ ସକାଳ ସୂର୍ଯ୍ୟର ସୁନେଲି କିରଣ । କେଡ଼େ ଭୀଷଣ ! ତଥାପି କି ସୁନ୍ଦର ସେ ଦୃଶ୍ୟ ! ହଠାତ୍ ମୋକୋ ପାଟିକରିଉଠିଲା, ‘‘କୂଳ–କୂଳ ପାଖେଇ ଆସିଲା । ହେ...ଇଟି, ଚାହିଁ ଦେଖ !’’

 

ଚାରିଜଣଯାକ ସେହି ଆଡ଼କୁ ଚାହିଁରହିଲେ । ସତେ ତ, ପୂର୍ବଦିଗରେ ଗୋଟାଏ କ୍ଷୀଣ ସବୁଜରେଖା ଦେଖାଯାଉଛି । କିନ୍ତୁ, ସେ ରେଖାଟା ମେଘ ନା ସ୍ଥଳଭାଗ ? ବ୍ରଆଁତ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେହି ସବୁଜ ରେଖାକୁ ଚାହିଁଲା । ଏଥର ସବୁ ସନ୍ଦେହ ଦୂର ହୋଇଗଲା । ସେଇଟା ପ୍ରକୃତରେ କୂଳ । ବ୍ରାଆଁତ୍‍ ମୋକୋକୁ କୁଣ୍ଢାଇ ପକାଇ କହିଲା, ‘‘ଧନ୍ୟ ତୋର ଆଖି, ମୋକୋ, ଏତେ ଦୂରରୁ ତୁ କୂଳଟା କିପରି ଦେଖିପାରିଲୁରେ ?’’

 

ସମସ୍ତେ ଆନନ୍ଦରେ ନାଚିଉଠିଲେ । ଖବର ପାଇବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ପିଲାମାନେ ଡେକ୍ ଉପରକୁ ଦୌଡ଼ି ଆସିଲେ । ଦୂରବୀକ୍ଷଣ ଯନ୍ତ୍ର ନେଇ ସମସ୍ତେ ଟିକିଏ ଟିକିଏ ଚାହିଁଦେଲେ କୂଳକୁ । ଅଧଘଣ୍ଟାକ ପରେ ସ୍ପଷ୍ଟ ଦେଖାଗଲା ପ୍ରାୟ ଛ’ ମାଇଲ ଦୂରରେ ଗୋଟିଏ ସ୍ଥଳଭୂମି ତା’ର ଅସୀମ ରୂପ ମେଲି ଦେଇ ପିଲାମାନଙ୍କ ଆଡ଼କୁ ହସ ହସ ମୁହଁରେ ଚାହିଁ ରହିଛି । ପଛରେ ତା’ର ଲମ୍ବି ଯାଇଛି ପର୍ବତ ଶ୍ରେଣୀ–ପ୍ରାୟ ଦୁଇ ଶହ ଫୁଟ ଉଚ୍ଚ ହେବ । ପର୍ବତର ତଳେ ତଳେ ରହିଛି ଶ୍ୟାମଳ ସମତଳ ଏବଂ ତାକୁ ଲାଗି ବିଛେଇ ହୋଇପଡ଼ିଛି ସୁନେଲି ବେଳାଭୂମି । ସେହି ସମତଳ ପ୍ରଦେଶ ଦେଇ ବୋହି ଆସିଛି ଗୋଟିଏ ଛୋଟ ନଦୀ । ମୁହାଣଟି ଖୁବ୍‌ ପାଖରେ । କିନ୍ତୁ କିଛିସମୟ ପରେ ଦେଖାଗଲା କୂଳକୁ ଟିକିଏ ଛାଡ଼ି ସମୁଦ୍ର ଭିତରୁ ଟେକିଛି ପୋହଳା ପାହାଡ଼-। ସମୁଦ୍ରରେ ପୋହଳା ପୋକଗୁଡ଼ିକ ବାସକରନ୍ତି । ପ୍ରଶାନ୍ତ ମହାସାଗରରେ ଏ ପୋକ ବେଶି ଦେଖାଯାନ୍ତି । ନିଜ ଦେହରୁ ଏକପ୍ରକାର ରସ ବାହାର କରି ନିଜ ଉପରେ ସେମାନେ ଗୋଟାଏ ଘର ତିଆରି କରନ୍ତି । ହଜାର ହଜାର ବର୍ଷ ଧରି ଏସବୁ ଘର ବଢ଼ିଚାଲେ । ଶେଷରେ କୂଳ ପାଖରେ ଦେଖାଦିଏ ଦୀର୍ଘ ପୋହଳା ପାହାଡ଼ । ଦୂରରୁ ଦେଖାଯାଏ ଯେପରି କୂଳ ପାଖରେ କିଏସେ ଗୋଟାଏ ଲମ୍ବ ଫୁଲମାଳା ଲମ୍ବାଇ ଦେଇଛି । କୂଳ ପାଖରେ ଯଦି ପୋହଳା ପାହାଡ଼ ରହିଲା, ତେବେ ଜାହାଜ ଯାଇ କୂଳରେ ଲାଗିପାରେନା ।

 

ପୋହଳା ପାହାଡ଼ ଦେଖି ପିଲାମାନେ ହତୋତ୍ସାହ ହୋଇପଡ଼ିଲେ । ମୋକୋ କହିଲା, ‘‘ଜାହାଜ ଯଦି ଏ ପାହାଡ଼ରେ ଧକ୍‌କା ଖାଏ, ତେବେ ଆମ କଥା ସରିଲା । ମୁଁ ଦେଖୁଛି, ଜାହାଜକୁ ନେଇ କୂଳରେ ଲଗାଇବା ପାଇଁ କୌଣସି ସୁବିଧା ନାହିଁ ।

 

ସେତେବେଳକୁ ଜୁଆର ଉଠିଥାଏ । ଲହରୀ ଯାଇ ପିଟିହେଉଥାଏ ପୋହଳା ପାହାଡ଼ ଉପରେ । ଜାହାଜ ଖୁବ୍‌ ଜୋରରେ କୂଳ ଆଡ଼କୁ ଚାଲିଥାଏ । ପାଲଗୁଡ଼ାକ କାଢ଼ି ଦିଆଗଲା । ତଥାପି ଜାହାଜର ଗତି କମିଲା ନାହିଁ । କିପରି ଜାହାଜକୁ ରୋକାଯିବ ବୁଝିହେଲା ନାହିଁ । ପୋହଳା ପାହାଡ଼ ଯେ ଖୁବ୍‌ କମ୍‍ ଦୂରରେ ! ପିଲାମାନେ ଆତଙ୍କିତହୋଇ ଚାହିଁରହିଲେ । ସମସ୍ତେ ଆଗକୁ ଚାହିଁ ରହିଛନ୍ତି, ଏତିକିବେଳେ ପଛରୁ ଏପରି ଗୋଟାଏ ବିରାଟ ଲହରୀ ଉଠିଲା ଯେ ଜାହାଜଟାକୁ ଶୂନ୍ୟେ ଶୂନ୍ୟେ ଟେକି ନେଇ କଚାଡ଼ି ଦେଲା ପୋହଳା ପାହାଡ଼ ପାଖରେ ।

 

ପିଲାଙ୍କ ମୁହଁରୁ ଆର୍ତ୍ତନାଦ ବାହାରି ପଡ଼ିଲା । କିନ୍ତୁ, ନା, ଜାହାଜଟା କୌଣସି ପଥର ଦେହରେ ବାଜିଲା ନାହିଁ । ପୋହଳା ପାହାଡ଼ର ମଝି ମଝିରେ ଗୋଟାଏ ଗୋଟାଏ ବାଲିଚଡ଼ା ଥାଏ-। ସେହିପରି ଏକ ବାଲିଚଡ଼ା ଉପରେ ଯାଇ ବସିଗଲା ଜାହାଜଟା । ପାଣି ସେଠାରେ ଫୁଟେ କି ଦୁଇ ଫୁଟ । ସେଠାରୁ ପ୍ରାୟ ଅଧପା ଦୂରରେ କୂଳ । ଆଗରେ ପଛରେ ଚାରିଆଡ଼େ ଅସଂଖ୍ୟ ଛୋଟ ଛୋଟ ପୋହଳା ପଥର ପାଣି ଭିତରୁ ଉପରକୁ ମୁଣ୍ଡ ଟେକିଛନ୍ତି । ଲହରୀ ଉପରେ ଲହରୀ ଆସି କାହିଁରେ କ’ଣ କଚାଡ଼ି ହେଉଛନ୍ତି । କେତେବେଳେ ପାଣି ଉପରକୁ ପଥର ଉଠୁଛିତ କେତେବେଳେ ପଥର ଉପରକୁ ପାଣି । ସେ ଭିତରେ ପୁଣି ଖେଳି ବୁଲୁଛି ଘୂର୍ଣ୍ଣିବାୟୁ । ଅସହାୟ, ନିରୁପାୟ ଭାବରେ ଚାହିଁରହିବା ବ୍ୟତୀତ ସେତେବେଳେ ଅନ୍ୟକୌଣସି ଗତି ନଥିଲା ।

Image

 

ଜୁଆରର ଉତ୍ପାତ

 

ଆଖି ଆଗରେ ପଡ଼ିରହିଛି ଏକ ଅଜଣା ରାଇଜର ଅପୂର୍ବ ସ୍ଥଳଭାଗ । ବାଟ ମୋଟେ ଅଧପା’ କି ତା’ଠାରୁ କମ୍‌ । କିନ୍ତୁ ସେଠାକୁ ଯିବାର ଉପାୟ ନାହିଁ ।

 

ଚାରିଆଡ଼କୁ ଲକ୍ଷ୍ୟକରି ବ୍ରାଆଁତ୍‍ କହିଲା, ‘‘ଆଉ କିଛିସମୟ ପରେ ଜୁଆର କମିଯାଇ ଭଟ୍ଟା ପଡ଼ିଯିବ । ଭଟ୍ଟା ପଡ଼ିଲେ ପାଣି କମିଯିବ । ଆମେ ସେତିକିବେଳେ ଆଗକୁ ଯିବାଲାଗି ଚେଷ୍ଟାକରିବା ।’’

 

ଡୋନ୍‌ଗାନ୍‌ କହିଲା ‘‘ଏତେ ସମୟ କିଏସେ ଅପେକ୍ଷା କରିବ ।’’ ଉଇଲ୍‌କକ୍‌ସ୍‌ ବୋଲି ଗୋଟାଏ ପିଲା କହିଲା, ‘‘ଠିକ୍‍ କଥା । ଏତେ ସମୟ ଅପେକ୍ଷା କରି କିଛି ଲାଭ ନାହିଁ । ବର୍ତ୍ତମାନ ହିଁ ଚେଷ୍ଟା କରାଯାଉ ।’’

 

ଆଉ ଜଣେ ଦୁଇଜଣ ବି ସେହିକଥା କହିଲେ । ସେତେବେଳକୁ ଜାହାଜରେ ଗୋଟିଏ ମାତ୍ର ଡଙ୍ଗା ଥାଏ । ବାକି ସବୁ ଡଙ୍ଗା ତୋଫାନ ବେଳେ ସମୁଦ୍ରରେ ଭାସି ଯାଇଥାଏ । ଡୋନ୍‌ଗାନ୍‌ ଓ ତା’ ଦଳର ପିଲାମାନେ କହିଲେ, ‘‘ଜାହାଜ ନଗଲେ ନାହିଁ । ଡଙ୍ଗା ତ ଅଛି, ଡଙ୍ଗାରେ ଚାଲିଯିବା-।’’

 

ବ୍ରାଆଁତ୍‍ କହିଲା, ‘‘ଆରେ ଡଙ୍ଗାରେ ଯିବାଛଡ଼ା ଆଉ ଉପାୟ କ’ଣ ? କିନ୍ତୁ ଏ ଜୁଆର ବେଳେ ପାହାଡ଼ ପର୍ବତ ଭିତରେ ଡଙ୍ଗା ଚାଲିବଟି ?

 

ବାଧ୍ୟହୋଇ ସମସ୍ତେ କିଛିସମୟ ଅପେକ୍ଷା କଲେ; ମୋକୋ କହିଲା, ‘‘ବଡ଼ ବିଚିତ୍ର କଥାତ ! ନଦୀ ଅଛି କିନ୍ତୁ କେଉଁଠି ଗୋଟାଏ ଡଙ୍ଗା ଦେଖାଯାଉନାହିଁ । ଏତେ ପାହାଡ଼ ପର୍ବତ ରହିଛି, କିନ୍ତୁ କେଉଁଠି କାହିଁ ଟିକିଏ ହେଲେ ଧୂଆଁ ଦେଖାଯାଉନାହିଁ ?’’

 

ଡୋନ୍‍ଗାନ୍‌ କହିଲା, ‘‘ଏ ଦେଶରେ ମଣିଷ ନଥିବେରେ ! ମଣିଷ ନଥିଲେ କେଉଁ ଚୁଲିରୁ ଧୂଆଁ ବାହାରିବ ?’’

 

ଆସ୍ତେ ଆସ୍ତେ ସମୁଦ୍ରରେ ଭଟ୍ଟା ଦେଲା । ଏହି ଭଟ୍ଟାର ସୁଯୋଗ ନେଇ ସ୍ଥଳଭାଗକୁ ଯିବାକୁ ପଡ଼ିବ । ବ୍ରାଆଁତ୍‍ କାଳବିଳମ୍ବ ନକରି ପିଲାମାନଙ୍କୁ ନେଇ କାମରେ ଲଗାଇଲା । ଜାହାଜ ଭିତରେ ବିଭିନ୍ନ ପ୍ରକାର ଦରକାରୀ ଜିନିଷ ଥାଏ । ବିଭିନ୍ନ ପ୍ରକାର ଖାଇବା ଜିନିଷ ବାକ୍‌ସମାନଙ୍କରେ ପ୍ୟାକ୍‌ ହୋଇ ରହିଥାଏ । ସେସବୁ ଜିନିଷ ଆଣି ଡଙ୍ଗାରେ ବୋଝେଇ କରାଗଲା-। ଅତି ଦରକାରୀ ଜିନିଷଗୁଡ଼ାକ ଆଗ କୂଳକୁ ନେଇ ଗଲେ ପରେ ସୁବିଧା ଦେଖି ଅନ୍ୟାନ୍ୟ ଜିନିଷ ନେଇ ହେବ । ଡଙ୍ଗାରେ ଜିନିଷ ବୋଝେଇ ଶେଷ ହେବାପରେ ବ୍ରାଆଁତ୍‍ ଗୋଟାଏ କାମରେ ଜାହାଜ ଭିତରକୁ ଯାଇଥାଏ, ଏତିକିବେଳେ ଡୋନ୍‌ଗାନ୍‌ ଓ ତା’ ଦଳର ଅନ୍ୟାନ୍ୟ ତିନିଜଣ ପିଲା ଡଙ୍ଗାରେ ଚଢ଼ି ଡଙ୍ଗା ଛାଡ଼ିବାକୁ ଆୟୋଜନ କଲେ । ଡେକ୍ ଉପରକୁ ଆସି ବ୍ରାଆଁତ୍‍ ଯେତେବେଳେ ଏ କାଣ୍ଡ ଦେଖିଲା ସେତେବେଳେ ସେ ନିଆଁବାଣ ହୋଇଗଲା । ସେ ଜାଣେ ଡୋନ୍‌ଗାନ୍‌ ଯେପରି ଦାୟିତ୍ୱହୀନ ପିଲା ସେ ଯଦି ଡଙ୍ଗାନେଇ କୂଳକୁ ଚାଲିଯାଏ ନା ତେବେ ଆଉ ଡଙ୍ଗା ଫେରାଇ ଆଣିବ ନାହିଁ । ଅନ୍ୟମାନେ ହଇରାଣରେ ପଡ଼ିବେ, ତେଣୁ ବ୍ରାଆଁତ୍‍ କହିଲା, ଡୋନ୍‌ଗାନ, ତୁମେସବୁ ଓହ୍ଲାଇ ଡଙ୍ଗାରୁ ଯାଅ ।’’ ଡୋନ୍‌ଗାନ୍‌ କହିଲା, ‘‘ଆମଇଚ୍ଛା ଆମେ ଚଢ଼ିବୁ, ତୁ କିଏସେ ମନା କରିବୁ ?’’ କଳି ଲାଗିବାକୁ ଆଉ କେତେବାଟ ! ମାମଲା କଥାଭାଷା ହାତାହାତି ପର୍ଯ୍ୟନ୍ତ ଚାଲିଗଲା । ଶେଷକୁ କୌଣସି ମତେ ଗର୍ଡ଼ନ୍‍ର ମଧ୍ୟସ୍ଥତାରେ କଳି ସମାଧାନ ହେଲା ।

 

ସେତେବେଳେ ସୁଦ୍ଧା ପାଣି କମି ନ ଥାଏ । ଗର୍ଡ଼ନ୍‍ କହିଲା, ‘‘ଭାଇମାନେ, ଆସ ଏ ଭିତରେ ଗଣ୍ଡେ ଗଣ୍ଡେ ଜଳଖିଆ କରିନେବା, ଆମର ଜଳଖିଆ ଶେଷହେବା ବେଳକୁ ପାଣି କମିଯାଇଥିବ । ସେହିକଥା ହେଲା । ସମସ୍ତେ ବସି ଜଳଖିଆ କଲେ । କିନ୍ତୁ କାହିଁ, ପାଣିତ କମୁନାହିଁ ? ଆଚ୍ଛା ନାଟ ଲାଗିଛି ! ଭଟ୍ଟା ଯାଇ ଜୁଆର ଆସିବା ବେଳ ହେଲାଣି, ତଥାପି ପାଣି କମୁନାହିଁ । ଶେଷକୁ ବ୍ରଆଁତ କହିଲା, ‘‘ଭାଇମାନେ ପାଣି କମୁ ବା ନ କମୁ, ଏହି ଖଣ୍ଡେ ଡଙ୍ଗାରେ ବସି ଆମେ ସମସ୍ତେ କଦାପି କୂଳକୁ ଯାଇପାରିବା ନାହିଁ । ଡଙ୍ଗାରେ ମୋଟେ ପାଞ୍ଚ ଛ’ଜଣ ବସି ପାରିବେ । ତେଣୁ ମୁଁ କହୁଛି ଆମ ଭିତରୁ କିଏସେ ଜଣେ ଯଦି ପହଁରି ପହଁରି କୂଳକୁ ଯାଇ କୂଳର କୌଣସି ପଥର ଦେହରେ ଗୋଟାଏ ଦଉଡ଼ି ବାନ୍ଧି ଆସନ୍ତା ତେବେ ସେହି ଦଉଡ଼ିକୁ ଧରି ଆମେ ସହଜରେ କୂଳକୁ ଯାଇପାରନ୍ତେ ।’’

 

‘‘କିନ୍ତୁ ଏତେବଡ଼ ଦଉଡ଼ି ଧରି ଏ ପାହାଡ଼ ପର୍ବତ ଡେଇଁ ଭଟ୍ଟାସୁଅ କାଟି କୂଳକୁ ଯିବ କିଏସେ ? ଯେ ଯିବ ତା’ର ଯଦି କିଛି ହୋଇଯାଏ ।’’

 

‘‘ସେଥିକି ଚିନ୍ତାନାହିଁ, ମୁଁ ଏବେ ଯାଉଛି’’ ବ୍ରାଆଁତ୍‍ କହିଲା ।

 

ସମସ୍ତେ ଅବାକ୍‌ ହୋଇଗଲେ । ସମୁଦ୍ର ଭିତରେ ପହଁରି ପହଁରି କୂଳକୁ ଯିବା କ’ଣ କମ୍‍ ବିପଦର କଥା । ବ୍ରାଆଁତ୍‍ର ଭାଇ ଜ୍ୟାକ୍ କାନ୍ଦ କାନ୍ଦ ହୋଇଗଲା । ବଡ଼ଭାଇଙ୍କୁ ସମୁଦ୍ର ଭିତରକୁ ଛାଡ଼ିବାକୁ ମୋଟେ ରାଜିନୁହେଁ । କିନ୍ତୁ ବ୍ରାଆଁତ୍‍ କାହାରି ବାରଣ ମାନିଲା ନାହିଁ । ସମସ୍ତଙ୍କର ଯେଉଁଥିରେ ଉପକାର ହେବ ସେପରି କାମରେ ପଛାଇଲେ କ’ଣ ଲୋକ ଭଲପିଲା କହିବେ ?

 

ଆଉ ସମୟ ନଷ୍ଟ କରିବା ଉଚିତ ନୁହେଁ । ଗୋଟାଏ ଟାଣ ଓ ମୋଟା ଦଉଡ଼ି ଆଣି ତା’ର ଏକ ମଙ୍ଗକୁ ଜାହାଜରେ ବନ୍ଧାଗଲା ଓ ଆର ମଙ୍ଗଟା ବ୍ରାଆଁତ୍‍ର ଅଣ୍ଟାରେ ବନ୍ଧାଗଲା । ବ୍ରାଆଁତ୍‍ ସମସ୍ତଙ୍କୁ ଡାକି କହିଲା, ‘‘ଭାଇମାନେ, ମୁଁ ଦଉଡ଼ି ନେଇ ସମୁଦ୍ରରେ ଓହ୍ଲାଇଲି । ପହଁରି ପହଁରି ମୁଁ ଯେତେ ଆଗକୁ ଯିବି ତୁମେ ଏଣୁ ସେତେ ଦଉଡ଼ି ଛାଡ଼ୁଥିବ । ଦେଖ, ଦଉଡ଼ି ଛାଡ଼ିବାରେ ଯେପରି ଡେରି ନ କର । ପାଣି କିମିତି ଭଉଁରୀ ଖେଳୁଛି ଦେଖୁଚଟି ? ପାଣି ତଳେ ତଳେ ଫେରେ ପଥର ଲୁଚିରହିଛି । ତୁମେ ଯଦି ଟିକିଏ ଭୁଲକଲ ନା.....’’

 

ଗର୍ଡ଼ନ୍‍ କହିଲା, ‘‘ମୁଁ ଦଉଡ଼ି ଧରୁଛି, ତୁମେ ମୋଟେ ଭୟ କର ନାହିଁ ।’’

 

ପିଲାମାନେ ଆସି ଡେକ୍‌ ଧାରରେ ଠିଆହେଲେ । ବ୍ରାଆଁତ୍‍ ଯାଉଛି ସମୁଦ୍ର ସଙ୍ଗେ ଲଢ଼େଇ କରିବାକୁ । ଛୋଟଭାଇ ଜ୍ୟାକ୍‌କୁ ଅନେକପ୍ରକାର ବୁଝାଇ ଶୁଝାଇ ବ୍ରାଆଁତ୍‍ ସମୁଦ୍ର ଭିତରକୁ ଡେଇଁପଡ଼ିଲା । ସମସ୍ତେ ଅବାକ୍‌ ହୋଇ ଚାହିଁ ଚାହିଲେ । ଲହରୀ କାଟି ପଥର ପରେ ପଥର ପାର ହୋଇ ଆଗେଇ ଚାଲିଲା ବ୍ରାଆଁତ୍‍ । ପିଲାମାନେ ଉତ୍ତେଜନାରେ ରୁଦ୍ଧଶ୍ୱାସ ହୋଇ ଚାହିଁ ରହିଥାନ୍ତି । ହେଇଟି ଆଗରେ ଗୋଟାଏ ବଡ଼ ପଥର, ବାବାରେ !! ପାଣି କେମିତି ଭଉଁରୀ ଖେଳୁଛି । ଆସିଲା ଆସିଲା ଗୋଟାଏ ବଡ଼ ଲହରୀ, ବ୍ରଆଁତ କଚାଡ଼ି ହୋଇପଡ଼ିଲା ସେ ପଥର ଉପରେ !! –ନା, ନା, ବ୍ରାଆଁତ୍‍ର କିଛି ହୋଇନି, ଖୁବ୍‌ ଚାଲାକ ସେ । କୁମ୍ଭୀର ପରି ବୁଡ଼ିପଡ଼ିଲା ତଳକୁ ! ତା’ର କ’ଣ ହେବ ! ହଁ, ଅଧାଅଧି ବାଟ ପାର ହେଲାଣି । ଆଉ କମ୍‌ ସମୟ, କେଡ଼େ ସୁନ୍ଦର ପହଁରୁଛି ମ । ବାଃ ! ବାଃ !

 

ଡୋନ୍‌ଗାନ୍‌ ଗୀତ ଛାଡ଼ିଲା, ‘‘ଚାଲ୍‌, ଚାଲରେ ନୌଯବାନ...’’ ହଠାତ୍‌ ଦେଖାଗଲା ବ୍ରାଆଁତ୍‍ ଆଗରେ ଗୋଟାଏ ମସ୍ତବଡ଼ ଭଉଁରୀ, ସେଇଟାକୁ ପାର ହେବାପାଇଁ ବ୍ରାଆଁତ୍‍ ପ୍ରାଣପଣେ ଚେଷ୍ଟା କରୁଛି । କିନ୍ତୁ ପାରୁନାହିଁ, ଦେଖୁ ଦେଖୁ ବ୍ରାଆଁତ୍‍ ଭଉଁରୀ ଭିତରେ ଅଦୃଶ୍ୟ ହୋଇଗଲା–ତା’ ଗୁର୍ବରୁ ଗୋଟାଏ କ୍ଷୀଣ ଆର୍ତ୍ତନାଦ ଶୁଭୁଥିଲା, ‘ରକ୍ଷାକର ଗର୍ଡ଼ନ୍‍ !’

 

ଗର୍ଡ଼ନ୍‍ ପ୍ରସ୍ତୁତ ହୋଇ ରହିଥିଲା । ସବୁପିଲା ମିଶି ପ୍ରାଣପଣେ ଚେଷ୍ଟାକରି ଦଉଡ଼ି ଟାଣି ଆଣିଲେ । ବ୍ରାଆଁତ୍‍ ଯେତେବେଳେ ଜାହାଜରେ ପହଞ୍ଚିଲା ସେତେବେଳକୁ ତା’ର ଚେତା ବୁଡ଼ିଯାଉଛି । ଯାହାହେଉ କୌଣସିମତେ ତା’ର ଜୀବନ ରକ୍ଷା ହୋଇଗଲା । କିନ୍ତୁ ଦଉଡ଼ି ବନ୍ଧା ହୋଇପାରିଲା ନାହିଁ ।

 

ଦେଖୁ ଦେଖୁ ଭଟ୍ଟା ଶେଷହୋଇ ଜୁଆର ମାଡ଼ିଆସିଲା । ଭୀଷଣ ଜୁଆର । ଜୁଆର ପାଣିରେ ଜାହାଜ ପୁଣି ଭାସି ଉଠିଲା । ଲହରୀର ଆଘାତରେ ଜାହାଜ ଯାଇ କେତେବେଳେ ଏ ପଥରରେ ବାଜିଲାତ କେତେବେଳେ ସେ ପଥରରେ ବାଜିଲା । ଜାହାଜରେ ଲଙ୍ଗର ନାହିଁ ଯେ ପକାଇଦେଲେ ରକ୍ଷା ମିଳିବ । ଲଙ୍ଗର ତ ଆକଲାଣ୍ଡ ବନ୍ଦରରେ କଟି ଯାଇଛି । ପିଲାମାନେ ହତାଶ ହୋଇ ଚାହିଁ ରହିଥିଲେ । କେଉଁ ମୁହୂର୍ତ୍ତରେ ଜାହାଜଟା ପଥରରେ ବାଜି ଚୁର୍‌ମାର୍‌ ହୋଇଯିବ ସେକଥା କିଏ କହିବ ?

 

ହଠାତ୍‌ ଦେଖାଗଲା ପଛରୁ ମାଡ଼ି ଆସୁଛି ଗୋଟାଏ ପର୍ବତ ପ୍ରମାଣ ଲହରୀ । ସିଂହ ଗର୍ଜିଲା ପରି ଗର୍ଜନ କରି କରି ଲହରୀଟା ସେମାନଙ୍କ ଜହାଜ ଉପରକୁ ମାଡ଼ିଆସିଲା । ପିଲାମାନେ ଆର୍ତ୍ତନାଦ କରି ପରସ୍ପରକୁ ଜାବୋଡ଼ି ଧରିଲେ । ଲହରୀ ଆସି ଜାହାଜଟାକୁ ପ୍ରାୟ କୋଡ଼ିଏ ଫୁଟ ଉପରକୁ ଟେକିନେଲା ଏବଂ ଆଖି ପିଛୁଡ଼ାକେ ନେଇ ଫିଙ୍ଗିଦେଲା ଉପକୂଳର ଶୁଖିଲା ବାଲି ଉପରେ !!

Image

 

ମାଟିର ମାୟା

 

ଭଗବାନଙ୍କ ଅପାର କରୁଣା । ଏତେବଡ଼ ଦୁର୍ଘଟଣାରେ ପଡ଼ି ମଧ୍ୟ କେହିହେଲେ ଆହତ ହେଲେ ନାହିଁ । ପିଲାମାନେ ଫକ୍‌ ଫାକ୍‌ ହୋଇ ତଳକୁ ଡେଇଁପଡ଼ିଲେ । କାଳବିଳମ୍ବ ନକରି ଚାରିଆଡ଼ଟା ଟିକିଏ ଦେଖି ଆସିଲେ । କିନ୍ତୁ ଆଶ୍ଚର୍ଯ୍ୟ କଥା କୂଳରେ ମନୁଷ୍ୟର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳିଲା ନାହିଁ । କୂଳଠାରୁ କିଛିଦୂର ଯାଏ ବାଲି । ବାଲିକୁ ଲାଗି ଏକ ବୁଦୁବୁଦୁକିଆ ଜଙ୍ଗଲ । ତା’ ପରେ ପରେ ବଡ଼ ଜଙ୍ଗଲ । ଜଙ୍ଗଲ ଭିତରେ ପାହାଡ଼ ପର୍ବତ । କିନ୍ତୁ ପାହାଡ଼ ତଳେ ବା ଗଛ ଗହଳି ଭିତରେ ଗୋଟାଏ କୁଡ଼ିଆ ଘର ବି ଦେଖିବାକୁ ମିଳିଲା ନାହିଁ । ଅଳ୍ପ ଦୂରରେ ନଦୀର ମୁହାଣ । ଜୁଆର ପାଣିରେ ନଦୀ ପୂରି ଉଠିଥାଏ, କିନ୍ତୁ ନଦୀରେ ଡଙ୍ଗାଟାଏ କି ଭେଳାଟାଏ ବି ଦେଖାନାହିଁ । ଏତେବଡ଼ ସମୁଦ୍ରକୂଳ କିନ୍ତୁ ବାଲି ଉପରେ ମନୁଷ୍ୟର ପାଦ ଚିହ୍ନଟାଏ ବି ଦେଖାଯାଉନାହିଁ । ଦିଗ୍‌ବଳୟର କେଉଁଠି ହେଲେ ଟିକିଏ ଧୂଆଁ ଉଠୁନାହିଁ । ସତରେ କ’ଣ ଏଠାରେ ମନୁଷ୍ୟ ନାହାନ୍ତି !!

 

ତଥାପି ଏ ଗୋଟାଏ ସ୍ଥଳଭାଗ । ଅକୂଳ ସମୁଦ୍ର ଅପେକ୍ଷା ତ ଭଲ । ହାତରେ ଯଥେଷ୍ଟ ଜିନିଷପତ୍ର ଅଛି । ଲୁଗାପଟା, ଖାଦ୍ୟପେୟ ଓ ଗୁଳି ବାରୁଦର ଅଭାବ ନାହିଁ । ଚିନ୍ତା କ’ଣ ! ମୁଣ୍ଡ ଗୁଞ୍ଜିବା ଲାଗି ଟିକିଏ ଆଶ୍ରୟସ୍ଥାନ ମିଳିଗଲେ ସୁନ୍ଦର ଭାବେ ଚଳିହେବ । ତା’ପରେ ଧୀରେ ସୁସ୍ଥେ ଦେଖାଯିବ ପୃଥିବୀର କେଉଁ ସ୍ଥାନରେ ସେମାନେ ଆସି ପହଞ୍ଚିଛନ୍ତି । ଏହା ଯଦି କୌଣସି ମହାଦେଶର ଅଂଶ ହୋଇଥାଏ ତେବେ ନିଶ୍ଚୟ ରକ୍ଷା ମଳିବ । ନା ଯଦି ଏ ଗୋଟାଏ ନିର୍ଜନ ଦ୍ୱୀପ ହୋଇଥାଏ ତେବେ ଦେଖାଯିବ ଭବିଷ୍ୟତରେ କ’ଣ ହେଉଛି । ବ୍ରାଆଁତ୍‍ କହିଲା, ‘‘ଭାଇମାନେ, ଭଗବାନ ଆମକୁ ବହୁତ ବିପଦରୁ ରକ୍ଷା କଲେଣି । ମରିଥିଲେ ସମୁଦ୍ରରେ ମରିଥାନ୍ତେ; ସ୍ଥଳଭାଗରେ ପହଞ୍ଚିବା ପରେ ଚିନ୍ତା କ’ଣ । ନିଶ୍ଚୟ ଉଦ୍ଧାରର ବାଟ ମିଳିଯିବ ।’’

 

ଜାହାଜଟା ଟକିଏ ବଙ୍କା ହୋଇପଡ଼ିଥାଏ; ଆଗ ମୁଣ୍ଡଟା ବାଲି ଭିତରେ ଟିକିଏ ପଶି ଯାଇଥାଏ ଓ ପଛମୁଣ୍ଡଟା ଟିକିଏ ଟେକି ହୋଇ ରହିଥାଏ । ଆଘାତ ଫଳରେ ଆଗ ମୁଣ୍ଡର କିଛିଅଂଶ ଭାଙ୍ଗି ଯାଇଥିଲେ ବି ପଛର ସେଲୁନ୍‌ଟା ନିଖୁଣ ହୋଇ ରହିଥାଏ । ସମସ୍ତେ ମିଶି ଠିକ୍‌ କଲେ ଯେ ଅନ୍ୟ କୌଣସି ଆଶ୍ରୟସ୍ଥାନ ନ ମିଳିବା ପର୍ଯ୍ୟନ୍ତ ସମସ୍ତ ଜାହାଜ ଭିତରେ ରହିବେ । ଭଙ୍ଗା ଜାହାଜଟା ସିନା ସମୁଦ୍ରରେ ଭାସିବ ନାହିଁ, ସ୍ଥଳଭାଗରେ ଘରର କାମ ଦେବତ । କେଡ଼େ ସୌଭାଗ୍ୟର କଥା କୁହ ! ଜାହାଜକୁ ଜାହାଜ ଆସି ସ୍ଥଳ ଉପରେ ଥୋଇ ହୋଇଗଲା । ଜାହାଜ ଭିତରେ ଯେଉଁ ଅଜସ୍ର ଜିନିଷ ରହିଥିଲା, ତାକୁ ଆଉ ବୋହି ଆଣିବାକୁ ପଡ଼ିଲା ନାହିଁ । ଗୋଟାଏ ଦଉଡ଼ି ତିଆରି ସିଡ଼ି ଜାହାଜ ଉପରୁ ତଳକୁ ଲମ୍ବାଇ ଦିଆଗଲା । ସେହି ସିଡ଼ିଦେଇ ତଳୁ ଉପରକୁ ଯା ଆସ କରିହେଲା ।

 

ପିଲାମାନେ କାମରେ ଲାଗିଥାନ୍ତି । ମୋକୋ ତା’ର ରୋଷେଇ କାମ ଆରମ୍ଭ କରିଦେଲା । ତାକୁ ସାହାଯ୍ୟ କଲା ବକ୍‌ସଟାର୍‌ । ସେ ତା’ ନାନୀଠାରୁ ରନ୍ଧାବଢ଼ା କାମଟି ଭଲଭାବେ ଶିଖିଥାଏ । ସେଦିନ ସନ୍ଧ୍ୟାରେ ଖୁବ୍ ମଉଜ ମଜଲିସରେ ଖିଆପିଆଟା ହେଲା । ସମସ୍ତଙ୍କ ମୁହଁରେ ଫୁଟିଉଠିଲା ହସ ଓ ଆନନ୍ଦ ! କିନ୍ତୁ ଆଶ୍ଚର୍ଯ୍ୟ କଥା, ଗୋଟିଏ ପିଲାର ମୁହଁ କଳାକାଠ ପଡ଼ିଯାଇଥାଏ । ସେ ହେଲା ବ୍ରାଆଁତ୍‍ର ସାନଭାଇ ଜ୍ୟାକ୍‌ । କଥା କ’ଣ କେହି ବୁଝିପାରିଲେ ନାହିଁ ! ନିଜେ ବ୍ରାଆଁତ୍‍ ବି ଜ୍ୟାକ୍‌ର ରହସ୍ୟ ଭେଦକରି ପାରିଲା ନାହିଁ । ଜ୍ୟାକ୍‌ତ ଅନ୍ୟପିଲାଙ୍କପରି ପିଲାଟିଏ, ତା’ ସାଥିରେ ଫେରେ ତା’ର ବଡ଼ଭାଇ ଅଛି, ତେବେ କାହିଁକି ତା’ ମନ ଏପରି ମରିଯାଇଛି ??

 

ଖିଆପିଆ ଶେଷ ନ ହେଉଣୁ ମାଡ଼ିଆସିଲା ନିଦ । ଗୋଡ଼ ହାତ ଅବଶ ହୋଇଗଲା । ଏତେ ଦିନର ହାଡ଼ଭଙ୍ଗା ପରିଶ୍ରମ ପରେ ଆଜି ମିଳିଛି ବିଶ୍ରାମ । ତଥାପି ସମସ୍ତେ ଏକକାଳୀନ ଶୋଇବାକୁ ସାହସ କଲେ ନାହିଁ । ନୂଆ ସ୍ଥାନ । ରାତ୍ର ସମୟ । କି ବିପଦ ଅଛି କିଏ ଜାଣେ । କଥା ହେଲା ବଡ଼ବଡ଼ ପିଲାମାନେ ରାତିତମାମ ପାଳିକରି ଜଗିବେ । କର୍ତ୍ତବ୍ୟର ଡାକ ନିଦର ଡାକଠାରୁ ବଡ଼ । କୁକୁର ଫ୍ୟାନ୍‍ ବି ଥାଏ, ସାନମାନେ ଶୋଇଲେ । ଭୋର ହେଉ ହେଉ ସମସ୍ତଙ୍କର ନିଦ ଭାଙ୍ଗିଗଲା । ସକାଳୁ ଉଠୁ ଉଠୁ ପ୍ରସ୍ତାବ ହେଲା ପ୍ରଥମେ ଜାହାଜର ଜିନିଷପତ୍ରର ଗୋଟାଏ ତାଲିକା କରିନେବା । ଜିନିଷପତ୍ର ତାଲିକା କଥା ଶୁଣି ଗର୍ଡ଼ନ୍‍ କହିଲା,

 

‘‘ଭାଇ ଆମର ଅନ୍ୟ କୌଣସି ଜିନିଷର ଅଭାବ ହେବ ନାହିଁ । ଅଭାବ ହେବ ଖାଦ୍ୟ । ତେଣୁ ଆଜିଠାରୁ ଖାଦ୍ୟ ସଂଗ୍ରହ କରାଯାଉ । ଚାଲ ପାହାଡ଼ରୁ ଚଢ଼େଇ ଅଣ୍ଡା ଖୋଜି ଆଣିବା ।’’

 

ଗର୍ଡ଼ନ୍‍ କଥା ଶୁଣି ଇଭାରସନ୍‌ ନାଚିଉଠିଲା, ‘‘ମୁଁ ଯିବି, ମୁଁ ଯିବି,–ଇଭାରସନ୍‌ଟା ସମସ୍ତଙ୍କଠାରୁ ବୟସରେ ସାନ, ମୋଟେ ଆଠ କି ନ’ ବର୍ଷର; ଖେଳିବା, ଡେଇଁବା, ଚଢ଼େଇ ମାରିବା–ଏସବୁ କାମକୁ ସେ ଆଗ ।

 

ସର୍ଭିସ୍‍ କହିଲା, ‘‘ଖାଲି ଅଣ୍ଡା କାହିଁକି ? ନଦୀରେ କ’ଣ ମାଛ ନାହାନ୍ତି ? ଆମର ତ ତିନିଚାରିଟା ବନ୍‌ସି ଅଛି । କିଏ କିଏ ମାଛଧରି ଜାଣ ଆସ ।’’

 

‘‘ମୁଁ ଯିବି, ମୁଁ ଯିବି’’ ହୋଇ ତିନି ଚାରିଜଣ ଡେଇଁପଡ଼ିଲେ ମାଛ ଧରିବାକୁ । ଆଉ ପଞ୍ଝାଏ ବାହାରିଲେ ସମୁଦ୍ରକୂଳରୁ ଗେଣ୍ଡା ଓ କଙ୍କଡ଼ା ଧରି ଆଣିବାପାଇଁ, ବଡ଼ ବଡ଼ ମାନେ ବସି ଜାହାଜର ଜିନିଷପତ୍ରର ତାଲିକା କଲେ । କେତେ କ’ଣ ଜିନିଷ ଭରିହୋଇ ରହିଥାଏ । ଗୋଟାଏ ତାଲିକା କରିଦେଇ ଜିନିଷଗୁଡ଼ାକୁ ସଜାଇ ରଖିଦେଲେ ଦରକାରବେଳେ ସହଜରେ ମିଳିପାରିବ ।

 

ଦି’ପହରବେଳକୁ ପିଲାମାନେ କଙ୍କଡ଼ା, ମାଛ ଓ ଅଣ୍ଡା ଧରି ଫେରିଲେ । ସେମାନେ ଖବରଦେଲେ ଯେ ସମୁଦ୍ରକୂଳରେ ସେମାନେ ନାନାପ୍ରକାରର ପାରା ଦେଖିବାକୁ ପାଇଲେ । ପାରା କଥା ଶୁଣି ଡୋନ୍‌ଗାନ୍‌ କହିଲା, ‘‘କାଲି ତାହାହେଲେ ବନ୍ଧୁକନେଇ ଯିବା ସେଇଆଡ଼େ ପାରାମାଂସ ଖୁବ୍‌ ମିଠା ।’’

 

ମୋକୋ ଖୁବ୍‌ ସୁନ୍ଦର କଙ୍କଡ଼ାଝୋଳ ତିଆରିକଲା । ଖିଆ ପିଆଟା ବଡ଼ ମଜାଦାର ହେଲା ସେଦିନ । –ଏବଂ ଠିକ୍‌ ସେହିପରି ହସ ଖେଳ ଭିତରେ ଦୁଇ ତନିଦିନ କଟିଗଲା ।

 

ଦିନେ ଦିପହରବେଳକୁ ଖୁବ୍ ଅସରାଏ ବର୍ଷାହେଲା । କେହି ବାହାରକୁ ବାହାରିପାରିଲେ ନାହିଁ । ଉପରବେଳା ବର୍ଷା ଛାଡ଼ିବାପରେ ଶିକାରୀ ଦଳ ପାହାଡ଼କୁ ଗଲେ ଓ ସର୍ଭିସ୍‍, ଜେଙ୍କିନ୍‌ସ, ଇଭାରସନ୍‌ ମାଛ ମାରିବାଲାଗି ନଦୀ ମୁହାଣକୁ ଗଲେ । ବ୍ରାଆଁତ୍‍ ଓ ମୋକୋ ଜାହାଜ କାମରେ ବ୍ୟସ୍ତଥାନ୍ତି । କିଛିସମୟ ପରେ ହଠାତ୍‌ ନଦୀପାଖରୁ ପିଲାମାନଙ୍କର ପାଟିତୁଣ୍ଡ ଶୁଭିଲା । ଘଟଣା କ’ଣ ଦେଖିବାପାଇଁ ବ୍ରାଆଁତ୍‍ ପ୍ରଭୃତି ନଦୀପାଖକୁ ଚାଲିଲେ । ସେମାନଙ୍କୁ ଦେଖି ଜେଙ୍କିନ୍‌ସ ପାଟିକରିଉଠିଲା, ‘‘ଧାଇଁ ଆସ, ଧାଇଁ ଆସ ଦେଖିବ, ଇଭାରସନ୍‌ କେମିତି ଘୋଡ଼ା ଚଢ଼ିଛି । ଶୀଘ୍ର ଧାଇଁଆସ, ନହେଲେ ଘୋଡ଼ା ପଳେଇଯିବ; ସମୁଦ୍ର ଘୋଡ଼ା କି ନା !’’

 

ଆଶ୍ଚର୍ଯ୍ୟ କଥା ! ଇଭାରସନ୍‌ ସମୁଦ୍ର ଘୋଡ଼ାରେ ଚଢ଼ିଛି ? ବ୍ରାଆଁତ୍‍ ପ୍ରଭୃତି ଧାଇଁଲେ ଖୁବ୍ ଜୋରରେ, ଦୂରରୁ ଦେଖାଗଲା ଇଭାରସନ୍‌ ଓ କୋଷ୍ଟର ଦିହେଁମିଶି କ’ଣ ଗୋଟାଏ ଜନ୍ତୁ ଉପରେ ବସିଛନ୍ତି । ଜନ୍ତୁଟା ଧୀରେ ଧୀରେ ସମୁଦ୍ର ଆଡ଼କୁ ଯିବାକୁ ଚେଷ୍ଟା କରୁଛି । ପାଖକୁ ଯାଇ ଦେଖନ୍ତିତ ସେ ଜନ୍ତୁଟା ଆଉ କିଛି ନୁହଁ–ଗୋଟାଏ ମସ୍ତବଡ଼ ସମୁଦ୍ର କଇଁଛ, ଏ ଦୁହେଁ ତା’ ପିଠିରେ ବସିଛନ୍ତି । ଅନ୍ୟପିଲାମାନେ କଇଁଛ ପାଟିରେ ଗୋଟାଏ ମୋଟା ଦଉଡ଼ି ପୂରାଇ, ଦୁଇପଟରୁ ଲଗାମ ପରି ଟାଣି ଧରିଛନ୍ତି । ତାକୁ ଅଟକାଇବାପାଇଁ ସମସ୍ତେ ମିଶି ଚେଷ୍ଟା କରୁଛନ୍ତି । କିନ୍ତୁ ତାକୁ ପାରିବ କିଏସେ ? କଇଁଛଟା ଅନାୟାସରେ ପିଲାମାନଙ୍କୁ ଟାଣିନେଇ ଆଗକୁ ଚାଲିଛି ।

 

ମୋକୋ କହିଲା, ‘‘ସମୁଦ୍ର କଇଁଛର ମାଂସ ବଡ଼ ମିଠା । ଯଦି ଧରନ୍ତେ ତେବେ ମୁଁ ବଢ଼ିଆ ତରକାରୀ କରିଦିଅନ୍ତି ।’’

 

ବ୍ରାଆଁତ୍‍ କହିଲା, ‘‘କିନ୍ତୁ ଏଇଟାତ ସାଧାରଣ କଇଁଛ ନୁହଁ–ଗୋଟାଏ କଚ୍ଛପାସୁର । ୟାକୁ ଏବେ ମାରିବା କିପରି ! ୟା ପିଠିରେ ତ ବନ୍ଧୁକ ବି ଭେଦିବନାହିଁ ।’’

 

ଗର୍ଡ଼ନ୍‌ କହିଲା, ‘‘କଇଁଛକୁ ମାରିବାର ପ୍ରଧାନ ଉପାୟ ହେଲା ତାକୁ ଓଲଟାଇଦେବା-। ତା’ ପିଠିଟା ସିନା ଟାଣ; ପେଟଟା ଖିୁବ୍ ନରମ କୌଣସିମତେ ଓଲଟାଇଦେଲେ ମରିବାକୁ କେତେ-?’’

 

ବ୍ରାଆଁତ୍‍ ଯାଇ ଇଭାରସନ୍ ଓ କୋଷ୍ଟରକୁ କଇଁଛ ଉପରୁ ଓହ୍ଲାଇ ଦେଲା । ଭାରମୁକ୍ତ ହୋଇ କଇଁଛଟା ସମୁଦ୍ର ଆଡ଼କୁ ଜୋରରେ ଚାଲି ଯାଉଛି ଦେଖି ମୋକୋ ଓ ସର୍ଭିସ୍‌ ଜାହାଜପାଖକୁ ଦୌଡ଼ିଯାଇ ଦୁଇଟି ବାଉଁଶ ଆଣିଲେ । ବାଉଁଶ ସାହାଯ୍ୟରେ କଇଁଛଟାକୁ ଓଲଟାଇ ଦିଆଗଲା । ବିଚରା ଗୋଡ଼ହାତ କାଢ଼ି ବଡ଼ କଲବଲ ହେଲା । କିନ୍ତୁ ପିଲାମାନେ ତାକୁ ଆଉ ନମାରି ଛାଡ଼ିଲେନାହିଁ ।

 

କଇଁଛଟା ଦେହରୁ ପ୍ରାୟ ଚାରିମହଣ ମାଂସ ବାହାରିଲା । ମାଂସ ନେଇ ସମସ୍ତେ ଜାହାଜକୁ ଫେରିଆସିଲେ । ବହୁତ କିଛି ମାଂସରେ ଲୁଣ ଦେଇ ଭବିଷ୍ୟତ୍‌ ପାଇଁ ରଖିଦିଆଗଲା । ପିଲାମାନେ ବହୁତଦିନ ପର୍ଯ୍ୟନ୍ତ ସେ ମାଂସରେ ଚଳିଗଲେ ।

 

ଏହିପରି ନାନା ଆନନ୍ଦ ଅନୁଭୂତି ମଧ୍ୟରେ ସମୁଦ୍ରକୂଳରେ ପ୍ରାୟ ଦେଢ଼ମାସ କଟିଗଲା । ପିଲାମାନେ ଦୁଃଖ ଯନ୍ତ୍ରଣା ଓ ଅଭାବ ଅସୁବିଧା ଭୁଲିଗଲେ । ଶିକାର କରିବାପାଇଁ ପଡ଼ିଛି ଜଙ୍ଗଲ ଓ ପାହାଡ଼ । ମାଛ ଧରିବାପାଇଁ ରହିଛି ନଦୀ, ପହଁରିବାପାଇଁ ଡାକୁଛି ସମୁଦ୍ର ଏବଂ ଖେଳକୁଦ ପାଇଁ ଲମ୍ବିଯାଇଚି ବାଲି ପଡ଼ିଆ । ପିଲାମାନେ ଆଉ ଚିନ୍ତାକରନ୍ତେ କାହିଁକି ? ଖେଳ ଭଲତ ସେମାନେ ଭଲ । କିନ୍ତୁ ବ୍ରାଆଁତ୍‍, ଗର୍ଡ଼ନ୍‍ ଓ ଡୋନ୍‍ଗାନ୍ ଭବିଷ୍ୟତନେଇ ସର୍ବଦା ଚିନ୍ତିତ । ପିଲାଙ୍କ ଭିତରେ ସେହିମାନେହିଁ ବଡ଼ । ବଡ଼ହୋଇ ରହିଥିଲେ ମୁଣ୍ଡରେ ଦାୟିତ୍ୱ ପଡ଼େ । ଖେଳକୁଦ କରିବାପାଇଁ ସେମାନଙ୍କର ସମୟ କାହିଁ !! କଥାରେ ଅଛି ବେକରେ ପଡ଼ିଲେ ବଜାଇ ଶିଖନ୍ତି । ସେମାନେ ସେ ଅଞ୍ଚଳର ଗଛପତ୍ରର ଆକାର ପ୍ରକାର ଓ ପାଣି ପବନର ସ୍ୱରୂପକୁ ଲକ୍ଷ୍ୟ କରିବାକୁ ଲାଗିଲେ । ବିଭିନ୍ନ ବିଷୟ ଲକ୍ଷ୍ୟ କରିବାପରେ ସେମାନେ ଜାଣିପାରିଲେ ଯେ ସ୍ଥାନଟା ଦ୍ୱୀପ ହେଉ ବା ମହାଦେଶ ହେଉ ନିଶ୍ଚୟ ଶୀତମଣ୍ଡଳରେ ଅଛି । ଗ୍ରୀଷ୍ମମଣ୍ଡଳର କୌଣସି ଚିହ୍ନ ଦେଖିବାକୁ ମିଳିଲାନାହିଁ । ସ୍ଥାନଟା ନିଶ୍ଚୟ ନ୍ୟୁଜିଲାଣ୍ଡଠାରୁ ଆହୁରି ଦକ୍ଷିଣକୁ, ଦକ୍ଷିଣ ମେରୁର ପାଖାପାଖି କୌଣସି ଅଞ୍ଚଳରେ ହେବ ।

 

ଚାହୁଁ ଚାହୁଁ ଏପ୍ରିଲମାସ ଚାଲିଆସିଲା । ବର୍ଷା କମିଯାଇ ଆକାଶ ନିର୍ମଳ ଦେଖାଗଲା । ଶରତଋତୁ ବୋଲି ଏଇ ଦିନ କେଇଟା । ତା’ ପରେ ପରେ ଆସିଯିବ ଶୀତ । ଦକ୍ଷିଣମେରୁବ ଅଞ୍ଚଳର ଶୀତ ଅତି ପ୍ରଚଣ୍ଡ । ଶୀତ ଦିନ ଆସିବା ପୂର୍ବରୁ ଗୋଟାଏ ଆଶ୍ରୟସ୍ଥାନ ମିଳିବା ନିତାନ୍ତ ଆବଶ୍ୟକ । ନଚେତ୍‌ ଜାହାଜ ଭିତରେ ରହିଲେ ଶୀତ ଓ ବରଫ ଝଡ଼ରେ ପ୍ରାଣ ଚାଲିଯିବ ।

 

ଦିନେ ଡୋନ୍‌ଗାନ୍‍ କହିଲା, ‘‘ଚାଲ, ବ୍ରାଆଁତ୍‍, କାଲି ଆମେ କେତେଜଣ ଯାଇ ଏ ପୂର୍ବଦିଗର ବଡ଼ ପାହାଡ଼ଟା ଦେଖିଆସିବା । ଜଙ୍ଗଲ ପାରହୋଇ ଆରପାଖକୁ ଯିବା । ମୁଁ ଭାବୁଛି ପାହାଡ଼ରେ ନିଶ୍ଚୟ ଆଶ୍ରୟସ୍ଥାନ ମିଳିବ । ଜନବସତି ବି ଥାଇପାରେ ।’’

 

ବ୍ରାଆଁତ୍‍ କହିଲା, ‘‘ଠିକ୍‌ କଥା, କାଲି ହିଁ ବାହାରିବା ।’’

 

ଗର୍ଡ଼ନ୍‍ କହିଲା, ‘‘ହଁ ମ, କାଲି ସକାଳୁ ସକାଳୁ ଚାଲିଯିବ । ସନ୍ଧ୍ୟା ଭିତରେ ଫେରିଆସିବା ।’’

 

‘‘କାଲି ସନ୍ଧ୍ୟାଭିତରେ ଫେରିହେବ ବୋଲି ଠିକ୍‌ କରି କହିହେବ ନାହିଁ । ଗୋଟାଏ କାମରେ ଯେତେବେଳେ ବାହାରିବା, କିଛି ଗୋଟାଏ ସମାଧାନ କରି ଫେରିବା ଉଚିତ୍ ହେବ । ଆମେ ଦୁଇ ତିନିଦିନ ବୁଲି ଦେଖିବାପାଇଁ ପ୍ରସ୍ତୁତ ହୋଇ ଯିବା । ତୁମେସବୁ ଏଠାରେ ନିଶ୍ଚିନ୍ତ ହୋଇ ରହ । ଭୟର କାରଣ ନାହିଁ ।’’ –ବ୍ରାଆଁତ୍‍ କହିଲା ।

 

ତା’ ପରଦିନ ସକାଳୁ ଚାରିଦିନର ଖାନା ପିନା ଧରି ବ୍ରାଆଁତ୍‍, ଡୋନ୍‌ଗାନ୍‌, ସର୍ଭିସ୍‌ ଓ୍ୱିଲକ୍‌ସ–ଏ ଚାରିଜଣ ପିଲା ପାହାଡ଼ ଉଦ୍ଦେଶ୍ୟରେ ବାହାରିପଡ଼ିଲେ । ସାଥିରେ କୁକୁର ଫ୍ୟାନ୍‌ ବି ଚାଲିଲା । ବାଟରେ କାଳେ କେଉଁଠି ବିପଦ ପଡ଼ିପାରେ ଭାବି ସାଥିରେ ଚାରିଟା ପିସ୍ତଲ, ଚାରିଟା ରିଭ୍‌ଲଭର ଓ ତାକୁ ଚାହି ଗୁଳିବାରୁଦ ଓ ଚାରିଟା କୁରାଢ଼ି କି ଧରିଲେ । କମ୍ପାସ୍‌ ଓ ଗୋଟାଏ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଧରିଲେ ।

 

ସେମାନେ ଅଳ୍ପସମୟ ମଧ୍ୟରେ ଜଙ୍ଗଲରେ ପହଞ୍ଚିଗଲେ । ଜଙ୍ଗଲରେ ନାନାପ୍ରକାର ଗଛ । ପକ୍ଷୀମାନେ ଏଣେତେଣେ ଉଡ଼ି ବୁଲୁଥାନ୍ତି । ନାନାପ୍ରକାର ବଣଜନ୍ତୁ ବି ଦେଖାଗଲେ । ଫ୍ୟାନ୍‌କୁ କାମ ମିଳିଗଲା, ସେ ବଣଜନ୍ତୁ ଦେଖିଲା ତ ଭୁକି ଭୁକି ତଡ଼ିବାରେ ଲାଗିଲା । କିନ୍ତୁ ଏ ମଜା ଦେଖିବାକୁ ବେଳ କାହିଁ ? ପାହାଡ଼ଟା ଆହୁରି କେତେଗୁଡ଼ାଏ ବାଟରେ ଅଛି । ଯାହାହେଉ, ଚାଲି ଚାଲି ସେମାନେ ଗୋଟାଏ ଛୋଟ ପାହାଡ଼ ଉପରକୁ ଆସିଲେ । ଦୂରବୀକ୍ଷଣ ଯନ୍ତ୍ରତ ସଙ୍ଗରେ ଥାଏ । ଡୋନ୍‌ଗାନ୍‍ ଦୂରବୀକ୍ଷଣ ଯନ୍ତ୍ରଧରି ବହୁଦୂର ପର୍ଯ୍ୟନ୍ତ ପୂର୍ବଦିଗକୁ ଚାହିଁଲା । କିନ୍ତୁ କାହିଁ, ସମୁଦ୍ରର ଦେଖାନାହିଁ ! ତାହାହେଲେ ଏଇଟା କ’ଣ ଦ୍ୱୀପ ନୁହେଁ ?

 

ବ୍ରାଆଁତ୍‍ କହିଲା, ‘‘ନାଁ ମ, ଜଙ୍ଗଲ ଆରପାଖକୁ ଗଲେ ସମୁଦ୍ର ଦେଖାଯିବ । ଆସ, ଆଗ ଜଙ୍ଗଲଟା ପାରହୋଇଯିବା ।’’

 

କିନ୍ତୁ ସେତେବେଳକୁ ସର୍ଭିସ୍‌ର ପେଟ ରାମ୍‍ରାମ୍‌ ଡାକୁଥାଏ । ସେ କହିଲା; ‘‘ଭାଇ ! ମୁଁ ନ ଖାଇଲେ ଆଉ ଚାଲିପାରିବି ନାହିଁ । ଆସ, ଟିକିଏ ଟିକିଏ ଖାଇଦେବା ।’’

 

ତା’ରି କଥା ହେଲା । ସମସ୍ତେ ଖାଇପିଇସାରି ପୁନର୍ବାର ଜଙ୍ଗଳ ଭିତରେ ପଶିଲେ । ସିଧା ଚାଲିଲେ ପୂର୍ବଦିଗକୁ । ରାସ୍ତାତ ନଥାଏ । ଡାଳପତ୍ର ଭାଙ୍ଗି ଆଗକୁ ଯାଉ ଯାଉ ଜଙ୍ଗଲଭିତରେ ସନ୍ଧ୍ୟା ହୋଇଗଲା । ସେମାନେ ଜଙ୍ଗଲଭିତରେ ଶୁଖିଲା ଡାଳପତ୍ର ଜମାଇ ସେଥିରେ ନିଆଁ ଲଗାଇଦେଲେ ଓ ତାରି ପାଖରେ ଶୋଇ ରାତି କଟାଇଦେଲେ । ସକାଳୁ ପୁନଶ୍ଚ ଯାତ୍ରା ଆରମ୍ଭ ହୋଇଗଲା । ଦିନ ଦି’ଟା ବେଳକୁ ସେମାନେ ଗୋଟାଏ ଖୋଲା ସ୍ଥାନରେ ଆସି ପହଞ୍ଚିଲେ । ସେଠାରେ ଗୋଟିଏ ଛୋଟ ନଦୀ ବହିଯାଉଥାଏ । କାଚକେନ୍ଦୁ ପରି ନିର୍ମଳ ଜଳ ସେ ନଦୀରେ ତଳର ବାଲିପର୍ଯ୍ୟନ୍ତ ଦେଖାଯାଉଥାଏ । ନଦୀ ଭିତରେ ଗୋଟାଏ ସ୍ଥାନରେ ଦେଖାଗଲା ଧାଡ଼ିଏ ପଥର ସଜାହୋଇ ପଡ଼ିଛି–ନଦୀ ପାର ହେବାପାଇଁ କିଏ ଯେପରି ରାସ୍ତା ତିଆରି କରିଛି । ତାହାହେଲେ କ’ଣ ଏ ନିର୍ଜନ ଦ୍ୱୀପରେ ମଣିଷ ଅଛି ? କାହିଁ କେଉଁଠି ?

 

ଦିନ ତମାମ୍‌ ବୁଲି ବୁଲି କୌଣସି ମନୁଷ୍ୟର ସାକ୍ଷାତ ମିଳିଲା ନାହିଁ । ସମୁଦ୍ରର ସାକ୍ଷାତ ମଧ୍ୟ ମିଳିଲା ନାହିଁ । ସନ୍ଧ୍ୟା ହୋଇଆସିଲା । ରାତିଟା ବିଶ୍ରାମ ନେବାର ସମୟ । ମାଛି ଅନ୍ଧାର ଭିତରେ ବୁଲୁ ବୁଲୁ ଦେଖାଗଲା, ଆଗରେ ରହିଛି ଗୋଟାଏ ପ୍ରକାଣ୍ଡ ଗଛ । ଗଛଟାର ଗୋଟାଏ ବଡ଼ ଡାଳ ଶାଖା ପ୍ରଶାଖା ମେଲାଇ ଭୂମି ପର୍ଯ୍ୟନ୍ତ ନଇଁ ପଡ଼ିଛି । ମନେହେଲା, ପିଲାମାନେ ଆଶ୍ରୟ ନେବାପାଇଁ ସତେଯେପରି ଗୋଟାଏ କୁଡ଼ିଆଘର ତିଆରି କରାଯାଇଛି । ପିଲାମାନେ ସେହି ଡାଳତଳେ ଆଶ୍ରୟ ନେଲେ ।

 

ସକାଳୁ ପ୍ରଥମେ ସର୍ଭିସ୍‍ର ନିଦ ଭାଙ୍ଗିଲା । ଗଛ ତଳଟା ତାକୁ କିମିତି ଗୋଟାଏ ଅଦ୍ଭୁତ ରକମର ଦେଖାଗଲା । ସେ ଆସି ବାହାରକୁ ଗଛଟାକୁ ଚାହିଁଦେବା ମାତ୍ରେ ତା’ ପାଟିରୁ ଗୋଟାଏ ଅସ୍ପଷ୍ଟ ଚିତ୍କାର ବାହାରି ପଡ଼ିଲା । ସେ ଡାକି ଉଠିଳା, ‘‘ବ୍ରାଆଁତ୍‍, ଡୋନ୍‌ଗାନ୍‍, ଶୀଘ୍ର ଉଠ !’’

 

ଆଶ୍ଚର୍ଯ୍ୟର କଥା, ଯାହାତଳେ ସେମାନେ ଶୋଇଥିଲେ ତାହା କୌଣସି ଡାଳ ନୁହେଁ, ଗୋଟାଏ କୁଡ଼ିଆଘର । ବଡ଼ ବିଚିତ୍ର କୁଡ଼ିଆ । ଗୋଟାଏ ଗଛର ଗଣ୍ଡିକୁ ମଝି ଖୁଣ୍ଟ ରୂପେ ବ୍ୟବହାର କରି ତାହାର ଚାରିପାଖକୁ ଡାଳପତ୍ର ଓ ଘାସରେ ଗଢ଼ା ଚାଳ ନୁଆଁଇ ଦିଆଯାଇଛି । ଚାରିପାଖରେ କୌଣସି କାନ୍ଥ ନାହିଁ ।

 

ଆମେରିକାର ରେଡ଼୍‌ଇଣ୍ଡିଆନ୍‌ମାନେ ଏହିପରି କୁଡ଼ିଆକରି ତା’ ତଳେ ରହନ୍ତି । ଏପ୍ରକାର କୁଡ଼ିଆକୁ ସେମାନେ ‘ୟାଜୁପା’ ବୋଲି କହନ୍ତି !

 

ଡୋନ୍‌ଗାନ୍‌ କହିଲା, ‘‘ଏ ଦ୍ୱୀପରେ ନିଶ୍ଚୟ ମନୁଷ୍ୟ ଅଛନ୍ତି ।’’

 

ବ୍ରାଆଁତ୍‍ କହିଲା, ‘‘ସେଥିରେ ସନ୍ଦେହ ନାହିଁ; ଯଦି ବର୍ତ୍ତମାନ କେହି ନାହାନ୍ତି, ତାହାହେଲେ ବୁଝିବାକୁ ହେବ ଯେ, ଅନ୍ତତଃ ଅତୀତରେ ନିଶ୍ଚୟ ଥିଲେ ।’’

 

ସେଠାରେ କିଛିସମୟ ରହିବା ପରେ ସେମାନେ ପୁନଶ୍ଚ ନିଜ ପଥରେ ପୂର୍ବଦିଗକୁ ଚାଲିଲେ । ଜଙ୍ଗଲ ଶେଷହୋଇ ଆସିଲା । ତା’ପରେ ଛୋଟ ଛୋଟ ଲତା ଗୁଳ୍ମମୟ ବନଭୂମି । ବନଭୂମି ପରେ ପୁଣି ଆସିଳା ବାଲିଚଡ଼ା ଏବଂ ବାଲିଚଡ଼ାର ସାମାନ୍ୟ ଟିକିଏ ଦୂରରେ ଦେଖାଗଲା ଏକ ସୁନୀଳ ସାଗର ତାହାର ନୀଳ ଲହରୀ ନେଇ ନାଚି ଉଠୁଚି ବିସ୍ତୀର୍ଣ୍ଣ ବେଳାଭୂମି ଉପରେ ।

 

ତାହାହେଲେ ଏହା ପ୍ରକୃତରେ ଗୋଟାଏ ଦ୍ୱୀପ । ଆଉ ବିଳମ୍ବରେ ପ୍ରୟୋଜନ ନାହିଁ । ଏଥର ଖାଇପିଇ ଫେରିବା କଥା । ଚାରିଜଣଯାକ ବାଲିଉପରେ ବସି କିଟ୍‍ ବ୍ୟାଗ୍‌ ଖୋଲିଲେ । ଖିଆପିଆ ସରିଲା । ଏ ଭିତରେ ଫ୍ୟାନ୍‌ ଖଣ୍ଡେ ଦି’ଖଣ୍ଡ ମାଂସ ଖାଇଦେଇ ସେମାନଙ୍କ ପାଖଛାଡ଼ି ସମୁଦ୍ରକୂଳକୁ ଦୌଡ଼ିଗଲା । ସର୍ଭିସ୍‌ ଡାକଛାଡ଼ିଲା, ‘‘ଫ୍ୟାନ୍‌, ଫ୍ୟାନ୍‌, ଚାଲିଆସ ।’’ କିନ୍ତୁ କୌଣସିକଥାରେ କର୍ଣ୍ଣପାତ ନକରି ଫ୍ୟାନ୍ ପାଣି ପାଖକୁ ଚାଲିଗଲା ଏବଂ ସମୁଦ୍ରପାଣିଗୁଡ଼ାକ ଚପ୍‌ ଚପ୍‌ କରି ପିଇଗଲା ।

 

ଆଶ୍ଚର୍ଯ୍ୟର କଥା ! କୁକୁରଟା ଲୁଣିପାଣିଗୁଡ଼ାକ ପିଇଯାଉଛି ଯେ !! ଫ୍ୟାନ୍ ପାଗଲ୍‌ ହୋଇଗଲା ନା ତାକୁ କୌଣସି ଗୋଟାଏ ରୋଗ ଧରିଲା ? ଚାରିବନ୍ଧୁ ପାଣି ପାଖକୁ ଦୌଡ଼ିଗଲେ-। ଉଇଲ୍‍କକ୍‍ସ କାହାକୁ କିଛି ନକହି ଆଞ୍ଜୁଳାଏ ପାଣି ଆଣି ପାଟିରେ ଲଗାଇଲା ଏବଂ ସଙ୍ଗେସଙ୍ଗେ ହସି ଉଠିଲା, ‘‘ଆରେ, ସମୁଦ୍ରପାଣି ପୁଣି ଏତେ ମିଠାନା ?’’

 

ଅନ୍ୟମାନେ ବି ମନ୍ଦାଏ ମନ୍ଦାଏ ପାଣିପିଇ ଦେଖିଲେ ଯେ, ପାଣି’ ପ୍ରକୃତରେ ମିଠା ଓ ତଟକା ! ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ, ତାହା କୌଣସି ସମୁଦ୍ର ନୁହେଁ; ଗୋଟାଏ ହ୍ରଦ–ଦିଗନ୍ତ ବିସ୍ତାରୀ ହ୍ରଦ !! ତା’ହେଲେ କ’ଣ ଏ ନିର୍ଜନ ଦେଶଟା ଦ୍ୱୀପ ନୁହେଁ ?

Image

 

ନିର୍ଜନ ଦେଶର ନରକଙ୍କାଳ

 

ସେହି ହ୍ରଦ କୂଳରେ ରାତି କଟିଗଲା । ପିଲାମାନେ ସକାଳୁ ସକାଳୁ ଯାତ୍ରା ଆରମ୍ଭ କରିଦେଲେ । ବାଟରେ ଗୋଟାଏ ନଦୀ ପଡ଼ିଲା । ନଦୀକୂଳକୁ ଲାଗି ଗୋଟାଏ ପାହାଡ଼ ଉଠିଯାଇଥାଏ । ନଦୀର ଦକ୍ଷିଣ ଦିଗରେ ପାହାଡ଼କୁ ଲାଗି ଗୋଟିଏ ସମତଳ ଭୂମି । ସେମାନେ ସେହି ସମତଳ ଭୂମି ଆଡ଼େ ଚାଲିଲେ । ହଠାତ୍‌ ସର୍ଭିସ୍‌ ଆଖିରେ ପଡ଼ିଲା, କେତେଗୁଡ଼ାଏ ପଥର ପଛରେ ଗୋଟାଏ ପୁରୁଣା ଡଙ୍ଗା ପଡ଼ିଛି । ସମସ୍ତେ ଦୌଡ଼ିଗଲେ ସେହି ଡଙ୍ଗା ଦେଖିବାପାଇଁ ।

 

କେତେ ଯୁଗର ପୁରୁଣା ଡଙ୍ଗା କେଜାଣି; ଖରା ବର୍ଷା ଖାଇ ଖାଇ ଡଙ୍ଗାର କାଠ ପ୍ରାୟ ମାଟିରେ ପରିଣତ ହେବାଉପରେ । ତା’ ଉପରେ ଶିଉଳି ମାଡ଼ିଯାଇଛି । ଡୋନ୍‌ଗାନ୍‌ ଡଙ୍ଗାଟାକୁ ଟିକିଏ ଟେକି ଦେବାରୁ ଗୋଟାଏ କାଠ ଭଡ଼୍‍ଭାଡ଼୍‍ ହୋଇ ଭାଙ୍ଗିପଡ଼ିଲା ।

 

ଭଙ୍ଗା ଡଙ୍ଗା ଦେଖି ସେମାନଙ୍କ ମନରେ ନାନା ପ୍ରଶ୍ନ ଉଠିଲା । ଭୟ ହେଲା, ଏଇ ପାଖରେ କେଉଁଠି କ’ଣ ବଣ ମଣିଷମାନେ ଲୁଚି ରହିଛନ୍ତି ? ଆଉ ଟିକିଏ ଅସାବଧାନ ହେଲେ ସେମାନଙ୍କ ଉପରକୁ ଡେଇଁ ପଡ଼ିବେ ? ଏଣେ ଫ୍ୟାନ୍‌ର ଚେହେରାରେ ବି ନାନା ପରିବର୍ତ୍ତନ ଦେଖାଗଲା । କେତେବେଳେ ଭୋ ଭୋ କରି ଭୁକି ଉଠୁଥାଏ ତ, କେତେବେଳେ ଗୁରୁଗୁରୁ ହୋଇ କାହାର ପ୍ରତୀକ୍ଷା କରୁଥାଏ । କେତେବେଳେ ଭୁକି ଭୁକି ଆଗକୁ ଦଉଡ଼ି ଯାଉଥାଏ ତ, କେତେବେଳେ ଭୟରେ ପିଲାମାନଙ୍କ ଗୋଡ଼ପାଖକୁ ଫେରି ଆସୁଥାଏ । କାରଣ କ’ଣ ? ଫ୍ୟାନ୍‍ କାହିଁକି ଏପରି ହେଉଛି ? କୁକୁରର ଆଘ୍ରାଣ ଶକ୍ତି ତ ଖୁବ୍ ଟାଣ, ସେ ନିଶ୍ଚୟ ଜାଣିବାକୁ ପାଉଛି ଏଠାରେ ବିପଦ ଅଛି । ପିଲାମାନେ ପାଦ ଚିପି ଚିପି ଚାରିଦିଗକୁ ଚାହିଁ ଚାହିଁ ଆଗକୁ ଚାଲିବାକୁ ଲାଗିଲେ ।

 

ହଠାତ୍‌ ଡୋନ୍‍ଗାନ୍‌ର ଆଖିରେ ପଡ଼ିଲା ଗୋଟାଏ ବଡ଼ ବୀଚ୍‌ ଗଛର ଗଣ୍ଡିରେ କ’ଣ ଲେଖାହୋଇଛି । ପାଖକୁ ଯିବାରୁ ଦେଖାଗଲା ଗଛ ଗଣ୍ଡିରେ ପରିଷ୍କାର ଭାବରେ ଛୁରିରେ କଟାଯାଇ ଲେଖା ହୋଇଛି–

 

F.B

1827

 

F.Bର ଅର୍ଥ କ’ଣ ? କାହାର ନାମ ? କେଉଁ ଦେଶର ନାମ ? ପିଲାମାନେ ବିସ୍ମିତ ହୋଇଗଲେ । କିନ୍ତୁ ଫ୍ୟାନ୍‌ ଆହୁରି ଜୋରରେ ଭୁକିବାକୁ ଲାଗିଲା । ଗୋଟାଏ ଲତାଗହଳ ସ୍ଥାନକୁ ଲକ୍ଷ୍ୟ କରି ସେ ଭୁକୁଥାଏ । ବ୍ରାଆଁତ୍‍ କହିଲା, ଡୋନ୍‌ଗାନ୍‌, ବନ୍ଧୁକ ସଜାଡ଼ି ଧର; ନିଶ୍ଚୟ ଏଠାରେ ବିପଦ ରହିଛି ।’’ ଚାରିଜଣ ଯାକ ବନ୍ଧୁକ ଟେକିଧରି ଫ୍ୟାନ୍‌ ପଛେ ପଛେ ଚାଲିଲେ । ଆଗରେ ଗୁଡ଼ାଏ ଗହଳିଆ ଲତା, ଲତା ପଛରେ ପାହାଡ଼ । କୁରାଢ଼ିରେ ଲତାଗୁଡ଼ାକୁ ହାଣି ସଫାକରି ଦିଆଗଲା । ପାହାଡ଼ ଭିତରକୁ ଯିବାପାଇଁ ଗୋଟାଏ ରାସ୍ତା ବାହାର ହୋଇଗଲା । କେଉଁଠାରୁ କିଛି ଶବ୍ଦ ଆସୁଛି କି ନା ଶୁଣିବା ପାଇଁ ଚାରିଜଣଯାକ କାନଡେରି ଠିଆହେଲେ । କିନ୍ତୁ ନା, କାହିଁ କୌଣସି ଶବ୍ଦତ ଶୁଭୁନାହିଁ । ଫ୍ୟାନ୍‌ ତା’ହେଲେ ଭୁକୁଛି କାହିଁକି ? ସମସ୍ତେ ମିଶି ଧୀରେ ଧୀରେ ପାହାଡ଼ ଭିତରକୁ ପଶିଲେ । ସାମାନ୍ୟ କେଇପାଦ ଆଗକୁ ଯାଇଛନ୍ତି କି ନାହିଁ, ଦେଖାଗଲା ପାହାଡ଼ ଦେହରେ ରହିଛି ଗୋଟାଏ ଗୁହା, କିନ୍ତୁ ଗୁହାର ମୁହଁଟା ଖୁବ୍‌ ଛୋଟ ।

 

କାହା ମୁହଁରୁ କିଛି କଥା ବାହାରିଲା ନାହିଁ, ସେମାନେ କେବଳ ପରସ୍ପର ମୁହଁକୁ ଚାହିଁବାକୁ ଲାଗିଲେ । ଫ୍ୟାନ୍‌ ବ୍ୟସ୍ତ, ତ୍ରସ୍ତହୋଇ ଉଠୁଥାଏ । କିନ୍ତୁ ଗୁହା ଭିତରକୁ ଯାଉନଥାଏ । ବ୍ରାଆଁତ୍‍ କହିଲା, ‘‘ଭୟକଲେ ଚଳିବ ନାହିଁ, ଗୁହା ଭିତରେ କ’ଣ ଅଛି ଦେଖିବା ଆବଶ୍ୟକ ।’’

 

ଡୋନ୍‌ଗାନ୍‌ କହିଲା, ‘‘ଭୟ କ’ଣ ? ଆମ ହାତରେ ବନ୍ଧୁକ ଅଛି, ଆମେ କାହିଁକି ଭୟ କରିବା ?’’

 

ସର୍ଭିସ୍‌ କହିଲା, ‘‘କିନ୍ତୁ ଭିତରେ ଯଦି ବିଷାକ୍ତ ବାଷ୍ପଥାଏ ?’’

 

ସମସ୍ତେ ମନ୍ତବ୍ୟ ପ୍ରକାଶ କଲେ; କିନ୍ତୁ କାହାରି ପାଦ ଆଗକୁ ଚଳିଲା ନାହିଁ । ଶେଷକୁ ବ୍ରାଆଁତ୍‍ ଗୋଟାଏ ବୁଦ୍ଧି ବାହାର କଲା । ସେ ପାଠରେ ପଢ଼ିଥିଲା ଗୁହା ଭିତରର ବିଷାକ୍ତ ବାଷ୍ପରେ ଜଳନ୍ତା ନିଆଁ ଲିଭିଯାଏ, ଭଲ ବାଷ୍ପରେ ଲିଭେ ନାହିଁ, ଭଲଭାବରେ ଜଳେ । ତେଣୁ ସେ କେତୋଟି ଶୁଖିଲାପତ୍ରରେ ନିଆଁ ଲଗାଇ ଗୁହା ଭିତରକୁ ଫୋପାଡ଼ି ଦେଲା । ଜଳନ୍ତା ପତ୍ରଗୁଡ଼ାକ ଲିଭିଲା ନାହିଁ, ବରଂ ଉଜ୍ଜ୍ୱଳ ହୋଇ ଜଳିଲା । ବ୍ରାଆଁତ୍‍ର ଆନନ୍ଦ ଦେଖେ କିଏ ! ସେ କହିଲା, ‘‘ନା ଭିତରେ ବିଷାକ୍ତ ବାଷ୍ପ ନାହିଁ ।’’

 

ଉଇଲ୍‍କକ୍‍ସ ଏପର୍ଯ୍ୟନ୍ତ ଚୁପ୍‌ ଠିଆ ହୋଇଥିଲା । ସେ ଭୟମିଶା କଣ୍ଠରେ କହିଲା, ‘‘ତା’ହେଲେ ତୁମେସବୁ ଏ ଅଜଣା ଗୁହା ଭିତରେ ପଶିବ ନା କ’ଣ ? ମା’ଲୋ କେଡ଼େ ଅନ୍ଧାର ହୋଇଛି ତା’ ଭିତରଟା ।’’

 

‘‘ଅନ୍ଧାରକୁ ଡରିଲେ ହେବ ନାହିଁ । ରହ, ମୁଁ ଗୋଟାଏ ମଶାଲ ତିଆରି କରୁଛି ।’’ –ଏହାକହି ବ୍ରାଆଁତ୍‍ ଗୋଟାଏ ବଡ଼ ଶୁଖିଲା ଡାଳଆଣି ସେଥିରେ ନିଆଁ ଲଗେଇଦେଲା । ସେହିଟା ହିଁ ସେମାନଙ୍କର ମଶାଲ । ଜଳନ୍ତା ଡାଳଟାକୁ ହାତରେ ଧରି ପ୍ରଥମେ ବ୍ରାଆଁତ୍‍ ଗୁହା ଭିତରେ ପଶିଗଲା । ଅନ୍ୟମାନେ ତା’ ପଛେ ପଛେ ଚାଲିଲେ । ଭୟ ଓ ଆଶଙ୍କାରେ ସମସ୍ତଙ୍କ ଛାତି ଧଡ଼ପଡ଼ କରୁଥାଏ । କିଏ ଜାଣେ, ଏ ଅଜଣା ପାହାଡ଼ିଆ ଗୁହା ମଧ୍ୟରେ କ’ଣ ଅଛି । ଗୁହାଟା ଗୋଟାଏ ମୃତ୍ୟୁପୁରୀ ବି ହୋଇପାରେ ।

 

ଗୁହାର ଦୁଆାର ମୁହଁଟା ମୋଟେ ଚାରିଫୁଟ ଉଚ୍ଚ ଓ ଦୁଇଫୁଟ ଚଉଡ଼ା । କିନ୍ତୁ ଭିତରଟା ଖୁବ୍ ବଡ଼, ପ୍ରାୟ ବାରଫୁଟ ଉଚ୍ଚ ଏବଂ ଲମ୍ବ ଓ ଓସାରରେ ପଚିଶ ଫୁଟ ହୋଇପାରେ । ତଳ ଚଟାଣରେ ବାଲି ଓ ସମତଳ ପଥର ପଡ଼ିଥାଏ । ଭିତରଟା ଗୋଟାଏ ବଡ଼ ହଲ୍‍ପରି ଦେଖାଯାଉଥାଏ ।

 

ଅନ୍ଧାର ଭିତରେ ଚାଲୁ ଚାଲୁ ଉଇଲ୍‍କକ୍‍ସ କ’ଣ ଗୋଟାଏ ଜିନିଷ ଉପରେ ଝୁଣ୍ଟିପଡ଼ିଲା-। ଅନ୍ୟମାନେ ଆଲୁଅ ନେଇ ଦେଖନ୍ତି ତ ସେ ବିଚରା ଗୋଟାଏ କାଠ ବେଞ୍ଚ ଉପରେ ହାବୁଡ଼ି ପଡ଼ିଛି । ଗୋଡ଼ ହାତ ତା’ର ଭୟରେ ଥରୁଛି । ବିସ୍ମୟର କଥା, କାଠ ବେଞ୍ଚଟାଏ ପୁଣି ଏ ନିର୍ଜନ ଗୁହା ଭିତରକୁ ଆସିଲା କିପରି ? ଚାହୁଁ ଚାହୁଁ ଦେଖାଗଲା ଅଳ୍ପ ଦୂରରେ ଗୋଟାଏ ପୁରୁଣା କାଠ ଟେବୁଲ ପଡ଼ିଛି । ଟେବୁଲ ଉପରେ ଥୁଆ ହୋଇଛି ଗୋଟାଏ ମାଟି କଳସୀ, ଦୁଇଟା ଥାଳି, ଗୋଟାଏ ଏନାମେଲ୍‍ କପ୍‍, ଗୋଟାଏ ପିତ୍ତଳ ଢାଳ, ଗୋଟାଏ ଛୁରି, ଗୋଟାଏ ବନ୍‌ସୀବାଡ଼ି ଓ ମାଛ ଧରିବାର ଅନ୍ୟାନ୍ୟ ସରଞ୍ଜାମ । ଆଉ ଟିକିଏ ଦୂରରେ କାନ୍ଥ ପାଖକୁ ଲାଗି ଗୋଟାଏ ବଡ଼ ସିନ୍ଦୁକ ଥୁଆ ହୋଇଥାଏ । ବ୍ରାଆଁତ୍‍ ଦିହୁଡ଼ି ଧରି ସିନ୍ଦୁକ ପାଖକୁ ଦଉଡ଼ିଗଲା ।

 

ସର୍ଭିସ୍‍ କହିଲା, ‘‘ସିନ୍ଦୁକଟା ଖୋଲିଲ କିଏ ଅଛି....’’

 

ବ୍ରାଆଁତ୍‍ କହିଲା, ‘‘ଦେଖାଯାଉ ।’’

 

ସିନ୍ଦୁକ ଖୋଲିବାରୁ ଦେଖାଗଲା ତା’ ଭିତରେ ଗୁଡ଼ାଏ ପୁରୁଣା ଲୁଗାପଟା ରହିଛି । ଏହି ଗୁହା ଭିତରେ ଯେ ଦିନେ କୌଣସି ଲୋକ ବାସ କରୁଥିଲା, ସେଥିରେ କୌଣସି ସନ୍ଦେହ ରହିଲା ନାହିଁ । କିନ୍ତୁ କେତେଦିନ ପୂର୍ବେ ସେ ଏଠାରେ ରହୁଥିଲା ? ସେ ଜଣେ ନା ଆହୁରି କତେଜଣ ତା’ ସହିତ ଥିଲେ ? ବର୍ତ୍ତମାନ ସେ ଲୋକ ବା ଲୋକମାନେ କାହାନ୍ତି ? କେଉଁଆଡ଼େ ଗଲେ ସେମାନେ ? ସେମାନଙ୍କର ଅବସ୍ଥା କ’ଣହେଲା ?

 

ଅକସ୍ମାତ୍‌ ଘରର ଅନ୍ୟ ଦିଗରେ ଦେଖାଗଲା ଗୋଟିଏ ଶେଯ ପଡ଼ିଛି । ସାମୁଦ୍ରିକ ଶିଉଳିରେ ଶେଯଟା ତିଆରି ହୋଇଛି । ଶେଯ ପାଖକୁ ଲାଗି ରହିଛି ଗୋଟାଏ ଛୋଟ ଟୁଲ୍‌ । ଟୁଲ୍‌ ଉପରେ ଗୋଟାଏ ବତୀଦାନି । ବତୀଦାନିରେ ମହମବତୀଟିଏ ଖଞ୍ଜାଯାଇଛି । ମହମବତୀ ଜଳିଜଳି ପ୍ରାୟ ସବୁ ଶେଷ ହୋଇଯାଇଛି । ଶେଷରେ ମହମ ତରଳ ହୋଇ ତଳକୁ ବୋହି ଆସି ଜମାଟ୍‌ ବାନ୍ଧିଛି ଟୁଲ୍‌ ଉପରେ । ବିଛଣା ଉପରେ ଗୋଟିଏ ଚାଦର ବି ପଡ଼ିଥାଏ ।

 

ଏ ନୀରବ ନିର୍ଜନ ଗୁହା ଭିତରେ ଶେଯ ପକାଇ କିଏସେ ଶୋଇଛି ? ଏଠାରେ ସେ କେତେଦିନ ଧରି ଶୋଇଛି ? ବ୍ରାଆଁତ୍‍ ବିଛଣା ଚଦରଟା ଟାଣି ଦେଉଥିଲା । କିନ୍ତୁ ହଠାତ୍‌ ତା’ ହାତ ରୋକି ହୋଇଗଲା । ଭୟହେଲା, ଚଦର ତଳେ କ’ଣ ଗୋଟାଏ ମଲା ମଣିଷ ଶୋଇଛି ? ତଥାପି ମନରେ ସାହସ ବାନ୍ଧି ସେ ଚଦରଟାକୁ ଟାଣିଆଣିଲା । କିନ୍ତୁ ଆଶ୍ଚର୍ଯ୍ୟ କଥା କାହିଁ, କେହିତ ଶୋଇନାହିଁ ! ଶେଯ ଉପରେ କେବଳ ପଡ଼ିଛି କେତେ ଯୁଗର ଧୂଳି ଓ ମଇଳା ! !

 

ତେଣେ କୁକୁରଟା ଗୁହାର ଦୁଆର ପାଖରେ ଠିଆହୋଇ କେତେବେଳେ ଭୁକୁଥାଏ ତ କେତେବେଳେ କୁଁ କାଁ କରୁଥାଏ । କେତେ ଡାକିଲେ ବି ଭିତରକୁ ଆସୁନଥାଏ । ଗୁହା ଭିତରଟା ଦେଖିବା ପରେ ସମସ୍ତେ ବାହାରକୁ ଚାଲିଆସିଲେ । ଗୁହାର ଦୁଆର ମୁହଁରୁ ନଦୀ ଦେଖାଯାଉଥାଏ; କିନ୍ତୁ ସେଠାରୁ ନଦୀ ପର୍ଯ୍ୟନ୍ତ ସମସ୍ତ ରାସ୍ତା ଲତା ବୁଦାରେ ପରିପୂର୍ଣ୍ଣ । ସେମାନେ ସେହି ଲତାଗହଳ ଭିତର ଦେଇ ନଦୀ ପାଖକୁ ଚାଲିଲେ । ଫ୍ୟାନ୍‌ ଭୁକି ଭୁକି ଆଗରେ ଚାଲିଥାଏ । ସାମାନ୍ୟ କେତେପାଦ ଆଗକୁ ଯାଇଛନ୍ତି କି ନାହିଁ ଏକ ଭୟାବହ ଦୃଶ୍ୟ ଦେଖି ସମସ୍ତେ ଚମକି ପଡ଼ିଲେ, ସମସ୍ତଙ୍କ ପାଟିରୁ ଅସ୍ପଷ୍ଟ ଆର୍ତ୍ତନାଦ ବାହାରି ପଡ଼ିଲା । ସମସ୍ତଙ୍କର ଆଖି ବୁଜି ହୋଇଗଲା । ଆଗରେ ଏକ ପ୍ରକାଣ୍ଡ ବୀଚ୍‍ ଗଛ । ତା’ ତଳେ ପଡ଼ିଥାଏ ଗୋଟାଏ ସମ୍ପୂର୍ଣ୍ଣ ନରକଙ୍କାଳ !!

 

ଭୟଙ୍କର କଙ୍କାଳଟାକୁ ଦେଖି ପିଲାମାନେ କିଛିସମୟ ତଟସ୍ଥ ହୋଇ ଚାହିଁରହିଲେ । କିଛିସମୟ ପରେ ଧୀରେ ଧୀରେ କଙ୍କାଳଟାର ପାଖକୁ ଯାଇ ଦେଖିଲେ କଙ୍କାଳଟା ହାତପାଦ ଛାଟି ଚିତ୍‌ ହୋଇପଡ଼ିଛି । ସମ୍ଭବତଃ କୌଣସି ଲୋକ ଏହିପରି ଅବସ୍ଥାରେ ଶୋଇଥିବାବେଳେ ପ୍ରାଣବାୟୁ ଉଡ଼ିଯାଇଛି । ଶବଟା ସେହି ସ୍ଥାନରେ ସେପରି ଅବସ୍ଥାରେ ପଡ଼ି ପଡ଼ି ପଚି ସଢ଼ିଯାଇ ଶେଷକୁ କଙ୍କାଳ ମାତ୍ର ଅବଶିଷ୍ଟ ରହିଛି । କିଏସେ ଏ ହତଭାଗା ଘରଦ୍ୱାର ଛାଡ଼ି ମରିବା ପାଇଁ ଚାଲି ଆସିଥିଲା ଏହି ନିର୍ଜନ ଦେଶକୁ ? ସେ କୌଣସି ବୁଡ଼ି ଯାଇଥିବା ଜାହାଜର ନାଉରି ? କେଉଁ ଦେଶର ଲୋକ ସେ ବିଚରା, ତା’ର ବୟସ ବା କେତେ ? ଏହି ନିର୍ଜନ ରାଜ୍ୟରେ ସେ କେତେଦିନ, କେତେ ମାସ, କେତେ ବର୍ଷ ଯେ ନ କଟାଇଛି ! କିଏସେ ରଖିଛି ସେ ହିସାବ !! ହୋଇପାରେ, ଜୀବନର ଯୌବନରେ କେତେ ଆଶା, କେତେ ଭରସା ରଖି ସେ ଆସି ଏ ରାଜ୍ୟରେ ପହଞ୍ଚିଥିଲା ଏବଂ ତା’ପରେ ତା’ର ସମସ୍ତ ଭବିଷ୍ୟତକୁ ଚୁର୍‌ମାର୍‌ କରି ବର୍ଷ ପରେ ବର୍ଷ କଟାଇଲା । ଶେଷରେ ଚାଲି ଆସିଲା ତା’ର ବାର୍ଦ୍ଧକ୍ୟ, ଉଡ଼ିଗଲା ତା’ର ଶେଷ ନିଶ୍ୱାସଟିକକ ଏବଂ ପଡ଼ିରହିଲା ତା’ର ଅସ୍ଥିସାର କଙ୍କାଳ !! ଅତି ଅସହାୟ ଅବସ୍ଥାରେ ମରିଛି ବିଚରା; କିନ୍ତୁ ଏ ଦେଶଟା ଯଦି କୌଣସି ମହାଦେଶର ଅଂଶ ହୁଏ, ତେବେ ଏହି ହତଭାଗା ନାବିକ ଏପରି ଗୋଟାଏ ସ୍ଥାନରେ ପଡ଼ି ପଡ଼ି ଜୀବନ ବିତାଇଦେଲା କାହିଁକି ? ସେ ତ ପୂର୍ବଦିଗକୁ ଯାଇ କୌଣସି ଜନ-ବସତିର ସନ୍ଧାନ ପାଇଥାନ୍ତା । ପୂର୍ବଦିଗରେ କ’ଣ ଏପରି ବାଧା ଓ ପ୍ରତିବନ୍ଧକ ରହିଛି, ଯାହାକୁ ଅତିକ୍ରମ କରିବା ଅସମ୍ଭବ ? –ନା, ଏ ଲୋକଟା ସେ ଦିଗକୁ ଯିବାକୁ ମୋଟେ ଚେଷ୍ଟା କରିନାହିଁ । କାରଣ କ’ଣ ?

Image

 

F.B. ର ପରିଚୟ

 

ଗୁହା ଭିତରଟାକୁ ତନ୍ନ ତନ୍ନ କରି ପରୀକ୍ଷା କରିବା ଆବଶ୍ୟକ । ସେ ଭିତରେ ଏହି ହତଭାଗା ନାବିକ ଓ ତା’ର ଜୀବନ ସମ୍ବନ୍ଧରେ ବହୁ ତଥ୍ୟ ମିଳିପାରିବ । ବ୍ରାଆଁତ୍‍ କହିଲା, ‘‘ଭାଇ ଚାଲ ଗୁହା ଭିତରଟା ଭଲଭାବେ ଦେଖିନେବା । ମୁଁ ଭାବୁଛି ଆମେ ସମସ୍ତେ ଏହି ଗୁହା ଭିତରେ ଆସି ଆଶ୍ରୟ ନେବା । ଶୀତଦିନ ମାଡ଼ିଆସୁଛି, ଜାହାଜ ଭିତରେ ମୋଟେ ରହିହେବ ନାହିଁ ।’’

 

ଡୋନ୍‌ଗାନ୍‌ କୌଣସି ଆପତ୍ତି କଲାନାହିଁ । ଚାରିଜଣ ମିଶି ପୁନର୍ବାର ଗୁହା ଭିତରେ ପ୍ରବେଶ କଲେ । ଗୁହା ଭିତରଟା ତନ୍ନ ତନ୍ନ କରି ଖୋଜାଗଲା । ଦେଖାଗଲା କାନ୍ଥର ଗୋଟାଏ ସ୍ଥାନରେ ଗୋଟାଏ କାଠର ସେଲଫ୍‌ ଟଙ୍ଗା ହୋଇଛି । ସେଲଫ୍‍ ଉପରେ ଗୁଡ଼ାଏ ମହମବତୀ ଥୁଆହୋଇଛି । ସେଗୁଡ଼ିକ ହାତ ତିଆରି ମହମବତୀ, ଚର୍ବି ଓ ମହମରେ ତିଆରି, ସମ୍ଭବତଃ ଏହି ମଲା ମଣିଷଟାର ତିଆରି । ସର୍ଭିସ୍‌ ଗୋଟାଏ ମହମବତୀ ଜାଳିଦେଲା । ଗୁହା ଭିତରେ ଆଲୋକ ଖେଳିଗଲା ।

 

ଗୁହାଟା ଖୁବ୍‌ ବଡ଼, ମୁଗୁନୀ ପଥରରେ କାନ୍ଥବାଡ଼, ତଳଟା ଶୁଖିଲା, ଦୁଆର କିନ୍ତୁ ସେହି ଗୋଟିଏ । ବ୍ରାଆଁତ୍‍ ଭାବିଲା ଆଉ ଗୋଟାଏ ଦୁଆର ହୋଇଗଲେ ସେମାନେ ପନ୍ଦରଜଣ ଏ ଭିତରେ ଖୁବ୍‌ ଆନନ୍ଦରେ ଚଳିଯିବେ । ସ୍ଥାନଟା ନିରାପଦ । ଶେଷକୁ ଗୁହାରେ ଥିବା ଜିନିଷପତ୍ରର ଗୋଟାଏ ତାଲିକା କରାଗଲା । ଜିନିଷ ବୋଲିତ ଅଳ୍ପ କେତୋଟି, କେତେଖଣ୍ଡ ଭଙ୍ଗାପଟା, ଗୋଟାଏ କୁରାଢ଼ି, ଗୋଟାଏ ଶାବଳ, ଗୋଟାଏ କୋଦଳ; ଗୋଟାଏ ହାତୁଡ଼ି, ଦୁଇ ଚାରିଖଣ୍ଡ ରନ୍ଧା ବାସନ–ଏହି ହେଲା ଅଭଗା ନାବିକଟିର ସମ୍ବଳ । କି ଦୁଃଖ ଓ ଦୈନ୍ୟ ଭିତରେ ଚଳୁ ନ ଥିଲା ବିଚରା ।

 

ଏସବୁ ଦେଖି ପିଲାମାନେ ଦୀର୍ଘ ନିଶ୍ୱାସ ମାରି ଥକ୍‌କା ହୋଇ ବସିପଡ଼ିଲେ । ଶେଷକୁ ବ୍ରାଆଁତ୍‍ କହିଲା, ‘‘ଆମକୁ ବି ଏହିପରି ଦୀନ ଜୀବନ-ଯାପନ କରିବାକୁ ପଡ଼ିପାରେ । ଏ ଗୁହା ଭିତରେ ଦିନେ ମଣିଷ ଚଳୁଥିଲା; ଆମେ କାହିଁକି ଚଳି ନ ପାରିବା ।

 

କାହାରି ମୁହଁରୁ କଥା ବାହାରିଲା ନାହିଁ । ଭବିଷ୍ୟତ କଥା ବିଚାର କରି କୁମାର ହୃଦୟ ଭୟରେ ଥରିଉଠିଲା । ମନେପଡ଼ିଗଲା ବାହାରେ ପଡ଼ିଥିବା ସେହି ଭୟଙ୍କର ନରକଙ୍କାଳର କଥା । ସତେ କ’ଣ ତାହାରି ଭଳି ନିଃସହାୟ ନିରୁପାୟ ଅବସ୍ଥାରେ ପଡ଼ି ଜଣ ଜଣ ହୋଇ ମରଣ ମୁଖରେ ପଡ଼ିବେ ! ଏପରି ମରୁ ମରୁ ଶେଷକୁ ଯେଉଁ ହତଭାଗା ବଞ୍ଚିରହିଯିବ କେଡ଼େ ଦୁଃଖମୟ, କେଡ଼େ କରୁଣ, କେତେ କ୍ଷୁଣ୍ଣ ନ ହେବ ତା’ର ଜୀବନ !

 

ମନରେ ପ୍ରଶ୍ନ ଉଠିଲା,–ଭଲା, ଏ ଲୋକଟା ମଲା କିପରି ? କେତେଦିନ ହେଲା ମଲାଣି ? –ନିଶ୍ଚୟ ବହୁତ ଦିନ ହୋଇଯିବଣି, ଗଛତଳେ ପଡ଼ିଥିବା ଶୁଖିଲା ହାଡ଼କଙ୍କାଳଟା ଦେଖିଲେ ତ ତାହାହିଁ ମନେହୁଏ । ପଚିଶ ତିରିଶ ବର୍ଷ ହୋଇଯିବଣି; କାରଣ ସେ ବୀଚ୍‍ଗଛ ଗଣ୍ଡିରେ ତ 1827 ସାଲ ଲେଖାଯାଇଛି । ଏ ପଚିଶ ତିରିଶ ବର୍ଷ ଭିତରେ କ’ଣ ଏ ଗୁହା ଭିତରକୁ ଆଉ କେହି ଆସି ନାହିଁ ? ଏତେବର୍ଷ ବିତିଗଲାଣି, ତଥାପି କ’ଣ ଏ ନିର୍ଜନ ଦେଶରେ ଆଉକେହି ପ୍ରବେଶ କରି ନାହିଁ ?

 

ଆଉଥରେ ଖୋଜାଖୋଜି କରିବାରୁ ଗୁହା ଭିତରୁ ଗୋଟାଏ ଛୁରି ମିଳିଲା । ଗୋଟାଏ ପୁରୁଣା କମ୍ପାସ ଓ ଗୋଟାଏ ଚା’ କେଟ୍‌ଲି ମଧ୍ୟ ମିଳିଲା । କିନ୍ତୁ ଦିଗନିର୍ଣ୍ଣୟ କରିବା ପାଇଁ ଅନ୍ୟ କୌଣସି ଯନ୍ତ୍ର ମିଳିଲା ନାହିଁ । ଗୋଟାଏ ବନ୍ଧୁକ ମଧ୍ୟ ଦେଖିବାକୁ ମଳିଲା ନାହିଁ । ହଠାତ୍‌ ସର୍ଭିସ୍ ଆଖିରେ ଏକ ଅଦ୍ଭୁତ ଜିନିଷ ପଡ଼ିଲା । ତାହା ଖଣ୍ଡେ ଲମ୍ବା ଦଉଡ଼ି । ତା’ର ଦୁଇ ମୁଣ୍ଡରେ ଦୁଇଟା ବଡ଼ ବଲ୍‍ ବନ୍ଧାଯାଇଥାଏ । ସେ ପଚାରିଲା, ‘‘ଦେଖିଲୁ ବ୍ରାଆଁତ୍‍, ଦେଖିଲୁ ସେଇଟା କ’ଣ ଗୋଟାଏ ବିଚିତ୍ର ଜିନିଷ ! ଜିନିଷଟାକୁ ଦେଖି ସେଇଟା ଯେ କ’ଣ ତାହା କେହି ବୁଝିପାରିଲେ ନାହିଁ । କିଛିସମୟ ପରେ ବ୍ରାଆଁତ୍‍ କହିଲା, ହଁ, ହଁ, ମନେପଡ଼ୁଛି । ଆମ ବହିରେ ପଢ଼ିଥିଲୁ, କାହିଁକି, ବହୁତ ଗପ ବହିରେ ବି ମୁଁ ପଢ଼ିଛି । ଏହାକୁ ‘ବୋଲୋ’ କହନ୍ତି । ଦକ୍ଷିଣ ଆମେରିକାର ଆଦିମ ଅଧିବାସୀମାନେ ଏହା ସାହାଯ୍ୟରେ ବଣର ପଶୁ ଧରନ୍ତି ।

 

‘‘ଏଥିରେ କିପରି ପଶୁ ଧରନ୍ତି ମ !’’

 

‘‘ଆରେ ବୋଲୋଟାକୁ ପଶୁ ଉପରକୁ ଫୋଫାଡ଼ି ଦିଆଯାଏ । ‘ବୋଲୋ’ ଶିକାରୀର ହାତ ଖୁବ୍‌ ଚଞ୍ଚଳ ଓ ଅଭ୍ୟସ୍ତ । ସେ ବୋଲୋଟାକୁ ଏପରି ଭାବରେ ଫୋପାଡ଼େ ଯେ, ଦଉଡ଼ି ଓ ବଲ୍‌ଯାଇ ପଶୁ ଉପରେ ଛନ୍ଦି ହୋଇଯାଏ । ପଶୁଟା ସଙ୍ଗେ ସଙ୍ଗେ ଅବଶ ହୋଇ ତଳେ ପଡ଼ିଯାଏ-। ତା’ପରେ ତାକୁ ଆୟତ୍ତ କରିବାକୁ କେତେ ?’’

 

ଏତିକିବେଳେ ଦେଖାଗଲା ବୋଲୋଠାରୁ ଟିକିଏ ଦୂରରେ ଆଉ ଗୋଟାଏ ଜିନିଷ ପଡ଼ିଛି । ବ୍ରାଆଁତ୍‍, ‘‘ଏ ଜିନିଷଟାର ନାମ ହେଲା ‘ଲ୍ୟାସୋ’ । ଏ ଗୋଟାଏ ପ୍ରକାରର ଫାଶ । ଏ ଫାଶ ସାହାଯ୍ୟରେ ବଣର ଘୋଡ଼ା ବି ଧରିହେବ ।’’

 

ଡୋନ୍‌ଗାନ୍ କହିଲା, ‘‘ତା’ହେଲେ ଲୋକଟା ଏହି ‘ବୋଲୋ’ ଓ ‘ଲ୍ୟାସୋ’ ସାହାଯ୍ୟରେ ବଣର ଜୀବଜନ୍ତୁ ଧରୁଥିଲା । ବନ୍ଧୁକ ନଥିଲେ ବି କାମ ଚଳି ଯାଉଥିଲା ।’’

 

ଉଇଲ୍‍କକ୍‍ସ କହିଲା, ‘‘ଠିକ୍‌ କଥା ! ଆମେ ବି ଏ ଦୁଇଟା ଯନ୍ତ୍ର ବ୍ୟବହାର କରିବା ।’’

 

ଶେଯର ମାଣ୍ଡି ଓ ଚଦର ଘୁଞ୍ଚାଘୁଞ୍ଚି କରୁ କରୁ ସେ ଭିତରୁ ଗୋଟାଏ ଛୋଟ ପକେଟ୍‌ ଘଡ଼ି ମିଳିଲା । ସୁନ୍ଦର ଘଡ଼ିଟାଏ, ରୂପାର ଖୋଳ ଓ ରୂପାର ଚେନ୍‌ ଲାଗିଥାଏ । ବହୁ କଷ୍ଟରେ ଖୋଳଟା ଫିଟିଲା । ଦେଖାଗଲା ରୂପାର ଚାବି ଲାଗିଛି । ଘଣ୍ଟାର କଣ୍ଟା ଦୁଇଟା ସୁନାରେ ତିଆରି । ତିନିଟା କୋଡ଼ିଏରେ ଘଣ୍ଟା ବନ୍ଦ ହୋଇଯାଇଛି । ଚାବି ଦିଆଗଲା; କିନ୍ତୁ ଘଣ୍ଟା ଚାଲିଲା ନାହିଁ । ତିନିଟା କୋଡ଼ିଏ–କେତେ ମାସ, କେତେବର୍ଷ ତଳେ ତିନିଟା କୋଡ଼ିଏରେ ଘଣ୍ଟା ବନ୍ଦ ହୋଇଯାଇଛି-। ସେହିଦିନୁ ଆଉ ତେଲ ପଡ଼ିନାହିଁ ବୋଧହୁଏ । ଭିତର ଯନ୍ତ୍ରପାତି ସବୁ ଜଙ୍କ୍‌ ଖାଇଯାଇଥିଲା-

 

ଡୋନ୍‌ଗାନ୍ କହିଲା, ‘‘ଘଡ଼ି ଭିତରେ ତ ଘଡ଼ି କାରଖାନାର ନାଁ ଲେଖା ହୋଇଥିବ । ଖୋଲ, ଖୋଲ, ଦେଖିବା କେଉଁ ଦେଶର ଘଡ଼ି ।’’

 

ଘଡ଼ିର ମୁହଁରେ ଲେଖା ହୋଇଥାଏ–Delepench Saint Malo ଫରାସୀ ନାମ । ଫରାସୀ ଦେଶରେ ତିଆରି ଘଡ଼ି । ତାହାହେଲେ ଘଡ଼ିବାଲା ବି ଫରାସୀ ଲୋକ ହୋଇଥାଇପାରେ । –ସ୍ୱେଦେଶୀ ଜିନିଷ ଛାଡ଼ି ସେ କ’ଣ ବିଦେଶୀ ଜିନିଷ କିଣୁଥିବ ?

 

ଆହୁରି ଖୋଜୁ ଖୋଜୁ ସେମାନେ ଗୋଟାଏ ନୋଟ୍‌ବହି ପାଇଲେ । ବହୁଦିନର ପୁରୁଣା ବହି । ଭିତରର କାଗଜ ସବୁ ହଳଦିଆ ହୋଇଯାଇଥାଏ । ବହି ଭିତରେ ଫରାସୀ ଭାଷାରେ ପେନ୍‌ସିଲରେ ଗୁଡ଼ାଏ ବିଷୟ ଲେଖା ହୋଇଥାଏ । କିନ୍ତୁ କାଗଜ ହଳଦିଆ ହୋଇଯିବା ଫଳରେ ପେନ୍‌ସିଲ୍‌ ଲେଖା ଲିଭି ଲିଭି ଯାଇଥାଏ । ଭଲଭାବରେ ପଢ଼ି ହେଉନଥାଏ । କିଛି ଅଂଶ ପଢ଼ିସାରି ବ୍ରାଆଁତ୍‍ କହିଲା, ‘‘ଏ ଲୋକଟିର ନାମ ହେଉଛି ଫ୍ରାଁସୋଆଁ ବଦୋଆଁ, ଫରାସୀ ଲୋକ । ମଲାପର୍ଯ୍ୟନ୍ତ ସେ ଏହି ଗୁହାରେ ହିଁ ରହିଥିଲା ।’’

 

ଫ୍ରାଁସୋଆଁ ବଦୋଆଁ ! ଏହି ନାମର ଦୁଇ ପଦର ପ୍ରଥମ ଦୁଇ ଅକ୍ଷର F.B.–ବୀଚ୍‌ ଗଛ ଗଣ୍ଡିରେ ଖୋଦେଇ ହୋଇଥିଲା ! ନୋଟ୍‌ବହିଟି ଏହି ହତଭାଗାର ଡାଇରୀ । ଯେଉଁଦିନ ସେ ଏହି ନିର୍ଜନ ଦେଶରେ ପହଞ୍ଚିଲା ସେହି ଦିନଠାରୁ ତା’ର ମୃତ୍ୟୁପର୍ଯ୍ୟନ୍ତ ଘଟିଥିବା ବିଭିନ୍ନ ଘଟଣା ଏଥିରେ ଲିପିବଦ୍ଧ ହୋଇଛି । ଗୋଟାଏ ସ୍ଥାନରେ ଗୋଟାଏ ଜାହାଜର ନାମ ଲେଖାଥାଏ ‘ଡୁ ଗୁଓ୍ୱେ ଟୁଇନ୍-।’ ବିଚରା ଉକ୍ତ ଜାହାଜର କର୍ମଚାରୀ ଥିଲା ଜାହାଜ ବୁଡ଼ିଗଲା ଅତଳ ପ୍ରଶାନ୍ତ ମହାସାଗରରେ-

 

ଖାତାରେ ୧୮୨୭ ମସିହା ବି ଲେଖାଥାଏ । –ଗଛ ଗଣ୍ଡିରେ ଠିକ୍‌ ଏହି ମସିହା ଲେଖାଥିଲା । ଅର୍ଥାତ୍‌ ପ୍ରାୟ ତେତିଶ ବର୍ଷ ତଳେ ଫ୍ରାଁସୋଆଁ ବଦୋଆଁ ଏହି ଦେଶରେ ପହଞ୍ଚିଥିଲା-। ନିଃସହାୟ ଭାବରେ ମୃତ୍ୟୁର ଶେଷଦିନ ପର୍ଯ୍ୟନ୍ତ ଏହି ନିର୍ଜନ ଦେଶରେ ସେ କଟାଇଥିଲା-। ଯୌବନ ଯାଇ ଜରା ଆସିଥିଲା; ଜୀବନ ଯାଇ ମୃତ୍ୟୁ ଆସିଥିଲା !! କିନ୍ତୁ ବାହାର ଜଗତରୁ କୌଣସି ସାହାଯ୍ୟ ଆସିନଥିଲା ! ଉଦ୍ଧାରର କୌଣସି ଉପାୟ ମିଳି ନ ଥିଲା !!

 

ଓଃ, କି ଅଭିଶାପ ! କିଶୋର ଛାତ୍ରମାନଙ୍କର କାମଳ ହୃଦୟରେ ଦାରୁଣ ବ୍ୟଥା ଲାଗିଲା-। ମନରେ ପ୍ରଶ୍ନ ଉଠିଲା, ସେମାନଙ୍କର ଭାଗ୍ୟରେ ବି କ’ଣ ଏହାହିଁ ଲେଖାଅଛି-?

 

ନୋଟ୍‍ବହିଟାକୁ ପଢ଼ୁ ପଢ଼ୁ ତା’ ଭିତରୁ ଗୋଟାଏ କି ଚଉଡ଼ା କାଗଜ ଖସିପଡ଼ିଲା । କାଗଜଟାକୁ ଖୋଲି ଦେଖାଗଲା ତା’ ଉପରେ ଗୋଟାଏ ମାନଚିତ୍ର ଅଙ୍କନ କରାଯାଇଛି । ବଡ଼ ଖରାପ କାଳିରେ ଲେଖା ଯାଇଥାଏ । ବୋଧହୁଏ ବଦୋଆଁର ହାତ ତିଆରି କାଳି ।

 

ଡୋନ୍‌ଗାନ୍‌ ପଚାରିଲା, ‘‘କେଉଁଠିକାର ମାନଚିତ୍ର ହେବ ? ବ୍ରାଆଁତ୍‍ କହିଲୁ ଦେଖି !’’

 

‘‘ମୋର ମନେହେଉଛି ଏହା ଏହି ଦେଶର ମାନଚିତ୍ର । ଦେଖୁନୁ, ଏହି ସ୍ଥାନଟାରେ ଆମର ଜାହାଜ ରହିଛି । ହେଇଟି ଏଗୁଡ଼ାକ ସେହି ପାଣି ଭିତରର ପୋହୋଳା ପାହାଡ଼ । ଆଉ ହେଇଟିତ ଉପସାଗର । ଦେଖ୍‌, ଦେଖ୍‌, ହେଇଟି ସେହି ହ୍ରଦଟା, ମିଠାପାଣି ହ୍ରଦ ।’’

 

‘‘ଏ ଦେଶଟା ତାହାହେଲେ ଗୋଟାଏ ଦ୍ୱୀପ–ଛୋଟ ଦ୍ୱୀପଟାଏ । ଆମେ ମିଛରେ ମହାଦେଶ ହେଉଥାଇଁ ।’’ –ସର୍ଭିସ୍‌ ମନ୍ତବ୍ୟ ଦେଲା ।

 

‘‘ବ୍ରାଆଁତ୍‍ କହିଲା, ଠିକ୍‌ କଥା, ଦ୍ୱୀପଟାଏ । ଦ୍ୱୀପର ମଝିରେ ରହିଛି ଘନ ଜଙ୍ଗଲ; ଆମେ ସେହି ଜଙ୍ଗଳ ଭିତର ଦେଇ ଆସିଥାଇଁ । ଆଉ ପୂର୍ବଦିଗରେ ଦେଖ, ନୀଳ ରଙ୍ଗରେ ସମୁଦ୍ର ଅଙ୍କନ କରାଯାଇଛି ।’’

 

ମାନଚିତ୍ରରୁ ବୁଝାଗଲା ଯେ, ଦ୍ୱୀପଟି ଆୟତାକାର । ଯେପରି ଗୋଟାଏ ପ୍ରଜାପତି ଦୁଇଡେଣା ମେଲାଇ ଜଳରେ ଭାସୁଛି । ହ୍ରଦଟି ଦ୍ୱୀପର ମଝିରେ ! ହ୍ରଦର ଦୈର୍ଘ୍ୟରେ ପନ୍ଦରମାଇଲ ଓ ପ୍ରସ୍ଥରେ ପାଞ୍ଚ ଛ’ମାଇଲ ଯାଏ ହେବ । ତା’ ଚାରିପାଖ ଘନଜଙ୍ଗଲରେ ପରିପୂର୍ଣ୍ଣ-। ଦ୍ୱୀପଟା ଉତ୍ତର ଦକ୍ଷିଣରେ ପ୍ରାୟ ପଚାଶମାଇଲ ଓ ପୂର୍ବ ପଶ୍ଚିମରେ ପଚିଶ ମାଇଲ, କିନ୍ତୁ ପ୍ରଶାନ୍ତ ମହାସାଗରର କେଉଁଠି ଯେ ସେ ଦ୍ୱୀପଟା ତାହା ଉଲ୍ଲେଖ କରାଯାଇ ନାହିଁ । ସମ୍ଭବତଃ ଏହି ଦ୍ୱୀପ ପାଖଆଖ ଦେଇ କୌଣସି ଜାହାଜ ଯାତାୟତ କରେନାହିଁ । ତେଣୁ ଏହା ଏକ ସମ୍ପୂର୍ଣ୍ଣ ଅଜ୍ଞାତ ଦ୍ୱୀପ-

 

ଏହି ଅଜ୍ଞାତ ଦ୍ୱୀପରେ ବହୁଦିନ ଧରି ଅପେକ୍ଷା କରିବାକୁ ପଡ଼ିବ । ହେଉ–ଯାହା ଇଚ୍ଛା ଭଗବାନଙ୍କର । ଯଦି ଅନ୍ୟ ଆଶ୍ରୟ ସ୍ଥାନ ନ ମିଳେ, ତେବେ ସମ୍ଭବତଃ ଏହି ପଥର ଗୁହାରେ ହିଁ ବାସକରିବାକୁ ପଡ଼ିବ । ମନୁଷ୍ୟର କୌଣସି ପୂର୍ବପୁରୁଷ ତ ଦିନେ ପଥର ଗୁହାରେ ବାସ କରୁଥିଲା-। ଜାହାଜ ଛାଡ଼ି ଆସିବା ଆଜକୁ ତିନିଦିନ ହୋଇଗଲା । ଗର୍ଡ଼ନ୍‍ ପ୍ରଭୃତି ବଡ଼ ବ୍ୟସ୍ତ ହୋଇପଡ଼ୁଥିବେ । ଏଥର ଫେରିଯିବାକୁ ପଡ଼ିବ । ମାନଚିତ୍ରରୁ ଦେଖାଗଲା ନଦୀ କୂଳେ କୂଳେ ଚାଲିଲେ ଖୁବ୍‌ ଚଞ୍ଚଳ ସମୁଦ୍ରତୀରରେ ପହଞ୍ଚିହେବ–ମୋଟେ ଛ’ସାତ ମାଇଲ ବାଟ ।

 

ବ୍ରାଆଁତ୍‍ କହିଲା, ‘‘ଫେରିଯିବା ପୂର୍ବରୁ ଆମକୁ ଗୋଟାଏ କାର୍ଯ୍ୟ କରିବାକୁ ପଡ଼ିବ । ଯାହାର କଲ୍ୟାଣରୁ ଏହି ଦ୍ୱୀପ ସମ୍ବନ୍ଧରେ ଆମେ ଏତେଗୁଡ଼ାଏ କଥା ଜାଣିବାକୁ ପାଇଲେ ତାଙ୍କପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିବା ଆମର ଉଚିତ । ଚାଲ ତାଙ୍କୁ କବରଟିଏ ଦେଇଦେବା ।’’

 

ଚାରିବନ୍ଧୁ ମିଶି ବୀଚ୍‌ ଗଛତଳେ ଗୋଟିଏ କବର ଖୋଳି ଫ୍ରାଁସୋଆଁ ବଦୋଆଁର କଙ୍କାଳକୁ ସମାଧି ଦେଲେ । କବର ଉପରେ ପୋତିଦେଲେ ଗୋଟିଏ କାଠର କ୍ରସ୍‍–ଈଶ୍ୱର ବିଶ୍ୱାସର ଅନ୍ତିମ ସଂକେତ । ତା’ପରେ ଗୁହା ପାଖକୁ ଆସି ଗୁହାର ଦ୍ୱାରଟାକୁ କେତୋଟି ପଥରଦ୍ୱାରା ବନ୍ଦ କରିଦେଲେ । ଯେପରିକି କୌଣସି ବନ୍ୟଜନ୍ତୁ ସେ ଭିତରେ ପ୍ରବେଶ ନକରେ, ଭବିଷ୍ୟତରେ ସେମାନେ ସେହି ଗୁହାରେ ହିଁ ଯେ ଆଶ୍ରୟନେବେ ତାହା ପ୍ରାୟ ଠିକ୍‌ କରିସାରିଥିଲେ-

 

ଫେରିବାବେଳେ ନଦୀର ଡାହାଣ ତୀରଦେଇ ପଶ୍ଚିମ ଦିଗକୁ ଚାଲିଯିବାକୁ ଲାଗିଲେ । ନଦୀ ପାଖରେ ଜଙ୍ଗଲ ସେତେ ଘଞ୍ଚନୁହେଁ, କିନ୍ତୁ ଚାଲୁ ଚାଲୁ ରାତି ହୋଇଗଲା । ଜଙ୍ଗଲ ଭିତରେ କେତେ କ’ଣ ଶବ୍ଦ–କେତେ ପ୍ରକାରର ରାତ୍ରିଚର ପଶୁଙ୍କ ଗର୍ଜନ ଶୁଭୁଥାଏ । ତଥାପି ସେମାନେ ଆଗେଇ ଚାଲିଲେ । ଭୟ କାହିଁକି କରିବେ । ଚାରି ଚାରିଜଣ ପିଲା ହାତରେ ବନ୍ଧୁକ, ପିସ୍ତଲ ଅଛି । ଆସୁନା କିଏସେ ଦେଖାଯିବ ।

 

ଚାରିଆଡ଼େ ଘନ ଅନ୍ଧକାର । ହଠାତ୍ ଦୂରରେ ଗୋଟାଏ ଉଜ୍ଜ୍ୱଳ ଆଲୁଅ ଦେଖାଗଲା, ଦାଉ ଦାଉ ହୋଇ ଜଳୁଥାଏ । ପିଲାମାନଙ୍କ ମନରେ ଟିକିଏ ଆଶଙ୍କା ଦେଖାଗଲା ।

 

ସର୍ଭିସ୍‌ ପଚାରିଲା, ‘‘ଭାଇ ସେ ଆଲୁଅଟା କ’ଣ ?’’

 

ଡୋନ୍‌ଗାନ୍‌ ଭୟମିଶା କଣ୍ଠରେ କହିଲା, ‘‘ଭାବୁଛି ନିଆଁଟା ଗୋଟାଏ ଉଲ୍‌କା ହୋଇଥିବ । ଦେଖୁଛୁନା କେତେ ଉପରେ ଜଳୁଛି ।’’

 

ପ୍ରକୃତରେ ନିଆଁଟା ଉଚ୍ଚରେ ଜଳୁଥାଏ । ବ୍ରାଆଁତ୍‍ କହିଲା, ‘‘ନା, ନା ଉଲ୍‌କା ନୁହେଁ । କୌଣସି ଲୋକ ଜାଳୁଛି । ଆମେ ଏତେ ଡରିବା କାହିଁକି ଯେ ? ଚାଲନା ଆଗକୁ । ମୁଁ ଭାବୁଛି ଜାହାଜର ପିଲାମାନେ ପାହାଡ଼ଉପରେ ନିଆଁ ଜାଳୁଛନ୍ତି । ସମ୍ଭବତଃ ଆମକୁ ସଙ୍କେତ ଦେବାପାଇଁ ସେମାନେ ନିଆଁ ଜାଳୁଥାଇପାରନ୍ତି । ଆଉ କିଏସେ ହେବ ମ ?’’

 

କିଛିଦୂର ଯିବାପରେ ଡୋନ୍‌ଗାନ୍‌ ସଂକେତ ସୂଚକ ବନ୍ଧୁକ ଫୁଟାଇଲା । ସଙ୍ଗେସଙ୍ଗେ ଆଲୋକ ପାଖରୁ ଫାଙ୍କା ଆବାଜ୍‍ ଶୁଭିଲା ।

 

ଡୋନ୍‌ଗାନ୍ ଆନନ୍ଦରେ ନାଚିଉଠିଲା, ‘‘ଆରେ ସତେତ, ଆମରି ପିଲାମାନେ ନିଆଁ ଜାଳୁଛନ୍ତି । ଏତେଶ୍ରୀଘ୍ର ଜାହାଜ ପାଖରେ ପହଞ୍ଚିଗଲେ ନା !!’’

 

ବ୍ରାଆଁତ୍‍ ପ୍ରଭୃତି ଜାହାଜ ଆଡ଼କୁ ଜୋରରେ ଦୌଡ଼ିଲେ । ତେଣୁ ଜାହାଜଆଡ଼ୁ ବି ପିଲାମାନେ ଦୌଡି ଆସୁଥିଲେ ।

 

ଗର୍ଡ଼ନ୍‍ ପଚାରିଲା; ‘‘ତିନିଦିନ ହୋଇଗଲା, ତୁମେମାନେ ଫେରୁନାହଁ ଦେଖି ଆମେ ବଡ଼ ଚିନ୍ତାରେ ପଡ଼ିଥିଲୁ ।’’ କ’ଣ କିଛି ଦେଖିବାକୁ ପାଇଲ ?

 

ବ୍ରାଆଁତ୍‍ କହିଲା, ‘‘ହଁ ପାଇଛୁ । ଜାହାଜ ପାଖକୁ ଚାଲ, କହିବି ।’’

Image

 

ଗୁହା ଜୀବନ

 

ଗତ ତିନିଦିନର ଅଭିଜ୍ଞତା ଶୁଣାଇ ବ୍ରାଆଁତ୍‍ ପ୍ରସ୍ତାବ ଦେଲା ଯେ ସମସ୍ତେ ଜାହାଜଛାଡ଼ି ପାହାଡ଼ ଗୁହାରେ ଯାଇ ଆଶ୍ରୟ ନେଲେ ଭଲ ହେବ । ପଥର ଗୁହା ଭିତରେ ରହିବାକଥା ଶୁଣି ପ୍ରଥମେ କେତେଜଣ ଗୁଁ ଗାଁ କଲେ । କିନ୍ତୁ ଗର୍ଡ଼ନ୍‍ କହିଲା, ‘‘ଖରା ବର୍ଷାରେ ପଡ଼ି ପଡ଼ି ଜାହାଜର ଅବସ୍ଥା ନାହିଁ । ପଟାଗୁଡ଼ାକ ଫାଟିଗଲାଣି । ଏଣେ ଶୀତଦିନ ମାଡ଼ିଆସୁଛି । ଏ ଶୀତ ଆମେରିକା ବା ୟୁରୋପର ଶୀତ ନୁହେଁ । ଏ ହେଲା ଦକ୍ଷିଣମେରୁର ଶୀତ । ଶୀତଦିନେ ଏଭଳି ଭଙ୍ଗାଭଟା ଜାହାଜ ଭିତରେ ରହିଲେ ପ୍ରାଣ ରହିବ ନାହିଁ ।’’

 

ଗର୍ଡ଼ନ୍‍ର କଥାଟା ସମସ୍ତଙ୍କ ମନକୁ ପାଇଲା । ଗାର୍ନେଟ୍‌ ବୋଲି ଗୋଟିଏ ପିଲା କହିଲା, ‘‘ଆମ ଜାହାଜ ଅବସ୍ଥା ଯାହାହୋଇଛି, ଏ ଭିତରେ ଯଦି କେବେ ଝଡ଼ ଉଠାଇବ, ତେବେ ଜାହାଜର ପଟାଗୁଡ଼ାକ ସବୁ ଉଡ଼ାଇନେବ । ମୋ ମତରେ ଜାହାଜର ପଟାଗୁଡ଼ାକୁ ଖୋଲି ଗୁହାକୁ ନେଇଯିବା-। ସେଠାରେ ଗୋଟାଏ ପଟାଘର ତିଆରି କରିଦେଲେ ଖୁବ୍‌ ଭଲହେବ ।’’

 

ଏହିଭଳି ଭାବରେ ଆଲୋଚନା ଚାଲିଛି, ଜେଙ୍କନ୍‌ସ୍‌ ବୋଲି ଗୋଟିଏ ପିଲା କହିଲା, ‘‘ଗୁହାରେ ତ ରହିବା, ଗୁହାଟାକୁ ଗୋଟିଏ ନାମ ଦିଆଯାଉ ।’’

 

ଡୋନ୍‌ଗାନ୍‌ କହିଲା, ‘‘ଠିକ୍‌ କଥା । ଗୋଟିଏ ନାମ ନ ଦେଲେ ଭଲହେବ ନାହିଁ । ମୋ ମତରେ ଗୁହାର ନାମ ରହୁ ‘ଫରାସୀ ଗୁହା’ କାରଣ ଜଣେ ଫରାସୀ ଭଦ୍ରଲୋକଙ୍କ କୃପାରୁ ଆମେ ଦ୍ୱୀପ ସମ୍ବନ୍ଧରେ ଏତେକଥା ଜାଣିବାକୁ ପାଇଲୁ ।’’

 

ଏ ପ୍ରସ୍ତାବଟି ସମସ୍ତେ ଗ୍ରହଣ କଲେ । ସେହିଦିନଠାରୁ ଗୁହାର ନାମ ରହିଲା ଫରାସୀ ଗୁହା । ସେହିଦିନହିଁ ଯାତ୍ରାର ଆୟୋଜନ ଆରମ୍ଭ ହୋଇଗଲା । ଗର୍ଡ଼ନ୍‍ ଭଲ ତମ୍ବୁ ପକାଇ ଜାଣେ । ନଦୀକୂଳରେ ସେ ଗୋଟାଏ ତମ୍ବୁ ପାରିଦେଲା । ପିଲାମାନେ ସେହି ତମ୍ବୁ ଭିତରେ ରହିଲେ । ଜାହାଜର ସବୁ ଜିନିଷ ନଦୀ ପଥରେ ଗୁହାପର୍ଯ୍ୟନ୍ତ ବୋହି ନିଆଯିବ ବୋଲି ଠିକ୍‌ କରାଗଲା । ନଦୀରେ ତ ଖୁବ୍‌ ପାଣିଥାଏ, ଖଣ୍ଡେ ଭେଳା ତିଆରି କରିଦେଲେ; ଜିନିଷପତ୍ରଗୁଡ଼ାକୁ ଭେଳାରେ ଲଦି ନେଇଯିବା ସୁବିଧା ହେବ । ପ୍ରଥମେ ଜିନିଷପତ୍ରସବୁ ପ୍ୟାକ୍‌ କରାଯାଉ ।

 

ଜାହାଜରେ କମ୍ ଜିନିଷ ନଥାଏ, ଅବଶ୍ୟ ସେଥିରୁ ଅଧିକାଂଶ ଜିନିଷ ବଡ଼ବଡ଼ ବାକ୍‌ସ ଓ ଟିଣରେ ପ୍ୟାକ୍‌ ହୋଇ ଆସିଥାଏ । ତଥାପି ପିଲାଙ୍କର ବିଛଣାପତ୍ର, ଲୁଗାପଟା, ଆସବାବପତ୍ର ବାସନକୁସନ ବନ୍‌ସି ବାଡ଼ି ପ୍ରଭୃତି ଖୋଲାରେ ପଡ଼ିଥାଏ । ବ୍ୟାରୋମିଟର, ଷ୍ଟର୍ମଗ୍ଲାସ, କମ୍ପାସ ପ୍ରଭୃତି ଯନ୍ତ୍ରପାତି ଓ ପାଲଗୁଡ଼ାକ ବି ବାହାରେ ଥାଏ । ହାତ ହତିଆର ଭିତରୁ ବାହାରେ ପଡ଼ିଥାଏ ଗୁଡ଼ାଏ । ସେସବୁକୁ ବାକ୍‌ସରେ ପୂରାଇ ବନ୍ଦ କରାଗଲା । ତା’ପରେ ପିଲାମାନେ ମିଶି ଜାହାଜର ପଟାଗୁଡ଼ାକୁ ଖୋଲିବାରେ ଲାଗିଲେ । କିନ୍ତୁ ଜାହାଜ ଦେହରୁ କାଠପଟା ଖୋଲି ବାହାର କରିବା କିଛି ସହଜ କଥା ନୁହେଁ । ସବୁପିଲା ସେହି କାମରେ ଲାଗିଗଲେ ।

 

ଜାହାଜ ଭିତରେ ଜୋରସୋରରେ କାମ ଚାଲିଛି । ଦିନେ ଉପରବେଳା ଆକାଶ ଅନ୍ଧାର ହୋଇଗଲା । ସଂସାରର ଯେତେ ମେଘ ସବୁ ଆସି ସେହି ଦ୍ୱୀପ ଉପରେ ଠୁଳ ହୋଇଗଲେ । ଚାହୁଁ ଚାହୁଁ ମାଡ଼ିଆସିଲା ଗୋଟାଏ ପ୍ରଳୟଙ୍କରୀ ଝଡ଼ତୋଫାନ । ପିଲାମାନେ ପ୍ରାଣବିକଳରେ ତମ୍ବୁ ଭିତରକୁ ଦୌଡ଼ିଗଲେ । ରାତିତମାମ ବର୍ଷା ଓ ତୋଫାନର ତାଣ୍ଡବଲୀଳା ଚାଲିଲା । ଓଃ, କି ଗର୍ଜନ ସେ ତୋଫାନର । ମନେହେଲା ଆକାଶଟା ଆସି ମୁଣ୍ଡ ଉପରେ ଅଜାଡ଼ି ହୋଇପଡ଼ିବ । ପିଲାମାନେ ଭୟରେ ଅଖିଆ ଅପିଆ ଶୋଇପଡ଼ିଲେ ।

 

ସକାଳେ ନିଦ ଭାଙ୍ଗିଲାବେଳକୁ ବର୍ଷା ଓ ତୋଫାନ ବନ୍ଦ ହୋଇଗଲାଣି, କିନ୍ତୁ ତୋଫାନ ଯେଉଁ କୀର୍ତ୍ତି କରିଯାଇଥାଏ ତାହା ଦ୍ୱୀପ ତମାମ ବିଛେଇ ହୋଇପଡ଼ିଥାଏ । କି ସାଂଘାତିକ । ରାତିଟା ଭିତରେ କେତେକଣ ପରିବର୍ତ୍ତନ ଘଟି ନ ଗଲା । ଜାହାଜଟାକୁ ଆଉ ଚିହ୍ନି ହେଲାନାହିଁ । ତୋଫାନର ଧକ୍‌କାରେ ଜାହାଜର ପଟାଗୁଡ଼ାକ ସବୁ ଖୋଲିଯାଇଥାଏ । ଖୋଲା ପଟାଗୁଡ଼ାକ ଏପରି ଭାବରେ ବିଛେଇ ହେଇଯାଇଥାଏ ଯେ ଜାହାଜ ବଦଳରେ ଜମା ହୋଇଥାଏ କାଠପଟାର ଗୋଟାଏ କୁଢ଼ । କେତେ ଯେ ଗଛପତ୍ର ଭାଙ୍ଗିପଡ଼ିଥିଲା ତା’ର କଳନା ନାହିଁ । ତୋଫାନର କେତେ କରାମତି ନୁହଁ ସତେ !!

 

ଯାହାହେଉ ତୋଫାନଟା ସେମାନଙ୍କୁ ସାହାଯ୍ୟ କରିବାପାଇଁ ଆସିଥିଲା । ବିନା ପରିଶ୍ରମରେ ଜାହାଜର ପଟାଗୁଡ଼ାକ ଖୋଲିଗଲା । ନଚେତ୍‌ ଗୋଟାଏ ଗୋଟାଏ କଣ୍ଟା ଖୋଲିବାକୁ ଘଣ୍ଟାଏ ଘଣ୍ଟାଏ ବିତି ଯାଆନ୍ତା । ଦିନେ ଦୁଇଦିନ ମଧ୍ୟରେ କାଠପଟାରେ ଗୋଟାଏ ମସ୍ତବଡ଼ ଭେଳା ତିଆରି କରି ନଦୀରେ ଭସାଇ ଦିଆଗଲା । ଭୋଳାଟା ଖୁବ୍‌ ସୁନ୍ଦର ଭାବରେ ଭାସିଲା । ଗୋଟାଏ ମୋଟା ଦଉଡ଼ିଦ୍ୱାରା ଭେଳାକୁ ଗଛରେ ବାନ୍ଧିଦେଇ ତା’ ଉପରେ ପତଳାପଟା ଦେଇ ଗୋଟିଏ ସୁନ୍ଦର ପ୍ଲାଟ୍‌ଫର୍ମ ତିଆରି କରାଗଲା । ତୃତୀୟ ଦିନ ଭେଳା ଉପରକୁ ଜିନିଷପତ୍ର ବୁହାଚାଲିଲା । ଦେଖୁ ଦେଖୁ ଜାହାଜର ସବୁ ଜିନିଷ ଆସି ଭେଳାଉପରେ ଜମା ହୋଇଗଲା ।

 

କାମ ଶେଷହେବାରୁ ଗର୍ଡ଼ନ୍‍ କହିଲା, ‘‘ଆଉ ବିଳମ୍ବ କାହିଁକି, କାଲି ସକାଳୁ ସକାଳୁ ଭେଳା ଛାଡ଼ିଦେବା ।’’

 

ବ୍ରାଆଁତ୍‍ କହିଲା, ‘‘ନା, ନା, କାଲିଗଲେ ଭଲ ହେବ ନାହିଁ । ପରଦିନ ଯିବା ।’’

 

କାହିଁକି, ପ’ରଦିନ କାହିଁକି ?

 

‘‘ପରଦିନ ଅମାବାସ୍ୟା । ଅମାବାସ୍ୟା ଓ ପୂର୍ଣ୍ଣିମା ଦିନ ସମୁଦ୍ରରେ ବଡ଼ ଜୁଆର ଉଠେ । ଜୁଆର ପାଣି ନଦୀ ଭିତରକୁ ବି ଠେଲିବ । ସେଦିନ ଜୁଆରରେ ଭେଳା ବାହିବା ସହଜ ହେବ । କାଲିଗଲେ କାତ ବା ଆହୁଲା ମାରିବାକୁ ପଡ଼ିବ, ଏତେବଡ଼ ଭେଳାନେଇ ଆମେ ହଇରାଣରେ ପଡ଼ିବା, ଏତେ କାତ ମାରିବା ବଡ଼ କଷ୍ଟ ହେବ ।’’

 

ଏଣେ ଶୀତଦିନ ମାଡ଼ି ଆସୁଥାଏ । ତା’ପରଦିନ ସକାଳେ ଦେଖାଗଲା ନଦୀ ଉପରେ ଛୋଟ ଛୋଟ ବରଫ ଭାସୁଛି । ଏ ଗୋଟାଏ ନୂଆ ବିପଦ । ଶୀତ ପଡ଼ିବା ସଙ୍ଗେ ସଙ୍ଗେ ନଦୀ ପାଣି ବରଫ ପାଲଟିବା ଆରମ୍ଭ ହେଲାଣି । ସମ୍ଭବତଃ ଏ ସପ୍ତାହକ ମଧ୍ୟରେ ନଦୀ ସମୁଦ୍ର ସବୁ ବରଫ ପାଲଟିଯିବ । କିଏ ଜାଣେ, ଏ ଦ୍ୱୀପଟା କୁମେରୁ ମହାସାଗର ଭିତରେ ବି ଥାଇପାରେ । ପିଲାମାନେ ଜୁଆରର ପ୍ରତୀକ୍ଷାରେ ଉଚ୍ଛନ୍ନ ହୋଇ ଚାହିଁରହିଲେ ।

 

ଅମାବାସ୍ୟ ଦିନ ସକାଳୁ ବ୍ରାଆଁତ୍‍ ପ୍ରସ୍ତାବ ଦେଲା, ‘‘ଜାହାଜର ଭଙ୍ଗା ମାସ୍ତୁଲଟାରେ ଜାହାଜର ପତାକା ଉଡ଼ାଇ ଦେଇ ସମୁଦ୍ର କୂଳରେ ଉଡ଼ାଇ ଦେବା ।’’

 

‘‘କାହିଁକି, ଆମେ କ’ଣ ଏଠାରେ ଆଉ ରହିବା ?’’

 

‘‘ନା ଆମେ ରହିବା ଗୁହାରେ, ଏଠାରୁ ସାତ ଆଠ ମାଇଲ ଦୂରରେ । ଫଳତଃ ଏହି ଉପକୂଳ ଦେଇ ଯେଉଁ ଜାହାଜ ଯିବ ଆମେ ତାକୁ ଦେଖିପାରିବା ନାହିଁ ବା ଆମେ କୌଣସି ଜାହାଜ ବିଷୟରେ ଜାଣିପାରିବୁ ନାହିଁ । ଏଠାରେ ପତକାଟିଏ ଉଡ଼ିଲେ ତାହା କୌଣସି ଜାହାଜ ଆଖିରେ ପଡ଼ନ୍ତା, ଆମ ଉଦ୍ଧାରର ପଥ ଟିକିଏ ନିର୍ମଳ ହୁଅନ୍ତା, ବ୍ରାଆଁତ୍‍ କହିଲା ।

 

ତେଣୁ ଜାହାଜର ବଡ଼ ପତାକାଟି ବାନ୍ଧି ମାସ୍ତୁଲଟାକୁ ସମୁଦ୍ର କୂଳରେ ପୋତି ଦିଆଗଲା-। ପତାକାଟି ସମୁଦ୍ର ପବନରେ ଫରଫର ହୋଇ ଉଡ଼ିବାକୁ ଲାଗିଲା । ପିଲାମାନେ ଆଶା ଓ ଆଶଙ୍କାରେ ପତାକା ଆଡ଼କୁ କିଛିସମୟ ଚାହିଁରହିଲେ । ଏହି ପତାକା ଦିନେ ସେମାନଙ୍କୁ ଉଦ୍ଧାର କରିପାରେ । କିନ୍ତୁ କେବେ ? ସେ ଏକ ବିରାଟ ପ୍ରଶ୍ନ । କିଛିସମୟ ପରେ ପିଲାମାନେ ଗୋଟି ଗୋଟି ହୋଇ ଭେଳା ପାଖକୁ ଚାଲି ଆସିଲେ ।

 

ବେଳେ ସେତେବେଳକୁ ସାତଟା କି ଆଠଟା । କିନ୍ତୁ କାହିଁ ଜୁଆରତ ଆସୁନାହିଁ । ଆଜି କ’ଣ ଅମାବାସ୍ୟା ନୁହେଁକି ? ନା ଆଜିତ ନିଶ୍ଚୟ ଅମାବାସ୍ୟା । ପିଲାଙ୍କ ଭିତରେ ଯୁକ୍ତିତର୍କ ବାକ୍‌ବିତଣ୍ଡା ଆରମ୍ଭ ହୋଇଗଲା । ହଠାତ୍ ଦିନ ନ’ଟାବେଳକୁ ଭେଳାର କାଠଗୁଡ଼ାକ ଭିତରେ ଖସ୍‌ଖାସ କଳକାଳ ଶବ୍ଦ ଶୁଭିଲା ।

 

‘‘ଆରେ ଭାଇ ହେଇଟି ଜୁଆର ଆସିଲା ।’’ କହି ସମସ୍ତେ ଧାଇଁଗଲେ ଭେଳା ଉପରକୁ-। ପିଲାମାନଙ୍କର ଆନନ୍ଦ ଦେଖେ କିଏ । କିଏସେ ଯାଇ ଜିନିଷପତ୍ର ଉପରେ ବସିଲାଣିତ, କିଏସେ ଯାଇ ଆଗରେ ଡେଇଁଲାଣି । କିଏ ପୁଣି ଶିଶିରୀ ମାରି ଗୀତ ଆରମ୍ଭ କରିଦେଲାଣି । ଭେଳା ଉପରେ ଗୋଟାଏ ରୀତିମତ ହଲ୍ଲା ଉଠିଲା ।

 

ବ୍ରାଆଁତ୍‍ ସମସ୍ତଙ୍କୁ ସାବଧାନ କରାଇଦେଇ କହିଲା, ‘‘ଏମିତି ଡିଆଁ ଡେଇଁ କରୁଛ କାହିଁକି-? ଚୁପ୍‌ ହୋଇ ବସ । ସାବଧାନରେ ନ ବସିଲେ ଭେଳା ବୁଡ଼ିଯାଇପାରେ ।’’ ସମସ୍ତେ ଚୁପ୍‌ ହୋଇଗଲେ । ତା’ପରେ ବ୍ରାଆଁତ୍‍ ଯାଇ ଗଛରେ ବନ୍ଧା ହୋଇଥିବା ଦଉଡ଼ିଟା ଫିଟାଇ ଦେଇ ଭେଳା ଉପରକୁ ଡେଇଁପଡ଼ିଲା । ପରମୁହୂର୍ତ୍ତରେ ଭେଳା ଚାଲିବାକୁ ଆରମ୍ଭ କଲା ।

 

ଭେଳା ଯେପରି କୂଳରେ ବାଜି ଧକ୍‌କା ନଖାଏ ତାହା ଦେଖିବା ପାଇଁ ଭେଳାର ଚାରିକଣରେ ଚାରିଜଣ ବଡ଼ବଡ଼ ପିଲା କାତଧରି ଠିଆ ହୋଇଥାନ୍ତି । ଜୁଆର ଧକ୍‌କାରେ ଭେଳା ଧୀରେ ଧୀରେ ଆଗେଇ ଚାଲିଲା ଏକ ନୂତନ ଅଭିଯାନ ପଥରେ । ଦିନରାତି ଧରି ଭେଳା ଚାଲିଥାଏ । ତାରି ଉପରେ ଖିଆପିଆ, ତାରି ଉପରେ ଶୁଆବସା । ଶେଷକୁ ମେ’ମାସ ଆଠ ତାରିଖ ଦିନ ଉପରେବେଳା ତିଳିଟାବେଳକୁ ଭେଳା ଯାଇ ଫରାସୀ ଗୁହା ପାଖରେ ପହଞ୍ଚିଲା । ପିଲାମାନେ ଫକ୍‌ଫାକ୍‌ ହୋଇ କୂଳକୁ ଡେଇଁପଡ଼ିଲେ ।

 

ଏ ନିର୍ଜନ ଦ୍ୱୀପ ମଧ୍ୟରେ ପଥହରା କିଶୋର ଛାତ୍ରମାନଙ୍କପାଇଁ ଭଗବାନ ବୋଧହୁଏ ଗୋଟିଏ ନୂଆଘର ତିଆରି କରି ରଖିଥିଲେ । ମନରେ ନୂତନ ଉତ୍ସାହ ଓ ନବୀନ ଆନନ୍ଦ ଧରି କୋଳାହଳ କରି କରି ପିଲାମାନେ ଯାଇ ଫରାସୀ ଗୁହା ଭିତରେ ପଶିଗଲେ । ମୋକୋ ଗୋଟାଏ ଦୀପ ନେଇଥାଏ । ଗୁହାଭିତରେ ଦୀପ ଲଗାଇ ଦିଆଗଲା । ଦୀପ ଆଲୁଅରେ ଗୁହା ଭିତରଟା ଝଲସି ଉଠିଲା ।

 

ଚାରିଆଡ଼େ ଆଖି ବୁଲାଇ ଆଣି ବକ୍‌ସ୍‍ଟାର କହିଲା, ‘‘ହଇରେ, ଏ ଗୋଟାଏ ଘର ଭିତରେ ଆମେ ଏତେଗୁଡ଼ାଏ ଲୋକ କିପରି ରହିବା ? ପନ୍ଦରଟା ଶେଯ ପଡ଼ିଲେତ ପାଦ ପକାଇବାକୁ ବି ସ୍ଥାନ ରହିବ ନାହିଁ । ନିଶ୍ୱାସ ବନ୍ଦହୋଇ ମରିଯିବାଟି !’’

 

‘‘କିନ୍ତୁ ଏହା ଅପେକ୍ଷା ଭଲ ଘରଟାଏ ମିଳିଲେ ତ ! ଭଲ ଘର ମିଳିଲେ ଆମେ ସେଠିକି ଚାଲିଯିବା ।’’ –ବ୍ରାଆଁତ୍‍ କହିଲା !

 

ମୋକୋ କହିଲା, ‘‘ଏତକ ଘର ଆମର ଯଥେଷ୍ଟ ହେ ! ପାଖରେ ନଦୀ, ପାଣିର ଅଭାବ ନାହିଁ । ଭିତରେ ମଣିଷ ରହିବେ । ବାହାର ଦୁଆର ପାଖରେ ରୋଷେଇ କରୁଥିବା । ଘର ଭିତରେ ଧୂଆଁ ହେବ ନାହିଁ କି ଅସୁବିଧା ହେବ ନାହିଁ ।’’

 

ଡୋନ୍‌ଗାନ୍‌ କହିଲା, ‘‘ଠିକ୍‌ କଥା । ଭିତରେ ଧୂଆଁ ହେଲେ ମଣିଷ ଆଉ ବଞ୍ଚିରହି ପାରିବ ନାହିଁ ।’’

 

ବ୍ରାଆଁତ୍‍ କହିଲା, ‘‘ଆମରତ ଏତେଗୁଡ଼ାଏ ଷ୍ଟୋଭ୍‌ ଅଛି । କିରାସିନି ମଧ୍ୟ ଅଛି । ଆମେ ଘର ଭିତରେ ଷ୍ଟୋଭରେ ରାନ୍ଧିବା । ବାହାରର ସଂସର୍ଗ ରଖିବା ଉଚିତ ହେବ ନାହିଁ ।’’

 

‘‘ଭାଇ ଷ୍ଟୋଭ୍‌ ରୋଷଇ ଖାଇଲେ ମୋ ମୁଣ୍ଡ ବଥେଇବ ।’’ –ଡୋନ୍‌ଗାନ୍‌ କହିଲା ।

 

ସଙ୍ଗେ ସଙ୍ଗେ ସର୍ଭିସ୍‌ କହିଲା, ‘‘ମୁଣ୍ଡ ବଥାଇଲେ ଷ୍ମେଲିଂସଲଟ୍‌ ଅଛି ।’’

 

‘‘ହେଁ, ତୁତ ଗୋଟାଏ ଡାକ୍ତର ।’’

 

ଚାହୁଁ ଚାହୁଁ ଗୋଟିଏ ଛୋଟ ଧରଣର କଳି ଆରମ୍ଭ ହୋଇଗଲା ।

 

କୌଣସି ମତେ କଳି ତୁଟିବା ପରେ ଠିକ୍‌ ହେଲା ଯେ ଗୁହାର ଚାରିକାନ୍ଥ ଖୋଳି ପରୀକ୍ଷା କରି ଦେଖାଯିବ, ସେ ଭିତରେ ଆଉ ଗୋଟିଏ କୋଠରୀ ତିଆରି କରାଯାଇ ପାରିବ କି ନାହିଁ । ଅନ୍ୟ ଗୋଟିଏ କୋଠରୀ ଠିକ୍‌ ହେଲେ ସେ ଭିତରେ ରୋଷେଇବାସ ହେବ । ଆଗକୁ ଯେଉଁ ଲମ୍ବା ଶୀତଋତୁ ଆସୁଛି, ସେତିକିବେଳେ କୋଠରୀ ଖୋଳା କାର୍ଯ୍ୟ ଆରମ୍ଭ ହେବ ।

 

ବ୍ରାଆଁତ୍‍ କହିଲା, ‘‘ଆସ, ଏଥର ଭେଳା ଉପରୁ ଜିନିଷପତ୍ରଗୁଡ଼ାକ ବୋହି ଆଣିବା । ବୃଥା ଗପ ପଫ କରି ଲାଭ କ’ଣ ? ଏବେ ତିନି ଚାରିଦିନ ପର୍ଯ୍ୟନ୍ତ କେବଳ ଏହି କାମ ଲାଗିବ ।’’

 

ମୋକୋ ଓ ସର୍ଭିସ୍‌ ମିଶି ରୋଷେଇର ବ୍ୟବସ୍ଥା କଲେ । ଅନ୍ୟମାନେ ଜିନିଷ ବୋହିବାରେ ଲାଗିଲେ । ପାଖ ଜଙ୍ଗଲରେ କାଠ ଓ ଶୁଖିଲା ପତ୍ରର ଅଭାବ ନଥାଏ । ରାତିରେ ଧୂନି ଲଗାଇ ସମସ୍ତେ ନିଆଁ ପୋଇଁଲେ । ଚାରିପାଞ୍ଚ ଦିନ ଯାଏ ପିଲାମାନେ ଅନ୍ୟ ସବୁଚିନ୍ତା ଛାଡ଼ି କେବଳ ଭେଳାରୁ ଜିନିଷପତ୍ର ବୋହି ଆଣିବାରେ ବ୍ୟସ୍ତ ରହିଲେ; କିନ୍ତୁ ପର୍ବତ ପ୍ରମାଣ ଜିନିଷ, ଗୁହା ଭିତରେ ରହୁଛି କେତେକେ !

 

ଗୁହାର ଚଟାଣ ଉପରେ ଜାହାଜର ପଟାଗୁଡ଼ାକ ବିଛାଇ ଦେଇ ତା’ ଉପରେ ଗୋଟିଏ ଧାଡ଼ିରେ ଲଗାଲଗି କରି ପନ୍ଦରଟି ବିଛଣା ସଜାଇ ଦିଆଗଲା । ଘର ମଝିରେ ଜାହାଜର ବଡ଼ ଟେବୁଲଟା ପକାଇ ଦିଆଗଲା । ତାରି ଉପରେ ଖିଆପିଆ ହେଲା । ଅଧିକାଂଶ ଜିନିଷପତ୍ର କାନ୍ଥ କରରେ ସଜାହୋଇ ରଖାଗଲା । ଗୋଟାଏ କୋଣରେ ନିଆଁ କୁଣ୍ଡଟାଏ ତିଆରି କରାଗଲା, ରାତିରେ ଗୁହାଟାକୁ ଉଷୁମ ରଖିବାପାଇଁ ନିଆଁ କୁଣ୍ଡଟା ଖୁବ୍ କାମ ଦେଲା ।

 

ଦେଖୁ ଦେଖୁ କିଛିଦିନ ବିତି ଗଲା । ପିଲାମାନେ ଗୁହା ଜୀବନରେ ଅଭ୍ୟସ୍ତ ହୋଇଗଲେ । ଅଧିକାଂଶ ଦିନ ଡୋନ୍‍ଗାନ୍‍, କ୍ରସ, ଓଏବ୍‌, ଉଇଲ୍‍କକ୍‍ସ ଓ ବକ୍‍ସଟାର ମିଶି ଶିକାର କରିବାକୁ ଯାଆନ୍ତି । ଖୁବ୍ ଭଲ ଶିକାର କରନ୍ତି ସେମାନେ । ପ୍ରାୟ ସବୁଦିନେ ବିଭିନ୍ନ ପ୍ରକାର ଚଢ଼େଇ ମାରି ଆଣନ୍ତି । ଦିନେ ଦିନେ ବଣ କୁକୁଡ଼ା ଓ ବାଲି ହଂସପରି ଭଲ ଚଢ଼େଇ ବି ମିଳେ ।

 

ଦିନକର କଥା । ଶିକାର ପାଇଁ ସେମାନେ ଟିକିଏ ବେଶି ଦୂରକୁ ଚାଲିଗଲେ । ସାଥିରେ ଫ୍ୟାନ୍‌ ବି ଯାଇଥାଏ । ସେ ଅଞ୍ଚଳଟାରେ ଖାଲି ବର୍ଚ୍ଚ ଓ ବୀଚ୍‌ ଗଛର ଜଙ୍ଗଲ । ଜଙ୍ଗଲ ଭିତରେ ଦେଖାଗଲା ସ୍ଥାନେ ସ୍ଥାନେ ଗୋଟାଏ ଗୋଟାଏ ବଡ଼ ବଡ଼ ଗାତ ହୋଇଛି । ଗାତଗୁଡ଼ାକ ଉପରେ ଡାଳପତ୍ର ଘୋଡ଼ିଆ ହୋଇଛି । ବୁଝିବାକୁ ଆଉ ବାକି ରହିଲା ନାହିଁ ଯେ ବଣର ଜୀବଜନ୍ତୁଙ୍କୁ ଧରିବା ପାଇଁ ସେଗୁଡ଼ାକ ଗୋଟିଏ ଗୋଟିଏ ଫାନ୍ଦ । କିଏସେ ଯେ ଏ ଫାନ୍ଦ ବସାଇଥିଲା ତାହା ବୁଝିହେଲା ନାହିଁ ।

 

ଫ୍ରାଁସୋଆଁ ବଦୋଆଁଙ୍କର କାର୍ଯ୍ୟ ହୋଇଥାଇପାରେ । ଖୁବ୍‌ ଗଭୀର ଗାତ । ତା’ ଭିତରେ ଯଦି କୌଣସି ବଣଜନ୍ତୁ ପଡ଼େ ତେବେ ଖସିବାର ଆଉ ଉପାୟ ନାହିଁ । ଗୋଟାଏ ଗାତ ଭିତରେ ଦେଖାଗଲା ଗୁଡ଼ାଏ ହାଡ଼ ଗଦା ହୋଇଛି । କୌଣସି ଏକ ବଣଜନ୍ତୁର ହାଡ଼ ବୋଲି ମନେହେଲା । କେଉଁ ଜନ୍ତୁର ହାଡ଼ ହୋଇପାରେ, ତାହା ଜାଣିବା ପାଇଁ ପିଲାମାନେ ହାଡ଼ ପରୀକ୍ଷା କରିବାକୁ ବସିଗଲେ ।

 

ଉଇଲ୍‍କକ୍‍ସ ଗାତ ଭିତରକୁ ଡେଇଁପଡ଼ି ଦି’ଚାରିଟା ହାଡ଼ ଟେକି ଆଣିଲା । ଦେଖାଗଲା ହାଡ଼ଗୁଡ଼ାକ ପ୍ରାୟ ଖତରା ହୋଇଗଲାଣି । ସମ୍ଭବତଃ ଜନ୍ତୁଟା ଫାନ୍ଦରେ ମରି ପଡ଼ିବାର ବହୁତ ବର୍ଷ ହୋଇଗଲାଣି ।

 

ଡୋନ୍‌ଗାନ୍ କହିଲା, ‘‘ଦେଖୁଛଟି, ଜନ୍ତୁର ମୁଣ୍ଡର ହାଡ଼ଗୁଡ଼ାକ କେତେ ବଡ଼ବଡ଼ ହୋଇଛି । ଦାନ୍ତଗୁଡ଼ାକ ବି ଖୁବ୍‌ ବଡ଼ବଡ଼ । ନିଶ୍ଚୟ ଗୋଟାଏ ଟାଣୁଆ ଜନ୍ତୁ ହୋଇଥିବ ।’’

 

‘‘କ’ଣ ଭାବୁଛୁ ମାଂସାମୀ ଜନ୍ତୁ ହୋଇଥିବ ?’’

 

‘‘ନିଶ୍ଚୟ । ମାଂସାସୀ ନହେଲେ ଦାନ୍ତଗୁଡ଼ିକ ଏପରି ମୁନିଆ ଓ ବଙ୍କା ହେବନି । ଦେଖୁନା ବାଘ ଦାନ୍ତପରି ହୋଇଛି । ଚିତାବାଘ ହୋଇଥାଇପାରେ, କିଏ କହିବ’’–ଡୋନ୍‍ଗାନ୍‍ କହିଲା ।

 

‘‘ତା’ହେଲେ ତ ବଡ଼ ବିପଦର କଥା । ଏ ପାଖଆଖରେ ହିଂସ୍ରଜନ୍ତୁ ରହୁ......’’ ବକ୍‌ସ୍‍ଟାର ଭୟ ପ୍ରକାଶ କଲା ।

 

‘‘ଥାଉମ ହିଂସ୍ରଜନ୍ତୁ ! ହିଂସ୍ରଜନ୍ତୁକୁ ଡରି କ’ଣ ଶିକାର ଛାଡ଼ି ଦେବା ?’’ ଡୋନ୍‌ଗାନ୍‌ କହିଲା ।

 

ଏତିକିବେଳେ ଫ୍ୟାନ୍‌ ଜଙ୍ଗଲ ଆଡ଼କୁ ଚାହିଁ ଭୁକି ଉଠିଲା–ଓଏବ୍‌ କହିଲା, ‘‘ଦେଖୁଛଟି ଭାଇ । ଫ୍ୟାନ୍‌ ବୋଧହୁଏ ହିଂସ୍ରଜନ୍ତୁର ଗନ୍ଧ ପାଇଲାଣି । ଏଠାରେ ଅଧିକ ସମୟ ରହିବା ନିରାପଦ ନୁହେଁ ।’’

 

ସମସ୍ତେ ସତର୍କତା ସହିତ ସେଠାରୁ ଚାଲି ଆସିଲେ, କିନ୍ତୁ ଆସିବା ବେଳେ ଉଇଲ୍‍କକ୍‌ସ ଗାତ ଉପରେ ଗୁଢ଼ାଏ ଡାଳପତ୍ର ଘୋଡ଼ାଇ ଦେଇ ଆସିଲା ।

 

ତା’ପରେ ମଝି ମଝିରେ ସେମାନେ ସେହି ଜଙ୍ଗଲଆଡ଼େ ଶିକାର ପାଇଁ ଯା’ନ୍ତି । ଉଇଲ୍‌କକ୍‌ସ ଯାଇ ଗାତ ଉପରର ଡାଳପତ୍ର ଆଡ଼େଇ ତା’ ଭିତରେ କୌଣସି ଜନ୍ତୁ ପଡ଼ିଛକି ନାହିଁ ଦେଖି ନିଏ; କିନ୍ତୁ କୌଣସି ଥର କୌଣସି ଜନ୍ତୁ ପଡ଼ିଥିବା ଦେଖାଯାଏନା । ଶେଷରେ ଦିନେ ଉଇଲ୍‌କକ୍‌ସ ଡାଳପତ୍ର ଉପରେ ଖଣ୍ଡେ ମାଂସ ଥୋଇଦେଇ ଆସିଲା ।

 

ତା’ପରଦିନର କଥା । ଡୋନ୍‌ଗାନ୍‌ର ଶିକାରୀ ଦଳ ଉକ୍ତ ଜଙ୍ଗଲକୁ ଯାଇ ଦେଖିଲେ ଯେ ଗାତ ଭିତରେ କ’ଣ ଗୋଟାଏ ଫଡ଼୍‌ଫାଡ଼୍ ହେଉଛି । ଗାତ ପାଖରେ ପହଞ୍ଚିବା ମାତ୍ରେ ଫ୍ୟାନ୍‌ର ରୂପ ଦେଖେ କିଏ । ଭୁକି ଭୁକି ଜଙ୍ଗଲ କମ୍ପାଇ ଦେଲା । ପିଲାମାନେ ଗାତ ଚାରିପାଖରେ ବସି ଭିତରକୁ ଚାହିଁ ପାଟି କରିବାକୁ ଲାଗିଲେ । କିନ୍ତୁ କେହି ହେଲେ ଡାଳପତ୍ର ଘୁଞ୍ଚାଇବାକୁ ସାହାସ କରିପାରିଲେ ନାହିଁ ।

 

ଏତିକିବେଳେ ବ୍ରାଆଁତ୍‍ ଆସି ସେଠାରେ ପହଞ୍ଚିଗଲା । ପାଖ ଆଖରେ ଅନ୍ୟ କୌଣସି ପର୍ବତ ଗୁହା ଅଛିକି ନା ଦେଖିବା ପାଇଁ ସେ ଅନ୍ୟ କେତେକ ପିଲା ସେ ଆଡ଼କୁ ଆସିଥିଲେ । ପିଲାମାନଙ୍କର ପାଟିତୁଣ୍ଡ ଶୁଣି ସେମାନେ ଗାତ ପାଖକୁ ଦୌଡ଼ି ଆସିଲେ । ବ୍ରାଆଁତ୍‍ ଦେଖିଲା ଯେ ଗାତ ଭିତରେ ନିଶ୍ଚୟ ଗୋଟାଏ ଜନ୍ତୁ ପଡ଼ିଛି । ଡାଳପତ୍ରକୁ ଟିକିଏ ଘୁଞ୍ଚାଇ ଦେଇ ଗାତ ଭିତରକୁ ଚାହିଁ ଦିଏତ ଭିତରେ ପଡ଼ିଛି ଗୋଟାଏ ମସ୍ତବଡ଼ ଚଢ଼େଇ ।

 

ସେ ହସି ହସି କହିଲା, ‘‘ନୁହେଁ ବାଘ, ନୁହେଁ ଭାଲୁ । ଗୋଟାଏ ଏମୁ ଚଢ଼େଇ ।’’

 

ଏମୁ ଚଢ଼େଇ ଦେଖିବା ପାଇଁ ପିଲାଙ୍କର କି କୌତୂହଳ ! ଉଇଲ୍‌କକ୍‌ସର ନାଚ ଦେଖେ କିଏ । କହିଲା, ‘‘ଦେଖିଲ ଏତେ ଦିନକେ ଧରାପଡ଼ିଛି ଗୁଣମଣି । ଅଠାକାଠି ପିଞ୍ଜରାରେ ପଡ଼ିଛୁ ଧରା ! ଆଉ ଖସି ଯିବୁ ? ଭାଇ ଏ ଚଢ଼େଇଟା ପୋଷିଲେ ଖୁବ୍ ମଜାହେବ । ପୋଷା ଯଦି ନମାନେ, ତେବେ ତରକାରୀତ ହେବ । ହେଁ ।’’

 

ଡାଳପତ୍ର ସବୁ ଭଲ କରି ଘୁଞ୍ଚାଇ ନିଆଗଲା । ଦେଖାଗଲା ଖୁବ୍‌ ବଡ଼ ଚଢ଼େଇଟାଏ ପଡ଼ିଛି । ମସ୍ତବଡ଼ ଦେହ, ତହିଁକୁ ଚାହିଁ ଡେଣା । କୁକୁଡ଼ାର ମୁଣ୍ଡ ଭଳିଆ ମୁଣ୍ଡ । ଦେହ ଗୋଟିକ ଯାକ ଧଳା ପର । ଠିକ୍‌ ଏମୁ ଚଢ଼େଇତ ! ଆଫ୍ରିକା ଦେଶର ଓଟପକ୍ଷୀ ଯେପରି ପ୍ରସିଦ୍ଧ, ଅଷ୍ଟ୍ରେଲିଆ ଓ କୁମେରୁ ପାଖାପାଖି ଅଞ୍ଚଳରେ ଏମୁ ସେପରି ପ୍ରସିଦ୍ଧ । ଏସବୁ ଅଞ୍ଚଳରେ ନାନା ଜାତିର ଏମୁ ଅଛନ୍ତି । ଦକ୍ଷିଣ ଆମେରିକାରେ ଗୋଟାଏ ପ୍ରକାର ଏମୁକୁ କହନ୍ତି ନାନଚି । ଏଇଟା ସେହି ନାନଚି ଜାତିର ଚଢ଼େଇ ।

 

ବ୍ରାଆଁତ୍‍ କହିଲା, ‘‘ଏ ଚଢ଼େଇକୁ ଖୁବ୍‌ ସାବଧାନରେ ଧରିବାକୁ ପଡ଼ିବ । ଦେଖଛନା ତା’ ଥଣ୍ଟ । ଥରେ ଖୁମ୍ପିଲେ ପୁଳେ ମାଂସ ନେଇଯିବ । ସାବଧାନ ।’’

 

ପ୍ରକୃତର ଏତେବଡ଼ ଚଢ଼େଇଟାକୁ ଜିଅନ୍ତା କିପରି ଧରାଯିବ । ଚଢ଼େଇଟା ଡେଣା ମେଲାଇବାକୁ ଚେଷ୍ଟା କରୁଛି । କିନ୍ତୁ ଗାତ ଭିତରେ ପଡ଼ିଯାଇଥିବାରୁ ବିଚରା ପାରୁନାହିଁ । ‘ବିଳମ୍ବେ ନାହିଁ ପ୍ରୟୋଜନ, ମୁଁ ଗାତ ଭିତରକୁ ଡେଉଁଛି’ କହି ଉଇଲ୍‌କକ୍‌ସ ଗାତ ଭିତରକୁ ଡେଇଁପଡ଼ିଲା । ଚଢ଼େଇଟା ତାକୁ ଖୁମ୍ପିବାପାଇଁ ଚେଷ୍ଟା କରୁଥାଏ । କିନ୍ତୁ ଗାତଟା ଛୋଟିଆ ହୋଇଥିବାରୁ ପାରୁନଥାଏ । ଉଇଲ୍‍କକ୍‌ସ କାଳବିଳମ୍ବ ନକରି ନିଜ ଦେହର କୋଟ୍‍ ବାହାର କରି ପକାଇଲା ଏବଂ ସଙ୍ଗେ ସଙ୍ଗେ ଚଢ଼େଇର ମୁଣ୍ଡଟାକୁ କୋଟରେ ଘୋଡ଼ାଇ ମାଡ଼ିବସିଲା । ଚଢ଼େଇଟା ଛାଟିପିଟି ହେଉଥାଏ । କିନ୍ତୁ ଉଇଲ୍‌କକ୍‌ସ ତା’ ଗୋଡ଼ ଦୁଇଟାକୁ ଧରି ରୁମାଲରେ ବାନ୍ଧି ପକାଇଲା-। ବେକଟାକୁ ବି ବାନ୍ଧିଦେଲା । ଏଥର ଚଢ଼େଇ ବିଚରା ଯାଏ କୁଆଡ଼େ ! ଏଥରତ ସେ ବିଚରା ଅନ୍ଧ ଓ ଛୋଟା ଉଭୟ !!

 

ସର୍ଭିସ୍‌ କହିଲା, ‘‘ମୁଁ ଏ ଚଢ଼େଇଟାକୁ ପୋଷା ମନେଇବି ।’’

 

‘‘ଧେତ୍‌ ! ବଣର ଏମୁ ଚଢ଼େଇ କାଳେ ୟାର ପୋଷା ମାନିବ !!’’

 

‘‘କାହିଁକି ନ ମାନିବ ?’’ –ସର୍ଭିସ୍‌ କହିଲା ‘ସୁଇସ୍‌ ଫ୍ୟାମିଲି ରବିନ୍‌ସନ୍‌’–ବହିରେ ପଢ଼ିନା ? ସେମାନେ ଓଟପକ୍ଷୀ ପୋଷିନଥିଲେ ? ଖାଲି ପୋଷିବି କଣରେ, ୟା’ ପିଠିରେ ଘୋଡ଼ା ଚଢ଼ିବି !!

 

‘‘ହାଁ, ତୁତ ରବିନ୍‌ସନ୍‌ ହୋଇଯିବୁ ! –ଆରେ, ପୋଥି ବାଇଗଣ ଓ ବାରି ବାଇଗଣ ଭିତରେ ବହୁତ ଫରକ ଅଛି !’’ –କିଏ ଗୋଟାଏ କହିଲା ।

 

ଯାହାହେଉ ଶେଷକୁ ଚଢ଼େଇଟାକୁ ଦଉଡ଼ିରେ ବାନ୍ଧି ଗୁହା ଭିତରକୁ ଅଣାଗଲା । ଗୁହାର ଗୋଟାଏ କୋଣରେ ତାକୁ ବାନ୍ଧିଦିଆଗଲା । କଥାହେଲା, ଚଢ଼େଇଟା ପୋଷା ମାନିବାପରେ ତା’ ପିଠିରେ ସମସ୍ତେ ଚଢ଼ିବେ ।

Image

 

ଉପନିବେଶ

 

ଗୁହାରେ ଆସି ରହିବାର ପନ୍ଦର ଦିନ ପରେ ଦ୍ୱୀପରେ ଭୟଙ୍କର ତୁଷାର ଝଡ଼ ଆରମ୍ଭ ହୋଇଗଲା । କୁମେରୁ ଅଞ୍ଚଳରେ ଶୀତଦିନ ଆରମ୍ଭ ହୋଇଗଲା । ବାହାରକୁ ବାହାରିବାର ଉପାୟ ନାହିଁ । ଏ ଭିତରେ ପିଲାମାନେ ଜାହାଜରୁ ଗୋଟିଏ ମଜଭୁତ୍‌ ଦରଜା ବାହାରକରିଆଣି ଗୁହା ମୁହଁରେ ଲଗାଇ ଦେଉଥାନ୍ତି । ସେହି ପାଖରେ ଦୁଇଟି ଛୋଟ ଛୋଟ ଝରକା ବି ଖୋଳି ଦିଆ ଯାଇଥାଏ । ଫଳତ, କବାଟ ବନ୍ଦକରିଦେଲେ ଗୁହା ଭିତରେ ନିରାପଦରେ ରହିହୁଏ । ଛୋଟ ଝରକା ବାଟଦେଇ ଆଲୋକ ଓ ପବନ ଯାଆସ କରେ ।

ଅନ୍ୟ କୌଣସି କାମନାହିଁ ଦେଖି, ସମସ୍ତେ ମିଶି ଠିକ୍‌ କଲେ; ଗୁହାର କାନ୍ଥ ଖୋଳି ଅନ୍ୟ ଗୋଟିଏ ଛୋଟ ବଖରା ବାହାରକରିବେ । ଉପର ମୁଣ୍ଡର କାନ୍ଥଟା ଚୂନପଥରରେ ତିଆରି । ସେହି କାନ୍ଥଟା ଖୋଳିବା ସହଜ । ଖୋଳୁ ଖୋଳୁ ସେପାଖକୁ ଗୋଟାଏ ରାସ୍ତାବି ଫୁଟି ଯାଇପାରେ-। କିନ୍ତୁ ସାବଧାନରେ ଖୋଳିବାକୁ ପଡ଼ିବ । ନଚେତ୍‌, ଯଦି କାନ୍ଥ ଭୁଷୁଡ଼ିବ ନା, ତେବେ ସର୍ବନାଶ ।

ସେମାନଙ୍କ ପାଖରେ ତ କୋଡ଼ି ବା ଶାବଳର ଅଭାବ ନଥିଲା । ତେଣୁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭହୋଇଗଲା । ଖୁବ୍‌ କଅଁଳ ପଥର । ଦୁଇ ଚାରିଜଣ ମିଶି ଏକ ସମୟରେ କାମକଲେ ବି ଚଳନ୍ତା । କିନ୍ତୁ ସ୍ଥାନ କମ୍‍ । ତେଣୁ ପିଲାମାନେ ପାଳିକରି କାନ୍ଥ ଖୋଳିବାକୁ ଲାଗିଲେ; ପାଳିକାରି ପଥର ବୋହିନେଇ ବାହାରେ ଫୋପାଡ଼ିଲେ । ତିନିଟା ଦିନ ଭିତରେ ପ୍ରାୟ ପାଞ୍ଚ ଛ’ ହାତ ଗଭୀର ସୁଡ଼ଙ୍ଗ ତିଆରି ହୋଇଗଲା ।

ସେଦିନ ଉପରବେଳା କଥା । ସେତେବେଳେ ବ୍ରାଆଁତ୍‍ର ପାଳି ଥାଏ । ସେ ପଥର କାଟି ଚାଲିଛି, ଏପରି ସମୟରେ ହଠାତ୍‌ ଶୁଣିବାକୁ ପାଇଲା, ପଥରଭିତରେ କ’ଣ ଗୋଟାଏ ଶବ୍ଦ ହେଉଛି । ପଥର ଭିତରେ ଏ ଗୋଟାଏ କି ଶବ୍ଦ ? ବ୍ରାଆଁତ୍‍ ପଥର ପାଖରେ କାନ ଡେରି ଶୁଣିଲା–ହଁତ କିଏସେ ଜଣେ ଧୀରେ ଧୀରେ କାନ୍ଦୁଚି ।

ସଙ୍ଗେ ସଙ୍ଗେ ସେ ଦୌଡ଼ିଯାଇ ଅନ୍ୟମାନଙ୍କୁ ଏ ସମ୍ବାଦ ଦେଇଦେଲା । ପିଲାମାନେ ଭୀତତ୍ରସ୍ତ ହୋଇଗଲେ । ଶେଷକୁ ଗର୍ଡ଼ନ୍‍ କହିଲା, ‘‘ନା, ନା ଆଉ କେଉଁଠି ଶବ୍ଦ ହେଉଛି । ପଥର ଭିତରେ ଫେରେ କାନ୍ଦିବ କିଏ ! ଦେଖିବା ମୁଁ ଶୁଣେ !’’

ଗର୍ଡ଼ନ୍‍ ସୁଡ଼ଙ୍ଗ ଭିତରେ ପଶି କାନଡେରି ଶୁଣିଲା । ସତେ ତ ! ବ୍ରାଆଁତ୍‍ କଥା ଠିକ୍‌ କିଏସେ ଜଣେ କାନ୍ଦୁଛି । ଡୋନ୍‌ଗାନ୍‌ କହିଲା । ତୁମେ ଗୁଡ଼ାକ ମାଇଚିଆ ! ଦେଖିବା କିଏସେ କାନ୍ଦୁଛି ?’’

ସେ ବନ୍ଧୁକନେଇ ସୁଡ଼ଙ୍ଗ ଭିତରକୁ ସିଂହ ପରି ପଶିଗଲା । କିନ୍ତୁ ପାଞ୍ଚମିନିଟ୍‌ ପରେ ଫେରିଆସିଲା ଠେକୁଆ ପରି ଭୀତତ୍ରସ୍ତ ମୁଖରେ । ସେଦିନ ଆଉ କେହି କାମ କଲେନାହିଁ । ସମସ୍ତଙ୍କ ମୁହଁ ଚୁପ୍‍ । ପାଟିତୁଣ୍ଡ ନକରି ସମସ୍ତେ ଖାଇ ପକାଇଲେ । ଖିଆପିଆ ପରେ ସେହି ଶବ୍ଦ ଶୁଣିବା ପାଇଁ ଜଣ ଜଣ ହୋଇ ସମସ୍ତେ ପୁନର୍ବାର ସୁଡ଼ଙ୍ଗ ଭିତରେ ପଶିଲେ । କିନ୍ତୁ ଆଶ୍ଚର୍ଯ୍ୟ କଥା, ଆଉ କୌଣସି ଶବ୍ଦ ଶୁଭିଲା ନାହିଁ ।

ସେ ଶବ୍ଦ ଶୁଣିବା ପାଇଁ ପିଲାମାନେ ରାତି ନଅଟା ପର୍ଯ୍ୟନ୍ତ ଅପେକ୍ଷା କଲେ । କିନ୍ତୁ ନା ସେ ଶବ୍ଦ ଆଉ ଶୁଭିଲା ନାହିଁ । ଶେଷକୁ ସମସ୍ତେ ଯେ ଯାହା ଶେଯରେ ଶୋଇପଡ଼ିଲେ । ସମସ୍ତେ ଶୋଇଚନ୍ତି । ହଠାତ୍‌ କ’ଣହେଲା କେଜାଣି ଫ୍ୟାନ୍‌ ଜୋରରେ ଭୁକି ଉଠିଲା । ସେଥିରେ ସମସ୍ତଙ୍କ ନିଦ ଭାଙ୍ଗିଗଲା ! ଫ୍ୟାନ୍ ଭୁକି ଭୁକି ସେହି ସୁଡ଼ଙ୍ଗ ଭିତରକୁ ପଶି ଯାଉଥାଏ ଓ ପୁଣି ବାହାରି ଆସୁଥାଏ । ଶୁଣାଗଲା ସୁଡ଼ଙ୍ଗ ଭିତରୁ ପୂର୍ବରୁ ସେହି ଶବ୍ଦଟା ପୁନର୍ବାର ଖୁବ୍‌ ଜୋରରେ ଶୁଭୁଛି । ପଥର ଭିତରୁ କିଏସେ ଜଣେ ରୁକ୍ଷ ଗଳାରେ ଗର୍ଜି ଉଠୁଥାଏ । କିନ୍ତୁ ମନେହେଉଥାଏ ଶବ୍ଦଟା ଖୁବ୍‌ ଦୂରରୁ ଆସୁଛି । ପିଲାମାନଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲା ।

 

କିଏସେ କହିଲା, ‘‘ଏଇଟା ନିଶ୍ଚୟ ଭୂତ ପ୍ରେତଙ୍କ କାଣ୍ଡ ।’’

 

କିଏସେ କହିଲା, ‘‘ଦୂରରୁ ଝରଣାର ଶବ୍ଦ ଶୁଭୁଛି ।’’

 

ଆଉ କିଏ କହିଲା, ‘‘ମୁଁ ଭାବୁଛି ପଥର ଫାଙ୍କ ଦେଇ ଦଲକାଏ ଦଲକାଏ ପବନ ପଶି ଆସୁଥିବ । ତେଣୁ ଏପରି ଶବ୍ଦ ହେଉଛ ।’’

 

ଏହିପରି ନାନା ଆଶଙ୍କା ଭିତରେ ରାତି ପାହିଲା । ସକାଳେ ସମସ୍ତେ ସୁଡ଼ଙ୍ଗ ଖୋଳିବା କାମ ବନ୍ଦକରି ଗୁହାରୁ ବାହାରିପଡ଼ିଲେ । ଗୁହା ଉପରର ପାହାଡ଼ରେ ବୁଲି ବୁଲି କେଉଁଠି କୌଣସି ଫାଟ ବା ଗାତ ଅଛି କି ନା ଦେଖିବାକୁ ଲାଗିଲେ । କିନ୍ତୁ ସେପରି କୌଣସି ବିକ୍ଷୟ ଦେଖିବାକୁ ମଳିଲା ନାହିଁ । ଉପରବେଳା ପୁଣି ସୁଡ଼ଙ୍ଗ ଖୋଳା କାର୍ଯ୍ୟ ଆରମ୍ଭ ହେଲା । ସେତେବେଳକୁ ବକ୍‌ସଟାର୍‍ର ପାଳିଥାଏ । କିଛିସମୟ ପରେ ସେ ଅନୁଭବ କଲା ସୁଡ଼ଙ୍ଗର କାନ୍ଥ ଭିତରେ କେଉଁଠି ଗୋଟାଏ ଫମ୍ପା ସ୍ଥାନ ଅଛି । ଶାବଳ ବାଜିଲେ କାନ୍ଥରୁ ବିଚିତ୍ର ପ୍ରତିଧ୍ୱନି ବାହାରୁଛି । ସେ ଭାବିଲା, କାନ୍ଥ ଆରପଟେ ନିଶ୍ଚେ ଗାଟାଏ ପ୍ରକାଣ୍ଡ ଗୁହା ଅଛି ନା କ’ଣ ?

 

ସେଦିନ ଦୁଇଟାବେଳେ ଦେଖାଗଲା ଗୁହା ଭିତରେ ଫ୍ୟାନ୍‌ ନାହିଁ । କୁକୁରଟା ଗଲା କୁଆଡ଼େ ! ସେ ତ ଏକୁଟିଆ ହୋଇ ବାହାରକୁ ଯାଏନା । ଦେଖ, ଦେଖ, ଆଉ କିଏସେ ବାହାରକୁ ଯାଇଛି । ନା, ସମସ୍ତ ତ ଅଛନ୍ତି ! ତାହାହେଲେ ? ପିଲାମାନେ ଗୁହା ବାହାରକୁ ଯାଇ ଫ୍ୟାନ୍‌ର ନାଁ ଧରି ବହୁତ ଡାକିଲେ । କିନ୍ତୁ ଫ୍ୟାନ୍‌ର କୌଣସି ସନ୍ଧାନ ମିଳିଲା ନାହିଁ । ଆଶ୍ଚର୍ଯ୍ୟ କଥା, କୁକରଟା ଏତେ ଲୋକଙ୍କ ଆଖି ଆଗରୁ କେଉଁ ଆଡ଼େ ଉଭେଇ ଗଲା ! ଦେଖୁ ଦେଖୁ ରାତି ହୋଇଗଲା, ତଥାପି ଫ୍ୟାନ୍‌ ଫେରିଲା ନାହିଁ । ଶେଷକୁ ପିଲାମାନେ ଦି’ଦିଟା ଖାଇଦେଇ ଶୋଇପଡ଼ିଲେ ।

 

ସେତେବେଳକୁ ରାତି ଦୁଇଟା । ହଠାତ୍‌ କାହାର ଗୋଟାଏ ଆର୍ତ୍ତନାଦରେ ସମସ୍ତଙ୍କର ନିଦ ଭାଙ୍ଗିଗଲା । ସମସ୍ତେ ଶୁଣିବାକୁ ପାଇଲେ ଗୁହାର ଖୁବ୍‍ ନିକଟରେ କିଏସେ ଜଣେ ରହି ରହି କରୁଣ ଚିତ୍କାର କରୁଛି । କିନ୍ତୁ ମଣିଷ ନା ପଶୁ, କିଏସେ ଚିତ୍କାର କରୁଛି ତାହା ଭଲରୂପେ ବାରି ହେଉନଥାଏ ।

 

ବ୍ରାଆଁତ୍‍ କହିଲା, ‘‘ମନେହେଉଛି, ଆମର ଏ ଗୁହା ନିକଟରେ ସମ୍ଭବତଃ ଆମର ସେହି ସୁଡ଼ଙ୍ଗ ଆରପାଖରେ ନିଶ୍ଚୟ ଗୋଟାଏ ଗୁହା ରହିଛି । ହଁ, ତାରି ଭିତରୁ ଏ ଶବ୍ଦଟା ଆସୁଛି । ମୁଁ ଭାବୁଛି....’’

 

କହୁ କହୁ ସେ ସୁଡ଼ଙ୍ଗ ଭିତରକୁ ଧାଇଁଗଲା । ଛୋଟ ଛୋଟ ପିଲାଗୁଡ଼ାକ ଭୟରେ ମୁହଁ ଘୋଡ଼ାଇ ଶୋଇପଡ଼ିଲେ । ବ୍ରାଆଁତ୍‍ ଫେରିଆସି କହିଲା, ‘‘ମୁଁ ଯାହା କହୁଛି, ନିଶ୍ଚୟ ତାହାହିଁ ହୋଇଥିବ । ଆରପାଖର ଗୁହା ଭିତରକୁ କିଛି ବଣଜନ୍ତୁ ଆସି ଏ ରଡ଼ି ଛାଡ଼ୁଛି ।’’

 

ସକାଳୁ ପୁଣି ସୁଡ଼ଙ୍ଗ ଖୋଳା ଚାଲିଲା । ଆରପାଖରେ ଯଦି ପ୍ରକୃତରେ ଆଉ ଗୋଟାଏ ଗୁହାଥାଏ ଏବଂ ତା’ ଭିତରେ ଯଦି କୌଣସି ବଣଜନ୍ତୁ ଥାଏ ତେବେ କାନ୍ଥ ଫୁଟିବା ମାତ୍ରେ ସେ ଜନ୍ତୁଟା ଫରାସୀ ଗୁହା ଭିତରକୁ ମାଡ଼ି ଆସିବ । ଏହି ଭୟରେ ଡୋନ୍‌ଗାନ୍‌, କ୍ରସ୍‌, ଓଏବ୍‌ ଓ ଉଇଲ୍‌କକ୍‌ସ ଚାରୋଟି ବନ୍ଧୁକ ଧରି ସୁଡ଼ଙ୍ଗ ପାଖରେ ଠିଆହେଲେ । ବ୍ରାଆଁତ୍‍ କାନ୍ଥ ଖୋଳିଲା ।

 

ହଠାତ୍‌ ବ୍ରାଆଁତ୍‍ର ଚିତ୍କାରରେ ସମସ୍ତେ ଚମକି ଉଠିଲେ । ସେ ପଥର ଖୋଳୁ ଖୋଳୁ ତା’ ଶାବଳ ମାଡ଼ରେ କାନ୍ଥର ବଡ଼ ଖଣ୍ଡେ ଅଂଶ କଣା ହୋଇଗଲା, ହାତର ଶାବଳଟା ଆରପାଖକୁ ଖସିଗଲା । ଦେଖାଗଲା କାନ୍ଥ ଆରପାଖରେ ଗୋଟାଏ ମସ୍ତବଡ଼ ଅନ୍ଧାରିଆ ଗୁହା ରହିଛି ।

 

ବ୍ରାଆଁତ୍‍ର ଚିତ୍କାର ସଙ୍ଗେ ସଙ୍ଗେ କ’ଣ ଗୋଟାଏ ଜନ୍ତୁ ଆରପାଖ ଗୁହା ଭିତରୁ ସୁଡ଼ଙ୍ଗ ଭିତରକୁ ଡେଇଁପଡ଼ିଲା ଓ ଗୁହା ଭିତରକୁ ତୀର ବେଗରେ ଧାଇଁଆସିଲା । ପିଲାମାନେ ଚିତ୍କାର କରୁକରୁ ଅକସ୍ମାତ୍‌ ଅଟକି ଗଲେ । ଜନ୍ତୁଟା ଆଉ କିଛି ନୁହେଁ,–ସେମାନଙ୍କର ଆଦରର କୁକୁର ଫ୍ୟାନ୍ । ଫ୍ୟାନ୍ ଧାଇଁଯାଇ ପ୍ରଥମେ ପେଟପୂରା ପାଣି ପିଇ ପକାଇଲା । ତା’ପରେ ଲାଞ୍ଜ ହଲାଇ ହଲାଇ ଆସି ପିଲାମାନଙ୍କର ଗୋଡ଼ରେ ଘଷିହେଲା ।

 

ପିଲାମାନେ କାଳବିଳମ୍ବ ନକରି ଗୋଟାଏ ଦୀପ ଧରି ନୂଆ ଗୁହାଟିକୁ ଦେଖିବାପାଇଁ ତା’ ଭିତରେ ପଶିଗଲେ । ଖୁବ୍‌ ବଡ଼ ଗୁହା, ଫରାସୀ ଗୁହାର ଦୁଇଗୁଣ ହେବ । ଦେଖାଗଲା ଦୀପଟା ଗୁହା ଭିତରେ ଭଲଭାବରେ ଜଳିଲା, ତେଣୁ ସେ ଭିତରକୁ ଯେ ପବନ ଯା ଆସ କରୁଛି ସେଥିରେ କୌଣସି ସନ୍ଦେହ ରହିଲା ନାହିଁ । ନିଶ୍ଚୟ ବାହାରକୁ ବାହାରିବା ପାଇଁ ରାସ୍ତା ଅଛି; ନଚେତ୍‌ ଭିତରକୁ ଫ୍ୟାନ୍‌ କିପରି ପଶିପାରିଲା ? କିନ୍ତୁ କାହିଁ ସେ ରାସ୍ତା ? ପିଲାମାନେ ଆଲୁଅ ନେଇ ଗୁହାର ଚାରିଆଡ଼େ ବୁଲି ବୁଲି ଦେଖିବାକୁ ଲାଗିଲେ ।

 

ହଠାତ୍ ଉଇଲ୍‌କକ୍‌ସ କ’ଣ ଗୋଟାଏ ଜିନିଷ ଉପରେ ଝୁଣ୍ଟି ପଡ଼ିଲା । ହାତମାରି ଦେଖିଲା ଯେ କ’ଣ ଜନ୍ତୁ ମରିପଡ଼ିଛି । ହାତକୁ ଥଣ୍ଡା ଲାଗୁଚି । ସଙ୍ଗେସଙ୍ଗେ ବ୍ରାଆଁତ୍‍ ଆଲୁଅ ନେଇ ସେଠାରେ ପହଞ୍ଚିଲା । ଦେଖାଗଲା ଗୋଟାଏ ମସ୍ତବଡ଼ ଶିଆଳ ମରିପଡ଼ିଛି । ‘‘ଇଏ ଆମ ଫ୍ୟାନ୍‌ ଛଡ଼ା ଆଉ କାହାକାମ ନୁହେଁ ।’’

 

ବ୍ରାଆଁତ୍‍ କହିଲା, ‘‘ଫ୍ୟାନ୍‌ ଶିଆଳକୁ ମାରିଛି ! ଏଇଟା ଏ ଭିତରେ ଏତେଦିନ ଧରି ଏପରି ଶବ୍ଦ କରୁଥିଲା ।’’

 

ଗର୍ଡ଼ନ୍‍ କହିଲା, ‘‘ଠିକ୍‌ କଥା । କିନ୍ତୁ ରାସ୍ତା କାହିଁ ? କେଉଁ ବାଟଦେଇ ସେମାନେ ଏ ଘର ଭିତରେ ପଶିଲେ ?’’

 

ଗୁହା ଭିତରେ ଖୋଜି ଖୋଜି ରାସ୍ତା ମିଳିଲା ନାହିଁ । ଶେଷକୁ ପାହାଡ଼ ଉପରେ ବୁଲି ବୁଲି ବହୁ ସମୟ ଖୋଜାଖୋଜି କରିବାପରେ ଦେଖାଗଲା ଯେ ଗୋଟାଏ ଘଞ୍ଚି ବୁଦା ଭିତରେ ଦେଇ ଗୁହା ମଧ୍ୟକୁ ଗୋଟିଏ ଛୋଟ ରାସ୍ତା ଅଛି । ରାସ୍ତାଟି ହ୍ରଦର ପାଖାପାଖି ।

 

ସେହିଦିନଠାରୁ ଦ୍ୱିତୀୟ ଗୁହାଟିର ନାମ ରହିଲା ହଲ୍‌ ଘର । ହ୍ରଦ ଆଡ଼କୁ ମୁହଁ କରିଥିବା ରାସ୍ତା ପାଖଟା ସଫା କରି ସେଠାରେ ଗୋଟିଏ ଦରଜା ବସାଇ ଦିଆଗଲା । ତା’ ପାଖରେ ଦୁଇଟି ଛୋଟ ଝରକା ତିଆରି କରି ଦିଆଗଲା । ପିଲାମାନେ ହଲ୍‌ଘରେ ଶୁଆବସା କଲେ-। ଦୁଇ ଗୁହାକୁ ଯୋଗ କରୁଥିବା ସୁଡ଼ଙ୍ଗ ଦୁଇପାର୍ଶ୍ୱରେ ଦୁଇଟି ଛୋଟ ଚୋରୀକୋଠରୀ ଖୋଳାଯାଇ ତା’ ମଧ୍ୟରେ ଅସ୍ତ୍ରଶସ୍ତ୍ର, ଗୁଳି ବାରୁଦ ସବୁ ରଖିଦିଆଗଲା ।

 

ଏଥର ଆଉ ଚଳିବାର କୌଣସି ଅସୁବିଧା ହେଲାନାହିଁ । ଦିନେ ସନ୍ଧ୍ୟାବେଳେ ସମସ୍ତେ ମିଶି ଗପ କରୁଛନ୍ତି, ଏ ସମୟରେ ଗର୍ଡ଼ନ୍‌ ଗୋଟାଏ ପ୍ରସ୍ତାବ ଦେଲା । ‘‘ଆମେମାନେ ଏ ଦ୍ୱୀପରେ କେତେଦିନ ଯେ ରହିବା ତା’ର କିଛ ଠିକ୍‌ ଠିକଣା ନାହିଁ । ଦ୍ୱୀପର ବିଭିନ୍ନ ଅଂଶକୁ ଗୋଟାଏ ଗୋଟାଏ ନାମ ଦେଲେ ଭଲ ହୁଅନ୍ତା ।’’

 

ସମସ୍ତେ ଏଥିରେ ରାଜି ହେଲେ । ସମସ୍ତେ ମନେକଲେ ଯେ ସେମାନେ ପ୍ରତ୍ୟେକ ଜଣେ ଜଣେ ରବିନସନ୍‌ କ୍ରୁଶୋ ।

 

ଯେଉଁଠାରେ ପ୍ରଥମେ ସେମାନଙ୍କର ଜାହାଜ ଲାଗିଥିଲା ତାହାକୁ ଜାହାଜର ନାମ ଅନୁଯାୟୀ ସ୍କୁନାର୍‍ ଉପସାଗର ନାମ ଦିଆଗଲା । ନଦୀର ନାମ ହେଲା–ଜିଲାଣ୍ଡ ନଦୀ–ନ୍ୟୁଜିଲାଣ୍ଡ ଶବ୍ଦ ସହିତ ତାହାର ସମ୍ପର୍କ ରହିଲା । ହ୍ରଦର ନାମ ହେଲା ପରିବାର ହ୍ରଦ । ପାହାଡ଼ର ନାମ ହେଲା ଆକଲାଣ୍ଡ ପାହାଡ଼ । ଏପରି ଭାବରେ ବନ, ଜଙ୍ଗଲ, କୂଳ, ଉପକୂଳ ପ୍ରଭୃତିକୁ ନାମ ଦିଆଚାଲିଲା । ଶେଷରେ ବ୍ରାଆଁତ୍‍ କହିଲା, ‘‘ଆମେ ଏ ଦ୍ୱୀପଟାକୁ କି ନାମଦେବା ?’’

 

ବକ୍‍ସଟାର କହିଲା, ‘‘ଆମ ସ୍କୁଲର ନାମ ଅନୁଯାୟୀ ଏ ଦ୍ୱୀପର ନାମ ଚାର୍‌ମାନ ଦ୍ୱୀପ ରହୁ ।’’

 

ଏପରି ସୁନ୍ଦର ପ୍ରସ୍ତାବରେ ସମସ୍ତେ ଆନନ୍ଦରେ ନାଚି ଉଠିଲେ । ବକ୍‌ସ୍‍ଟାର ଗର୍ବରେ ଫୁଲ ଉଠିଲା । ସେଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ବ୍ରାଆଁତ୍‍ର ପ୍ରସ୍ତାବ ଅନୁଯାୟୀ ଠିକ୍‌ ହେଲା ଯେ ପିଲାମାନଙ୍କ ମଧ୍ୟରୁ ଜଣକୁ ଦଳପତିକରି ବଛାଯିବ, ସମସ୍ତେ ତାରି କଥାରେ ଚାଲିବେ-

 

ଡୋନ୍‌ଗାନ୍ ଭାବିଲା, ବ୍ରାଆଁତ୍‍ ନିଜେ ଦଳପତି ହେବାପାଇଁ ଏପରି ଏକ ପ୍ରସ୍ତାବ ଆଣିଛି, ତେଣୁ ସେ କହିଲା, ‘‘ଦଳପତି ରହିଲେ ମୋର ଆପତ୍ତି ନାହିଁ । କିନ୍ତୁ ପ୍ରତିବର୍ଷ ନୂଆ ଦଳପତି ବଛା ନ ଗଲେ ମୁଁ ଏ ପ୍ରସ୍ତାବରେ ରାଜିହେବି ନାହିଁ ।’’

 

ସେହିଦିନ ରାତିରେ ସର୍ବସମ୍ମତିକ୍ରମେ ଗର୍ଡ଼ନ୍‍ ଏକବର୍ଷ ପାଇଁ ଦଳପତି ନିର୍ବାଚିତ ହେଲା-। ଏହି ନୂତନ ବ୍ୟବସ୍ଥାରେ ଖୁସି ହୋଇ ପିଲାମାନେ ଗୋଟିଏ ଭୋଜିର ଆୟୋଜନ କଲେ-। ଗର୍ଡ଼ନ୍‍ର ସୁଶାସନରେ ଶୀତଦିନଟା ଖୁବ୍‌ ଆନନ୍ଦରେ କଟିଗଲା । କିନ୍ତୁ ଶୀତଦିନ ସିନା କଟିଲା, ନିର୍ଜନ ଦ୍ୱୀପରୁ ଉଦ୍ଧାର ମିଳୁଛି କେତେକେ !!

Image

 

ଅଜ୍ଞାତ ଦ୍ୱୀପର ପଶୁପକ୍ଷୀ

 

ଏମୁ ପକ୍ଷୀଟିକୁ ଆଣି ପୋଷିବା ଦିନୁ ସର୍ଭିସ୍‌ର ମନଥାଏ ଦିନେ ତା’ ଉପରେ ଚଢ଼ିବ । ସେଥିପାଇଁ ପକ୍ଷୀଟାକୁ ସେ ବହୁତ ସାଉଁଳାସାଉଁଳି କରୁଥାଏ । ଦିନେ ସେ ଗର୍ଡ଼ନ୍‍କୁ କହିଲା, ‘‘ଗର୍ଡ଼ନ୍‍ ଭାଇ, ପକ୍ଷୀଟା ପୋଷାମାନି ଗଲାଣି । ମୁଁ ଆଜି ତା’ ଉପରେ ଚଢ଼ିବି ।’’ ଗର୍ଡ଼ନ୍ ଦଳପତି ହୋଇଥିବାରୁ ପ୍ରଥମେ ଏ ପ୍ରସ୍ତାବରେ ରାଜି ହେଲା ନାହିଁ । କିନ୍ତୁ ମଜା ଦେଖିବା ପାଇଁ ତା’ର ବି ମନ ଥାଏ । ଶେଷକୁ ସେ କୌଣସି ଆପତ୍ତି କଲାନାହିଁ, ଠିକ୍‌ ହେଲା ସେହିଦିନ ଉପରବେଳା ସର୍ଭିସ୍ ଏମୁପକ୍ଷୀ ଚଢ଼ିବ ।

 

ସର୍ଭିସ୍‌ ସକାଳ ଗୋଟାକ ଲାଗି ଲାଗି ପକ୍ଷୀର ମୁହଁଟାକୁ ଗୋଟାଏ ଢାଙ୍କୁଣି ଦେଇ ବାନ୍ଧିପକାଇଲା । ବିଚରା ପକ୍ଷୀଟାକୁ ଆଉକିଛି ଦେଖାଗଲା ନାହିଁ, ସେ ଅସହାୟ ହୋଇପଡ଼ିଲା । ଏଥର ସର୍ଭିସ୍‌ ପକ୍ଷୀ ବେକରେ ଗୋଟାଏ ଲଗାମ ବାନ୍ଧିପକାଇଲା । ଉପରବେଳା ପକ୍ଷୀଟାକୁ ଗୁହାଭିତରୁ ଅଣାଯାଇ ବାହାରେ ରଖାଗଲା । ତା’ ଗୋଡ଼ରେ ଗୋଟାଏ ଲମ୍ବା ଦଉଡ଼ି ବନ୍ଧା ହୋଇଥାଏ । ପିଭଲାମାନେ ହୋ ହୋ ହୋଇ ଚାରିପାଖରେ ନାଚ କରୁଥାନ୍ତି । ଏମୁପକ୍ଷୀର ପିଠିରେ ଚଢ଼ିଲେ କେତେ ମଜା ନ ହେବ !

 

ଶେଷକୁ ଦୁଇଜଣ ପିଲା ପକ୍ଷୀଟାକୁ ଚିପି ଧରିଲେ ଓ ସର୍ଭିସ୍‌ ତା’ ପିଠି ଉପରେ ଯାଇ ବସିଲା । ସେ ଠିକ୍ ଠାକ୍‌ ହୋଇ ହାତକେ ଲଗାମ୍ ହାତକେ ଛାଟ ଧରି ବସିପଡ଼ିବା ପରେ ପକ୍ଷୀ ଗୋଡ଼ରେ ଯେଉଁ ଦଉଡ଼ିଟା ବନ୍ଧାହୋଇଥିଲା ସେ ଦଉଡ଼ିଟାକୁ ଫିଟାଇ ଦଆଗଲା, ପିଲା ଦୁଇଜଣ ପକ୍ଷୀଟାକୁ ଜୋରରେ ଧରିଥାନ୍ତି, କଥା ହୋଇଥାଏ, ସର୍ଭିସ୍, ଯେତେବେଳେ କହିବ ଛାଡ଼ିଦିଅ, ସେତେବେଳେ ସେମାନେ ଛାଡ଼ିଦେବେ । କିନ୍ତୁ ପକ୍ଷୀ ପିଠିରେ ବସିଯିବା ପରେ ସର୍ଭିସ୍‍ର ମୁହଁଟା କାଇଁକି ଫିକା ପଡ଼ିଗଲା । ତାକୁ ଗୋଟାଏ ଅଜଣାଭୟ ମାଡ଼ିବସିଲା । ଆଗରେ ମସ୍ତବଡ଼ ଜଙ୍ଗଲ, ଯଦି ପକ୍ଷୀଟା ତାକୁ ଧରି ଜଙ୍ଗଲ ଭିତରେ କେଉଁଆଡ଼େ ନେଇ ଚାଲିଯିବ ତେବେ ଆଉକଣ ତା’ ପ୍ରାଣ ରହିବ ! ତେଣୁ ‘ଛାଡ଼ିଦିଅ’ ବୋଲି କଥା ପଦକ ଆଉ ତା’ ପାଟିରୁ ବାହାରିଲା ନାହିଁ ।

 

କିନ୍ତୁ ଅନ୍ୟପିଲାମାନେ ଏଣେ ଉଦ୍‌ବିଗ୍ନ ହୋଇପଡ଼ିଲେ । କିଏ କହିଲା, ‘‘ଆଉ ଡେରି କାହିଁକି ? ଏଥର ଛାଡ଼ି ଦିଅରେ ।’’ କିଏ କହିଲା; ‘କିରେ, ଡର ଲାଗୁଛି କିରେ ? ମାଇଆଟେ !’ ଆଉ କିଏ କହିଲା, ‘ଦେ, ତୁ ଚଲା, ନ ହେଲେ, ମୁଁ ଚଲେଇବି ।’ ହଠାତ୍‌ ସର୍ଭିସ୍‍ ପାଟରୁ ବାହାରିଲା, ‘ଦିଅ, ଛାଡ଼ିଦିଅ ।’

 

କିନ୍ତୁ ଆଶ୍ଚର୍ଯ୍ୟ କଥା, ପକ୍ଷୀଟା ଉଁ କି ଚୁଁ କଲାନାହିଁ । ନାନା କଳ୍ପନା କଳ୍ପନା ଆରମ୍ଭ ହୋଇଗଲା । ପକ୍ଷୀଟାକୁ ପଛରୁ କେତେଜଣ ଠେଲିଲେ । କିନ୍ତୁ ନା, ପକ୍ଷୀଟା ଘୁଞ୍ଚିବାକୁ ନାରାଜ । କଥା କ’ଣ ? ଶେଷକୁ ସମସ୍ତେ ଭାବିଲେ ତା’ ମୁହଁର ଢାଙ୍କୁଣିଟାକୁ କାଢ଼ିଦେଲେ ସେ ନିଶ୍ଚୟ ଦଉଡ଼ିବ । ସର୍ଭିସ୍‌ ତା’ ହାତର ଛାଟରେ ଢାଙ୍କୁଣିଟାକୁ କାଢ଼ିଦେଲା । ସତକୁ ସତ ଢାଙ୍କୁଣିଟା ଖୋଲିଯିବାମାତ୍ରେ ପକ୍ଷୀଟା ଦି’ଡେଣା ମେଲାଇ ତୀରପରି ଉଡ଼ିଲା ‘ଗଲା ଗଲା’ ବୋଲି ରଡ଼ିଛାଡ଼ି ପିଲାମାନେ ତା’ ପଛରେ ଦଉଡ଼ିଲେ । ସର୍ଭିସ୍‌ ଲଗାମଟାକୁ ପ୍ରାଣପଣେ ଟାଣି ଧରିଥାଏ । ପକ୍ଷୀଟା ଏତେ ଜୋରରେ ଦଉଡ଼ିଲା ଯେ ଚାହୁଁ ଚାହୁଁ ସର୍ଭିସ୍‌କୁ ନେଇ ସେ କ୍ରମଶଃ ଅଦୃଶ୍ୟ ହୋଇ ଆସିଲା-। ପଛେ ପଛେ ପିଲାମାନେ ଖୁବ୍‌ ଜୋରରେ ଦଉଡ଼ୁଥାନ୍ତି । କି ସର୍ବନାଶ ! ସର୍ଭିସ୍‌ କ’ଣ ଚିରଦିନ ପାଇଁ ଗଲା ! ହାୟରେ ଦୁର୍ଭାଗ୍ୟ ! ହଠାତ୍ ଦେଖାଗଲା ସର୍ଭିସ୍‌ ଏମୁ ପକ୍ଷୀ ପିଠିରୁ ତଳକୁ ଖସିପଡ଼ିଲା ଓ ପକ୍ଷୀଟା ଦୂର ବନଗହନରେ ଅଦୃଶ୍ୟ ହୋଇଗଲା ।

 

ପିଲାମାନେ ବହୁତ ଦଉଡ଼ି ଦଉଡ଼ି ଶେଷରେ ସର୍ଭିସ୍‌ ପାଖରେ ପହଞ୍ଚିଲେ । ତଳେ ପଡ଼ିଯାଇ ବିଚରାର ଦେହ ମୁଣ୍ଡ ଜଖମ ହୋଇଯାଇଥାଏ । ଆଉ ଉଠିବାକୁ ଶକ୍ତିନଥାଏ । ସମସ୍ତେ ମିଶି ତାକୁ ଧୀରେ ଧୀରେ ଉଠାଇଲେ । ଦେଖାଗଲା ଆଘାତ ବିଶେଷ କିଛି ନୁହେଁ । ଶେଷକୁ କୌଣସିମତେ ସେ ଠିଆହୋଇ କହିଲା, ‘‘ଏଡ଼େ ସୁନ୍ଦର ଚଢ଼େଇଟା ହାତରୁ ଖସିଗଲା ଗଲା ଚାଲିଗଲା ।’’

 

ଡୋନ୍‌ଗାନ୍‌ କହିଲା, ‘‘ଆରେ ମୂର୍ଖ, ତୋ ପ୍ରାଣଟା ଚାଲିଯାଇ ନାହିଁ, ରକ୍ଷା ହୋଇଛି, ଚଢ଼େଇ କଥା ଆଉ ମୁହଁରେ ଧର୍‌ନା । ଏମୁ ପକ୍ଷୀର କ’ଣ କମ୍‌ କରାମତି ।’’

 

ସମସ୍ତେ ହସି ହସି ଗୁହାକୁ ଫେରିଲେ ।

 

କ୍ରମଶଃ ନଭେମ୍ବର ମାସ ଆସି ଉପସ୍ଥିତ ହେଲା । ଦକ୍ଷିଣମେରୁ ଅଞ୍ଚଳରେ ନଭେମ୍ବର ମାସଟା ଗୋଟାଏ ଭଲମାସ । ଏ ସମୟରେ ଜଳବାୟୁ ବଡ଼ ସୁନ୍ଦର । ଏତିକିବେଳେ ଦ୍ୱୀପର ସମସ୍ତ ଅଂଶ ବୁଲି ଦେଖିନେଲେ ଭବିଷ୍ୟତରେ ବଡ଼ ସୁବିଧା ହେବ ଭାବି ପିଲାମାନେ ଏକ ନୂତନ ଅଭିଯାନର ଆୟୋଜନ ଆରମ୍ଭ କରିଦେଲେ । ଗର୍ଡ଼ନ୍‍, ଡୋନ୍‌ଗାନ ସର୍ଭିସ୍‌ ସମେତ ପାଞ୍ଚ, ଛ’ଜଣ ପିଲା, ବନ୍ଧୁକ, ପିସ୍ତଲ, ବୋଲୋ ଓ ଲ୍ୟାସୋ ଧରି ଅଭିଯାନ ପଥରେ ବାହାରିପଡ଼ିଲେ । ସାଥିରେ ଫ୍ରାନସୋଆଁ ବଦୋଆଁଙ୍କ ମାନଚିତ୍ରଟା ବି ନେଇଗଲେ ।

 

କିଛିଦିନ ଚାଲି ଚାଲି ସେମାନେ ଦ୍ୱୀପର ସୀମାରେ ଯାଇ ପହଞ୍ଚିଲେ । ଏ ଭିତରେ ବଣର ନାନାପ୍ରକାର ପକ୍ଷୀ ଓ ଠେକୁଆ ମାଂସହିଁ ସେମାନଙ୍କ ଖାଦ୍ୟ ହୋଇଥିଲା, କିନ୍ତୁ ସେମାନେ ନାନାପ୍ରକାର ଦୃଶ୍ୟ ଓ ନାନା ପାହାଡ଼ ପର୍ବତ ଦେଖିବାକୁ ପାଇଥିଲେ । କିଛିଦିନ ପରେ ଗର୍ଡ଼ନ୍‌ର ପ୍ରସ୍ତାବ କ୍ରମେ ସମସ୍ତେ ଗୁହାକୁ ଫେରିବାକୁ ଲାଗିଲେ ।

 

ଫେରିବା ରାସ୍ତାରେ ନାନାପ୍ରକାର ଅଦ୍ଭୁତ ଅତିକାୟ ବୃକ୍ଷ ଦେଖିବାକୁ ମିଳିଲା । ଗୋଟାଏ ସ୍ଥାନରେ କେତେଗୁଡ଼ାଏ ଚାହାଗଛ ମଧ୍ୟ ଦେଖିବାକୁ ମିଳିଲା । ସେଠାରୁ କିଛି କିଛି ଚାହାପତ୍ର ତୋଳି ସାଙ୍ଗରେ ଧରିଲେ । ଅଭିଯାନ ଶେଷକରି ଫେରିବାବେଳେ ସେମାନେ ଜଙ୍ଗଲରୁ କେତୋଟି ଭିକ୍ୟୁନା ଓ ଗୋଟିଏ ଗୁଆନାକୋ ଧରିଆଣିଥିଲେ । ଭିକ୍ୟୁନାଗୁଡ଼ିକ ଦେଖିବାକୁ ଛେଳିପରି, କିନ୍ତୁ ସେମାନଙ୍କର ଖୁରା ଖୁବ୍‌ ଲମ୍ବା, ଦେହର ଲୋମ ରେଶମ ପରି ଏବଂ ଦେହ ତୁଳନାରେ ମୁଣ୍ଡଟା ଖୁବ୍‌ ଛୋଟ । ସେଥିରେ ପୁଣି କୌଣସି ଶିଙ୍ଗ ନାହିଁ । ଦୁହିଁ ଜାଣିଲେ ଏ ପଶୁଗୁଡ଼ିକ ବହୁତ କ୍ଷୀର ଦିଅନ୍ତି । ଦକ୍ଷିଣ ଆମେରିକାରେ ଓ ଅଷ୍ଟ୍ରେଲିଆର ଦ୍ୱୀପମାନଙ୍କରେ ସ୍ଥାନେ ସ୍ଥାନେ ଏ ପ୍ରକାର ଜନ୍ତୁ ଦେଖାଯାନ୍ତି । ଗୁଆନୋକୋ ଦେଖିବାକୁ ଅଧା ଘୋଡ଼ା, ଅଧା ଓଟ; ଦେହର ରଙ୍ଗ ଫେରେ ହରିଣ ଚମଡ଼ା ପରି ଛିଟି ଛିଟିକା । କିନ୍ତୁ ବଡ଼ ନିରୀହ ଏ ଜନ୍ତୁଟା । ଇଏ ବି ଦକ୍ଷିଣ ଆମେରିକାରେ ଦେଖାଯାଏ । ପୋଷି ଜାଣିଲେ ଭାରବାହୀ ପଶୁପରି କାମ କରେ । ବକ୍‌ସ୍‍ଟାର, ବୋଲୋ ଏବଂ ଲ୍ୟାସୋଦ୍ୱାରା ଏସବୁ ପକ୍ଷୀ ଧରିଥିଲା । ଏସବୁ ବିଚିତ୍ର ପଶୁ ଧରି ଯେତେବେଳେ ଅଭିଯାତ୍ରୀମାନେ ଫେରିଆସିଲେ ସେତେବେଳେ ଅନ୍ୟମାନଙ୍କର ଆନନ୍ଦ ଦେଖେ କିଏ ! ସେହିଦିନଠାରୁ ଅନ୍ୟ ସମସ୍ତେ ବୋଲୋ ଓ ଲ୍ୟାସୋ ଚଳାଇବା ଶିଖିବାକୁ ଲାଗିଲେ । କିଛିଦିନ ପରେ ଧନୁଶର ଚଳାଇବା ବି ଶିକ୍ଷା ଦିଆଗଲା । ଧନୁର୍ବିଦ୍ୟାରେ ଗୁରୁ ହେଲା ଆଦିବାସୀ ବାଳକ ମୋକୋ । ଫଳତଃ ପିଲାମାନେ ବହୁତ ବନ୍ୟ ପଶୁ ଓ ପକ୍ଷୀ ଶିକାର କରି ପାରିଲେ । ଜାହାଜରେ ଗୁଡ଼ାଏ ଲୁହାର ଜାଲ ଥିଲା । ସେହିସବୁ ଜାଲ ଖଞ୍ଜି ଚଢ଼େଇ ଧରିବାପାଇଁ ଗୋଟାଏ ବଡ଼ ଫାଶ ବସାଗଲା । ନାନାଜାତିର ଚଢ଼େଇ ଆସି ଫାଶରେ ପଡ଼ନ୍ତି । ତେଣୁ ଖିଆପିଆରେ କୌଣସି ଅସୁବିଧା ରହିଲା ନାହିଁ । ଗୁଆନାକୋ ଟାଣିବା ପାଇଁ ଗୋଟିଏ ଶଗଡ଼ଗାଡ଼ି ତିଆରି ହେଲା । ସେଥିରେ ବସି ପିଲାଏ ଶିକାର ପାଇଁ ଯା’ନ୍ତି । ଧନୁଶରରେ ବା ବୋଲୋ ଲ୍ୟାସୋରେ ଯେଉଁ କାମ କରିହେବ ସେଥିପାଇଁ ବନ୍ଧୁକ ପିସ୍ତଲର କି ଆବଶ୍ୟକ । ବନ୍ଧୁକ ବାରୁଦ ଥିଲେ ଭବିଷ୍ୟତରେ ବିପଦବେଳେ କାମରେ ଆସିବ । ତେଣୁ ସେସବୁ ସାଇତି ରଖଗଲା ।

 

କିନ୍ତୁ ଥରେ ବନ୍ଧୁକ ପିସ୍ତଲ ଆବଶ୍ୟକ ହୋଇପଡ଼ିଲା । ଶୀତଦିନ ଆଗତ ପ୍ରାୟ । ଦିନେ ଦେଖାଗଲା ଗୁହାରେ ଆଉ ଜାଳେଣି ତେଲ ପ୍ରାୟ ନାହିଁ । କ’ଣ କରାଯିବ ? ବିନା ଆଲୋକରେ ଚଳିବା କିପରି ? ବହୁତ ଭାବିବା ପରେ ବ୍ରାଆଁତ୍‍ କହିଲା, ‘‘ଶିଲ୍‌ମାଛ ଦେହରେ ବହୁତ ଚର୍ବି ଥାଏ । ଆମେ ଯଦି ସମୁଦ୍ରକୁ ଯାଇ କିଛି ଶିଲ୍‌ମାଛ ମାରି ପାରନ୍ତେ, ତେବେ ଯଥେଷ୍ଟ ଚର୍ବି ମିଳନ୍ତା । ମଲା ଶିଲ୍‍ଗୁଡ଼ାକ ଏଠାକୁ ବୋହି ନଆଣି ସମୁଦ୍ରକୂଳରେ ଚର୍ବି ବାହାର କରି ଦିଅନ୍ତେ ।’’ ବ୍ରାଆଁତ୍‍ର ପ୍ରସ୍ତାବ ଅନୁଯାୟୀ ବଡ଼ବଡ଼ ପିଲାମାନେ ପ୍ରଚୁର ଗୁଳି ବନ୍ଧୁକ ଏବଂ ଚର୍ବି ରଖିବା ପାଇଁ ବଡ଼ ବଡ଼ କେତୋଟି ପିପା ନେଇ ସ୍କୁନାର୍‍ ଉପସାଗର କୂଳକୁ ଗଲେ । ସାଙ୍ଗରେ ଗୁଆନୋକୋ ଟଣା ଗାଡ଼ିଟା ବି ଯାଇଥାଏ, ମାଂସ ସିଝାଇ ଚର୍ବି ବାହାର କରିବା ପାଇଁ କେତୋଟା କରେଇ ବି ନିଆଯାଇଥାଏ ।

 

ସମୟ ସେତେବେଳକୁ ସକଳା ଦଶଟା । ଟିକିଏ ଦୂରରୁ ଦେଖାଗଲା ସ୍କୁନାର୍‍ ଉପସାଗର କୂଳରେ ଗୁଡ଼ାଏ ଶିଲ୍‌ମାଛ ଶୋଇ ଖରା ଖାଉଛନ୍ତି । ଆଉ କେତେଗୁଡିଏ ବାଲି ଉପରେ ନିର୍ଭୟରେ ଖେଳି ବୁଲୁଛନ୍ତି । ଭୟ ବା ସେମାନେ କରିବେ କାହାକୁ ? ଏ ନିର୍ଜନ ଦ୍ୱୀପରେ, ମଣିଷର ଯେଉଁଠି ମୋଟେ ଚିହ୍ନ ନାହିଁ, ଭୟ ଦେଖାଇବ କିଏସେ ? ଏଠାର ଶିଲ୍‍ମାଛମାନେ ସମ୍ଭବତଃ ଜୀବନରେ କେବେହେଲେ ମନୁଷ୍ୟ ଦେଖି ନାହାନ୍ତି । ନଚେତ୍‌ ସେମାନେ କୂଳକୁ ଆସି ଏପରି ଖେଳକୁଦ କରନ୍ତେ ନା !!

 

ପିଲାମାନେ କୌଣସି ଶବ୍ଦ ବା ପାଟିତୁଣ୍ଡ ନକରି ବନ୍ଧୁକ ସଜାଡ଼ି ଧରିଲେ । ଏବଂ ଶିଲ୍‍ଗୁଡ଼ାଙ୍କୁ ଅର୍ଦ୍ଧ ବୃତ୍ତାକାରରେ ଘେରାଉ କରିଦେଇ ସମସ୍ତେ ଏକ ସମୟରେ ଗୁଳି ଚଳାଇଦେଲେ-। ପାଞ୍ଚମିନିଟ୍‌ ମଧ୍ୟରେ କୋଡ଼ିଏ ତିରିଶଟା ଶିଲ୍‌ ମରିଗଲେ । ସେଗୁଡ଼ାକୁ ଟାଣିଆଣି ଗୋଟାଏ ସ୍ଥାନରେ ଏକତ୍ର କରାଗଲା, ଉପରବେଳା ସେମାନଙ୍କୁ କାଟି ଗୋଟାଏ ମସ୍ତବଡ଼ କରେଇରେ ପାଣିଦେଇ ମାଂସ ସିଝାଗଲା । ମାଂସଗୁଡ଼ାକ ସିଝାଇ ସେଥିରୁ ଚର୍ବି ବାହାର କରିବା ବଡ଼ କଦର୍ଯ୍ୟ କାମ । ସମସ୍ତଙ୍କ ଦେହରେ ରକ୍ତମାଂସ ଛିଟିକା ଛିଟିକା ହୋଇ ଲାଗିଯାଇଥାଏ । ବଡ଼ ଗନ୍ଧ କରୁଥାଏ ସବୁ । ତଥାପି ଚର୍ବି ବାହାର ନ କଲେ ଭବିଷ୍ୟତରେ ଆଲୁଅ ଟିକିଏ ମିଳିବ ନାହିଁ-। ମାଂସ ସିଝିଗଲେ କରେଇ ଉପରେ ଚର୍ବିର ଗୋଟାଏ ବୋଳ ପଡ଼ିଯାଏ । ସେହି ଚର୍ବିକୁ ବାହାର କରି ପିପାରେ ପୂରାଯାଉଥାଏ । ଦୁର୍ଗନ୍ଧ ସହି ନ ପାରି ପିଲାମାନେ ନାକରେ ରୁମାଲ ବାନ୍ଧି କାମ କରୁଥାନ୍ତି ।

 

ଦ୍ୱିତୀୟ ଦିନ ଡୋନ୍‌ଗାନ୍‌ କହିଲା, ‘‘ଭାଇ, ଚାଲ ଆଜି ବି କେତେଟା ଶିଲ୍‌ ମାରି ଆଣିବା-।’’ ସସସ୍ତେ ବନ୍ଧୁକ ନେଇ ସମୁଦ୍ର କୂଳକୁ ଗଲେ । କିନ୍ତୁ ଆଶ୍ଚର୍ଯ୍ୟ କଥା ଗୋଟାଏ ବି ଶିଲ୍‌ ଦେଖାନାହିଁ । ମାଛର ବି ଫେରେ ବୁଦ୍ଧି ଅଛି ତ; ଗତକାଲିର ଆକ୍ରମଣରେ ସେମାନେ ବଡ଼ ଭୟଭୀତ ହୋଇପଡ଼ିଛନ୍ତି । ତେଣୁ ସେମାନେ ଆଜି ଆଉ ପାଣିରୁ ବାହାରକୁ ଆସିନାହାନ୍ତି-। ଯାହାହେଉ, ପ୍ରଥମ ଦିନ ଯେତେଟା ଶିଲ୍‌ ମରିଥିଲେ ସେତକ ସିଝାଇ ଚର୍ବି ବାହାର କରିବାକୁ ଦୁଇଦିନ ଲାଗିଲା । ଦୁଇଦିନ ମଧ୍ୟରେ ସେମାନେ କେତେଶହ ଗ୍ୟାଲେନ୍‌ ଚର୍ବି ସଂଗ୍ରହ କରି ପକାଇଲେ । ଜାଳେଣି ତେଲର ଅଭାବ ଯେ ପଡ଼ିବ–ଏ ଭୟ ମନରୁ ଦୂରହେଲା ।

 

ବଣ ଜଙ୍ଗଲର ପଶୁପକ୍ଷୀଙ୍କ ଗହଣରେ ଦିନପରେ ଦିନ ଗଡ଼ିଗଲା । ଦେଖୁ ଦେଖୁ ଚାଲିଆସିଲା ବଡ଼ଦିନ । ଡିସେମ୍ବର ମାସ । ଦକ୍ଷିଣମେରୁ ଅଞ୍ଚଳରେ ରୀତିମତ ଗ୍ରୀଷ୍ମଋତୁ । ବଡ଼ଦିନ ଉତ୍ସବ ପାଇଁ ପିଲାମାନେ ବହୁପ୍ରକାର ଆମୋଦ ପ୍ରମୋଦର ବ୍ୟବସ୍ଥା କଲେ । ଗୁହା ମୁହଁରେ ନାନା ଜାତିର ଫୁଲ ଫଳ ଓ ରଙ୍ଗିନ ପତ୍ରର ତୋରଣମାନ ତିଆରି କରାଗଲା । ବଡ଼ଦିନର ସ୍ମରଣ କରାଇ କମାଣ ଫୁଟାଗଲା । ଦିନ ତମାମ୍‌ ଚାଲିଲା କ୍ରିକେଟ୍‌ ଖେଳ । ସନ୍ଧ୍ୟାରେ ହେଲା ଫୁଟ୍‌ବଲ୍‌ । ରାତିରେ ନାଚଗୀତ । ସେକ୍‌ସପିୟର୍‌ଙ୍କ ବିଭିନ୍ନ ନାଟକରୁ ବଛା ବଛା ଦୃଶ୍ୟମାନ ଅଭିନୟ କରାଗଲା । ଏଥିପାଇଁ ଜାହାଜର ଭଙ୍ଗା ପଟାଦେଇ ଗୋଟାଏ ମଞ୍ଚ ତିଆରି କରାଯାଇଥିଲା । ଛିଣ୍ଡା ପାଲ ବାନ୍ଧି ସିନ୍‌ ଓ ଡ୍ରପ ମଧ୍ୟ କରାଯାଇଥିଲା । ବଡ଼ ଖୁସିରେ କଟିଗଲା ବଡ଼ଦିନ ଉତ୍ସବ ।

 

ତା’ପରେ ଆସିଲା ନୂଆବର୍ଷ । ଉତ୍ସବ ପରେ ଉତ୍ସବ । ଆନନ୍ଦ ପରେ ଆନନ୍ଦ । ହସଖୁସିରେ ଖେଳକୁଦରେ ଲାଗି ରହିଥିଲେ ପିଲାଏ, ଦୁନିଆର ଆଉ ସବୁକଥା ପାସୋରି ପକାନ୍ତି-। କିନ୍ତୁ ଦୀର୍ଘ ଦଶମାସ ଧରି ଖେଳକୁଦ, ଶିକାର ଓ ବଣଭୋଜି ଚାଲିଛି । ବଡ଼ବଡ଼ ପିଲାମାନଙ୍କୁ ସେଗୁଡ଼ାକ ଆଉ ଭଲଲାଗୁନାହିଁ । ମନେପଡ଼ିଯାଉଛି ନିଜର ଦେଶକଥା, ନିଜର ବାପ ମା’ଙ୍କ ସ୍ନେହବୋଳା କଥା । ଏ ନିର୍ଜନ ନିସ୍ତବ୍‌ଧ ଦ୍ୱୀପରେ କେତେଦିନ ଏପରି କଟିବ ? ଉଦ୍ଧାରର କୌଣସି ସମ୍ଭାବନା ନାହିଁ; ଦ୍ୱୀପର ଚାରିଆଡ଼େ ସମୁଦ୍ର, ଦିଗନ୍ତ ବିସ୍ତାରି ସମୁଦ୍ର !!

 

ଏହି ସମୁଦ୍ର ବକ୍ଷରେ ସେମାନଙ୍କର ଜାହାଜଟି ଭାସି ଆସିଥିଲା । ଏ ବାଟଦେଇ କ’ଣ ଅନ୍ୟ କୌଣସି ଜାହାଜ ଯାତାୟତ କରୁନାହିଁ ? ପୃଥିବୀର ବିଭିନ୍ନ ଦେଶର ସହସ୍ର ସହସ୍ର ଜାହାଜ ସମୁଦ୍ରରେ ଭାସୁଛି, କେହି କ’ଣ ଭୁଲ ବଶତଃ ବି ଏ ବାଟରେ ଆସେନା ? ଆଃ, ଗୋଟାଏ ଜାହାଜ ଆସନ୍ତା କି ! କେତେ ଆନନ୍ଦରେ ସେମାନେ ତା’ର ସମ୍ବର୍ଦ୍ଧନା ନ କରନ୍ତେ ! କେତେ ଆନନ୍ଦରେ ସେମାନେ ତା’ ଉପରେ ଚଢ଼ି ନ ଯାଆନ୍ତେ ଫେରିଯିବା ପାଇଁ ନିଜର ଜନ୍ମଭୂମିକୁ !! କିନ୍ତୁ ନାହିଁ !!

Image

 

Unknown

ନୂତନ ଆବିଷ୍କାର

 

ପିଲାମାନେ ଗୁଡ଼ାଏ ପଶୁପକ୍ଷୀ ପାଳିଥାନ୍ତି । ସେମାନଙ୍କ ସହିତ ଛୋଟପିଲାଙ୍କର ବହୁତ ସମୟ କଟିଯାଏ । ଆଗକୁ ଯେଉଁ ଶୀତୠତୁ ମାଡ଼ି ଆସୁଛି ସେଥିରେ ଏ ପଶୁପକ୍ଷୀଙ୍କ ମଧ୍ୟରେ ଅଧିକାଂଶ ମରିଯିବେ,. ତେଣୁ ସେମାନଙ୍କୁ ଶୀତ ଦାଉରୁ ରକ୍ଷା କରିବାଲାଗି ସେମାନଙ୍କ ପାଇଁ ପିଲାମାନେ କେତୋଟି ବସାଘର ତିଆରି କରିଦେଲେ ।

 

ଦିନେ ବ୍ରାଆଁତ୍‍ ଗର୍ଡ଼ନ୍‍କୁ ଡାକି କହିଲା, ‘‘ଆଚ୍ଛା ଭାଇ, ତୁ କ’ଣ ଭାବୁଛୁ ଏ ଦ୍ୱୀପର ପୂର୍ବଦିଗରେ ଖାଲି ସମୁଦ୍ର ଅଛି ? ତା’ ମଧ୍ୟ କ’ଣ ଅତି ବଡ଼ ସମୁଦ୍ର ? ନିକଟରେ କୌଣସି ସ୍ଥଳଭାଗ ନାହିଁ ?’’

 

ମୁଁ କିନ୍ତୁ ସେଥିରେ ଏକମତ ନୁହେଁ । ମୁଁ ଭାବୁଛି ସେ ସମୁଦ୍ରଟା ଗୋଟାଏ ପ୍ରଣାଳୀ । ଏ ଦ୍ୱୀପର ଅଳ୍ପକିଛି ଦୂରରେ ନିଶ୍ଚୟ ଅନ୍ୟ କୌଣସି ସ୍ଥଳଭାଗ ଅଛି । ବ୍ରାଆଁତ୍‍ କହିଲା, ‘‘ଥାଇପାରେ, ନଥାଇ ବି ପାରେ ।’’ –ତା’ପରେ କିଛିସମୟ ଚିନ୍ତାକରି କହିଲା ‘‘ସେଥିପାଇଁ ମୁଁ କ’ଣ କହୁଛି କି, ଶୀତୠତୁ ମାଡ଼ି ଆସିବା ପୂର୍ବରୁ ଆମେ ଥରେ ହ୍ରଦ ଆରପାଖକୁ ଯାଇ ସମୁଦ୍ର କୂଳଟା ଦେଖି ନିଅନ୍ତେ ।’’

 

ବ୍ରାଆଁତ୍‍ର ପ୍ରସ୍ତାବରେ ଗର୍ଡ଼ନ୍‍ ରାଜି ହୋଇଗଲା । ଠିକ୍‌ ହେଲା, ବ୍ରାଆଁତ୍‍, ତା’ର ଭାଇ ଜ୍ୟାକ୍‍ ଓ ମୋକୋ ଗୋଟିଏ ଡଙ୍ଗା ନେଇ ହ୍ରଦ ଆରପଟକୁ ଯିବେ । ଏବଂ ଦ୍ୱୀପର ପୂର୍ବ ଉପକୂଳଟା ଭଲକରି ଦେଖି ଆସିବେ । ସାଥିରେ ଭଲ ଦୂରବୀକ୍ଷଣ ଯନ୍ତ୍ର ବି ନେଇଥିବେ । ମୋକୋକୁ ନେବାର ଉଦ୍ଦେଶ୍ୟ ହେଲା, ସେ ଭଲ ନାଆ ଚଳାଇ ଜାଣେ; ସେ ସାଥିରେ ଥିଲେ ଅସୁବିଧା ହେବ ନାହିଁ ।

 

ସେଦିନ ଫେବୃଆରୀ ଚାରିତାରିଖ । ସକାଳ ଆଠଟାବେଳେ ବ୍ରାଆଁତ୍‍ ମୋକୋ ଓ ଜ୍ୟାକ୍‌ ହ୍ରଦ୍‌ ଭିତରେ ନାଆ ଛାଡ଼ିଦେଲେ । ଦକ୍ଷିଣ ଦିଗରୁ ପବନ ଦେଉଥାଏ । ପାଲ ଟାଙ୍ଗିଦେଇ ପିଲାମାନେ ଆନନ୍ଦରେ ବସିଗଲେ । ମୋକୋ ମଙ୍ଗ ଧରିଥାଏ । ସୁନ୍ଦର ସରଳ ଗତିରେ ଚାଲିଥାଏ ଡଙ୍ଗା । ଦି’ଚାରି ଘଣ୍ଟା ମଧ୍ୟରେ ଡଙ୍ଗା ଆସି ହ୍ରଦର ମଝିରେ ହୋଇଗଲା । ହ୍ରଦ ମଝିରେ ଟିକିଏ ବଡ଼ ଧରଣର ଲହରୀ ଚାଲିଥାଏ । ଲହରୀ ଦେଖି ବ୍ରାଆଁତ୍‍ ମନେକଲା ହ୍ରଦଟା ପ୍ରକୃତରେ ହ୍ରଦ ନୁହେଁ, ଗୋଟାଏ କିଛି ବଡ଼ ନଦୀ ହୋଇଥିବ । ସମ୍ଭବତଃ ନଈ ସୁଅରେ ପଡ଼ି ଡଙ୍ଗାଟା ଆଗକୁ ଆଗକୁ ଭାସିଚାଲିଛି । ମନରେ କୌତୂହଳ ଜାତ ହେଲା; ନଦୀର କୂଳଟା କେତେ ଦୂରରେ ଅଛି ବୋଲି ଦେଖିବା ପାଇଁ ପିଲାମାନେ ଦୂରବୀକ୍ଷଣ ଯନ୍ତ୍ର ବାହାର କରି ଚାହିଁଲେ । ବହୁ ଦୂରରେ ଝାପ୍‌ସା ଝାପ୍‌ସା ହୋଇ କ’ଣ ସବୁ ଦେଖାଗଲା । ହୋଇଥାଇପାରେ, ସେଇଟା ହିଁ ନଦୀର କୂଳ ।

 

ଦିନ ପ୍ରାୟ ଚାରିଟା ବେଳକୁ ଡଙ୍ଗା ଯାଇ ପୂର୍ବ ଉପକୂଳର ପାଖାପାଖି ହେଲା । କୂଳର ଗଛପତ୍ର ସବୁ ଦେଖାଗଲା । ପୂର୍ବଦିଗର କୂଳଟା ପଶ୍ଚିମ କୂଳ ଅପେକ୍ଷା ଅଗଭୀର । ପାଣିତଳେ ନାନାପ୍ରକାର ଗଛ ଜନ୍ମିଥାଏ । ନିର୍ମଳ ଜଳ ଭିତର ଦେଇ ସେଗୁଡ଼ାକ ପରୀରାଜ୍ୟର ଗଛପତ୍ର ପରି ଦେଖାଯାଉଥାନ୍ତି । ମାଚିତ୍ରରେ ଲେଖାଥିଲା, ହ୍ରଦର ପୂର୍ବଦିଗରେ ଗୋଟିଏ ନଦୀ ବୋହିଯାଉଛି । ବ୍ରାଆଁତ୍‍ କହିଲା, ଡଙ୍ଗାଟାକୁ ଆଉ କିଛିଦୂର ଆଗେଇ ନେଲେ ଅବା ନଦୀଟା ଦେଖାଯିବ । ସତକୁ ସତ ଆଉ କିଛି ଦୂର ଆଗକୁ ଯିବାପରେ ଦେଖାଗଲା ଗୋଟିଏ ଛୋଟ ନଦୀ ହ୍ରଦରୁ ବାହାରି ପୂର୍ବଦିଗକୁ ବୋହିଯାଇଛି । ହ୍ରଦର ଜଳ ନଦୀରେ ବୋହି ଚାଲିଥିବା ଫଳରେ ହ୍ରଦରେ ଏକପ୍ରକାର ଲହରୀ ଦେଖାଯାଉଥିଲା ବୋଲି ଏତେବେଳେ ଯାଇ ପିଲାମାନେ ବୁଝିପାରିଲେ ।

 

ଢଙ୍ଗାଟାକୁ ନଦୀ ଭିତରେ ଅଳ୍ପ କିଛିଦୂର ବାହିନେଇ କୂଳରେ ଲଗାଇ ଦିଆଗଲା । ସେଠାରେ ଗୋଟାଏ ମସ୍ତବଡ଼ ଓକ୍‌ ଗଛ ଥାଏ । ଓକ୍‌ ଗଛ ବରଗଛ ଜାତିର ଗୋଟାଏ ଗଛ । ଗଛ ତଳେ ପିଲା ତିନିଜଣ ତମ୍ବୁ ପକାଇ ଆସ୍ଥାନ ଜମାଇ ଦେଲେ । କଥାହେଲା ସେଠାରେ ରାତିଟା କଟାଇ ସକାଳୁ ସକାଳୁ ନଦୀରେ ଡଙ୍ଗା ଚଳାଇ ଆଗକୁ ଚାଲିବେ । ସମୁଦ୍ର କୂଳରେ ପହଞ୍ଚିବା ପାଇଁ ନଦୀ ପଟଟା ସୁବିଧା ।

 

ସେତେବେଳକୁ ରାତ୍ରି ଆଗତ ପ୍ରାୟ । ମୋକୋ ଆଉ ବିଳମ୍ବ ନକରି ଜଙ୍ଗଲ ଭିତରକୁ ପଶିଗଲା । ଦଶ ପନ୍ଦର ମିନିଟ୍‌ ଭିତରେ ଗୁଡ଼ାଏ ଶୁଖିଲା ଡାଳପତ୍ର ଜମା କରିଦେଇ ସେଥିରେ ନିଆଁ ଲଗାଇ ଦେଲା । ନିଆଁ ଜଳିଉଠିଲେ ଆଖପାଖର ଜନ୍ତୁମାନେ ଭୟରେ ଦୂରକୁ ଚାଲଇଯିବେ; ଏଥିପାଇଁ ଜଙ୍ଗଲୀ ଲୋକେ ଜଙ୍ଗଲରେ ନିଆଁ ଜାଳନ୍ତି । ନିଆଁଟା ମନୁଷ୍ୟର ଗୋଟାଏ ବଡ଼ ଆବିଷ୍କାର । ସେହି ନିଆଁ ପାଖରେ ରାତି କଟିଗଲା ।

 

ତା’ ପଦଦିନ ସକାଳୁ ତିନିବନ୍ଧୁ ଉଠିପଡ଼ିଲେ । ନଈ ପାଣିରେ ମୁହଁହାତ ଧୋଇପକାଇ ତମ୍ବୁ ଉଠାଇ ଦେଲେ । ଜିନିଷପତ୍ର ସବୁ ଡଙ୍ଗା ଉପରକୁ ନେଇଆସିବା ପରେ ଆଉ କାଳବିଳମ୍ବ ନକରି ଡଙ୍ଗା ଛାଡ଼ି ଦେଲେ । ନଈରେ ସେତେବେଳକୁ ପ୍ରବଳ ସୁଅ । ହ୍ରଦର ଅଗାଧ ଜଳରାଶି ନଦୀପଥ ଦେଇ ଅବିଶ୍ରାନ୍ତ ଗତିରେ କଳ କଳ ହୋଇ ସମୁଦ୍ରକୁ ବୋହି ଚାଲିଛି । ସମୁଦ୍ରରେ ସେତେବେଳକୁ ଭଟ୍ଟା ପଡ଼ିଥାଏ ଯେ, ସୁଅଟା ବେଶି ଟାଣିହୋଇଥାଏ । ଏ ସୁଅରେ ଆହୁଲା ବା କାତର କୌଣସି ଆବଶ୍ୟକତା ପଡ଼ିଲା ନାହିଁ । ଡଙ୍ଗା ତା’ର ଆପେ ଆପେ ଚାଲିଲା । ମୋକୋ ତା’ର ଅଭିଜ୍ଞତା ଦୃଷ୍ଟିରୁ କହିଲା, ‘‘ଅନ୍ତତଃ ଆଠ ଦଶ ମାଇଲ ବାଟ ଆହୁଲା ଧରିବାକୁ ପଡ଼ିବ ନାହିଁ-।’’

 

ବାଟରେ ପ୍ରଥମେ ପ୍ରଥମେ ପଡ଼ିଲା ନିଘଞ୍ଚ ଜଙ୍ଗଲ । କିନ୍ତୁ ଦୁଇ ଚାରିଘଣ୍ଟା ପରେ ଜଙ୍ଗଲ ପତଳା ହୋଇ ଆସିଲା । କାଁ ଭାଁ ଗୋଟାଏ ଦୁଇଟା ବଡ଼ ଗଛ ଦେଖାଗଲା । ତା’ ପରେ ପରେ ଦେଖାଗଲା ମାଟି ଉପରେ ମଝିରେ ମଝିରେ ବାଲି ପଠା । ପବନରେ ଗୋଟାଏ ଲୁଣିଗନ୍ଧ ବି ବାରି ହେଲା । କିନ୍ତୁ ଆଗକୁ ଦେଖାଗଲା ଗୁଡ଼ାଏ ଶୁଖିଲା ପାହାଡ଼ । ଜ୍ୟାକ୍‌ କହିଲା, ‘‘ଏଥର ବୋଧହୁଏ ସମକୁଦ୍ର ପାଖେଇ ଆସିଲା ।’’

 

ସତକୁ ସତ ଆଉ ଘଣ୍ଟାକ ଭିତରେ ଦୂରରେ ସମୁଦ୍ରର ନୀଳରେଖା ଦେଖାଗଲା । ଡଙ୍ଗାଟାକୁ କୂଳରେ ବାନ୍ଧିଦେଇ ତିନିଜଣ ବେଳାଭୂମିରେ ଓହ୍ଲାଇ ପଡ଼ିଲେ । ସମୁଦ୍ରର ସୁନେଲି ବାଲି ଉପରେ ଚାଲୁଚାଲୁ ଦେଖାଗଲା ସମସ୍ତ ସମୁଦ୍ର ଉପକୂଳଟା ଛୋଟ ଛୋଟ ଗୁଡ଼ାଏ ପାହାଡ଼ରେ ପୂର୍ଣ୍ଣ ହୋଇଛି । ବଡ଼ ଆଶ୍ଚର୍ଯ୍ୟ କଥା, ଏତେଗୁଡ଼ାଏ ପାହାଡ଼ ? ଚାରିଡ଼େ ଖାଲି ପାହାଡ଼ କିନ୍ତୁ ମଜାର କଥା ଯେ, ସବୁଗୁଡ଼ିକ ଛୋଟ ପାହାଡ଼ । ବଡ଼ ପାହାଡ଼ ମୋଟେ ନାହିଁ । ବୁଲି ବୁଲି ସେମାନେ ବିଭିନ୍ନ ପାହାଡ଼ ଭିତରେ ପ୍ରାୟ କୋଡ଼ିଏଟା ଖଣ୍ଡେ ଗୁମ୍ଫା ଆବିଷ୍କାର କଲେ । ମୋକୋ କହିଲା, ‘‘ଆହା ! ଆମର ହତଭାଗା ଜାହାଜଟା ହେଲେ ଏଇଠି ଲାଗିଥାନ୍ତା । ଏ ସ୍ଥାନରେ ରହିବାର ମୋଟେ ଅସୁବିଧା ହୁଅନ୍ତା ନାହିଁ । ଦେଖୁନା, ଗୁମ୍ଫାଗୁଡ଼ିକ କି ସୁନ୍ଦର ଘରପରି ହୋଇଛି ।’’ ବ୍ରାଆଁତ୍‍ କହିଲା, ‘‘ରହିବା କଥା କ’ଣ କହୁଛ, ଖାଇବା ପିଇବାକୁ ବି ପ୍ରଚୁର ମିଳନ୍ତା । ନଦୀରେ କ’ଣ ମିଠାପାଣିର ଅଭାବ ଅଛି ? ଆଉ ପଛରେ ଅଳ୍ପ ଦୂରରେ ଯେଉଁ ଜଙ୍ଗଲ ଛାଡ଼ି ଆସିଲେ, ସେଠାରେ ଶିକାର ପାଇଁ ଯଥେଷ୍ଟ ପଶୁପକ୍ଷୀ ମିଳନ୍ତେ ।’’

 

ଜ୍ୟାକ୍‌ କହିଲା’ ‘‘ସତେ, ଭାଇ ମୁଁ ସେହି ଜଙ୍ଗଲରେ ସୁନ୍ଦର ସୁନ୍ଦର ଚଢ଼େଇ ଦେଖିଲି । ଚାଲମ, କେତେଟା ଚଢ଼େଇ ମାରିବା ।’’

 

ତିନିଜଣ ପୁଣି ଜଙ୍ଗଲ ଆଡ଼କୁ ଚାଲିଲେ । ଜଙ୍ଗଲରେ ଗୁଡ଼ାଏ ଚଢ଼େଇ ଶିକାର କରାଗଲା, ବ୍ରାଆଁତ୍‍ କହିଲା, ‘‘ଏମିତି ତଟକା ଖାଦ୍ୟ ମିଳୁଥିବା ଯାଏ ଆମ ପାଖରେ ଗଚ୍ଛିତ ଥିବା ଖାଦ୍ୟରେ ହାତ ଦେବା କାହିଁକି ? ଯେତେଦିନ ପାରିବା ଚଢ଼େଇ ମାଂସ ଖାଇ ଚଳିଯିବା ।’’

 

କିଛି ଜଳଖିଆ କରିବା ପରେ ସମୁଦ୍ରକୂଳ ଦେଖିବା ପାଇଁ ତିନି ବନ୍ଧୁ ପୁଣି କୂଳଆଡ଼କୁ ଆସିଲେ । ଦିନ ସେତେବେଳକୁ ଦୁଇଟା କି ତିନିଟା !! ଭୀଷଣ ଖରା । ବୁଲି ବୁଲି ଶେଷରେ ସେମାନେ ଗୋଟାଏ ଖୁବ୍‌ ଉଚ୍ଚ ପାହାଡ଼ ଉପରେ ଚଢ଼ିଲେ । ପାହାଡ଼ ଉପରେ ଦୂରବୀକ୍ଷଣ ଯନ୍ତ୍ର ଧରି ଚାରିଆଡ଼କୁ ଚାହିଁବାରୁ ଦ୍ୱୀପଟାର ପ୍ରକୃତ ସ୍ୱରୂପ ଦେଖିହେଲା । ହ୍ରଦଟା ଦ୍ୱୀପର ମଝିରେ । ହ୍ରଦର ଚାରିପଟେ ଜଙ୍ଗଲ । ହ୍ରଦଠାରୁ ଦୂରକୁ ଥିବା ଜଙ୍ଗଲଟା ପତଳା । ହ୍ରଦଟା ନଥିଲେ ବୋଧହୁଏ ମୋଟେ ଗଛପତ୍ର ନଥାନ୍ତା । ଚାରିପଟର ଉପକୂଳ ମରୁବାଲିରେ ପୂର୍ଣ୍ଣ । ପୂର୍ବଦିଗରେ ରହିଛି ଦୁରନ୍ତ ସୀମାହୀନ ସାଗର ।

 

ବ୍ରାଆଁତ୍‍, ମୋକୋ ଓ ଜ୍ୟାକ୍‌ ତିନିହେଁ ଦୂରବୀକ୍ଷଣ ଯନ୍ତ୍ର ନେଇ ଚାରିଆଡ଼ ପରୀକ୍ଷା କଲେ । ହଠାତ୍‌ ମୋକୋ କ’ଣ ଗୋଟାଏ ଆବିଷ୍କାର କଲା । ସେ ପୂର୍ବଦିଗର ସମୁଦ୍ର ସେପଟେ ସ୍ଥଳଭାଗର ସାମାନ୍ୟ ଗୋଟାଏ ଚିହ୍ନ ଦେଖିବାକୁ ପାଇଲା । କହିଲା, ‘‘ଦେଖିଲ ବ୍ରାଆଁତ୍‍, ବହୁତ ଦୂରରେ ସ୍ଥଳ ଦେଖା ଯାଉନି ?’’

 

ବ୍ରାଆଁତ୍‍ ତା’ ହାତରୁ ଦୂରବୀକ୍ଷଣ ଯନ୍ତ୍ର ନେଇ ଦେଖିଲା ଯେ, ପ୍ରକୃତରେ ବହୁତ ଦୂରରେ ପାହାଡ଼ ପରି ଧୂସର ରେଖାଟିଏ ଦେଖାଯାଉଛି । ଗୋଟିଏ ନୂତନ ଆଶାର ରେଖା ତିନିଜଣଙ୍କ ମୁହଁକୁ ଉଜ୍ଜ୍ୱଳ କରିଦେଲା । କିଏ କହିବ, ସେହି ସ୍ଥଳଭାଗରୁ ଦିନେ ଜାହାଜ ଆସି ଏ ଦ୍ୱୀପରେ ଲାଗିପାରେ । ସେତେବେଳେ କ’ଣ ଏ ଅଜ୍ଞାତ ଦ୍ୱୀପରୁ ମୁକ୍ତି ମିଳିବ ନାହିଁ ?

 

ପିଲା ତନିଜଣ ନାନା କଳ୍ପନା ଜଳ୍ପନା ଭିତରେ ବୁଡ଼ିଗଲେ । ଏଣେ କ୍ରମଶଃ ସନ୍ଧ୍ୟା ହୋଇ ଆସିଲା । ସେମାନେ ସମୁଦ୍ର କୂଳରୁ ଆସି ଡଙ୍ଗା ପାଖରେ ପହଞ୍ଚିଲେ । ଡାଳପତ୍ର ଜମାଇ ମୋକୋ ନିଆଁ ଲଗାଇଦେଲା । ତିନିଜଣ ମିଶି ନିଆଁରେ କେତେଟା ଚଢ଼େଇ ସିଝାଇ ଦେଲେ, ସେହି ମାଂସରେ ରାତି ଖିଆଟା ଚଳିଗଲା । ଜିନିଷପତ୍ର ସବୁ ଡଙ୍ଗାରେ ସଜାଇ ଦେଇ ସେମାନେ ଅପେକ୍ଷା କରି ରହିଲେ ଜୁଆରକୁ । ଜୁଆର ପଡ଼ିଲେ ସୁବିଧାରେ ଡଙ୍ଗା ଚାଲିଯିବ । ଖୁବ୍ କମ୍‌ ସମୟ ମଧ୍ୟରେ ହ୍ରଦକୁ ଫେରିହେବ ।

 

ବସୁ ବସୁ ମୋକୋ ଟିକିଏ ଶୋଇପଡ଼ିଲା, କେତେ ସମୟ ଶୋଇଲା ତା’ର ଆଉ ହିସାବ ଅଛି ନା ? ହଠାତ୍‌ କାହାର ଗୋଟାଏ କଇଁ କଇଁ କାନ୍ଦଶୁଣି ମୋକୋର ନିଦ ଭାଙ୍ଗିଗଲା । ଆଖି ମଳି ମଳି ଚାହିଁ ଦେଖିଲା ଯେ ପାଖରେ ବ୍ରାଆଁତ୍‍ ନାହିଁ କି ଜ୍ୟାକ୍‌ ନାହିଁ । ସେହି ପାଖ ଆଖରୁ କେଉଁଠୁ ଗୋଟାଏ କଇଁ କଇଁ କାନ୍ଦ ଶୁଭୁଛି । କଥା କ’ଣ ? କିଏସେ ଏମିତି କାନ୍ଦୁଛି ? ମୋକୋ କିଛି ବୁଝିପାରିଲା ନାହିଁ । ଶବ୍ଦଟା ଯେଉଁଆଡ଼ୁ ଆସୁଥିଲା ସେହି ଆଡ଼କୁ କିଛିବାଟ ଯାଇ ଦେଖିଲା ଯେ ବ୍ରାଆଁତ୍‍ ଗୋଟାଏ ଗଛକୁ ଆଉଜି ଗମ୍ଭୀର ହୋଇ ବସିଛି, ଆଉ ତା’ ଆଗରେ ତା’ ଭାଇ ଜ୍ୟାକ୍‍ ଆଣ୍ଠୁମାଡ଼ି ବସି କାନ୍ଦି କାନ୍ଦି ତା’ର ଏକ ଦୋଷ କଥା କହୁଛି । ଏହି ଅଦ୍ଭୁତ ଦୃଶ୍ୟ ଦେଖି ମୋକୋ ଆଉ ଆଗକୁ ନଯାଇ ଗୋଟାଏ ଗଛ ଆଡ଼ୁଆଳରେ ରହି ଦୁଇଭାଇଙ୍କ କଥୋପକଥନ ଶୁଣିଲା । ସମସ୍ତ ଘଟଣା ବୁଝିବାକୁ ପାଇ ସେ ବିଚରା କାଠ ହୋଇଗଲା । ଓଃ, କି ମାରାତ୍ମକ ଭୁଲ୍‌ ନ କରିଛି ଜ୍ୟାକ୍‌ ! ସବୁକଥା କହିସାରି ଜ୍ୟାକ୍‌ ହାତଯୋଡ଼ି ଭାଇକୁ କ୍ଷମା ମାଗିଲା । ବ୍ରାଆଁତ୍‍ ଆଖିରୁ ଝରିପଡ଼ିଲା ଲୁହ । ସେ ଜ୍ୟାକ୍‍କୁ ଛାତି ଉପରକୁ ଟାଣି ଆଣିଲା । ମୋକୋର ଆଖି ମଧ୍ୟ ଜକେଇ ଆସିଲା । ସେ ନିଃଶବ୍ଦରେ ଫେରିଆସିଲା ଡଙ୍ଗା ଉପରକୁ ।

 

କିଛିସମୟ ପରେ ବ୍ରାଆଁତ୍‍ ଓ ଜ୍ୟାକ୍‌ ଡଙ୍ଗା ପାଖକୁ ଆସିଲେ । ସେତେବେଳ ଯାଏ ଜୁଆର ଆସିନଥାଏ । ମୋକୋ ଚୁପ୍‌ ହୋଇ ବସିଥାଏ । ଦୁଇଭାଇ ବି ଆସି ଚୁପ୍‌ ହୋଇ ବସିଲେ-। ଚାରିଆଡ଼ ଅନ୍ଧାର । କେବଳ ଡଙ୍ଗାରେ ଜଳୁଥାଏ ଗୋଟିଏ ଛୋଟ ଲଣ୍ଠନ । ତଳେ ବୋହିଯାଉଥାଏ ନଈର ପାଣି କୁଳୁକୁଳୁ ଶବ୍ଦ କରି । ନୀରବତା ଭଙ୍ଗକରି ମୋକୋ କହିଲା–

 

‘‘ତୁମର ସବୁ କଥା ମୁଁ ଶୁଣିଦେଲି ।’’

 

‘‘କ’ଣ ଶୁଣିଛୁ ମୋକୋ ? ବ୍ରାଆଁତ୍‍ ଚମକି ଉଠିଲା ।’’

 

‘‘ଜ୍ୟାକ୍ ଯେଉଁ କାଣ୍ଡ କରିଛନ୍ତି, ସେହିକଥା ।’’

 

‘‘ତୁ କିପରି ଶୁଣିଲୁ ?’’

 

‘‘ଜଙ୍ଗଲ ଭିତରେ ତୁମେ ଦୁଇଜଣ ବସି କଥାବାର୍ତ୍ତା ହେଉଥିଲ ।’’

 

‘‘ସତେ ମୋକୋ, ଜ୍ୟାକ୍‌ ବଡ଼ ଦୋଷ କରିଛି । କିନ୍ତୁ ତୁ ତ ଦେଖିଲୁ ସେ ସେଥିପାଇଁ ଅନୁତାପ କରୁଛି–ବ୍ରାଆଁତ୍‍ ବିନୟ କରି କହିଲା ।

 

‘‘ହଁ । ତୁମେ ତାଙ୍କୁ କ୍ଷମା କର ବ୍ରାଆଁତ୍‍ ।’’–ମୋକୋ କହିଲା ।

 

‘‘ମୁଁ ତ କ୍ଷମାକଲି, କିନ୍ତୁ ଅନ୍ୟମାନେ କ୍ଷମାଦେବେ ତ ?’’

 

‘‘ସେମାନେ ବି କ୍ଷମା କରିବା ଉଚିତ । ଆଚ୍ଛା, ସେମାନଙ୍କୁ ଏ ବିଷୟ ମୋଟେ ନ ଜଣାଇଲେ, କେମିତି ?’’

 

‘‘ମୋକୋ, ତୁ ଯଦି ଜ୍ୟାକ୍‌କୁ କ୍ଷମା ନକରୁ, ଦଳର ସବୁ ପିଲା ଏ ବିଷୟ ଜାଣିଯିବେ’’ କହି ବ୍ରାଆଁତ୍‍ କାକୁସ୍ତ ହୋଇ ମୋକୋର ହାତ ଧରି ପକାଇଲା । ନୀରବରେ କଟିଗଲା କେତୋଟି ପବିତ୍ର ମୁହୂର୍ତ୍ତ ।

 

ରାତି ସେତେବେଳକୁ ଦଶଟା । ଧୀରେ ଧୀରେ ସମୁଦ୍ରରେ ଜୁଆର ଆସିଲା । ଜୁଆର ପାଣିର ଧକ୍‌କା ଆସି ବାଜିଲା ଡଙ୍ଗାରେ । କାଳବିଳମ୍ବ ନକରି ମୋକୋ ଡଙ୍ଗା ଭିଡ଼ିଦେଲା । କାତ ମାରିବା ଆବଶ୍ୟକ ନାହିଁ, ଆହୁଲା ପକାଇବା ଲୋଡ଼ା ନାହିଁ । ଡଙ୍ଗା ତା’ର ଆପେ ଆପେ ଚାଲିଥାଏ । ଖୁବ୍ କମ୍‌ ସମୟରେ ଡଙ୍ଗା ଆସି ହ୍ରଦରେ ପହଞ୍ଚିଗଲା । ଏଥର ଟିକିଏ ପରିଶ୍ରମ, ସାମାନ୍ୟ ଟିକିଏ କାତ ମାରିଲେ ଡଙ୍ଗା ତା’ର ଚାଲିବ । କାମରେ ଲାଗିଗଲେ ତିନିବନ୍ଧୁ । ତା’ ପରଦିନ ସକାଳ ବେଳକୁ ଡଙ୍ଗା ଆସି ଫରାସୀ ଗୁହା ମୁହଁରେ ଲାଗିଗଲା । ସେହି ପାଖରେ ଇଭାରସନ୍ ବସି ମାଛ ଧରୁଥିଲା । ଡଙ୍ଗା ଆସିବାର ଦେଖି ସେ ଆନନ୍ଦରେ ନାଚି ଉଠିଲା; ‘‘ଆସିଗଲେରେ ! ନମସ୍କାର ବ୍ରାଆଁତ୍‍ ଭାଇ !’’

Image

 

ନୂଆ ଦଳପତି

 

ବ୍ରାଆଁତ୍‍ ପ୍ରଭୃତି ପୂର୍ବ ଉପକୂଳରୁ ଫେରିବାର କିଛିଦିନ ହୋଇ ଗଲାଣି । ଏ ଭିତରେ ପିଲାମାନଙ୍କ ମନରେ ଗୋଟାଏ ଦୃଢ଼ ବିଶ୍ୱାସ ଜନ୍ମି ଗଲାଣି ଯେ, ସେମାନେ ଯେଉଁ ଦ୍ୱୀପଟିରେ ରହିଛନ୍ତି ତାହା ଜଗତର ଅନ୍ୟ ସମସ୍ତ ଅଞ୍ଚଳଠାରୁ ବିଚ୍ଛିନ୍ନ । ଦୁନିଆର କେହି ଏ ଦ୍ୱୀପ ବିଷୟ ଜାଣି ନାହାନ୍ତି । ଏ ଦ୍ୱୀପଟା ଗୋଟାଏ ଅଜ୍ଞାତ ଦ୍ୱୀପ । ଭଗବାନଙ୍କ କୃପାରୁ ଯଦି କୌଣସି ଜାହାଜ ଅପ୍ରତ୍ୟାଶିତ ଭାବରେ ଆସି ଏ ଦ୍ୱୀପରେ ପହଞ୍ଚିଯିବ, ତେବେ ଅବା ମୁକ୍ତି ମିଳିପାରେ । ନଚେତ୍‌ ଏଇଠି ମୃତ୍ୟୁ ସୁନିଶ୍ଚିତ । ତଥାପି ନିରାଶ ହୋଇ ଜୀବନଯାପନ କରିବା ଖରାପ, ଯେତେଦିନ ବଞ୍ଚିବା ସେତେଦିନ ମଣିଷ ପରି ବଞ୍ଚିବା । ସୁଖରେ ବଞ୍ଚିବା । ତେଣୁ ସେମାନଙ୍କର ନିତିଦିନିଆ ଜୀବନ ସେହି ପୂର୍ବପରି ଚାଲିଥାଏ ।

 

ଚାହୁଁ ଚାହୁଁ ଜୁନ୍‌ ମାସ ଆସିଲା । ଗତ ବର୍ଷ ଜୁନ୍‌ ମାସ ୧୦ ତାରିଖରେ ପିଲାମାନଙ୍କ ମଧ୍ୟରେ ଗର୍ଡ଼ନ୍‌କୁ ଦଳପତିରୂପେ ବଛାଯାଇଥିଲା । ଗର୍ଡ଼ନ୍‍ର ନେତୃତ୍ୱରେ ବର୍ଷଟାଏ କଟିଗଲା । ଏ ବର୍ଷଟା ଭିତରେ କେତେ କ’ଣ ଘଟିଯାଇଛି । ଚଳିତ ବର୍ଷ ଜୁନ୍‌ ୧୦ ତାରିଖରେ ପୁଣି ନୂଆଦଳପତି ବାଛିବା କଥା । ଡୋନ୍‌ଗାନ୍‌ର ମନ ସେ ଏବର୍ଷ ଦଳପତି ହେବ । ବ୍ରାଆଁତ୍‍ ସହିତ ଡୋନ୍‌ଗାନ୍‌ର ମୋଟେ ପଡ଼େନା । ସେ ବ୍ରାଆଁତ୍‍କୁ ମୁରବି କରି ମାନିବାକୁ ଭଲପାଏନା । ଏ ଭିତରେ ଥରେ ଡୁଡୁ ଖେଳରେ ବ୍ରାଆଁତ୍‍ ସହିତ ଡୋନ୍‌ଗାନ୍‌ର ଖୁବ୍ ଗୋଟାଏ କଳି ଲାଗିଯାଇଥିଲା । କଳିଟା କଥାରେ କଥାରେ ନ ତୁଟି ହାତାହାତି ପର୍ଯ୍ୟନ୍ତ ଉଠିଥିଲା । ଯହାହେଉ ଦଳପତି ଗର୍ଡ଼ନ୍‍ ଘଟଣାରେ ହସ୍ତକ୍ଷେପ କରି କଳିଟା ତୁଟାଇ ଥିଲା । ସେତେବେଳେ ଗର୍ଡ଼ନ୍‍ ଡୋନ୍‌ଗାନ୍‌କୁ ଶୁଣାଇ କହିଥିଲା ଯେ, ଡୋନ୍‌ଗାନ୍‍ ଯଦି ଦଳ ଭିତରେ କଳିଗୋଳ କରେ, ସମସ୍ତଙ୍କୁ ଅମାନ୍ୟ କରେ ତେବେ ତା’ ଦଳର ପିଲାଙ୍କୁ ନେଇ ସେ ଅନ୍ୟ ସ୍ଥାନକୁ ବାହାରିଯାଉ । ଏଇଟା ଗୋଟାଏ କମ୍‌ ଧମକ ନୁହେଁ । ଡୋନ୍‌ଗାନ୍‌ ମନରେ ସେହି ରାଗଟା ଥାଏ । ତା’ର ମନ ଏଥର ଗର୍ଡ଼ନ୍‍ ବ୍ରାଆଁତ୍‍ କେହି ଦଳପତି ନହୋଇ ସେ ନିଜେ ଦଳପତି ହେଲେ, ସେ ଦୁଇ ଜଣଙ୍କ ଉପରେ ପ୍ରତିଶୋଧ ନେବ । ତେଣୁ ଜୁନ୍‌ ମାସର ୧୦ ତାରିଖ ପାଖେଇ ଆସିବାର ଦେଖି ସେ ଦଳ ଭିତରେ ତା’ପାଇଁ ଖୁବ୍‌ ପ୍ରଚାର ଆରମ୍ଭ କରିଦେଲା । କିନ୍ତୁ ଏତେ ପ୍ରଚାର ସତ୍ତ୍ୱେ ବି ମୋଟେ ତିନିଜଣ ପିଲା ତା’ ପକ୍ଷରେ ବାହାରିଲେ । ସେମାନେ ହେଲେ କ୍ରସ୍‌, ଓଏବ୍‌ ଏବଂ ଉଇଲ୍‌କକ୍ସ । ଜିଣିବାର ଆଶା କମ୍‌ । ମନେ ମନେ ବିଚରା ରକ୍ତଚାଉଳ ଚୋବାଇ ହେଉଥାଏ ।

 

ଆଜି ଦଶ ଜୁନ୍‌ । ଉପରବେଳା ଭୋଟ୍‌ । ପ୍ରତ୍ୟେକ ପିଲାଙ୍କୁ ଖଣ୍ଡେ ଖଣ୍ଡେ କାଗଜ ଦିଆଗଲା । କଥା ହେଲା ପ୍ରତ୍ୟେକ ପିଲା ନିଜର ମନୋନୀତ ଦଳପତିର ନାମ ସେହି କାଗଜରେ ଲେଖି ଭୋଟ୍‌ ବାକ୍‌ସରେ ଗଳାଇଦେବ । ସେଇଆ ହିଁ ହେଲା । ଦିନ ତିନିଟା ବେଳକୁ ଗର୍ଡ଼ନ୍‍ ଭୋଟ ବାକ୍‌ସ ଖୋଲିଲା । ସମସ୍ତଙ୍କ ଆଗରେ ଭୋଟ୍‍ ଗଣତି ହେଲା ଦେଖାଗଲା–

 

ବ୍ରାଆଁତ୍‍ ପାଇଛି ୮ଭୋଟ ।

 

ଡୋନ୍‌ଗାନ୍‌ ପାଇଛି ୩ ଭୋଟ୍‌

 

ଗର୍ଡ଼ନ ପାଇଛି ୧ ଭୋଟ୍‌ ।

 

ଡୋନ୍‌ଗାନ୍‌ର ରାଗ ଦେଖେ କିଏ ! ରାଗ ଆଉ ଈର୍ଷାରେ ସେ ମୁଣ୍ଡବାଳ ଛିଣ୍ଡାଇ ପକାଇଲା । ତା’ର ବୋଧହେଲା, ଏ ଅପମାନ ଆଉ ସହି ହେବ ନାହିଁ । ସେ ମନେ ମନେ ଠିକ୍‌ କରିଦେଲା ଦଳ ଛାଡ଼ି ଚାଲିଯିବ । ତାକୁ ପସନ୍ଦ କରୁଥିବା ଅନ୍ୟମାନଙ୍କୁ ମଧ୍ୟ ଦଳ ଛାଡ଼ି ଚାଲିଯିବାକୁ ମତାଇବ । ଏତେବଡ଼ ଦ୍ୱୀପଟା ପଡ଼ିଛି । କେଉଁଠି କ’ଣ ଟିକିଏ ଆଶ୍ରୟ ମିଳିବ ନାହିଁ-? ଅପମାନ ସହି ରହିବା ଅପେକ୍ଷା ଅସୁବିଧା ସହି ରହିବା ଭଲ । କିନ୍ତୁ ଏ ବିଷୟରେ ଟିକିଏ ଅନ୍ୟମାନଙ୍କ ସହିତ ବିଚାର କରିବାକୁ ପଡ଼ିବ । ତରତର ହେଲେ ଚଳିବ ନାହିଁ । ଅନ୍ତତଃ ଶୀତଦିନଟା କଟିଯିବା ଦରକାର । ହେଇ ତ... ଶୀତଦିନ ମାଡ଼ିଆସିଲା । ଆଉ ଦିନ କେଇଟା ମଧ୍ୟରେ ବରଫ ପଡ଼ିଯିବ ।

 

ସତକୁ ସତ ଶୀତ ମାଡ଼ିଆସିଲା । ଆଉ ବାହାରକୁ ଯିବା ଅସମ୍ଭବ । ପିଲାମାନେ ପଢ଼ାପଢ଼ିରେ ମନ ଦେଲେ । ବହିପତ୍ରର ତ ଅଭାବ ନଥାଏ । ରୀତିମତ ଗୋଟାଏ ଲାଇବ୍ରେରୀ ଥାଏ । ବଡ଼ବଡ଼ ପିଲାମାନେ ବହି ପଢ଼ି ଛୋଟ ପିଲାଙ୍କୁ ଇତିହାସ, ଭୂଗୋଳ, ବିଜ୍ଞାନର କାହାଣୀ ଶୁଣାଇଲେ ।

 

ଦିନକର କଥା, ସେଦିନ ଭୀଷଣ ଶୀତ ପଡ଼ିଥାଏ । ବନ, ପ୍ରାନ୍ତର, ନଦୀ, ହ୍ରଦ ସବୁ ବରଫ ପାଲଟି ଯାଇଥାଏ । ସେଦିନ ପିଲାଙ୍କ ଭିତରେ କଥାହେଲା ଆଜି ସ୍କେଟିଂ ଖେଳ ହେବ । ସମସ୍ତେ ଗରମ ଜାମା ପିନ୍ଧି ଗୁହା ଭିତରୁ ବାହାରିପଡ଼ିଲେ । ସ୍କେଟିଂ ଯୋତା ପିନ୍ଧି ବରଫ ଉପରେ ଯେ ଯାହାର କରାମତି ଦେଖାଇଲେ । କିଏସେ ଦିଚାରି ପାଦ ଚାଲି ମାଙ୍କଡ଼ଚିତ୍‌ ମାରି ଖସିପଡ଼ିଲା ତ କିଏସେ ଦଶ ପନ୍ଦର ମିନିଟ୍‌ ପର୍ଯ୍ୟନ୍ତ ଚକ୍ରମାରି ଘୂରିଲା । ସ୍କେଟିଂ ଖେଳ ଓସ୍ତାଦ୍‌ ହେଲେ ଡୋନ୍‌ଗାନ୍‌, କ୍ରସ୍‍ ଓ ଜ୍ୟାକ୍‍ । ଡୋନ୍‍ଗାନ୍‌ ଓ କ୍ରସ୍‌ ଏକାଦଳର ପିଲା । ସେ ଦୁହେଁ ସ୍କେଟିଂ କରି କରି ଅନ୍ୟମାନଙ୍କଠାରୁ ଦୂରକୁ ଚାଲିଗଲେ । ଏଣେ ନୂଆ ଦଳପତି ବ୍ରାଆଁତ୍‍ ଶୁଣାଇଦେଲା ଯେ, କେହିହେଲେ ବେଶି ଦୂରକୁ ଯାଇ ପାରିବେ ନାହିଁ । ଅନ୍ଧାର ହେଉ ହେଉ ସମସ୍ତେ ଗୁହାକୁ ଆସିବେ-। ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ବ୍ରାଆଁତ୍‍ ଗୁହା ପାଖରେ ରହି ତିନିଥର ତୂରୀ ବଜାଇବ । ତୂରୀ ବାଜିବା ପରେ କେହି ସ୍କେଟିଂ କରିପାରିବେ ନାହିଁ ।

 

ଡୋନ୍‌ଗାନ୍‌ର ବିପ୍ଳବୀ ମନକୁ ଏ ହୁକୁମଟା ସୁହାଇଲା ନାହିଁ । ସେ କ୍ରସ୍‌କୁ ନେଇ ଦୂରକୁ ଦୂରକୁ ଚାଲିଗଲା । ସେଇଠି ସେମାନଙ୍କ ଭିତରେ ଦଳ ଛାଡ଼ି ଚାଲିଯିବା ବିଷୟ ନେଇ ଆଲୋଚନା ଚାଲିଲା । କ୍ରସ୍‍, ଡୋନ୍‌ଗାନ୍‌ କଥାରେ ରାଜି । ସେ ବି ବ୍ରାଆଁତ୍‍କୁ ଭଲପାଏନା । କଥାଭୋଳରେ ଯାଉ ଯାଉ ସେମାନେ ବହୁତ ଦୂରକୁ ଚାଲିଗଲେ ।

 

ଚାରିଆଡ଼େ ବରଫ । କିଏସେ ପେପରି ଦ୍ୱୀପଟା ଉପରେ ତୂଳାର ଗୋଟାଏ ବହଳ ଚଦର ଘୋଡ଼ାଇ ଦେଇଛି । ଯେଣେ ଚାହିଁବ ତେଣେ ଧଳା । ବାଟଘାଟ, ଗଛ, ପତ୍ର କିଛି ଦେଖାଯାଉନାହିଁ । ସବୁ ଏକାକାର । ସବୁ ସମାନ । ଗୋଟାଏ ମାୟାରାଜ୍ୟ । ଡୋନ୍‌ଗାନ୍ ପଛକୁ ଚାହିଁ ଦେଖେ ତ ଗୁହା ବା ପିଲା କେହି ଦେଖାଯାଉନାହାନ୍ତି । ତଳେ ବରଫ, ଆକାଶରେ କୁହୁଡ଼ି, ଏଣେ ସୂର୍ଯ୍ୟ ଅସ୍ତଗାମୀ । କ୍ରସ୍‌ କହିଲା, ‘‘ଚାଲ, ଏଥର ଫେରିବା ।’’ କିନ୍ତୁ କାହିଁ, ବାଟ କାହିଁ ? କେଉଁ ବାଟଦେଇ ଫେରିବେ ?

 

ଏଣେ ସନ୍ଧ୍ୟା ହେବ ଦେଖି ବ୍ରାଆଁତ୍‍ ତିନିଥର ତୂରୀନାଦ କଲା । ସବୁପିଲା ଫେରିଲେ, କିନ୍ତୁ ଡୋନ୍‌ଗାନ୍‌ ଓ କ୍ରସ୍‌ର ଦେଖାନାହିଁ । ବଡ଼ ବ୍ୟସ୍ତ ହୋଇପଡ଼ିଲେ ସମସ୍ତେ । ଶେଷରେ ଗର୍ଡ଼ନ୍‍ କହିଲା– ‘‘ଦେଖ ଭାଇ, ଏ ବରଫ ରାଜ୍ୟରେ କିଏ କେଉଁଠି ଅଛି କିଛି ଦେଖାଯାଉନାହିଁ । ସେମାନେ ବୋଧହୁଏ ବାଟବଣା ହୋଇଗଲେ । ଆମ ଭିତରୁ ଜଣେ ତୂରୀଟାକୁ ନେଇ ବଜାଇ ଚାରିଆଡ଼େ ଟିକିଏ ବୁଲିଆସୁ । ସେମାନେ ଅନ୍ତତଃ ଶବ୍ଦ ବାରି ଗୁହା ଆଡ଼କୁ ଚାଲିଆସିବେ ।’’

 

ବକ୍‌ସ୍‍ଟାର କହିଲା, ‘‘ଠିକ୍‌ କଥା, ଆଣ, ଦିଅ ତୂରୀ, ମୁଁ ଯାଉଛି ।’’

 

ସର୍ଭିସ୍‍ କହିଲା, ‘‘ନାଁ, ତୁ ଟା କ’ଣ ଯିବୁ, ମୁଁ ଯିବି ।’’

 

ଉଇଲ୍‌କକ୍ସ କହିଲା, ‘‘ମୁଁ ଗଲେ ସବୁଠାରୁ ଭଲ ହେବ ।’’

 

ବ୍ରାଆଁତ୍‍ କହିଲା, ‘‘ତୁମେଗୁଡ଼ା ମେଞ୍ଚଡ଼ ଟୋକା, କଳି କରିବାକୁ ଏତିକିବେଳେ ଆଉ ବେଳ ନାହିଁ । ତୁମେ କେହି ଯିବ ନାହିଁ । ମୁଁ ନିଜେ ଯିବି ।’’

 

ଜ୍ୟାକ୍‌ କହିଲା, ‘‘ନା ଭାଇ ! ମୁଁ ତୁମ ସମସ୍ତଙ୍କ ଅପେକ୍ଷା ଭଲ ସ୍କେଟିଂ କରି ଜାଣେ । ମୁଁ ଯିବି ।’’

 

ଆଉ ମୁହୂର୍ତ୍ତେ ବିଳମ୍ବ ନକରି ସେ ତୂରୀଟିକୁ ଧରି ତୀରବେଗରେ ସ୍କେଟିଂ କରି କରି ଚାଲିଗଲା । ଯାଉ ଯାଉ ତୂରୀ ବଜାଉଥାଏ । ଅନ୍ୟାନ୍ୟମାନେ ଗୁହା ପାଖରେ ପ୍ରତୀକ୍ଷା କରି ରହିଥାନ୍ତି । କିଛିସମୟ ବିତିଗଲା । ଅନ୍ଧାର ଆହୁରି ଜମିଆସିଲା । ମୁହଁକୁ ମୁହଁ ଦେଖାଗଲା ନାହିଁ । ତେଣେ ଜ୍ୟାକ୍‌ର ତୂରୀନାଦ ଆଉ ଶୁଭିଲା ନାହିଁ ।

 

ବିପଦ ଉପରେ ବିପଦ । ଦୁଇଜଣ ତ ହଜିଥିଲେ, ଜ୍ୟାକ୍‌ ବି ହଜିଲା ନା କ’ଣ । ଏ ଅନ୍ଧାରରେ ତାକୁ ଖୋଜି ପାଇବ କିଏସେ ।

 

ଏତିକିବେଳେ ଗୋଟାଏ ନୂଆ ବୁଦ୍ଧି ଦେଖାଗଲା । ଜାହାଜରେ ଯେଉଁ କୋତୋଟି କମାଣ ଅଣାଯାଇଥିଲା, ପିଲାମାନେ ସେଥିରୁ ଦୁଇଟି କମାଣ ଆଣି ଫରାସୀ ଗୁହା ମୁହଁରେ ବସାଇଥାନ୍ତି । ବ୍ରାଆଁତ୍‍ କହିଲା, କମାଣ ଫୁଟାଇଲେ ହଜିଯାଇଥିବା ପିଲାମାନେ ଶବ୍ଦ ଶୁଣି ଅବା ଦିଗବାରି ପାରନ୍ତି ।

 

ବକ୍‍ସ୍‍ଟାର ସାଙ୍ଗେ ସାଙ୍ଗେ କାମରେ ଲାଗିଲେ । କମାଣରେ ବାରୁଦ ଖୁନ୍ଦି ସେ ଖୁବ୍‌ ସାବଧାନରେ ନିଆଁ ଲଗାଇଦେଲା । ଘନ ଅନ୍ଦକାରକୁ କମ୍ପାଇ ଦେଇ କମାଣଟା ବଜ୍ର ଭଳି ଗର୍ଜନ କରିଉଠିଲା । ପାହାଡ଼ ପର୍ବତ ଓ ବନଲତା କମ୍ପି ଉଠିଲା ସେ ଶବ୍ଦରେ । ଅନ୍ତତଃ, ଦଶମାଇଲ ଦୂରକୁ ଶୁଭିଥିବ ଶବ୍ଦଟା । ପିଲାମାନେ ଭାବିଥିଲେ କମାଣ ଫୁଟିଲେ ଶବ୍ଦ ଶୁଣି ଡୋନ୍‌ଗାନ ବା ଜ୍ୟାକ୍‌ କେହି ଜଣେ ପ୍ରତ୍ୟୁତ୍ତର ସୂଚକ ବନ୍ଧୁକ ଫୁଟାଇବେ ବା ତୂରୀ ବଜାଇବେ । କିନ୍ତୁ ଦଶ ପନ୍ଦର ମିନିଟ୍‌ ଅପେକ୍ଷା କରି ମଧ୍ୟ କିଛି ଶୁଣିବାକୁ ମିଳିଲା ନାହିଁ । ନିରୁପାୟହୋଇ ଆଉ ଥରେ କମାଣ ଫୁଟାଗଲା । ତଥାପି କୌଣସି ଉତ୍ତର ନାହିଁ । ଶେଷକୁ ଗୁହାର ପିଲାମାନେ ବିରକ୍ତ ହୋଇ ବାରମ୍ବାର କମାଣ ଫୁଟାଇବାକୁ ଲାଗିଲେ ।

 

ଅକସ୍ମାତ୍‍ ବହୁଦୂରରୁ ତିନିଟା ବନ୍ଧୁକର ଶବ୍ଦ ଶୁଭିଲା । ସର୍ଭିସ୍‌ ଆନନ୍ଦରେ କହିଉଠିଲା, ‘‘ଶୁଣିଲ, ଶୁଣିଲ, ତେଣୁ ସେମାନେ ବନ୍ଧୁକ ଆବାଜ୍‌ କରୁଛନ୍ତି । ଗୁହାରୁ ଆଉଥରେ ଫାଙ୍କା ଆବାଜ୍‌ କରି ବନ୍ଧୁକ ଫୁଟାଗଲା । ଦୂରରୁ ବି ତା’ର ପ୍ରତ୍ୟୁତ୍ତର ଦେଇ ଫାଙ୍କା ଆବାଜ୍‌ ଆସିଲା ।

 

କିଛିସମୟ ପରେ ଦେଖାଗଲା ଯେ ଡୋନ୍‌ଗାନ୍‌ ଓ କ୍ରସ୍‌ ସ୍କେଟିଂ କରି କରି ଆସୁଛନ୍ତି । କିନ୍ତୁ ଜ୍ୟାକ୍‌ କାହିଁ ? ଜ୍ୟାକ୍‌ ତ ଦେଖାଯାଉନି ! ଗଲାକୁଆଡ଼େ ?

 

ଡୋନ୍‌ଗାନ୍ ଓ କ୍ରସ୍‌ ଆସି ପହଞ୍ଚିଲେ । ସେମାନେ ଜ୍ୟାକ୍‌କୁ ମୋଟେ ଦେଖି ନାହନ୍ତି । ଭାଇକୁ ଖୋଜି ଆଣିବାପାଇଁ ବ୍ରାଆଁତ୍‍ ବାହାରିଲା । ଅନ୍ଧାର ରାତି । ମୁହଁକୁ ମୁହଁ ଦେଖାଯାଉନାହିଁ । ଏଥିରେ ସେ ଯାଇ କିପରି ଖୋଜିବ ? ଗର୍ଡ଼ନ୍‍ ଓ ଅନ୍ୟାନ୍ୟମାନେ ବହୁତ ପ୍ରକାରେ ବୁଝାଇ ଶୁଝାଇ ତାକୁ ଅଟକାଇଲେ । ସମସ୍ତେ ମିଶି ପୁଣି ତୋପ ଫୁଟାଇବାକୁ ଲାଗିଲେ । ଗୁଡ଼ାଏ ଶୁଖିଲା ଡାଳପତ୍ର ଜମାକରି ସେଥିରେ ନିଆଁ ଲଗାଗଲା । ଦୂରକୁ ଆଲୋକଟା ଅବା ଦେଖାଯାଇପାରେ । ପିଲାମାନେ ଦୂରବୀକ୍ଷଣ ଯନ୍ତ୍ର ଲଗାଇ ଦୂରକୁ ଚାହିଁଥାନ୍ତି । ହଠାତ୍‌ ଦେଖାଗଲା, ଦୂରରୁ ଗୋଟାଏ ଛାୟାମୂର୍ତ୍ତି ଗୁହା ଆଡ଼କୁ ଆସୁଛି । ତା’ ପଛରେ ଆହୁରି ଟିକିଏ ଦୂରରେ ଆହୁରି ଦୁଇଟି ଛାୟାମୂର୍ତ୍ତି ଆସୁଛନ୍ତି । ଜ୍ୟାକ୍‌ ତ ଏକା ଯାଇଥିଲା, ସେ ଯଦି ଫେରିବ ତେବେ ଏକା ଫେରିବ । କିନ୍ତୁ ତିନିଟା ଛାୟାମୂର୍ତ୍ତି କାହାର ? ହଠାତ୍‌ ବ୍ରାଆଁତ୍‍ ପାଟିକରିଉଠିଲା, ‘‘ଗର୍ଡ଼ନ୍‍, ଜ୍ୟାକ୍‌କୁ ରକ୍ଷା କର, ତା’ ପଛରେ ଦୁଇଟା ଭାଲୁ ଲାଗିଛନ୍ତି !’’

 

ସତକୁ ସତ ଦେଖାଗଲା ଜ୍ୟାକ୍‌ ପଛରେ ଦୁଇଟା ଧଳାଭାଲୁ ଧସି ଧସି ଆସୁଚନ୍ତି । ବରଫଦେଶରେ ଯେଉଁ ଭାଲୁ ରହନ୍ତି, ସେୁଡ଼ିକ ଦେଖିବାକୁ ଧଳା, ବଡ଼ ହିଂସ୍ର, ବଡ଼ ମାଂସାଶୀ ସେଗୁଡ଼ାକ, ସେମାନଙ୍କ ହାବୁଡ଼ରେ ପଡ଼ିଲେ ମଣିଷର ଆଉ ରକ୍ଷା ନାହିଁ । କ’ଣ କରି ଜ୍ୟାକ୍‌କୁ ଭାଲୁ ହାତରୁ ଉଦ୍ଧାର କରାଯିବ ଚିନ୍ତା ପଡ଼ିଲା । ଭାଲୁର ସମ୍ମୁଖୀନ ହେବାକୁ କେହି ସାହସ କଲେ ନାହିଁ । ତେଣେ ଜ୍ୟାକ୍‌ ସ୍କେଟିଂ କରି କରି ଉଲ୍‌କା ପରି ଦଉଡ଼ି ଆସୁଥାଏ । ଭାଲୁ ଦି’ଟା ତା’ ପଛରେ ଲାଗିଥାନ୍ତି । ଭାଲୁ ଦି’ଟା ଖୁବ୍‍ ପାଖେଇ ଗଲେଣି । ଆଉ ଅଳ୍ପସମୟ ଭିତରେ ସେମାନେ ଜ୍ୟାକ୍‌କୁ ଧରି ପକାଇବେ । ବ୍ରାଆଁତ୍‍ ଅସ୍ଥିର ହୋଇ ଆଗକୁ ଦଉଡ଼ି ଯାଉଥିଲା । ହଠାତ୍ ଡୋନ୍‌ଗାନ୍‌ ତାକୁ ପଛକୁ ଟାଣିଆଣି କହିଲା, ‘‘ଥା’, ତୁ ଗୋଟାଏ ଯାଇ କ’ଣ କରିବୁ । ଦେଖ୍‌ ମୁଁ କ’ଣ କରୁଛି ।’’

 

ସେ ତା’ ପାଦରେ ସ୍କେଟିଂ ଜୋତା ପିନ୍ଧିଥାଏ । ଗୋଟାଏ ବନ୍ଧୁକ ଧରି ସେ ଆଖି ପିଛୁଡ଼ାକେ ସ୍କେଟିଂ କରି ଚାଲିଲା ଜ୍ୟାକ୍‌ ଆଡ଼କୁ । ପର ମୁହୂର୍ତ୍ତରେ ତା’ର ବନ୍ଧୁକ ଫୁଟିଉଠିଲା ଓ ଭାଲୁଦୁଇଟି ଆର୍ତ୍ତନାଦ କରିଉଠିଲେ । ତା’ପରେ ଦେଖାଗଲା ଭାଲୁଦୁଇଟା ଦୂରକୁ ଦୌଡ଼ି ଚାଲି ଯାଉଛନ୍ତି ।

 

କିଛିସମୟ ପରେ ଜ୍ୟାକ୍‌ ଓ ଡୋନ୍‌ଗାନ୍‌ ଆସି ଗୁହାପାଖେ ପହଞ୍ଚିଗଲେ । ବ୍ରାଆଁତ୍‍ ଡୋନ୍‌ଗାନ୍‌କୁ ପ୍ରଶଂଶା କରି ଗଦ୍‌ଗଦ୍‌ କଣ୍ଠରେ କହିଲା–

 

‘‘ଡୋନ୍‌ଗାନ୍‌, ତୁମକୁ ଖୋଜିବା ପାଇଁ ଜ୍ୟାକ୍‌ ଯାଇଥିଲେ ବି ତୁମର କିଛି ଉପକାର କରିପାରି ନଥିଲା । କିନ୍ତୁ ବର୍ତ୍ତମାନ ତୁ ହିଁ ଭାଲୁ ହାବୁଡ଼ରୁ ଜ୍ୟାକ୍‌କୁ ରକ୍ଷାକଲୁ । ତୋତେ ମୁଁ ଧନ୍ୟବାଦ ନଦେଇ ରହିପାରୁନାହିଁ । ଦେ, ଟିକିଏ ହାତ ମିଳାଇ ଦେ’’ – ସେ ଡୋନ୍‌ଗାନ୍‌ର କରମର୍ଦ୍ଦନ କରିବା ପାଇଁ ହାତ ବଢ଼ାଇଦେଲା । କିନ୍ତୁ ଡୋନ୍‌ଗାନ୍‌ ତା’ ସହିତ ହାତ ମିଳାଇବା ତ ଦୂରର କଥା, ତାକୁ ଚାହିଁ ନ ଚାହିଁଲାପରି ଚାଲିଗଲା ।

 

ଡୋନ୍‌ଗାନ୍‌ର ଏ ଭାବ ଦେଖି ଅନ୍ୟମାନେ ବିସ୍ମିତ ହୋଇଗଲେ । କଥା କ’ଣ ?

Image

 

କାଳୀଗାଈର ଭିନ୍ନେ ଗୋଠ

 

ଏ ଘଟଣା ପରେ ବ୍ରାଆଁତ୍‍ ଓ ଡୋନ୍‌ଗାନ୍‌ ମଧ୍ୟରେ ତିକ୍ତତା ବଢ଼ିଗଲା । ସେ ବାଆଁତ୍‌ର କୌଣସି ଆଦେଶ ମାନିଲା ନାହିଁ । ଦେଖାଗଲା ଡୋନ୍‌ଗାନ୍‌, କ୍ରସ୍‍, ଓୟେବ୍‍ ଓ ଉଇଲ୍‍କକ୍ସ – ଏ ଚାରିଜଣ ସବୁବେଳେ ଏକଜୁଟ୍‌ ହୋଇ ନିଜ ଇଚ୍ଛା ଅନୁଯାୟୀ ବୁଲିଲେ । ସବୁବେଳେ କ’ଣସବୁ ଚୁପ୍‌ଚାପ୍‌ ହୋଇ କଥାଭାଷା ହେଲେ । ଏମିତି ମାସେ ଦେଢ଼ମାସ ବିତିଗଲା ।

 

ସେତେବେଳକୁ ବରଫ ତରଳି ଚାରିଆଡ଼େ ଶ୍ୟାମଳ ଦେଖାଗଲାଣି । ଦ୍ୱୀପରେ ପୁନର୍ବାର ଗ୍ରୀଷ୍ମଋତୁର ରାଜତ୍ୱ ଚାଲିଆସୁଥାଏ । ଦିନେ ବ୍ରାଆଁତ୍‍ ଗର୍ଡ଼ନ୍‍କୁ ଡାକି ପଚାରିଲା–

 

‘‘ଡୋନ୍‌ଗାନ କାହିଁକି ଏମିତି ହେଉଛି, କିଛି ବୁଝିପାରୁଛୁ ?’’

 

ଗର୍ଡ଼ନ୍‍ କହିଲା, ‘‘କେବଳ ସେ ଏକା ନୁହେଁ, ତା’ ସହିତ କ୍ରସ୍‌, ଓୟେବ୍‍, ଉଇଲ୍‌କକ୍ସ ବି ମିଶିଛନ୍ତି ।’’

 

‘‘ସେମାନଙ୍କର ମତଲବ କଅଣ ?’’

 

‘‘ସେମାନେ ବୋଧହୁଏ ଅଲଗା ରହିବାକୁ ଚେଷ୍ଟା କରୁଛନ୍ତି ।’’

 

‘‘ତାହାହେଲେ ତୁ ଦେଖ, କେବଳ ମୁଁ ଦଳପତି ହୋଇଛି ବୋଲି ସେ ଏପରି ହେଉଛି । ମୁୀଁ କହୁଛି ମୁଁ ଇସ୍ତଫା ଦେଇଦେବି, ତାକୁ ତୁମେମାନେ ଦଳପତି କରିନିଅ, ଖୁବ୍‌ ଭଲ ହେବ ।’’

 

‘‘ନା, ନା, ସେ କଥା ହେବ ନାହିଁ, ସେଇଟା ହୁଣ୍ଡାଟାଏ । ଯେ ନିଜେ ଆଇନ ମାନି ଚଳିଜାଣେନା, ସେ କ’ଣ ଆଇନ ଗଢ଼ିବ ?’’

 

‘‘ତା’ହେଲେ ତୁ କହୁଛୁ ସେମାନେ ଆମକୁ ଛାଡ଼ି ଚାଲିଯାନ୍ତୁ ।’’

 

‘‘ଯିବେ ଯଦି ଯାନ୍ତୁ; ସେମାନେ ତ ସେଥିପାଇଁ ସବୁ ବ୍ୟବସ୍ଥା କରିନେଇଛନ୍ତି, ଆମର କି ଦୋଷ ? ମୁଁ ପରା ଦେଖିଲି, ସେଦିନ ଉଇଲ୍‌କକ୍ସ ଫ୍ରାଁସୋଆଁ ବଦୋଆଁଙ୍କ ମାନଚିତ୍ରର ଗୋଟିଏ ନକଲ କରି ନେଉଥିଲା ।’’

 

ବ୍ରାଆଁତ୍‍ ବିଚରା ଦୀର୍ଘଶ୍ୱାସ ଛାଡ଼ି ବସିଲା ।

 

ଏ କଥାଭାଷାର ଦୁଇ ଚାରିଦିନ ପରର କଥା । ସେଦିନ ଅକ୍ଟୋବର ଦୁଇ ତାରିଖ, ସନ୍ଧ୍ୟାବେଳଟା ହେବ । ଖିଆପିଆ ଚାଲିଛି । ଡୋନ୍‍ଗାନ୍‌ ବ୍ରାଆଁତ୍‍କୁ କହିଲା,

 

‘‘ଆମେ ଚାରିଜଣ ଆମର ଅଲଗା ରହିବୁ ।’’

 

ବ୍ରାଆଁତ୍‍ କହିଲା, ‘‘କ’ଣ ଆମ ଏହିତ ସମ୍ପର୍କ ତୁଟାଇଦେଇ ଚାଲିଯିବ ।’’

 

‘‘ନା, ସମ୍ପର୍କ ତୁଟାଇବା କଥା ପଡ଼ିନାହିଁ । ଆମେ ଆଉ ଏଠାରେ ରହିବୁ ନାହିଁ । ଦ୍ୱୀପର ଅନ୍ୟ କେଉଁଠି ଜାଗା ଦେଖି ରହିବୁ ।’’

 

‘‘କାହିଁକି ? ଏଠି କ’ଣ ଅସୁବିଧା ହେଲା ?’’

 

‘‘ତୁ କ’ଣ ଜାଣିପାରୁନୁ । ଆମେ ଆମର ସ୍ୱାଧୀନ ଭାବରେ ରହିବାକୁ ଇଚ୍ଛା କରୁ । କାହାର ହୁକୁମ ମାନି ଚଳିବାକୁ ମତେ ଭଲଲାଗେନା ।’’

 

ତା’ହେଲେ, ମୋ ବ୍ୟବହାରରେ ତୁମେସବୁ ଅସନ୍ତୁଷ୍ଟ । ମୋ’ଠାରେ କିଛି ଦୋଷ ଦେଖୁଛୁ ବୋଲି ଏକଥା କହୁଛୁ ତ ?

 

ଆମର ବି ଦୋଷ ଥାଇପାରେ । ତେବେ ସତ କହିବାକୁ ଗଲେ ତୋର ବଡ଼ ଦୋଷ ହେଲା ଯେ ତୁ ଦଳପତି ।

 

ବ୍ରାଆଁତ୍‍ ବା ଆଉ କ’ଣ କହନ୍ତା । କିଛିସମୟ ଚୁପ୍‍ ହୋଇ ରହିବା ପରେ ସେ କହିଲା, ‘‘ବେଶ୍‌ ତା’ହେଲେ, ତୁମେ ଯଦି ଅଲଗା ରହିବାକୁ ଚାହୁଁଛ, ରହ । ମୁଁ କାହିଁକି ଆପତ୍ତି କରିବି ।’’

 

‘‘କିନ୍ତୁ ସବୁ ଜିନିଷପତ୍ରରୁ ଆମର ଭାଗଟା ଆମକୁ ଦେଇଦେବାକୁ ପଡ଼ିବ ।’’

 

‘‘ଓ; ଭାଗ ବି ନେଇଯିବ ?’’

 

‘‘ନିଶ୍ଚୟ ।’’

 

‘‘ନିଅ, କେବେ ଯାଉଛ ତୁମେମାନେ ?’’

 

‘‘କାଲି ।’’

 

ଅକ୍ଟୋବର ତିନି ତାରିଖ ଦିନ ସମ୍ପତ୍ତି ଭାଗବଣ୍ଟା ହୋଇଗଲା । ଡୋନ୍‌ଗାନ୍‌, କ୍ରସ୍‌ ଓୟେବ୍‌ ଓ ଉଇଲ୍‌କକ୍ସ ଜିନିଷପତ୍ର ଧରି ସ୍ୱାଧୀନ ଜୀବନଯାପନ ପାଇଁ ବାହାରିପଡ଼ିଲେ । ତୁମମାନଙ୍କ ମଧ୍ୟରୁ ଯେଉଁମାନେ ମନଦେଇ ଏ ଗପ ପଢ଼ୁଛ, ସେମାନେ ଭାବୁଥିବ ଚାରିଜଣଯାକ ତ ପିଲା; ଏ ଅଜ୍ଞାତ ନିର୍ଜନ ଦ୍ୱୀପରେ ଏମାନେ ଚଳିବେ କିପରି ? ରହିବେ କେଉଁଠି ଖାଇବେ କ’ଣ-

 

କିନ୍ତୁ ଡୋନ୍‌ଗାନ୍‌ ଟୋକାଟା ଭାରି ସାହସୀ, ଭାରି ବଳୁଆ । ମନେଥିବ, ସେ ଖୁବ୍‌ ସୁନ୍ଦର ବନ୍ଧୁକ ଚଳାଇଜାଣେ । ବ୍ରାଆଁତ୍‍ ପ୍ରଭୃତି ହ୍ରଦର ପୂର୍ବଦିଗରେ ଥିବା ଉପକୂଳ ଅଞ୍ଚଳରୁ ଫେରିବା ପରେ ପିଲାମାନଙ୍କୁ ପୂର୍ବ ଉପକୂଳ କଥା ବର୍ଣ୍ଣନା କରି ଶୁଣାଇଥିଲେ । ଡୋନ୍‌ଗାନ୍‌ ଶୁଣିଲା ଯେ ସେହି ପୂର୍ବଉପକୂଳରେ ସୁନ୍ଦର ସୁନ୍ଦର ଗୁହାଗୁଡ଼ାଏ ଅଛି । ସେଠାରେ ନଦୀଟାର ପାଣି ଖୁବ୍ ମିଠା ! ସେ ଜଙ୍ଗଲରେ ବହୁତ ଶିକାର ମିଳିବେ । ସେହିଦିନୁ ସେ ମନେମନେ ଠିକ୍‌ କରି ଦେଇଥାଏ ଯେ ଯଦି ଅଲଗା ରହିବାକୁ ପଡ଼େ, ତେବେ ସେ ସେହି ପୂର୍ବକୂଳର ଗୋଟାଏ ଗୁହାରେ ଯାଇ ରହିବ । ଶିକାର କରି ଖାଦ୍ୟସାମଗ୍ରୀ ପାଇଯିବ । ପାଣି ତ ଅଛି । ସମୁଦ୍ର କୂଳରେ ରହିଲେ ବି ସେ ଦିଗରେ ଯାଉଥିବା ଜାହାଜର ଠାବ କରିହେବ । ତା’ ମତରେ ଅଜ୍ଞାତ ଦ୍ୱୀପଟା ଦକ୍ଷିଣ ଆମେରିକାର ଖୁବ୍‌ ନିକଟରେ ହେବ । ଦକ୍ଷିଣ ଆମେରିକାର ହର୍ଣ୍ଣ ଅନ୍ତରୀପ ପାଖଦେଇ ବା ମାଗାଲୋନ୍‌ସ୍ ପ୍ରଣାଳୀଦେଇ ଯେଉଁସବୁ ଜାହାଜ ଚିଲି ଓ ପେରୁ ଦେଶକୁ ଯା ଆସ କରେ, ସେସବୁ ଜାହାଜ ଏହି ଦ୍ୱୀପ ପାଖଦେଇ ଯାଉଥାଇ ପାରନ୍ତି । ଡୋନ୍‌ଗାନ୍‌ ଅନ୍ୟ ତିନିଜଣଙ୍କୁ କହିଲା, ଆମେ ହ୍ରଦ କୂଳେ କୂଳେ ହୋଇ ସିଧା ଦ୍ୱୀପର ପୂର୍ବ ଉପକୂଳକୁ ଚାଲିଯିବା । ତାରି ପ୍ରସ୍ତାବ ଅନୁଯାୟୀ ଚାରିବନ୍ଧୁ ବାହାରିପଡ଼ିଲେ । ବାଟରେ ବଣହଂସ ମାରି ତା’ର ମାଂସ ପୋଡ଼ି ଖାଆନ୍ତି । ରାତିରେ ଶୋଇଲାବେଳେ ଜଣେ ଜଣେ ପାଳି କରି ପହରା ଦିଅନ୍ତି ।

 

ସପ୍ତାହକ ଭିତରେ ଡୋନ୍‍ଗାନ୍‌ର ଦଳ ଆସି ପୂର୍ବ ଉପକୂଳରେ ପହଞ୍ଚିଗଲେ । ସେ ଅଞ୍ଚଳରେ ବୋହି ଯାଉଥିବା ପୂର୍ବ କଥିତ ନଦୀ କୂଳରେ ଡୋନ୍‌ଗାନ୍‌ ଗୋଟିଏ ଗୁହା ବାଛି ଠିକ୍‌ କଲା ଯେ ସେମାନେ ସେଇଠି ରହିବେ । ସୁନ୍ଦର କଳା ପଥରର ଗୁହାଟିଏ । ତଳେ ମୁସ୍‌ ମୁସ୍‌ ହଳଦିଆ ବାଲି । ଆଖପାଖରେ ଆହୁରି କେତେଗୁଡ଼ିଏ ଛୋଟ ଗୁହା ଥାଏ । ଡୋନ୍‌ଗାନ୍‌ ଭାବିଲା ସେଗୁଡ଼ାକ ଭବିଷ୍ୟତରେ କାମରେ ଲାଗିପାରେ ।

 

ସେଠାରେ ଦିନେ ଓଳିଏ କଟାଇବା ପରେ ଚାରିବନ୍ଧୁ ଭାବିଲେ ଜିନିଷପେତ୍ର ସବୁ ଗୁହାରେ ରଖିଦେଇ ସମୁଦ୍ର କୂଳେକୂଳେ କିଛି ବାଟ ଯାଇ ଦୁଇଚାରିଦିନ ବୁଲି ଆସନ୍ତେ । କିଏ କହିବ, ଆଖିରେ କିଛି ନୂଆ କଥା ପଡ଼ିପାରେ । ଚିନ୍ତାନୁରୂପ କର୍ମ । ଚାରିବନ୍ଧୁ ଦୁଇଚାରିଦିନ ଚଳିବା ଭଳି ଜିନିଷପତ୍ର ଧରି ଉପକୂଳ ଅଭିଯାନରେ ବାହାରିପଡ଼ିଲେ ।

 

ନାନା ଖୁସିଗପ, ନାନାପ୍ରକାର ମଜାତାମସା କରି ଚାଲିଥାନ୍ତି ପିଲାମାନେ । କେଉଁଠି ନୂଆ ଚଢ଼େଇଟା ବା କେଉଁଠି ନୂଆ ଗଛଟାଏ ଦେଖିଲେ ସେଠାରେ ଅଧଘଣ୍ଟା କଟିଯାଏ । ସେଦିନ ତିନିଟାବେଳକୁ ଟୋକାଗୁଡ଼ାକ କ୍ଳାନ୍ତ ହୋଇପଡ଼ିଲେ । ସେତିକିବେଳେ ଗୋଟିଏ ଛୋଟ ନଦୀ ପଡ଼ିଲା । ନଦୀକୂଳେ ବସି ଟିକିଏ ବିଶ୍ରାମ ନେଉଛନ୍ତି । ହଠାତ୍‌ ଦେଖାଗଲା ଏକ ଅଦ୍ଭୁତ ଜୀବ ଗୋଟାଏ ଗଛପାଖରେ ବୁଲୁଛି, ବନ୍ଧୁକ ନେଇ ସମସ୍ତେ ସେଇଆଡ଼େ ଦଉଡ଼ିଗଲେ । କିନ୍ତୁ ଟିକିଏ ପାଖକୁ ଯାଇ ଦେଖନ୍ତି ତ ସେ ଏକ ପ୍ରକାଣ୍ଡ ଗଣ୍ଡା । ସେମାନେ ଚିଡ଼ିଆଖାନାରେ ଗଣ୍ଡା ଦେଖିଥିଲେ-। ଜଙ୍ଗଲର ଗଣ୍ଡା ତା’ଠାରୁ ଖୁବ୍‌ ବଡ଼ । ଗଣ୍ଡାଟା ନଦୀକୂଳରେ ବୁଲୁଛି । ଟିକିଏ ଅପେକ୍ଷାକରି ସମସ୍ତେ ଏକାସାଙ୍ଗରେ ଚଣ୍ଡାଟାକୁ ଗୁଳି କଲେ । ତା’ ଦେହରେ ଚାରିଟାଯାକ ଗୁଳି ବାଜିଥିବ-। କିନ୍ତୁ ତା’ ସତ୍ତ୍ୱେ ଗଣ୍ଡାଟା ଧଇଁ ସଇଁ ଜଙ୍ଗଲ ଭିତରକୁ ପଳାଇଲା ।

 

ଡୋନ୍‌ଗାନ୍‌ କହିଲା । ‘‘ଦେଖିଲ, ବୁଲି ଆସିନଥିଲେ ଗଣ୍ଡା ଦେଖିଥାନ୍ତ ନା ? ଆଚ୍ଛା, ତୁମେ କିଏସେ ସେ ଗଣ୍ଡାଟାର ମୁଣ୍ଡରେ ଶିଙ୍ଗ ଦେଖିଲ ?’’

 

‘‘ନା ତ, ତା’ ମୁଣ୍ଡରେ ଶିଙ୍ଗ ନାହିଁ ।’’

 

‘‘ହଁ; ସେଇଟା ଅସଲ ଗଣ୍ଡା ନୁହେଁ । ଆମ ଭୂଗୋଳ ଶିକ୍ଷକ କହୁଥିଲେ ଦକ୍ଷିଣ ଆମେରିକାର ନଈକୂଳମାନଙ୍କରେ ଏଭଳି ଗଣ୍ଡା ଦେଖାଯାନ୍ତି । ଏଗୁଡ଼ାକୁ ସେ ଦେଶର ଟ୍ୟାପିର୍ କହନ୍ତି ।’’

 

‘‘ତା’ହେଲେ ଦ୍ୱୀପଟା ନିଶ୍ଚୟ ଦକ୍ଷିଣ ଆମେରିକା ପାଖରେ ଅଛି । ନା କ’ଣ ?’’ କ୍ରସ୍‍ କହିଲା, ମୁଁ ତ ସେୟା ଭାବୁଛି । ଆଜି ଏଇଠି ବିଶ୍ରାମ ନେବା । କାଲିକି ଆହୁରି କିଛିଦୂର ଯାଇ ତା’ପରେ ଗୁହାକୁ ଫେରିବା,’’–ଡୋନ୍‍ଗାନ୍‍ ପ୍ରସ୍ତାବ ଦେଲା ।

 

ତା’ ପରଦିନ ସକାଳୁ ସମୁଦ୍ରକୂଳ ଧରି ଚାରିବନ୍ଧୁ ଆଗେଇ ଚାଲିଲେ । କିନ୍ତୁ ପାଗ ସେଦିନ ଖରାପ । ଆକାଶରେ ମେଘ । ସୂର୍ଯ୍ୟ ମୋଟେ ଦେଖାଗଲେନି । ଦିନ ଦଶଟାବେଳକୁ ଝଡ଼ପବନ ମାଡ଼ିଆସିଲା । ଝଡ଼ପବନ ଭିତରେ ଆଉ ଆଗକୁ ଯାଇହେଲା ନହିଁ । ବାଧ୍ୟ ହୋଇ ସେମାନେ ଫେରିଲେ । ଚାଲୁଚାଲୁ ସନ୍ଧ୍ୟା ହୋଇଗଲା ଏବଂ ଠିକ୍ ସନ୍ଧ୍ୟାବେଳକୁ ଝଡ଼ ସାଥିରେ ଯୋଗଦେଲା ପ୍ରଚଣ୍ଡ ବର୍ଷା । ବର୍ଷା, ବିଜୁଳି ଆଉ ଝଡ଼ପବନ ତିନିହେଁ ଗୋଟାଏ ପ୍ରତିଯୋଗିତା ଆରମ୍ଭ କରିଦେଲେ । ଜଳ କିଏ ସ୍ଥଳ କିଏ କିଛି ବାରିହେଲା ନାହିଁ । କୂଳ ଗୋଟାଯାକ ଫେରେ ଗୋଡ଼ି ପଥରରେ ପୂର୍ଣ୍ଣ । ପିଲା ଚାରିଟା ବଡ଼ ହଇରାଣରେ ପଡ଼ିଲେ ।

 

କୌଣସିମତେ ଆଗେଇ ଚାଲିଛନ୍ତି, ଏତିକିବେଳେ ଗୋଟାଏ ବଡ଼ ବିଜୁଳି ମାରିଦେଲା । ବିଜୁଳି ମାରିଦେବା ସଙ୍ଗେସଙ୍ଗେ ଉଇଲ୍‍କକ୍ସ ସମୁଦ୍ର କୂଳରେ କ’ଣ ଗୋଟାଏ ଦେଖି ଭୟରେ ଚିତ୍କାର କରିଉଠିଲା । ସମସ୍ତେ ବ୍ୟସ୍ତହୋଇ ତାକୁ ପଚାରିଲେ । ‘‘କିରେ କ’ଣ ଦେଖିଲୁ କିରେ ?’’

 

‘‘ଭାଇ, ସମୁଦ୍ର ଭିତରୁ କ’ଣ ଗୋଟାଏ ମସ୍ତବଡ଼ ଜନ୍ତୁ ଆମରି ଆଡ଼କୁ ମାଡ଼ିଆସୁଛି । ଖାଇଲାଲୋ ମୋ ବୋଉ ?’’ କହି ସେ ବିଚରା ଡେଇଁପଡ଼ିଲା । ସେତିକିବେଳେ ଆଉ ଗୋଟାଏ ବିଜୁଳି ମାରି ଦେଇଥାଏ । ବିଜୁଳି ଆଲୁଅରେ ପିଲାମାନେ ଦେଖିବାକୁ ପାଇଲେ ସତକୁ ସତ କ’ଣ ଗୋଟାଏ କଳା ହୋଇ ମସ୍ତବଡ଼ ଜନ୍ତୁ ସେମାନଙ୍କଆଡ଼କୁ ଆଗେଇ ଆସୁଛି । ଆତଙ୍କରେ ସମସ୍ତଙ୍କର ଛାତି ଥରି ଉଠିଲା । କିଛିସମୟ ପାଇଁ ସମସ୍ତେ ପଥର ପରି ଠିଆହୋଇଗଲେ । କାହାରି ପାଟିରୁ ପଦେ କଥା ବାହାରିଲା ନାହିଁ । ପୁଣି ଗୋଟାଏ ବିଜୁଳି ମାରିଦେଲା । ସେତିକିବେଳେ ଡୋନ୍‌ଗାନ୍‌ ପାଟିକରିଉଠିଲା, ‘‘ହେଇଟି ତ ସେଇଟା । ଆଗେ ଯେଉଁଠି ଥିଲା ବର୍ତ୍ତମାନ ବି ସେଇଠି ଅଛି । ଜନ୍ତୁ ନା ଆଉ କଣରେ ?’’

 

କ୍ରସ୍‌ କହିଲା, ‘‘ଟିକିଏ ପାଖକୁ ଯାଇ ଦେଖିବା କି ?’’

 

ଡୋନ୍‌ଗାନ୍‌ କହିଲା, ‘‘ଚୁାଲୁନା, ଆସରେ ।’’

 

ଭୟରେ ସଂଶୟରେ ପାଦକାଢ଼ି ଆଗକୁ ଚାଲିଲେ ସମସ୍ତେ । ଘନ ଘନ ବିଜୁଳି ମାରୁଥାଏ । ବିଜୁଳି ଆଲୁଅରେ ଦେଖାଗଲା ସେମାନେ ଯାହାକୁ ଜନ୍ତୁ ବୋଲି ସନ୍ଦେହ କରୁଥିଲେ ତାହା କୌଣସି ଜନ୍ତୁ ନୁହେଁ, ଗୋଟାଏ ଡଙ୍ଗା !!

 

ଏ ନିର୍ଜନ ଦ୍ୱୀପରେ ଡଙ୍ଗାଟାଏ ପୁଣ ଆସିଲା କେଉଁଠୁ ? ଏ ଝଡ଼ତୋଫାନରେ ସମୁଦ୍ରରେ କେଉଁଠି ଜାହାଜ ବୁଡ଼ିଗଲା କି, ନ ହେଲେ ଆଉ ଡଙ୍ଗା ଆସିବ କେଉଁଠୁ ?

 

ପିଲାମାନେ ଡଙ୍ଗାର ଖୁବ୍‌ ପାଖକୁ ଚାଲିଆସିଲେ । ଘନ ଅନ୍ଧାର ଭିତରେ ଡଙ୍ଗାଟା ଭଲଭାବେ ଦେଖି ହେଉନଥାଏ । ଭଲ ବିଜୁଳିଟାଏ ମାରିଲେ ଡଙ୍ଗାଟାକୁ ଭଲଭାବେ ଦେଖିବା ପାଇଁ ସେମାନେ ଟିକିଏ ଅପେକ୍ଷା କଲେ । ହଠାତ୍‌ ଗୋଟାଏ ଭୀଷଣ ଘଡ଼ଘଡ଼ି ମାରି ଆକାଶ କମ୍ପାଇଦେଲ। । ଭୟରେ ପିଲାଙ୍କ ଦେହ ଥରିଉଠିଲା, ଘଡ଼ଘଡ଼ିଟା ସେହି ପାଖରେ କେଉଁଠି ପଡ଼ିଲା ବୋଧହୁଏ ଏବଂ ଠିକ୍‌ ତାରିପରେ ଆକାଶକୁ ଝଲସାଇଦେଇ ଖେଳିଗଲା ଗୋଟିଏ ଉଜ୍ଜ୍ୱଳ ବିଜୁଳି ।

 

ବିଜୁଳି ଆଲୁଅରେ ପିଲାମାନେ ଦେଖିଲେ ଡଙ୍ଗା ଭିତରେ ପଡ଼ିଛି ଦୁଇଟା ମୁର୍ଦ୍ଦାର–ଦୁଇଜଣ ମଲା ମଣିଷ । କି ବିଭତ୍ସ, ଭୟାବହ ଦୃଶ୍ୟ ।

 

ସେ ଦୃଶ୍ୟ ଦେଖିବା ପରେ ପିଲାମାନେ ଆଉ ସେଠାରେ ରହନ୍ତେନା ! ଚାରିଜଣଯାକ ପିଲା ପ୍ରାଣବିକଳରେ ଦୌଡ଼ି ପଳାଇଲେ ।

Image

 

ଅଜ୍ଞାତ ଦ୍ୱୀପର ନୂତନ ଆଗନ୍ତୁକ

 

ଖୋଲା ଆକାଶ ତଳେ ରାତିଟା ବଡ଼ କଲବଲରେ କଟିଲା । ଏପରି ବିପଦ ପଡ଼ିବ ବୋଲି ଡୋନ୍‌ଗାନ୍‌ ମୋଟେ ଭାବିନଥିଲା । ଯାହାହେଉ ରାତି ଶେଷକୁ ଆସ୍ତେ ଆସ୍ତେ ଝଡ଼ବର୍ଷା କମିଲା । ପୂର୍ବଦିଗରେ ସିନ୍ଦୂରା ଫାଟିଲା । ମେଘୁଆ ଆକାଶ ଭିତରୁ ସୂର୍ଯ୍ୟଙ୍କର ଆଲୋକ ଟିକିଏ ଟିକିଏ ଝରିବାକୁ ଲାଗିଲା । ଏଥର ଗୁହାକୁ ଫେରିବା କଥା । ଗୁହାଟା ତ ବେଶି ଦୂରରେ ନୁହେଁ ।

 

ଫେରିବା ପୂର୍ବରୁ ଡୋନ୍‌ଗାନ୍‌ କହିଲା, ‘‘ଚାଲ ଡଙ୍ଗାରେ ଥିବା ସେହି ମୁର୍ଦ୍ଦାର ଦି’ଟା ଆଉଥରେ ଦେଖି ଆସିବା ।’’ ଚାରିଜଣ ମିଶି ପୁଣି ସେହି ଡଙ୍ଗା ପାଖକୁ ଆସିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଡଙ୍ଗାଟା ଯେଉଁଠି ପଡ଼ିଥିଲା ସେଇଠି ପଡ଼ିଛି । କିନ୍ତୁ ତା’ ଭିତରେ ସେହି ମୁର୍ଦ୍ଦାର ଦି’ଟା ଆଉ ନାହିଁ । ମୁର୍ଦ୍ଦାର ଦି’ଟା ଗଲା କୁଆଡ଼େ । କ’ଣ ରାତାରାତି ଆସି କିଏସେ ନେଇଗଲା ?

 

ପିଲାମାନେ ଆଖପାଖ ସବୁ ଖୋଜିପକାଇଲେ । ଡଙ୍ଗାତଳେ ବି ଟିକିଏ ଦେଖିନେଲେ-। କିନ୍ତୁ ନା । ମଲା ମଣିଷ ଦୁଇଟା ଆଉ ନାହିଁ ।

 

ଉଇଲ୍‌କକ୍ସ ପଚାରିଲା, ‘‘ଲୋକ ଦୁଇଟା ବଞ୍ଚିଗଲେ କିରେ ? ରାତାରାତି ଉଠି ଚାଲିଗଲେ ?’’ ଓଏବ୍ କହିଲା, ସେକଥା କିଏ କହିବ ।’’

 

ଡୋନ୍‌ଗାନ୍‌ କହିଲା, ‘‘ବଞ୍ଚିଥିଲେ ଏ ଝଡ଼ ବରଷାରେ ସେମାନେ ଶୋଇଥାନ୍ତେ ନା ! ସେମାନେ ବଞ୍ଚିନଥିଲେ; ମୁର୍ଦ୍ଦାର ଦି’ଟା । ମୁଁ ଭାବୁଛି ସମୁଦ୍ର ଲହରୀରେ ଭାସିଗଲେ । କାଲି ରାତିର ଲହରୀ ଦେଖିଛଟି ?’’

 

ସଙ୍ଗେ ସଙ୍ଗେ ଦୂରବୀକ୍ଷଣଯନ୍ତ୍ର ବାହାର କରି ସମୁଦ୍ରକୁ ଓ ସମୁଦ୍ର କୂଳକୁ ପରୀକ୍ଷା କରାଗଲା । କିନ୍ତୁ କାହିଁ ? କେଉଁଠି ହେଲେ ତ ମୁର୍ଦ୍ଦାର ଭାସୁ ନାହିଁ !

 

ପିଲାଙ୍କ ମନରେ ନାନା ସନ୍ଦେହ ଦେଖାଦେଲା । ପୁଣି ଆସି ଡଙ୍ଗାକୁ ଭଲକରି ଖୋଜିଲେ । ଡଙ୍ଗା ଭିତରେ ପଡ଼ିଥାଏ ପୁଳାଏ ଛିଣ୍ଡାପାଲ ଏବଂ ଗୋଛାଏ ମୋଟା ଦଉଡ଼ି, ଖୁବ୍‌ ବଡ଼ ଡଙ୍ଗାଟା । ମଜବୁତ୍‌ ବି । ନିଶ୍ଚୟ କୌଣସି ଜାହାଜର ସ୍ଳୁଇସ୍‌ ଡଙ୍ଗା ହେବ । ପରୀକ୍ଷା କରୁକରୁ ଦେଖାଗଲା ଡଙ୍ଗାର ଗୋଟାଏ ପାଖରେ ପଟାଉପରେ ଗଣ୍ଡେ ପିତ୍ତଳ ପାତ ମରାଯାଇଛି, ତା’ ଉପରେ ଖୋଦେଇ ହୋଇ ଲେଖାଯାଇଛି । ‘‘ସେଭାର୍ଣ୍ଣ,–ସାନ୍‌ଫ୍ରାନ୍‍ସିସ୍କୋ ।’’

 

ସାନ୍‍ଫ୍ରାନ୍‌ସିସ୍କୋ ହେଲା ଆମେରିକାର କାଲିଫୋର୍ଣ୍ଣିଆ ଦେଶର ରାଜଧାନୀ; ଗୋଟିଏ ବିଖ୍ୟାତ ବନ୍ଦର । ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ଡଙ୍ଗାଟା ସେଭାର୍ଣ୍ଣ ନାମକ କୌଣସି ଜାହାଜର ଡଙ୍ଗା ଏବଂ ଜାହାଜଟା ଆମେରିକାର ଜାହାଜ । କିନ୍ତୁ କାହିଁ ? ଜାହାଜ କାହିଁ ? ଚାରିଆଡ଼େ ଖାଲି ନୀଳ ଜଳରାଶି ଧୁଧୁ ହୋଇ ଗର୍ଜନ କରୁଛି । ସମୁଦ୍ରରେ ତ କାହିଁ କେଉଁଠି ଜାହାଜର ଚିହ୍ନବର୍ଣ୍ଣ ନାହିଁ !!

 

+ + + +

 

ଏଣେ ଡୋନ୍‍ଗାନ୍‌ ଦଳଛାଡ଼ି ଆସିବା ପରଠାରୁ ବ୍ରାଆଁତ୍‍ ବିଚରାର ମନ ଫିକା ପଡ଼ିଯାଇଥାଏ । ଅନ୍ୟ କାହାରି ମନରେ ବି ସୁଖ ନାହିଁ । ଡୋନ୍‌ଗାନ୍ କେବେ ଫେରିଆସିବ....ସେଥିପାଇଁ ସମସ୍ତେ ଚାହିଁ ବସିଛନ୍ତି ।

 

ଦିନେ ବ୍ରାଆଁତ୍‍ ମନରେ ଗୋଟାଏ ବୁଦ୍ଧି ପଶିଲା । ସେ କହିଲା, ଆମ ପାଖରେ ତ ଦଉଡ଼ାର ଅଭାବ ନାହିଁ । ଗୋଟାଏ ମସ୍ତବଡ଼ ଘୁଡ଼ି ତିଆରି କରି ସେଇଟାକୁ ଉଡ଼ାଇବା । ଘୁଡ଼ିଟା ଖୁବ୍‌ ଉଚ୍ଚରେ ଉଡ଼ିଲେ ପଚାଶ ଷାଠିଏ ମାଇଲ ଦୂରଯାଏ ଦେଖାଯିବ । ଯଦି ସମୁଦ୍ରରେ ଯାଇଥିବା କୌଣସି ଜାହାଜ ଘୁଡ଼ିଟା ଦେଖିବାକୁ ପାଏ ତେବେ ସେ ଜାହାଜ ନିଶ୍ଚୟ ଏ ଦ୍ୱୀପକୁ ଆସିବ । ଆମର ମୁକ୍ତିର ପଥ ଖୋଲିଯିବ ।

 

କଥାଟା ପିଲାଙ୍କ ମନକୁ ପାଇଲା । ବଣରୁ କିଛି ବେତ ଅଣାଗଲା । ପିଲାଏ ବାଉଁଶ ପାତି ଓ ରଙ୍ଗିନ କାଗଜରେ ଘୁଡ଼ି ଅର୍ଥାତ ପତାଙ୍ଗି ବା ଚକି, ଇଂରାଜୀରେ ତାକୁ କହନ୍ତି Kite, ତିଆରି କରି ସୂତା ସାହାଯ୍ୟରେ ଘୁଡ଼ି ଉଡ଼ାନ୍ତି । କିନ୍ତୁ ବାଉଁଶପାତି ଓ କାଗଜର ଘୁଡ଼ି ଏପରି କେତେ ବଡ଼ଟାଏ ହେବଯେ ପିଲାଏ କରନ୍ତେ । ବେତ ଓ ଭଲ କ୍ୟାନ୍‍ଭାସ୍‍ କନା ଦେଇ ଗୋଟାଏ ମସ୍ତବଡ଼ ଘୁଡ଼ି ତିଆରି କରାଗଲା; କିନ୍ତୁ ଦୁଇ ତିନିଦିନ ପର୍ଯ୍ୟନ୍ତ ଝଡ଼ତୋଫାନ ଲାଗି ରହିବାକୁ ଘୁଡ଼ିଟାକୁ ଆଉ ଉଡ଼ାଇହେଲା ନାହିଁ । ଡୋନ୍‌ଗାନ୍‍ ପ୍ରଭୃତି ଯେଉଁ ଝଡ଼ବର୍ଷା ଖାଇଥିଲେ ଏଇଟା ହେଲା ସେଇ ଝଡ଼-। ଯାହାହେଉ ଯେଉଁଦିନ ଝଡ଼ବର୍ଷା ବନ୍ଦହୋଇ ଭଲକରି ସୂର୍ଯ୍ୟ କିରଣ ପଡ଼ିଲା ସେଦିନ ଘୁଡ଼ିଟାକୁ ବାହାରକୁ କଢ଼ାଗଲା । ଗୁହାଠାରୁ କିଛି ଦୂରରେ ହ୍ରଦ ପାଖକୁ ଲାଗି ଖୋଲାପଡ଼ିଆ ପଡ଼ିଥାଏ-। ସେଠାରେ ଜାହାଜର ଗୋଟାଏ ଚକ ପୋତିଦିଆଗଲା, ଚକ ଦେହରେ ଘୁଡ଼ି ଉଡ଼ାଇବା ମୋଟା ସୂତାର ଗୋଟାଏ ମଙ୍ଗ ବାନ୍ଧି ଦିଆଗଲା । ଆର ମଙ୍ଗଟା ଘୁଡ଼ିରେ ବନ୍ଧାଗଲା । ଗର୍ଡ଼ନ୍‍ ଓ ବକ୍‌ସ୍‍ଟାର ଘୁଡ଼ିଧରି କିଛି ଦୂରରେ ଠିଆହେଲେ । ଏଣେ ବ୍ରାଆଁତ୍ ଚକ ପାଖରେ ଦଉଡ଼ା ଧରି ଠିଆହେଲା । ସୁନ୍ଦର ପବନ ହେଉଥାଏ, ବ୍ରାଆଁତ୍‍ କହିବାମାତ୍ରେ ଅନ୍ୟମାନେ ଘୁଡ଼ି ଛାଡ଼ିଦେବା କଥା । କିନ୍ତୁ ଠିକ୍‌ ଘୁଡ଼ି ଛାଡ଼ିଦେବାବେଳକୁ ଫ୍ୟାନ୍‌ କାହିଁକି ଗୋଟାଏ ଗଛ ପାଖକୁ ଯାଇ ବାରମ୍ବାର ଭୁକି ଉଠିଲା । ପିଲାମାନେ ଫ୍ୟାନ୍‍କୁ କେତେ ଡାକିଲେ କିନ୍ତୁ କୁକୁରଟା ଭୁକିବା ବନ୍ଦ କଲା ନାହିଁ ।

 

କଥା କ’ଣ ? କୁକୁରଟା କାହିଁକି ଏମିତି ଭୁକୁଚି ? କେଉଁଠି କ’ଣ ଦେଖିଲା ନା କ’ଣ ? ପିଲାମାନେ ଘୁଡ଼ିଉଡ଼ା ବନ୍ଦକରି ବନ୍ଧୁକ ନେଇ କୁକୁର ପାଖରୁ ଦୌଡ଼ି ଆସିଲେ । ପିଲାମାନେ ପାଖକୁ ଆସିବାରୁ କୁକୁରଟା ନିକଟସ୍ଥ ଗୋଟାଏ ଗହଳିଆ ବୁଦା ପାଖକୁ ଯାଇ ଭୁକିଲା । ବୁଦା ଭିତରକୁ ଚାହିଁଦେଇ ପିଲାମାନେ ଚମକିଉଠିଲେ–ବୁଦା ପାଖରେ ପଡ଼ିଥିଲେ ଜଣେ ସ୍ତ୍ରୀଲୋକ । ତାଙ୍କର ବେଶଭୂଷା ଦେଖି ମନେହେଲା ସେ କୌଣସି ପାଶ୍ଚାତ୍ୟ ଦେଶର ଲୋକ ।

 

ଏତେଦିନ ପରେ ଏହି ଅଜ୍ଞାତଦ୍ୱୀପରେ ଗୋଟାଏ ମନୁଷ୍ୟ ଦେଖି ପିଲାମାନଙ୍କ ମନ ଯାହା ହୋଇଥିବ ତାହା କହିବା ନିଷ୍ପ୍ରୟୋଜନ । ବ୍ରାଆଁତ୍‍ ଓ ଗର୍ଡ଼ନ୍‍ ସ୍ତ୍ରୀଲୋକଟି ପାଖରେ ବସି ତାଙ୍କର ନାଡ଼ି ଓ ନିଶ୍ୱାସ ପ୍ରଶ୍ୱାସ ପରୀକ୍ଷା କଲେ । ନାଡ଼ି ଅତି କ୍ଷୀଣ । କେତେବେଳେ କିମିତି ନିଶ୍ୱାସ ଟିକିଏ ମାରୁଥାନ୍ତି । ପିଲାମାନେ ଆଉ କାଳବିଳମ୍ବ ନକରି ସ୍ତ୍ରୀଲୋକଟିକୁ ଧରାଧରି କରି ଗୁହାଭିତରକୁ ନେଇଆସିଲେ ।

Image

 

କେଟ୍‌ ମାଉସୀ

 

ସ୍ତ୍ରୀଲୋକ ଜଣକୁ ସଚେତ କରାଇବାଲାଗି ପିଲାମାନେ ପ୍ରାଣପଣେ ଲାଗିଗଲେ । କିଏସେ ପଙ୍ଖାକଲା, କିଏସେ ପାଣି ଛିଞ୍ଚିଲା, କିଏସେ ଦେହ ମୁଣ୍ଡ ଆଉଁସି ଦେଲା । କିଛିସମୟ ପରେ ତାଙ୍କର ସଂଜ୍ଞା ଫେରିଆସିଲା । ସେ ଟିକିଏ ସୁସ୍ଥହୋଇ ବସିଲେ । ଟିକିଏ କଫି ଖାଇଲେ । ଜୀବନ ଫେରପାଇଥିବାରୁ ପିଲାମାନଙ୍କୁ ଖୁବ୍‌ ପ୍ରଶଂସା କଲେ । ଏତେଦିନ ପରେ ନିଜ ମଧ୍ୟରେ ଜଣେ ବୟସ୍କ ଲୋକଙ୍କୁ ପାଇ ପିଲାମାନେ ବି ଖୁବ୍‍ ଖୁସିହେଲେ ।

 

ସନ୍ଧ୍ୟାବେଳେ ସମସ୍ତେ ଏକାଠି ହୋଇ ଖାଇବସିଲେ । ଖାଉ ଖାଉ ଭଦ୍ରମହିଳା ଜଣକ ନିଜର କାହାଣୀ ଶୁଣାଇଲେ । ତାଙ୍କ କଥାର ସାରାଂଶ ତଳେ ଦିଆଗଲା–

 

ସେ ହେଲେ ଆମେରିକାର ଜଣେ ଭଦ୍ରମହିଳା । ତାଙ୍କର ପୂର୍ଣ୍ଣ ନାମ କ୍ୟାଥାରିନ୍‌ ରେଡ଼ି; କିନ୍ତୁ ତାଙ୍କୁ ସମସ୍ତେ କେଟ୍‌ ବୋଲି ଡାକନ୍ତି । ସାନ୍‌ଫ୍ରାନ୍‌ସିସ୍କୋ ବନ୍ଦରରୁ ସେଭାର୍ଣ୍ଣ ନାମକ ଗୋଟିଏ ଜାହାଜରେ ବସି ସେ ଚିଲି ଦେଶକୁ ଯାଉଥିଲେ । ଜାହାଜରେ ବହୁତ ଯାତ୍ରୀ ଥିଲେ । ପ୍ରଥମେ କିଛିଦିନ ଜଳଯାତ୍ରାଟା ବଡ଼ ଆନନ୍ଦରେ କଟିଗଲା । କିନ୍ତୁ ହଠାତ୍‌ ଦିନେ ମଝି ଦରିଆରେ ଗୋଟିଏ ଭୟାନକ ଘଟଣା ଘଟିଗଲା । ଜାହାଜର କେତେ ଜଣ ବିପ୍ଳବୀ ନାବିକ ହଠାତ୍‌ କ୍ୟାପ୍‌ଟେନ୍‍ଙ୍କୁ ଆକ୍ରମଣ କରି ପ୍ରାଣରେ ମାରିଦେଲେ । ଓ୍ୱାଲଷ୍ଟୋନ୍‌ ନାମକ ଜଣେ ନାବିକ ବିପ୍ଳବୀମାନଙ୍କର ନେତା । ତା’ ସହିତ, ବ୍ରାଣ୍ଡ୍‌, ରକ୍‌, ହେନେଲି, କୁକ୍‌, ଫର୍ବସ୍‌, କୋପ୍‌ ଓ ପାଇକ୍‌ ନାମକ ସାତଜଣ ନାବିକ ମିଶିଥାନ୍ତି । ଲୋକଗୁଡ଼ାକ ଦେଖିବାକୁ ଗୋଟାଏ ଗୋଟାଏ ରାକ୍ଷସ ଭଳିଆ । ଦେହରେ ଅମାପ ବଳ । ସ୍ୱଭାବ ଠିକ୍‌ ପିଶାଚ ପରି । ନରହନ୍ତାଗୁଡ଼ାକ । ଏଗୁଡ଼ାକ ପୂର୍ବରୁ ଜଳଦସ୍ୟୁ ଥିଲେ । କୌଣସିମତେ ସେମାନେ ଜାହାଜରେ ନାବିକରୂପେ କାମ ପାଇଯାଇଥିଲେ । କପ୍ତାନଙ୍କୁ ହତ୍ୟା କରିବାପରେ ସମଗ୍ର ଜାହାଜଟା ସେମାନଙ୍କର ହସ୍ତଗତ ହୋଇଗଲା । ପରେ ପରେ ସେମାନଙ୍କ ଜାହାଜରେ ଅନ୍ୟାନ୍ୟ କର୍ମଚାରୀ ଓ ଯାତ୍ରୀମାନଙ୍କୁ ହତ୍ୟାକରି ସେମାନଙ୍କର ସବୁ ଧନରତ୍ନ ଲୁଟିନେଲେ । କେବଳ କେଟ୍‌ ଓ ଜାହାଜର ପ୍ରଧାନ ମେଟ୍‌ ଇଭାନ୍‌ସ୍‍ଙ୍କୁ ନମାରି ଛାଡ଼ି ଦେଇଥାନ୍ତି । ଇଭାନ୍‌ସ୍‍ଙ୍କୁ ନମାରିବାର କାରଣ ହେଲା ଦସ୍ୟୁମାନଙ୍କ ମଧ୍ୟରୁ କାହାରିକୁ ଜାହାଜ ଚଳାଇବା ଜଣାନାହିଁ । ଇଭାନ୍‌ସ୍‌ ନଥିଲେ ମଝି ଦରିଆରେ ଜାହାଜଟାକୁ ନେଇ ସେମାନେ ଯିବେ କେଉଁଠିକି-? ଯେତେଦୂର ମନେହେଲା, ସେମାନଙ୍କର ଗନ୍ତବ୍ୟ ସ୍ଥାନରେ ଜାହାଜ ପହଞ୍ଚିବା ପରେ ପରେ ସେମାନେ ଇଭାନ୍‌ସ୍‌ ଓ କେଟ୍‌ଙ୍କୁ ହତ୍ୟା କରିବେ ।

 

ସେମାନେ ଇଭାନ୍‌ସ୍‌ଙ୍କୁ ହୁକୁମ ଦେଲେ ଯେ ଜାହାଜଟାକୁ ନେଇ ସେ ଦକ୍ଷିଣ ଆମେରିକା ବଦଳରେ ଦକ୍ଷିଣ ଆଫ୍ରିକାକୁ ଚାଲନ୍ତୁ । ସେମାନେ ଦକ୍ଷିଣ ଆଫ୍ରିକାରେ କ୍ରୀତଦାସ ବ୍ୟବସାୟ କରିବେ । ଇଭାନ୍‌ସ୍‌ ବିଚରା କରିବେ କ’ଣ । ହୁକୁମ ନମାନିଲେ ପ୍ରାଣ ଯିବ । ଜାହାଜ ଚାଲିଥାଏ । ହଠାତ୍‌ କ’ଣହେଲା କେଜାଣି ଜାହାଜରେ ନିଆଁ ଲାଗିଗଲା । ଖୋଲା ସମୁଦ୍ରରେ ଯେଉଁ ପବନ, ସେଥିରେ ଆଉ ସେ ନିଆଁ ଜମା ଲିଭିଲା ନାହିଁ । ନରହନ୍ତାଗୁଡ଼ାକଙ୍କର ସବୁ ଯୋଜନା ମାଟିରେ ମିଶିଗଲା । ବାଧ୍ୟହୋଇ ସେମାନେ ଜାହାଜରେ ଥିବା ଗୋଟାଏ ବଡ଼ ଡଙ୍ଗାରେ ବସି ଜାହାଜ ଛାଡ଼ି ଚାଳିଯିବାକୁ ବ୍ୟବସ୍ଥା କଲେ । ବନ୍ଧୁକ, ଗୁଳାବାରୁଦ, ବହୁତ କିଛି ଲୁଗାପଟା ଓ ଖାଦ୍ୟ ଜିନିଷ ଆଣି ଡଙ୍ଗାରେ ବୋଝେଇ କରାଗଲା । ନିଆଁ ତେଣେ ମାଡ଼ି ଆସୁଥାଏ ହୁହୁ ହୋଇ । କେଟ୍‌ ଓ ଇଭାନ୍‌ସ୍‌ ଆସି ପ୍ରଥମେ ଡଙ୍ଗାରେ ଚଢ଼ିଗଲେ । ତା’ପରେ ନାବିକମାନେ ଜଣଜଣ ହୋଇ ଡଙ୍ଗାକୁ ଓହ୍ଲାଇଲେ । ଓହ୍ଲାଉ ଓହ୍ଲାଉ ହେନ୍‌ଲି ନାମକ ନାବିକଟାଏ ପାଣିରେ ଖସିଗଲା । ଏତିକିବେଳେ ତାକୁ ଆଉ ରକ୍ଷା କରୁଛି କିଏସେ । ଚାହୁଁ ଚାହୁଁ ସେଇଟା ପାଣିରେ ବୁଡ଼ିମଲା, ଆଗରେ ସମୁଦ୍ରର ମାଛମାନେ ଟାଣିନେଲେ ତାକୁ । ଯେଉଁମାନଙ୍କ ସହିତ ହାତମିଳାଇ ସେ ଅସହାୟ ଯାତ୍ରୀମାନଙ୍କୁ ହତ୍ୟା କରିଥିଲା, ପାପରେ ଭାଗିଦାର ହୋଇଥିଲା, ସେମାନଙ୍କ ପାଟିରୁ ତା’ପାଇଁ ଆହା ପଦଟାଏ ବି ବାହାରିଲା ନାହିଁ । କି ନିଷ୍ଠୁର ସତେ ଦସ୍ୟୁମାନେ । ଦୁନିଆର ଖରାପ ଲୋକଙ୍କର ତ ସ୍ୱଭାବ ଏଇଆ । ସ୍ୱାର୍ଥଟାହିଁ ବଡ଼ ସେମାନଙ୍କର । ସେଗୁଡ଼ାକ ସମ୍ପଦର ବନ୍ଧୁ । ବିପଦର ବନ୍ଧୁ ନୁହନ୍ତି ।

 

ଯାହାହେଉ ଜାହାଜ ଛାଡ଼ି ଡଙ୍ଗାଟି ଚାଲିଥାଏ । ସମସ୍ତଙ୍କର ଆଥିଲା ଶୀଘ୍ର ସ୍ଥଳଭାଗରେ ପହଞ୍ଚିବା, କିନ୍ତୁ ଦୁଇଦିନ ଦୁଇରାତି କଟିଗଲା ପଛେ ପଛେ ସ୍ଥଳଭାଗର ଦେଖା ଦର୍ଶନ ନାହିଁ । ସେଦିନ ପନ୍ଦର ଅକ‌୍ଟୋବର । ମନେଥିବ, ଏହି ଦିନ ଡୋନ୍‌ଗାନ୍‍ର ଦଳ ଝଡ଼ି ବର୍ଷା ଖାଇ ହଇରାଣରେ ପଡ଼ିଥିଲେ । ହଠାତ୍‌ ଗୋଟାଏ ତୋଫାନ ଉଠିଲା ସମୁଦ୍ରରେ । ସମୁଦ୍ର ଢେଉରେ ଡଙ୍ଗାଟା ପଡ଼ିଲା ଉଠିଲା । ତୋଫାନ ମୁହଁରେ ପଡ଼ି ଡଙ୍ଗା ଆସି ଏହି ଦ୍ୱୀପରେ ପିଟି ହୋଇଗଲା । କିନ୍ତୁ କୂଳରେ ଲାଗିବା ପୂର୍ବରୁ ପାଣି ଭିତରେ ଲୁଚି ରହିଥିବା ଗୋଟାଏ ପଥରରେ ଧକ୍‌କାଖାଇ ଡଙ୍ଗାଟାର ଆଗ ମଙ୍ଗଟା ବିଲ୍‍କୁଲ୍‌ ଭାଙ୍ଗିଗଲା । ଓ୍ୱାଲଷ୍ଟୋନ୍‌ ପ୍ରଭୃତି ଡଙ୍ଗାଟାକୁ କୌଣସିମତେ ଭସାଇ ରଖିବାକୁ ଚେଷ୍ଟା କରୁଛନ୍ତି, ଏତିକିବେଳେ ଗୋଟାଏ ତାଳଗଛ ପ୍ରମାଣ ଲହରୀ ମାଡ଼ିଆସିଲା । ଚାହୁଁ ଚାହୁଁ ଲହରୀଟା ଡଙ୍ଗାଟାକୁ ଶୂନ୍ୟେ ଶୂନ୍ୟେ ଟେକିନେଇ କୂଳ ଉପରେ କଚାଡ଼ି ଦେଲା । ଅବସ୍ଥା ଯାହା ହୋଇଥିବ ତାହା କଳ୍ପନା କରିବା କଥା । କିଏ କୁଆଡ଼େ ଛିଞ୍ଚାଡ଼ି ହୋଇପଡ଼ିଲେ ଠିକ୍‌ ନାହିଁ । କେଟ୍‌ ଯାଇ ପଡ଼ିଲେ କୂଳର ବାଲି ଉପରେ । ଚେତା ବୁଡ଼ିଗଲା ତାଙ୍କର । ଅଚେତ ଅବସ୍ଥାରେ ବହୁତ ସମୟ ପଡ଼ିବା ପରେ ତାଙ୍କର ସଂଜ୍ଞା ଫେରିଆସିଲା । ସେ ଉଠିବାକୁ ଚେଷ୍ଟା କରୁଛନ୍ତି, ଏ ସମୟରେ ଓ୍ୱାଲଷ୍ଟୋନ୍‌ର ପାଟି ଶୁଭିଲା । କଥାଭାଷାରୁ ସେ ଜାଣିବାକୁ ପାଇଲେ ଯେ, ଦସ୍ୟୁମାନେ ସମୁଦ୍ରରେ ଭାସି ଯାଇନାହାନ୍ତି । ସେମାନଙ୍କର ବନ୍ଧୁକ ଓ ଗୋଳାବାରୁଦଗୁଡ଼ାକ ମଧ୍ୟ ନଷ୍ଟ ହୋଇନାହିଁ । ଇଭାନ୍‌ସ୍‌ଙ୍କୁ କୋପ୍‌ ଓ କୁକ୍‌ ନାମକ ଦସ୍ୟୁ ଦୁଇଟା ବାନ୍ଧି ରକିଛନ୍ତି କେବଳ ଫର୍ବସ୍‌ ଓ ପାଇକ୍‍ ନାମକ ଦୁଇଜଣ ବିଶେଷ ଆହାତ ହୋଇ ବହୁ ସମୟ ଧରି ଡଙ୍ଗା ପାଖରେ ପଡ଼ିଥିଲେ । ସେମାନଙ୍କୁ ଖୋଜାଖୋଜି କରି ପାଇବା ପରେ ଅନ୍ୟମାନେ ସେ ଦୁଇଜଣଙ୍କୁ ଟେକିନେଇ ଅନ୍ୟ କେଉଁଠିକି ଯାଉଛନ୍ତି । କେଟ୍‌ଙ୍କୁ ସେମାନେ ଦେଖିବାକୁ ପାଇନାହାନ୍ତି-। ଦସ୍ୟୁମାନେ ଚାଲିଯାଉଛନ୍ତି ଦେଖି କେଟ୍‌ ପ୍ରାଣବିକଳରେ ବିପରୀତ ଦିଗରେ ଦୌଡ଼ିବାକୁ ଲାଗିଲେ । ସେ ଭାବିଥିଲେ ଦସ୍ୟୁମାନଙ୍କ ଅତ୍ୟାଚାର ସହିବା ବଦଳରେ ଦ୍ୱୀପରେ ପଡ଼ି ଅଖିଆ ଅପିଆ ଅବସ୍ଥାରେ ବି ମରିବା ଭଲ । ସେ ପ୍ରାଣବିକଳରେ ଦୌଡ଼ୁଥିଲେ, ତାଙ୍କର ଏତିକି ମନେଅଛି-। ତା’ପରେ କଅଣ ହେଲା ସେ କହିପାରିବେ ନାହିଁ । ସଂଜ୍ଞା ଫେରିପାଇ ସେ ଦେଖନ୍ତି ତ ଫରାସୀ ଗୁହାର ପିଲାଏ ତାଙ୍କର ଶୁଶ୍ରୂଷା କରୁଛନ୍ତି ।

 

କେଟ୍‌ଙ୍କର ଏହି ବର୍ଣ୍ଣନା ଶୁଣି ପିଲାମାନେ ଭୟଭୀତ ହୋଇଗଲେ । ଏପର୍ଯ୍ୟନ୍ତ ନାନାପ୍ରକାର ଆପଦ ବିପଦ ପଡ଼ିଥିଲା । କିନ୍ତୁ ଦସ୍ୟୁ ମୁହଁରେ ସେମାନେ ପଡ଼ିନଥିଲେ । ଅଜ୍ଞାତ ଦ୍ୱୀପରେ ସେମାନେ ଥିଲେ ସର୍ବେସର୍ବା । ନିରାପଦରେ ଜୀବନ କଟିଯାଉଥିଲା । ଏଥର କିନ୍ତୁ ଆଉ ନିଶ୍ଚିନ୍ତ ହୋଇ ଚଳିହେବନି । ସାତ ସାତଟା ନରହନ୍ତା ଆସି ଦ୍ୱୀପରେ ରହିଲେଣି । ସେଗୁଡ଼ିକଙ୍କଠାରେ ଦୟାମାୟା ବୋଲି କିଛି ନଥିବ । ସେମାନେତ ଯେକୌଣସି ପାପକାମ କରିପାରନ୍ତି । ପିଲାମାନଙ୍କ ଖବର ପାଇବା ପରେ ସେମାନେ ଆଉ ତାଙ୍କୁ ନମାରି ଛାଡ଼ିବେନା ? ପିଲାମାନଙ୍କୁ ମାରିଲେ ତ ସେମାନଙ୍କୁ ପିଲାଙ୍କର ଖାଦ୍ୟପେୟ, ଯନ୍ତ୍ରପାତି ଓ ହାତହତିଆର ସବୁ ମିଳିବ ।

 

କେଟ୍‌ କହିଲେ କିଛି ଗୋଟାଏ ଉପାୟ ବାହାର ନ କରିବା ପର୍ଯ୍ୟନ୍ତ ପିଲାମାନେ ଆଉ ବାହାରକୁ ଯାଇ ବୁଲିବା ଠିକ୍‌ ହେବ ନାହିଁ । ଡୋନ୍‌ଗାନ୍ ପ୍ରଭୃତି ଅଲଗା ରହୁଚନ୍ତି ବୋଲି ଶୁଣି ସେ କହିଲେ–

 

‘‘ଏ ତ ବଡ଼ ବିପଦର କଥା । ସେମାନେ ଏ ଦସ୍ୟୁଙ୍କ କଥା ଜାଣନ୍ତି ନାହିଁ । ସେମାନେ ନିଶ୍ଚିନ୍ତରେ ବୁଲିବେ । ଦୁର୍ଭାଗ୍ୟ ବଶତଃ ଯଦି ଓ୍ୱାଲଷ୍ଟୋନ୍‌ ଦଳର ଲୋକେ ସେମାନଙ୍କୁ ଦେଖନ୍ତି ତେବେ ସର୍ବନାଶ । ସେମାନେ ପିଲାଚାରିଟାଙ୍କୁ ଧରିନେବେ । ତାଙ୍କରିଠାରୁ ଫରାସୀଗୁହା କଥା ବୁଝିନେବେ । ଆଉ କାହାକୁ ନିସ୍ତାର ମିଳିବ ନାହିଁ ।’’

 

ବ୍ରାଆଁତ୍‍ କହିଲା, ‘‘ଆଚ୍ଛା ମାଉସୀ, ଆମେ ଯଦି ଯାଇ ଡୋନ୍‌ଗାନ୍‌କୁ ଏସବୁ ଖବର ଦେଇଦେବୁ ।’’

 

‘‘ଖବର ଆଉ ଦେବ କଅଣ, ତାଙ୍କୁ ଡାକିନେଇ ଆସନ୍ତ ଏ ଗୁହା ଭିତରକୁ । କିନ୍ତୁ ତୁମେ ଯିବ କିପରି ? ଓ୍ୱାଲଷ୍ଟୋନ୍‌ର ଲୋକେ ଯଦି ତୁମକୁ ଦେଖିବେ ନା, ତେବେ ସବୁ ଭଣ୍ଡୁର ହୋଇଯିବ-।’’

 

‘‘ନାହିଁ ମାଉସୀ, ଆମେ ଦିନରେ ଯିବୁନାହିଁ, ରାତିରେ ଯିବୁ । ରାତାରାତି ସ୍ୱରଶବ୍ଦ ନକରି ଡଙ୍ଗା ଛାଡ଼ି ଦିଅନ୍ତୁ ।’’

 

‘‘ଡଙ୍ଗାରେ ଯିବ କେଉଁଠିକି । ଡୋନ୍‌ଗାନ୍‌ କେଉଁଠି ରହୁଛନ୍ତି ତା’ କ’ଣ ତୁମେ ଜାଣ ?’’

 

‘‘ସେ ତ ସେହି ହ୍ରଦ ଆରପଟେ ପୂର୍ବ ଉପକୂଳର ବା ନଈକୂଳରେ କେଉଁଠି ରହୁଥିବ । ଆଗେ ଚେଷ୍ଟା କରାଯାଉନା ।’’

 

କେଟ୍‌ ମାଉସୀ କହିଲେ, ‘‘ବଡ଼ ସାବଧାନରେ ସବୁ କରିବାକୁ ପଡ଼ିବ ।’’

 

ସେଦିନ ରାତାରାତି ବ୍ରାଆଁତ୍‍ ଓ ମୋକୋ ଡଙ୍ଗାନେଇ ହ୍ରଦ ଆରପାଖକୁ ଚାଲିଲେ । ଘନ ଅନ୍ଧାର ରାତି । ମୁହଁକୁ ମୁହଁ ଦେଖାଯାଉନାହିଁ । ଡଙ୍ଗାରେ ଦ୍ୱୀପ ନାହିଁ, ବତୀ ନାହିଁ, ହ୍ରଦ ଭିତରେ ସିୟାର କାଟି ତରତର ହୋଇ ଆଗକୁ ଚାଲିଛି । ଡଙ୍ଗାଟି କ୍ରମଶଃ ଆସି ନଈ ସୁଅରେ ପଡ଼ିଲା । ପୂର୍ବର ସେହି ନଦୀଟା । ବ୍ରାଆଁତ୍‍ ମୋକୋକୁ ଚୁପ୍‌ ଚୁପ୍ କରି କହିଲା, ‘‘ମୋକୋ, ଏଥର ସାବଧାନ ! ତୁ ନଦୀର ଏ କୂଳକୁ ଚାହିଁଥା, ମୁଁ ଆର କୂଳକୁ ଚାହିଁଛି ।’’

 

ନଦୀ କୂଳେ କୂଳେ ଡଙ୍ଗା ଚାଲିଛି । କିଛିବାଟ ଗଲାପରେ ବ୍ରାଆଁତ୍‍ ମୋକୋକୁ ଡାକି କହିଲା–‘‘ଦେଖ୍‌, ଦେଖ୍‍, ହେ...ଇ ସେଇଠି ସେଇଟା ନିଆଁ ଜଳୁଛି ବୋଧହୁଏ ।’’

 

‘‘ହଁ ତ । ସେଠି ନିଶ୍ଚୟ କେହିଅଛି । ମଣିଷ ନଥିଲେ ନିଆଁ ଜାଳିବ କିଏସେ ?’’

 

‘‘ତା’ହେଲେ ସେ ପାଖରେ ଓହ୍ଲାଇବା । ଡଙ୍ଗାଟାକୁ ସେଇଠି ଲଗାଇବା ।’’

 

ଡଙ୍ଗାଯାଇ କୂଳରେ ଲାଗିଯିବା ସଙ୍ଗେ ସଙ୍ଗେ ଗୋଟାଏ ଗଛରେ ଡଙ୍ଗା ବାନ୍ଧିଦେଇ ମୋକୋ ଓ ବ୍ରାଆଁତ୍‍ ଜଙ୍ଗଲ ଭିତରେ ଜଳୁଥିବା ନିଆଁ ଆଡ଼କୁ ଚାଲିଲେ । ଦୁହିଁଙ୍କ କମରରେ ପିସ୍ତଲ ଓ ହାତରେ ପଟେ ପଟେ କୁରାଢ଼ି । ପିଲା ହେଲେ କ’ଣହେଲା । କମ୍ ସାହସ ନୁହେଁ ଦୁଇଟାଙ୍କର ।

 

ରାସ୍ତା ନାହିଁ, ଘାଟ ନାହିଁ, ଖାଲଢିପ ଉଚ୍ଚନୀଚ ପଡ଼ଉଠ ହୋଇ ଦୁଇବନ୍ଧୁ କୌଣସିମତେ ଚାଲିଥାଆନ୍ତି । ଜଙ୍ଗଲର ସେହି ବହଳିଆ ଅନ୍ଧାର ଭିତରେ ବି ଦେଖାଗଲା କ’ଣ ଗୋଟାଏ କଳାଛାଇ ସେହି ନିଆଁଆଡ଼କୁ ଯାଉଛି । ବ୍ରାଆଁତ୍‍ ମନରେ ସନ୍ଦେହ ହେଲା । ସେ ମୋକୋକୁ କିଛି ନ କହି ଟିକିଏ ଜୋରରେ ଆଗକୁ ପାଦକାଢ଼ି ସେଇ କଳାଛାଇ ଆଡ଼କୁ ଦୌଡ଼ିଗଲା । ବ୍ରାଆଁତ୍‍ ଦୌଡ଼ୁଥିବା ଦେଖି ମୋକୋ ବି ତା’ ପଛେ ପଛେ ଦୌଡ଼ି ଚାଲିଲା ।

 

ଉଭୟେ ନିଆଁର ପାଖପାଖ ହୋଇଗଲେଣି, ଏତିକିବେଳେ ହଠାତ୍‌ ଗୋଟାଏ ବିରାଟ ଚିତ୍କାରରେ ଦିଗଦିଗନ୍ତ କମ୍ପିଗଲା । ନିଆଁ ପାଖରେ ଦେଖାଗଲା କିଏସେ ଜଣେ କମଳ ଘୋଡ଼ାଇ ହୋଇ ଶୋଇଛି ଏବଂ ତାକୁ ମାଡ଼ି ବସିଛି ଏକ ମସ୍ତବଡ଼ ଚିତାବାଘ । ବ୍ରାଆଁତ୍‍ ହାତରେ ଧାରୁଆ କୁରାଢ଼ି ଚମକି ଉଠିଲା ଏବଂ ପରମୁହୂର୍ତ୍ତରେ କୁରାଢ଼ି ଯାଇ ବସିଲା ବାଘଟାର ଠିକ୍‌ ମଝି ତାଳୁରେ । ଆଉ ଗୋଟାଏ ଚିତ୍କାରରେ କମ୍ପିଗଲା ସମସ୍ତ ଜଙ୍ଗଲ । ସେହି ମୁହୂର୍ତ୍ତରେ ଚିତାବାଘଟା ଅନ୍ତର୍ଦ୍ଧାନ ହୋଇଗଲା । ବ୍ରାଆଁତ୍‍ ଧାଇଁଯାଇ କମ୍ବଳଟାକୁ ଟେକିଦିଏ ତ କମ୍ବଳତଳେ ଯେ ପଡ଼ିଛି ସେ ଅନ୍ୟ କେହି ନୁହେଁ, ସେ ତା’ର ବିପ୍ଳବୀ ବନ୍ଧୁ ଡୋନ୍‌ଗାନ୍ । କିଛିଦୂର ଛାଡ଼ି ଅନ୍ୟ ତିନିଜଣ ପିଲା ମଧ୍ୟ ଶୋଇଛନ୍ତି ।

 

ଏପରି ଅପ୍ରତ୍ୟାଶିତ ଭାବରେ ଭେଟହୋଇ ଦୁଇବନ୍ଧୁ ପରିସ୍ପରକୁ କୁଣ୍ଢାଇ ପକାଇଲେ ।

 

ଡୋନ୍‌ଗାନ୍‌ କହିଲା, ‘‘ତୁ ଆଜି ମୋ ପ୍ରାଣରକ୍ଷା କଲୁ ଭାଇ ମତେ ଖାଉଥିଲା ବାଘଟା । କୃତଜ୍ଞତାରେ ଛଳଛଳ ହୋଇଗଲା ତା’ର ଆଖି । ବ୍ରାଆଁତ୍‍ ମୁହଁରୁ କଥା ବାହାରିଲା ନାହିଁ । ଏତେବଡ଼ ଏକ ପରୋପକାର କରିଥିବାରୁ ତା’ର ଦୁଇଆଖିରୁ ଝରିଆସିଲା ଦୁଇଧାର ଆନନ୍ଦାଶ୍ରୁ ।

 

ଏ ଭିତରେ ଅନ୍ୟ ତିନିଜଣ ପିଲା ନିଦରୁ ଉଠିପଡ଼ିଲେଣି । ମୋକୋ ବି ଆସି ପହଞ୍ଚିଗଲା । ଦେଖାଗଲା ଡୋନ୍‍ଗାନ୍‍ର ବିଶେଷ କିଛି କ୍ଷତି ହୋଇନାହିଁ । କାରଣ ସେ ଖୁବ୍‌ ବଡ଼ କମ୍ବଳଟାଏ ଘୋଡ଼ାଇହୋଇ ଶୋଇଥିଲା । କେବଳ ତା’ କାନ୍ଧ ପାଖରେ ବାଘର ପଞ୍ଝା ବାଜି ଟିକିଏ ରକ୍ତ ବାହାରୁଥାଏ ।

 

ବିଶେଷ ଭାଥାଭାଷା ହେବାପାଇଁ ବେଳ ନଥିଲା । ବ୍ରାଆଁତ୍‍ ଠିକେ ଠିକେ ସବୁକଥା ଶୁଣାଇଦେଲା । ଡୋନ୍‌ଗାନ୍ ବା ତା’ର ସାଥୀମାନଙ୍କ ମନରେ ଦ୍ୱିଧା ଦ୍ୱନ୍ଦ୍ୱର ପ୍ରଶ୍ନ ଉଠିଲା ନାହିଁ । କାଳବିଳମ୍ବ ନକରି ସେମାନଙ୍କର ସମସ୍ତ ଜିନିଷପତ୍ର ଆଣି ଡଙ୍ଗାରେ ଲଦି ଦେଲେ । ଆସିଲା ବେଳେ ନିଆଁଟାକୁ ଲିଭାଇଦେଇ ଆସିଲେ ।

 

ରାତି ପାହିବା ପୂର୍ବରୁ ଡଙ୍ଗା ଫେରିଆସିଲା ଫରାସୀ ଗୁହା ପାଖକୁ । ଡୋନ୍‌ଗାନ୍‌କୁ ଫେରିପାଇ ସମସ୍ତେ ଆନନ୍ଦିତ ହେଲେ । ସେହିଦିନଠାରୁ ସମସ୍ତଙ୍କର ଏକ କଥା, ଏକ ମନ, ସମସ୍ତଙ୍କ ପାଇଁ ସମସ୍ତେ ବ୍ୟାକୁଳ । ପ୍ରତ୍ୟେକ କାମ କରିବା ପୂର୍ବରୁ ପ୍ରଥମେ କେଟ୍‌ ମାଉସୀଙ୍କୁ ପଚାରି କରାଗଲା । କେଟ୍‌ ମାଉସୀ ପିଲାମାନଙ୍କୁ ପୁଅ ପୁତୁରାଠାରୁ ଅଧିକ ସ୍ନେହ କରନ୍ତି । କେଟ୍‌ଙ୍କୁ ପାଇ ପିଲାମାନେ ନିଜର ମା’ଙ୍କୁ ପାଇଲା ପରି ଅନୁଭ କଲେ ।

Image

 

ଜ୍ୟାକ୍‌ର ଦୋଷ

 

ତୁମେ ଭାବୁଥିବ ବ୍ରାଆଁତ୍‍ ଯେଉଁ ଘୁଡ଼ିଟା ତିଆରି କରିଥିଲା ସେଇଟା ତ ଉଡ଼ା ହେଲାନାହିଁ, ସେ ଏତେ ପରିଶ୍ରମ କରିଥିଲା କାହିଁକି ? କଥା କ’ଣ କି କେଟ୍‌ ମାଉସୀ କହିଲେ, ‘‘ଯଦି ଘୁଡ଼ିଟା ଉଡ଼ାଇବ ତେବେ ଓ୍ୱାଲଷ୍ଟୋନ୍‌ର ଲୋକେ ନିଶ୍ଚୟ ଘୁଡ଼ି ଦେଖିବାକୁ ପାଇବେ । ଘୁଡ଼ି ଦେଖିଲେ ସେମାନଙ୍କ ମନରେ ସନ୍ଦେହ ଆସିବ । ସେମାନେ ଏପାଖକୁ ଆସି ସବୁ ଦେଖାଚାହାଁ କରିବେ । ଫରାସୀ ଗୁହା ଖବର ସେମାନେ ସହଜରେ ଜାଣିଯିବେ ।’’

 

ତେଣୁ ବ୍ରାଆଁତ୍‍ ଓ ଅନ୍ୟମାନେ ଯାଇ ଘୁଡ଼ିଟାକୁ କାଟିଆଣଟିଲେ । ପିଲାମାନଙ୍କୁ ତାଗିଦ କରିଦିଆଗଲା ଯେ ସେମାନେ କେହିହେଲେ ଗୁହା ବାହାରକୁ ବାହାରିବେ ନାହିଁ । ପାଟିତୁଣ୍ଡ କରିବେ ନାହିଁ । ତେଣୁ ଫରାସୀ ଗୁହାକୁ ଲାଗି ଯେଉଁ ନୂଆ ଗୁହାଟି ଖୋଳାଯାଇଥିଲା ସେଟାକୁ ସଫାସୁତୁରା କରି ପିଲାମାନେ ଅଧିକାଂଶ ସମୟ ତାରି ଭିତରେ ରହିଲେ । ଦୁଇ ଗୁହାକୁ ଯୋଗ କରୁଥିବା ସୁଡ଼ଙ୍ଗ ପାଖରେ ଆହୁରି କେତେଟା ଛୋଟ ଛୋଟ ଗୁପ୍ତକୋଠରୀ ପ୍ରସ୍ତୁତ କରାଗଲା । ଯଦି କେତେବେଳେ ବିପଦ ଆସେ ତେବେ ସେଗୁଡ଼ାକ କାମରେ ଲାଗିବ । ବଡ଼ବଡ଼ ପିଲାମାନେ ପ୍ରତି ରାତିରେ ବାହାରକୁ ଆସି ଗୁହା ଚାରିପାଖ ପରୀକ୍ଷା କରିନିଅନ୍ତି । ଏପରି ଭାବରେ କିଛିଦିନ କଟିଗଲା ।

 

ବହୁତ ଦିନ ପୂର୍ବେ ଗୋଟିଏ ବହିରୁ ବ୍ରାଆଁତ୍‍ ପଢ଼ିବାକୁ ପାଇଥିଲା ଯେ ଜଣେ ସ୍ତ୍ରୀଲୋକ ଗୋଟାଏ ବଡ଼ ଘୁଡ଼ି କରି ତାରି ଲାଞ୍ଜକୁ ଧରି ଉପରେ ଉଡ଼ିଥିଲା । ବର୍ତ୍ତମାନ ସେ କଥାଟା ବ୍ରାଆଁତ୍‍ର ମନେପଡ଼ିଗଲା । ସେ ଭାବିଲା ଗୋଟାଏ ବଡ଼ ଘୁଡ଼ିକରି ତା’ ଦେହରେ ଯଦି ଛୋଟ ଦୋଳିଟିଏ ଖଞ୍ଜିଦିଆଯାଏ, ତେବେ ଦୋଳିରେ ବସାଇ ଜଣେ ପିଲାକୁ ଆକାଶରେ ଉଡ଼ାଯାଇ ପାରିବ । ସେ ଆକାଶରେ ଘୁଡ଼ି ସହିତ ଉଡ଼ି ସମସ୍ତ ଦ୍ୱୀପକୁ ଚାହିଁଲେ ଓ୍ୱାଲଷ୍ଟୋନ୍‌ର ଦଳ କେଉଁଠି ଅଛନ୍ତି ସହଜରେ ଦେଖିପାରିବ ।

 

ଏ ପ୍ରସ୍ତାବକୁ କେଟ୍ ମାଉସୀ ମନାକରୁଥିଲେ, ତଥାପି ଆକାଶରେ ଉଡ଼ିବା କଥା ଶୁଣି ପିଲାଏ ଜିଦ୍‌ ଧରିଲେ ଯେ ଘୁଡ଼ି ତିଆରି ହେବ । ସେ ଯୁଗରେ ଉଡ଼ାଜାହାଜ ବାହାରିନଥାଏ । ଆକାଶରେ ଉଡ଼ିବା ପାଇଁ ମନୁଷ୍ୟ ନାନାଚେଷ୍ଟା କରୁଥାଏ । କିଏସେ ଆକାଶରେ ପ୍ରଥମେ ଉଡ଼ିବ । ସେଥିପାଇଁ ଦେଶ ଦେଶରେ ପ୍ରତିଯୋଗିତା ଚାଲିଥାଏ । ତେଣୁ ଅନ୍ତତଃ କିଛିସମୟ ପାଇଁ ହେଲେ ବି ଆକାଶରେ ଉଡ଼ିବାକୁ ପିଲାଙ୍କର ଭାରି ମନ । ପୂର୍ବର ଘୁଡ଼ି ଅପେକ୍ଷା ଆହୁରି ବଡ଼କରି ଗୋଟାଏ ଘୁଡ଼ି ତିଆରି କରାଗଲା । ଖୁବ୍ ମଜବୁତ୍‌ ବେତ ଓ କାନ୍‌ଭାସ୍ କପଡ଼ା ବ୍ୟବହାର କରାଗଲା । କିନ୍ତୁ ଶେଷରେ ସମସ୍ୟା ହେଲା ଏତେ ମଜବୁତ୍‌ ଦଉଡ଼ି କେଉଁଠୁ ମିଳିବ । ଘୁଡ଼ି ଲାଞ୍ଜରେ ମଣିଷଟାଏ ଝୁଲିବ । ଏତେବଡ଼ ଘୁଡ଼ି ପବନରେ ଜୋରରେ ଭଁ ଭଁ ହୋଇ ଉଡ଼ିବ । ସେଥିକି ଚାହିଁତ ଫେରେ ମଜବୁତ୍ ଦଉଡ଼ି ଦରକାର । ନାନାଚିନ୍ତା କରି କରି ଶେଷରେ ଜାହାଜରେ ବ୍ୟବହୃତ ତା’ର ଦଉଡ଼ି ଲଗାଇଲେ ଚଳିବ ବୋଲି ଠିକ୍‌ କରାଗଲା । ଘୁଡ଼ି ଲାଞ୍ଜ ସ୍ଥାନରେ ଗୋଟାଏ ବଡ଼ ବେତ ଝୁଡ଼ି ଝୁଲାଇ ଦିଆଗଲା । ସବୁ ଠିକ୍‌ଠାକ୍‌ ହେବାପରେ ଘୁଡ଼ିନେଇ ପିଲାମାନେ ବାହାରକୁ ଆସିଲେ । ଗୋଟାଏ ଖୋଲା ପଡ଼ିଆରେ ଘୁଡ଼ି ଉଡ଼ାଇବା ପାଇଁ ସମସ୍ତେ ରୁଣ୍ଡହେଲେ । ବ୍ରାଆଁତ୍‍ କହିଲା–‘‘ଦେଖ ଭାଇ, ଆମ ଭିତରୁ କାହାରି ଓଜନ ଦେଢ଼ ମହଣରୁ ବେଶି ହେବ ନାହିଁ । ତେଣୁ ଆମ ଭିତରୁ ପିଲାଟିଏ ଝୁଡ଼ିରେ ବସି ଘୁଡ଼ି ସହିତ ଉଡ଼ିବା ପୂର୍ବରୁ ପ୍ରଥମେ ଝୁଡ଼ିରେ ଦେଢ଼ମହଣ ଓଜନର ପଥର ରଖି ଘୁଡ଼ି ଉଡ଼ାଇବା । ଘୁଡ଼ି ଯଦି ଠିକ୍ ଉଡ଼ିବ, ତେବେଯାଇଁ ଆମେ ଝୁଡ଼ିରେ ବସିବା । ନଚେତ୍‌ ଏତେ ଉପରୁ ଯଦି ପଡ଼ିଯିବା ନା ତେବେ....’’

 

କିଏସେ ଗୋଟାଏ ମନ୍ତବ୍ୟ କଲା, ‘‘ତେବେ ତ ପ୍ରାଣ ଚାଲିଯିବ,–ଇତିଶ୍ରୀ ମଦ୍‌ ଉଡ଼ିବା ଅଧ୍ୟାୟ ସମାପ୍ତ ।’’

 

ପ୍ରଥମେ ଝୁଡ଼ିରେ ଦେଢ଼ ମହଣର ଓଜନ ପଥର ରଖି ଘୁଡ଼ିଟାକୁ ଉଡ଼ାଗଲା । ଘୁଡ଼ିଟା ଖୁବ୍‌ ସୁନ୍ଦର ଉଡ଼ିଲା । ତା’ପରେ ଘୁଡ଼ିଟାକୁ ତଳକୁ ଓହ୍ଲାଇ ଦିଆଲା । ଏଥର କିଏସେ ଜଣେ ପିଲା ବସିବା କଥା । ସମସ୍ତେ କହିଲେ ‘ମୁଁ ବସବି ମୁଁ ବସିବି ।’ ପିଲାଙ୍କ ଭିତରେ କଳିଗୋଳ ଆରମ୍ଭ ହୋଇଗଲା । ବ୍ରାଆଁତ୍‍ ଖୁବ୍ ଗୋଟାଏ ପାଟିଟାଏ କରି କହିଲା, ‘‘ଆରେ, କାହିଁକି ମିଛରେ ରଡ଼ିଛାଡ଼ିଛ ଶୁଣେ ? ପଥର ସିନା ଉଡ଼ିଲା, ମଣିଷ ଉଡ଼ିବାକୁ ହେଲେ, ଖୁବ୍‌ ସାହସ, ଖୁବ୍‌ ଧୈର୍ଯ୍ୟ ଆବଶ୍ୟକ । ଜୀବନ ମରଣ କଥାଟି !! କାହାର ମରିବାପାଇଁ ସାହସ ଅଛି କହିଲ ?’’

 

ଜ୍ୟାକ୍‌ ସେହି ପାଖରେ ଛିଡ଼ାହୋଇଥିଲା । ସେ ସଙ୍ଗେ ସଙ୍ଗେ କହିଲା, ‘‘ମୋର–ମୁଁ ଯେଉଁ ପାପ କରିଛି, ଶୀଘ୍ର ତା’ର ପ୍ରାୟଶ୍ଚିତ ହୋଇଯିବ ।’’

 

ଏକଥା ଶୁଣି ଅନ୍ୟପିଲାମାନେ ଚମକି ଉଠିଲେ । କି ପାପ କରିଛି ଜ୍ୟାକ୍‌ ! କାହିଁକି ସେ ମରିବାକୁ ଏପରି ବ୍ୟସ୍ତ ହୋଇପଡ଼ୁଛି !!

 

‘‘ତୁ ଏମିତି କି ପାପ କରିଛୁରେ ଜ୍ୟାକ୍‌ ? –କ’ଣ ମରଣ ହିଁ ତୋ ପାପର ପ୍ରାୟଶ୍ଚିତ ?’’ ଡୋନ୍‌ଗାନ୍‌ ପଚାରିଲା ।

 

ଏତିକିରେ ଜ୍ୟାକ୍‌ର ଆଖି ଛଳଛଳ ହୋଇଆସିଲା । ତଥାପି ସେ ଦୃଢ଼ ସ୍ୱରରେ କହିଲା, ‘‘ଶୁଣ, ଭାଇ, ମୁଁ ଆଜି ସବୁ ଗୁପ୍ତକଥା ଖୋଲି କହି ଦେଉଛି । ମୋତେ କ୍ଷମା କରିବ ।’’

 

ବ୍ରାଆଁତ୍‍ର ମୁଣ୍ଡ ତଳକୁ ନଇଁଗଲା । ସେ ହଁ କି ନା କ’ଣ କରିବ ଠିକ୍‌ କରିପାରିଲା ନାହିଁ-

 

ଜ୍ୟାକ୍‌ ପୂର୍ବପରି ଦୃଢ଼ ଗମ୍ଭୀର ସ୍ୱରରେ କହିଲା–‘‘ହଁ ଡୋନ୍‌ଗାନ୍‌ ମୁଁ ଯେଉଁ ପାପ କରିଛି, ତା’ର ପ୍ରାୟଶ୍ଚିତ ସ୍ୱରୂପ ମୁଁ ପ୍ରଥମେ ଏହି ମାରାତ୍ମକ ଘୁଡ଼ିରେ ଚଢ଼ିବା ଉଚିତ ହେବ । ତୁମ୍ଭେମାନେ ଜାଣିନାହଁ, ଆମର ଏହି ନିର୍ବାସିତ ଜୀବନପାଇଁ ମୁହିଁ ଦାୟୀ । ମୋରି ହେତୁରୁ ଆମେ ଆଜି ଏ ଅଜ୍ଞାତ ଦ୍ୱୀପରେ ରହି ଏତେ କଷ୍ଟ ସହିବାକୁ ବାଧ୍ୟ ହୋଇଛୁ । ମନେଥିବ, ଆମର ଜାହାଜ ଯେତେବେଳେ ଆକ୍‌ଲ୍ୟାଣ୍ଡ ବନ୍ଦରରେ ବନ୍ଦା ହୋଇଥିଲା, ଫେବୃଆରୀ ଚଉଦ ରାତିରେ ଗୋଟାଏ ଭୀଷଣ ଝଡ଼ତୋଫାନ ଉଠିଲା । ତୁମେସବୁ ଖେଳକୁଦ ସାରି ଆରାମରେ କ୍ୟାବିନରେ ଶୋଇପଡ଼ିଲ । ମତେ କିନ୍ତୁ ନିଦ ହେଲାନାହିଁ । ଆହୁରି ଖେଳିବାକୁ ମନ ହେଉଥାଏ । ମୋ ମୁଣ୍ଡରେ କି ଖେଳଭୂତ ବସିଲା କେଜାଣି ମୁଁ ଧୀରେ ଧୀରେ ଯାଇ ଜାହାଜକୁ ଲଙ୍ଗର ସହ ବାନ୍ଧିଥିବା ଦଉଡ଼ିଟାକୁ ଫିଟାଇ ଦେଲି । ଭାବିଥିଲି ଖୁବ୍‌ ଗୋଟାଏ ମଜାହେବ । ଏତିକି ଛୋଟିଆ ଦୋଷଟାର ଏତେବଡ଼ ଦଣ୍ଡବୋଲି କଳ୍ପନା କରିନଥିଲି । ଦଉଡ଼ିଟା ଖୋଲିଦବାର କିଛିସମୟ ପରେ ମୁଁ ଦେଖିଲି ଯେ ଆମ ଜାହାଜଟା ଝଡ଼ପବନ ଦାଉରେ ପଡ଼ି ବନ୍ଦର ବାହାରକୁ ଚାଲିଆସିଲା । ସେତେବେଳେ ମୁଁ ଭୟରେ ଏତେଦୂର ଅଭିଭୂତ ହୋଇଗଲି ଯେ ମୋ ପାଟିରୁ କଥା ବାହାରିଲା ନାହିଁ । ପଥର ପ୍ରତିମା ପରି ଠିଆହୋଇ ମୁଁ କେବଳ ଜାହାଜର ଗତିକୁ ଚାହିଁଥାଏ ଓ ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ–‘ହେ ପ୍ରଭୁ ! ରକ୍ଷାକର !’ ପ୍ରଭୁ କି ଆଉ ମୋ ଡାକ ଶୁଣନ୍ତେ ? ଦେଖିଲି ଜାହାଜ ଯାଇ ମଝି ଦରିଆରେ ପଡ଼ିଲା । ଝଡ଼ ପବନ ତାକୁ ବିଜୁଳିବେଗରେ ଟାଣି ନେଇଗଲା କାହିଁ କେତେ ଦୂରକୁ । ଭୟ ଓ ଲଜ୍ଜାରେ ମୋର ଦେହସାରା ଥରିବାକୁ ଲାଗିଲା । ବିଛଣା ଭିତରେ ମୁହଁମାଡ଼ି ମୁଁ ଶୋଇପଡ଼ିଲି; କିନ୍ତୁ ପାପୀ ଆଖିକୁ କ’ଣ ନିଦ ଆସେ ? ସତ କହୁଛି ଭାଇ ସେହିଦିନୁଁ ମୁଁ ଶାନ୍ତିରେ ଶୋଇପାରିନାହିଁ । ତୁମେସବୁ କହ ଭାଇ, ମୋର ଏ ଅପରାଧର କିଛି କ୍ଷମା ଅଛି ନା ନାହିଁ । –ମୁଁ ପାପୀ, ମୁଁ ଅଧମ, ମୁଁ ମୂର୍ଖ, ମୁଁ ଦୋଷୀ..... କହି କହି ଜ୍ୟାକ୍‌ କଇଁ କଇଁ ହୋଇ କାନ୍ଦି ପକାଇଲା ।

 

ପିଲାମାନେ ବିସ୍ମୟରେ ସ୍ତମ୍ଭୀଭୂତ ହୋଇଲେ । କାହାରି ପାଟିରୁ କଥା ପଦେ ବାହାରିଲା ନାହିଁ । ଅଧମ ଅପରାଧୀ ପରି ମୁଣ୍ଡପୋତି ଠିଆହୋଇ ରହିଲା ବ୍ରାଆଁତ୍‍ । ଶେଷରେ ଡୋନ୍‌ଗାନ୍‌ କହିଲା, ‘‘ହଉ ଜ୍ୟାକ୍‌, ଛିଃ ଆଉ କାନ୍ଦି ଲାଭ କ’ଣ । ତୋର ଯଥେଷ୍ଟ ପ୍ରାୟଶ୍ଚିତ ହୋଇଯାଇଛି । ଏତେଦିନକେ ଜଣାପଡ଼ିଲା ତୋପରି କୌତୁକିଆ ପିଲା ଏ ଦୁଇବର୍ଷ ଧରି କାହିଁକି ମନମାରି ରହିଥିଲା । ତୋ ଭାଇ ତୋ କଥା ବୋଧହୁଏ କେବେ ଶୁଣିବାକୁ ପାଇଛି ବୋଲି ସବୁବେଳେ ତତେ ବିପଦପୂର୍ଣ୍ଣ କାମରେ ଲଗାଏ ।’’

 

ସମସ୍ତେ ମିଶି ଜ୍ୟାକ୍‌କୁ ତୁନି କରାଇଲେ । ତା’ପରେ ଜ୍ୟାକ୍ ଯାଇ ଝୁଡ଼ିରେ ବସିଲା । ଆକାଶରେ ଉଡ଼ିବା ପିଲାଙ୍କ ଭିତରେ ସେ ପ୍ରଥମ ହେବ ଭାବି ଏ ଦୁଃଖବେଳାରେ ବି ତା’ ମୁହଁରେ ହସିଟିଏ ଫୁଟିଗଲା । ଘୁଡ଼ି ଉଡ଼ିବାକୁ ଯାଉଛି, ଏତିକିବେଳେ ବ୍ରାଆଁତ୍‍ ସେଠାକୁ ଆସି କହିଲା, ‘‘ଜ୍ୟାକ୍‌, ତୁ ଓହ୍ଲାଇ ଆସ୍‌, ଉଡ଼ୁ ଉଡ଼ୁ ଯଦି କିଛି ଦୁର୍ଘଟଣା ହୁଏ, ତେବେ ସେଇଟା ମୋ ଉପରେ ହେବା ଉଚିତ । କାରଣ ବର୍ତ୍ତମାନ ମୁଁ ଦଳପତି । ମୁଁ ବସିବି ଝୁଡ଼ିରେ ।’’

 

ଭାଇର କଥାରେ ଜ୍ୟାକ୍‌ ଓହ୍ଲାଗଲା । ବ୍ରାଆଁତ୍‍ ଝୁଡ଼ିରେ ବସିବାପରେ ଘୁଡ଼ି ଉଡ଼ିଗଲା । ସୁନ୍ଦର ଉଡ଼ିଲା ଘୁଡ଼ିଟା । ପିଲାମାନେ ସମସ୍ତେ ବ୍ରାଆଁତ୍‍କୁ ଚାହିଁଥାନ୍ତି । କିଏ କେତେ ପ୍ରଶ୍ନ କରୁଥାଏ-। କିନ୍ତୁ ଏତେ ଉପରକୁ କ’ଣ କିଛି ଶୁଭିବ ! ବହୁତ ରାତ୍ରିଯାଏ ବ୍ରାଆଁତ୍‍ ଉଡ଼ିଲା । ଶେଷରେ ବ୍ରାଆଁତ୍‍ ସଙ୍କେତ ଦେବାପରେ ଘୁଡ଼ି ଯେତେବେଳେ ଓହ୍ଲାଇଗଲା ସେତେବେଳେ ପିଲାମାନେ ତାକୁ ଘେରିଗଲେ । ‘‘ବ୍ରାଆଁତ୍‍ ଭାଇ, କ’ଣ ଦେଖିଲ ? ବ୍ରାଆଁତ୍‍ ଭାଇ, କିମିତି, ଲାଗିଲା-?’’ –ନାନା ପ୍ରଶ୍ନରେ ବ୍ରାଆଁତ୍‍ ବିବ୍ରତ ହୋଇପଡ଼ିଲା । ରାତି ବେଶି ହୋଇଯାଇଥାଏ । ତେଣୁ ବ୍ରାଆଁତ୍‍ କଥାଟାକୁ ଠିକେ ଠିକେ ଛିଣ୍ଡାଇଦେଇ କହିଲା–‘‘ଦସ୍ୟୁମାନେ ବର୍ତ୍ତମାନ ସୁଦ୍ଧା ଏଦ୍ୱୀପରେ ଅଛନ୍ତି । ଆଜି ଚାଲିଯିବା, ଆଉଦିନେ ଆସି ଉଡ଼ିଲେ ଭଲଭାବେ ଜାଣିହେବ ।

Image

 

ଫରାସୀ ଗୁହାରେ ନୂତନ ବାସିନ୍ଦା

 

ନଭେମ୍ବର ସତେଇଶି ତାରିଖ । ତା’ର ଦି’ଦିନ ଆଗରୁ ଝଡ଼ବର୍ଷା ଫଳରେ ସମଗ୍ର ଦ୍ୱୀପଟାରେ ଗୋଟାଏ ଛୋଟ ଧରଣର ଧ୍ୱଂସଲୀଳା ଚାଲିଥିଲା । ପିଲାମାନେ ଗୁହାରୁ ବାହାରକୁ ବାହାରି ନଥିଲେ । ଗତ ଚବିଶ ତାରିଖ ଦିନ ବ୍ରାଆଁତ୍‍ ଓ ଗର୍ଡ଼ନ୍‍ କ’ଣ ଗୋଟାଏ କାମରେ ନଈକୂଳକୁ ଯାଇଥିଲେ । ସେଠାରେ ସେମାନେ ଗୋଟାଏ ତମାଖୁ ଖାଇବା ପାଇପ୍‌ (ଚିଲାମ) ପାଇଥିଲେ । ପରୀକ୍ଷା କରି ଦେଖାଯାଇଥିଲା ଯେ ପାଇପ୍‌ ଭିତରେ ତଟକା ତମାଖୁ ରହିଛି । ତେଣୁ ସମସ୍ତେ ଜାଣିଗଲେ ଯେ ସେହି ଆଖପାଖକୁ ଦସ୍ୟୁମାନେ ଆସିଥିଲେ । ମନର ଭୟଟା ଆହୁରି ଟିକିଏ ଜମାଟ ବାନ୍ଧିଯାଇଥାଏ । ସତେଇଶି ତାରିଖ ଦିନ ଫେରେ ଝଡ଼ବର୍ଷା ଆସିଲା । ସେଦିନ ସନ୍ଧ୍ୟାବେଳଟା, ପିଲାମାନେ ଗୁହାର ଦରଜା ବନ୍ଦକରି ଭିତରେ ଗପ କରୁଛନ୍ତି । ହଠାତ୍‌ କଅଣ ହେଲାନା ଫ୍ୟାନ୍ ଦରଜା ପାଖକୁ ଦୌଡ଼ିଯାଇ ଜୋରରେ ଭୁକିବାକୁ ଲାଗିଲା । କଥା କ’ଣ ବୋଲି ପିଲାମାନେ ଦରଜା ଆଡ଼କୁ ଚାହିଁଲେ, ଠିକ୍ ସେତିକିବେଳେ ଝଡ଼ବର୍ଷାର ଗର୍ଜନ ଭେଦକରି ଗୋଟିଏ ବନ୍ଧୁକ ଶବ୍ଦ ଶୁଭିଲା । ମନେହେଲା ଗୁହାର ପଚାଶ ଷାଠିଏ ଗଜ ଭିତରେ ରହି କିଏ ବନ୍ଧୁକ ଫୁଟାଇଲା । ଅପ୍ରତ୍ୟାଶିତ ଭାବରେ ବନ୍ଧୁକ ଶବ୍ଦ ଶୁଣି ପିଲାମାନଙ୍କର ଛାତି ଥରିଉଠିଲା । ଏ ଝଡ଼ବର୍ଷାର ପ୍ରତିକନ୍ଧକ ସତ୍ତ୍ୱେ ବି କ’ଣ ଦସ୍ୟୁମାନେ ଫରାସୀ ଗୁହା ଆକ୍ରମଣ କରିଛନ୍ତି ?

 

ଡୋନ୍‌ଗାନ୍‌, ବ୍ରାଆଁତ୍‍, ଗର୍ଡ଼ନ୍‍ ଉଇଲ୍‌କକ୍ସ ପ୍ରଭୃତି ବଡ଼ବଡ଼ ପିଲାମାନେ ନିଜ ନିଜର ରିଭଲଭର୍‌ ସଜାଡ଼ି ଧରିଲେ । ବିପଦ ଯେତେବେଳେ ଆସୁଛି ବିପଦର ସମ୍ମୁଖୀନ ହେବାକୁ ପଡ଼ିବ-। ଗୋଟିଏ ଚରମ ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ହୋଇଗଲେ ।

 

‘‘ବନ୍ଧୁକରେ ଗୁଳିଥିବା ପର୍ଯ୍ୟନ୍ତ ଫରାସୀ ଗୁହା ଆମର ହୋଇ ରହିବ । ଆସୁନା କିଏସେ ଆସିବ’’–ବୀରଦର୍ପରେ ଡୋନ୍‌ଗାନ୍‌ କହିଲା ।

 

କିନ୍ତୁ ଆଶ୍ଚର୍ଯ୍ୟର କଥା, ଠିକ୍‌ ସେତିକିବେଳେ କାନରେ ପଡ଼ିଲା ଗୋଟାଏ କରୁଣ ଆର୍ତ୍ତନାଦ–‘‘ରକ୍ଷାକର, ରକ୍ଷାକର, କିଏସେ ଅଛ ଭିତରେ, ଦରଜା ଖୋଲ ।’’

 

ଆର୍ତ୍ତନାଦ ଶୁଣି କେଟ୍‌ ମାଉସୀ ଦଉଡ଼ି ଆସିଲେ । ଦରଜାପାଖରେ କାନଦେଇ ଠିଆହେଲେ । ପୁଣି ସେଇ ଆର୍ତ୍ତନାଦ । ଅତି ବିକଳ, ଅତି କରୁଣ କଣ୍ଠରେ ଜଣେ କିଏସେ ନିଃସହାୟ, ନିରୁପାୟ, ଆହତ ବ୍ୟକ୍ତି ବିନୟ କରି କହୁଛି, ‘‘ରକ୍ଷାକର, ମୋ ପ୍ରାଣ ରକ୍ଷାକର ।’’

 

କେଟ୍‌ ମାଉସୀ ବ୍ୟସ୍ତହୋଇ କହିଲେ, ‘‘ଖୋଲ, ଖୋଲ, ଶୀଘ୍ର ଖୋଲିଦିଅ ଦରଜାଟା-।’’

 

ପିଲାମାନେ ମନ୍ତ୍ରଚାଳିତ ପରି ଦରଜାଟାକୁ ଖୋଲିଦେଲେ ଏବଂ ସଙ୍ଗେ ସଙ୍ଗେ ଜଣେ ବଳିଷ୍ଠ ବୟସ୍କ ନାବିକ ଗୁହା ଭିତରକୁ ପଶିଆସି ଦରଜାଟାକୁ କ୍ଷଣକ ମଧ୍ୟରେ ବନ୍ଦ କରିଦେଇ ଦରଜା ପାଖରେ କାନଦେଇ ଠିଆହୋଇଗଲା । ଗୁହା ଭିତରେ କିଏସେ ଅଛି ତାହା ଦେଖିବା ପାଇଁ ତା’ର ଅବସର ନାହିଁ । ସମସ୍ତ ଧ୍ୟାନ ତା’ର ଗୁହାର ବାହାରକୁ । ବର୍ଷାପାଣି ଓ କାଦୁଅରେ ଲୁଗାପଟା ତା’ର ଜୁଡ଼ବୁଡ଼ । ତା’ ଦେହରେ ଲୁଗାପଟା କାଦୁଅ ପାଣିରେ ଦରଜା ପାଖଟା କାଦୁଅ ହୋଇଗଲା-। ଏସବୁ ପ୍ରତି ତା’ର ନଜର ନାହିଁ । ତା’ର ଏ ଅବସ୍ଥା ଦେଖି ପିଲାମାନେ ତାକୁ ବିସ୍ମୟରେ ଚାହିଁରହିଲେ । ଏହିପରି ଭାବରେ କିଛିସମୟ ବିତିଯିବା ପରେ ସେ ଯେତେବେଳେ ଆଖି ଫେରାଇ ଗୁହା ଭିତରକୁ ଚାହିଁଦିଏ ସେତେବେଳେ ସେ ଅବାକ୍‍ ହୋଇଗଲା । ଏତେଗୁଡ଼ାଏ ପିଲାଙ୍କୁ ଗୁହା ଭିତରେ ଦେଖିବ ବୋଲି ସେ ବୋଧହୁଏ ଆଶା କରିନଥିଲା । ତା’ପରେ ତା’ର ନଜର ପଡ଼ିଲା କେଟ୍‌ ମାଉସୀଙ୍କ ଉପରେ । ସେ ଅତି ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲା, ‘‘କିଏସେ, କେଟ୍‌ ? –ତୁମେ ଏଠି ବଞ୍ଚିଛ ?’’

 

‘‘ହଁ, ଇଭାନ୍‌ସ୍‍, ମୁଁ ଏଠି ବଞ୍ଚିଛି । ଭଗବାନଙ୍କର ଅପାର କରୁଣା । ଏହି ଛୋଟ ଛୋଟ ପିଲାଗୁଡ଼ିକ ଆଜି ଯେପରି ତୁମରି ପ୍ରାଣ ରକ୍ଷା କରିଛନ୍ତି, ଦିନେ ମୋର ପ୍ରାଣ ବି ସେପରି ରକ୍ଷା କରିଛନ୍ତି ।’’

 

ତା’ପରେ ମାଉସୀ ବ୍ରାଆଁତ୍‍କୁ କହିଲେ, ‘‘ବୁଝିଲ, ଏ ହେଉଛନ୍ତି ଇଭାନ୍‌ସ୍‍, ଏ ଥିଲେ ଆମ ଜାହାଜର ପ୍ରଧାନ ମେଟ୍ । ଖୁବ୍ ଭଲଲୋକ ।’’

 

ଆଉ ବିଳମ୍ବ ନକରି ଇଭାନ୍‌ସ୍‍ଙ୍କ ପାଇଁ ଖିଆପିଆର ବ୍ୟବସ୍ଥା କରିଦିଅଗଲା । ଖିଆପିଆ ପରେ ସେ ଟିକିଏ ସୁସ୍ଥ ହୋଇ ବସି ପିଲାମାନଙ୍କଠାରୁ ସେମାନଙ୍କର ସବୁ କଥା ଶୁଣିଲେ ଓ ଧୀରେ ଧୀରେ ନିଜର କାହାଣୀ ଶୁଣାଇଲେ ।

 

‘‘କେଟ୍‌ ମାଉସୀଙ୍କଠାରୁ ତୁମେ ଶୁଣିଛ ଯେ ଓ୍ୱାଲଷ୍ଟୋନ୍‌ ଓ ତା’ର ସାଥୀମାନେ ଜଳରୁ ଉଦ୍ଧାର ପାଇବା ପରେ ମତେ ବାନ୍ଧିପକାଇଲେ । ତା’ପରେ ସେମାନେ ମୋତେ ନେଇ ସେହି ପୂର୍ବ ଉପକୂଳରେ ଗୋଟାଏ ଗୁହାରେ ରଖିଲେ । ଭଙ୍ଗା ଡଙ୍ଗାଟାକୁ ବି ଆଣି ସେହି ପାଖରେ ବାନ୍ଧିଦେଲେ । ଯନ୍ତ୍ରପାତି ଯଦି ଥାନ୍ତା ତେବେ ସେମାନେ ଡଙ୍ଗା ମରାମତି କରି ଅନ୍ୟ ସ୍ଥାନକୁ ଯିବାକୁ ବ୍ୟବସ୍ଥା କରନ୍ତେ । କିନ୍ତୁ ଯନ୍ତ୍ରପାତିତ କିଛି ନଥାଏ । ମରାମତି ହେବା ନୋହିଲା ଦ୍ୱୀପ ଭିତରେ କେଉଁଠି କ’ଣ ଅଛି, କିଛି ସାହାଯ୍ୟ ମିଳିବ କି ନାହିଁ, ତାହା ଜାଣିବା ପାଇଁ ସମସ୍ତ ମିଶି ଦ୍ୱୀପର ବିଭିନ୍ନ ଅଞ୍ଚଳରେ ବୁଲିଲେ ।’’

 

ଡୋନ୍‌ଗାନ୍‌ କହିଲା, ‘‘ଆମ ପାଖରେ ସବୁପ୍ରକାର ଯନ୍ତ୍ରପାତି ଅଛି । ଆମର ଏଠି କିଛି ଅସୁବିଧା ହେବ ନାହିଁ ।’’

 

ଇଭାନ୍‌ସ୍‍ କହିଲା, ‘‘ଓ୍ୱାଲଷ୍ଟୋନ୍‌ ଦଳ ସେ କଥା ଜାଣିସାରିଲେଣି । ଏ ଗୁହା ଭିତରେ ତୁମେ ଯେ କେତେଟା ପିଲା ଅଛ ତା’ ମଧ୍ୟ ସେମାନେ ଜାଣିପାରିଲେଣି ।’’

 

‘‘ସତେ ?’’ –ଭୀତଗ୍ରସ୍ତ ହୋଇ ଗର୍ଡ଼ନ୍‍ ପଚାରିଲା ।

 

‘‘ହଁ, ସପ୍ତାହକ ତଳେ ଆମେ ଦିନେ ଜଙ୍ଗଲରେ ବୁଲୁଛୁ, ହଠାତ୍‌ ହ୍ରଦ କୂଳରେ ଗୋଟାଏ ଅଦ୍ଭୁତ ଜିନିଷ ଦେଖିଲୁ । ଓ୍ୱାଲଷ୍ଟୋନ୍‌ ଜିନିଷଟାକୁ ପାଣିରୁ ଟାଣିଆଣିଲା । ଦେଖିଲାବେଳଳକୁ ସେଇଟା ଗୋଟାଏ ମସ୍ତବଡ଼ ଘୁଡ଼ି, ବେତରେ ତିଆରି ହୋଇଥାଏ ।’’

 

‘‘ଓହୋ ସେଇଟା ତ ଆମରି ଘୁଡ଼ି । ଥରେ କ’ଣହେଲା ନା ବ୍ରାଆଁତ୍‍ ବସିଛି ଘୁଡ଼ିରେ, ଦୈବାତ୍ ଘୁଡ଼ିର ଦଉଡ଼ି ଛିଡ଼ିଗଲା । ବ୍ରାଆଁତ୍‍ ବିଚରା ଖୁବ୍‌ ଜୋରରେ ପଡ଼ିଗଲା–ମାଟି ଉପରେ ପଡ଼ିଥିଲେ ତ ପ୍ରାଣ ଯାଇଥାନ୍ତା, ପାଣିରେ ପଡ଼ିଗଲା । ଘୁଡ଼ିଟାକୁ ଆମେ ସେଇଠି ଛାଡ଼ିଦେଇ ଆସିଥିଲୁ ।’’

 

‘‘ସତେ ନା ? ଯାହାହେଉ ସେହିଦିନଠାରୁ ଜାଣିଲୁ ଯେ ଦ୍ୱୀପରେ ମଣିଷ ରହୁଛନ୍ତି । କିଏସେ କେଉଁଠି ରହୁଛି ବୋଲି ଜାଣିବା ପାଇଁ ଓ୍ୱାଲଷ୍ଟୋନ୍‌ର ଦଳ ବରାବର ଛକି ରହିଲେ । ମୁୀଁ ଭାବୁଥାଏ ଦ୍ୱୀପର ବାସିନ୍ଦାମାନେ ଜଙ୍ଗଲ ଲୋକ ହୋଇଥିଲେ ବି ମୁଁ ସେମାନଙ୍କ ପାଖରେ ଶରଣ ପଶିବି ଓ୍ୱାଲଷ୍ଟୋନ୍‍ ପରି ନରହନ୍ତାଠାରୁ ତ ସେମାନେ ଖରାପ ହେବେନାହିଁ । କିନ୍ତୁ ଆଶ୍ଚର୍ଯ୍ୟ କଥା ବହୁତ ଅନୁସନ୍ଧାନ ପରେ ବି ଦ୍ୱୀପରେ ଆମେ କୌଣସି ମନୁଷ୍ୟକୁ ଦେଖିପାରିଲୁ ନାହିଁ ।

 

ବ୍ରାଆଁତ୍‍ କହିଲା, ‘‘ଆମେ ପରା ଖୁବ୍‌ ସାବଧାନରେ ଚଳୁଛୁ । ବାହାରକୁ ମୋଟେ ବାହାରୁ ନାହୁଁ । ବନ୍ଧୁକ କି ପିସ୍ତଲ ମୋଟେ ଫୁଟାଉ ନାହୁଁ । ତୁମେ ଆଉ ଆମକଥା ଜାଣିବ କିପରି-?’’

 

‘‘ତଥାପି, କିଛିଦିନ ପରେ ଆମେ ଜାଣିଗଲୁ । ଦିନେ ରାତିରେ ଦେଖାଗଲା ତୁମ ଗୁହା ଭିତରେ ଆଲୁଅ ଜଳୁଛି । ଦରଜା ବୋଧହୁଏ ଖୋଲାଥିଲା । ତା’ ପରଦିନ ଓ୍ୱାଲଷ୍ଟୋନ୍‍ ଆସି ଏପାଖରେ ଲୁଚି ବସିଲା । ତୁମର ସବୁ ଗତିବିଧି ସେ ଜାଣିପାରିଲା । ନଈ ପାଖରେ ଗୋଟାଏ ବୁଦା ଭିତରେ ସେ ଲୁଚିଥିଲା ।’’

 

‘‘ହୋଇଥିବ, ଆମେ ସେଦିନ ସେହି ବୁଦାପାଖରୁ ଗୋଟାଏ ତମାଖୁ ଖିଆ ଚିଲମ ପାଇଥିଲୁ । ଆମର ବି ସନ୍ଦେହ ହୋଇଥିଲା ଯେ, ଓ୍ୱାଲଷ୍ଟୋନ୍‍ର ଲୋକେ ସେ ପର୍ଯ୍ୟନ୍ତ ଆସିଲେଣି-।’’ –ବ୍ରାଆଁତ୍‍ କହିଲା ।

 

‘‘ଠିକ୍ କହିଛ, ଓଃ ସେଦିନ ସେ ଚିଲମଟାକୁ ହଜାଇଦେଇ ଓ୍ୱାଲଷ୍ଟୋନ୍‍ର କି ରାଗ !! ଯାହାହେଉ, ସେ ଯେତେବେଳେ ଜାଣିପାରିଲା ଯେ, ତୁମେ ଏଠାରେ ଯେଉଁତକ ଅଛ ସବୁଗୁଡ଼ାକ ପିଲା, ସେ ଭାବିଲା ସେମାନେ ସାତଜଣ ମିଶି ତୁମର ସବୁପିଲାଙ୍କୁ ସହଜରେ ମାରିଦେଇ ପାରିବେ-। ସେମାନଙ୍କ ଭିତରେ ତୁମ ଗୁହା ଆକ୍ରମଣ ପାଇଁ ସବୁପ୍ରକାର ବିଚାର ଚାଲିଲା ।’’

 

ଡୋନ୍‌ଗାନ୍‌ କହିଲା, ଆମେ ସେମାନଙ୍କର କି କ୍ଷତି କଲୁ କହନ୍ତୁ । ଆମକୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି !! ମଣିଷ ନା ରାକ୍ଷସ ସେଗୁଡ଼ାକ ?’’

 

‘‘ସାଧାରଣ ରାକ୍ଷସ ନୁହଁନ୍ତି, ଭୟଙ୍କର ରାକ୍ଷସ ପିଶାଚମାନେ ସବୁକିଛି ପାପ ନିର୍ବିଚାରରେ କରନ୍ତି । ଜାହାଜର ନିର୍ଦ୍ଦୋଷୀ ଯାତ୍ରୀଗୁଡ଼ାଙ୍କୁ ତ ଫେରେ ମାରିଦେଲେ । ଆଜି ସକାଳେ କ’ଣହେଲା ନା, ଓ୍ୱାଲଷ୍ଟୋନ୍‌ ତା’ର ଚାରିଜଣ ସାଥୀଙ୍କୁ ନେଇ କ’ଣ ଗୋଟାଏ କାମରେ ଚାଲିଗଲା । ଗଲାବେଳେ ରକ୍‌ ଓ ଫର୍ବସ୍‍ ନାମକ ଦୁଇଜଣ ଡକାୟତଙ୍କୁ ମୋ ପାଖରେ ଜଗାଇ ଦେଇଗଲା । କିଛିସମୟ ପରେ ସେ ଦୁଇଜଣ ମତେ ନେଇ ଜଙ୍ଗଲକୁ ବାହାରିଲେ । କଥାହେଲା ଶିକାର କରିବା ପାଇଁ, ମୋ ହାତରେ ଦଉଡ଼ି ବନ୍ଧାହୋଇ ନଥାଏ ସତ, ସେମାନେ କିନ୍ତୁ ମୋତେ ବଡ଼ କାଇଦାରେ ରଖିଥାନ୍ତି, ଦୁଇଜଣଙ୍କର ଆଖି ମୋରି ଉପରେ ଥାଏ । ଦୁହିଁଙ୍କ ହାତରେ ବନ୍ଧୁକ ଥାଏ । ମୋ ପାଖରେ କେବଳ ଛୁରିଟାଏ ଥାଏ । ତେଣୁ ଖସିପଳାଇବାର କୌଣସି ଉପାୟ ନଥାଏ-। ମୁଁ ଖୋଜୁଥାଏ କେମିତି ଟିକିଏ ସୁଯୋଗ ମିଳନ୍ତା କି ଦିଅନ୍ତି ଚମ୍ପଟ୍‌ । ଏତିକିବେଳେ କ’ଣହେଲା ନା, ଆଗରେ କେତେଟା ଗୁଆନାକୋ ଚରୁଥିବାର ଦେଖାଗଲା । ଗୁଆନାକୋ ଦେଖିଛଟି-?

 

‘‘ହଁ, ହଁ, ଆମେ ଗୋଟାଏ ଗୁଆନାକୋ ଧରିଆଣିଛୁ । ସେଇଟା ଆମର ଶଗଡ଼ ଟାଣୁଛି-।’’

 

‘‘ବାସ୍‌, ବାସ୍‌, ସେହି ଗୁଆନାକୋରୁ ଦଳଟାଏ ଚରୁଥିବାର ଦେଖାଗଲା । ରକ୍‌ ଓ ଫର୍ବସ୍ ଗୁଆନୋକୋ ଶିକାର କରିବା ପାଇଁ ଟିକିଏ ଆଗକୁ ଦୌଡ଼ିଗଲେ । ମୋ ପ୍ରତି ସେମାନଙ୍କର ସେତେ ନଜର ନଥାଏ । ସେମାନେ ଆଗକୁ ଦୌଡ଼ିଥିବା ଦେଖି ମୁଁ ଖୁବ୍‌ ଜୋରରେ ପଛକୁ ଦୌଡ଼ିଲି । ପାଞ୍ଚ ସାତମିନିଟ୍‌ ପରେ ସେମାନେ ବୋଧହୁଏ ଜାଣିବାକୁ ପାଇଲେ ଯେ ମୁଁ ଦୌଡ଼ି ପଳାଉଚି । ତେଣୁ ସେମାନେ ଗୁଆନାକୋ ଶିକାର ଛାଡ଼ି ମୋତେ ଧରିବା ପାଇଁ ମୋ ପଛରେ ଦୌଡ଼ିଲେ । ମୁଁ ଜଙ୍ଗଲ ଭିତରେ ପ୍ରାଣପଣେ ଦୌଡ଼ୁଥାଏ । କାରଣ, ଯଦି ଧରାପଡ଼ିଲି ତେବେ ଆଉ ମୋର ରକ୍ଷାନାହିଁ ।

 

ସର୍ଭିସ୍‍ ପଚାରିଲା, ‘‘ଏହିପରି କେତେ ବାଟଯାଏ ଦୌଡ଼ିଲେ ?’’

 

‘‘ବାଟର ଆଉ ହିସାବ ରଖିଛି ନା ? ବହୁତ ବାଟ ଦୌଡ଼ିଥିବି । ସେମାନେ ମୋତେ ଲକ୍ଷ୍ୟକରି ଦୁଇ ଚାରିଥର ଗୁଳି ବି କଲେ । କିନ୍ତୁ ମୋ ଭାଗ୍ୟ ଭଲ, ଗୁଳି ବାଜିଲା ନାହିଁ । ଭଗବାନ ବି ମୋ ପକ୍ଷରେ ସଦୟ ହେଲେ । ସେତେବଳେକୁ ସନ୍ଧ୍ୟା ହୋଇ ଆସୁଥାଏ । ଉଠିଲା ଭୀଷଣ ମେଘ ଓ ପବନ । ତଥାପି ରକ୍‌ ଓ ପର୍ବସ୍‍ ମୋ ପିଛା ଲାଗିଥାନ୍ତି । ଦୌଡ଼ୁ ଦୌଡ଼ୁ ବାଟରେ ନଦୀ ପଡ଼ିଲା । ମୁଁ ଉପାୟାନ୍ତର ନଦେଖି ନଦୀକୁ ଡେଇଁପଡ଼ି ଖୁବ୍‌ ଜୋରରେ ସିଆର କାଟି ପହଁରି ପଳେଇ ଆସିଲି । ସେମାନେ ବି ଆସି କୂଳରେ ପହଞ୍ଚିଗଲେ । ବିଜୁଳି ଆଲୁଅରେ ଫର୍ବସ୍‌ ମୋତେ ଦେଖିପାରି ମୋ ଉପରକୁ ଗୁଳିକଲା । ଗୁଳିଟା ପ୍ରାୟ ମୋ କାନ୍ଧୁଛୁଇଁ ଚାଲିଗଲା, କାରଣ ମୁଁ ସଙ୍ଗେ ସଙ୍ଗେ ପାଣିରେ ବୁଡ଼ିଗଲି । ଠିକ୍‌ ସେତିକିବେଳେ ମୋ କାନରେ ପଡ଼ିଲା ସେ ଦୁଇଜଣ କଥାଭାଷା ହେଉଛନ୍ତି, ବଦମାସ୍‍ର ବେକମୁଣ୍ଡାରେ କରି ଗୁଳିଟା ବାଜିଲା । ସେତିକିରେ ତ ଖତମ, ଦେଖୁନା, ସଙ୍ଗେ ସଙ୍ଗେ ବୁଡ଼ିଗଲା ପାଣିରେ !’’ ମୁଁ କିନ୍ତୁ ପାଣିରେ ପହଁରି ପହଁରି କିଛି ବାଟ ଯାଇ ପୁଣି ଉପରକୁ ଉଠିଲି । ପଛକୁ ଚାହିଁ ଦେଖେତ, ସେ ଦୁଇଜଣ ନଈକୂଳରୁ ଫେରିଯାଉଛନ୍ତି । ଫର୍ବସ୍‌ କହିଲା ‘‘ଲୋକଟା ମଲା କଳଙ୍କ ଗଲା ।’’ କିନ୍ତୁ ଏ ଭିତରେ କୂଳରେ ପହଞ୍ଚିଗଲି । ମୋର ମନଥାଏ ତୁମ ଗୁହାରେ ଆସି ଆଶ୍ରୟ ନେବି । କିନ୍ତୁ ଝଡ଼ବର୍ଷା ଭିତରେ ପଡ଼ି ତୁମ ଗୁହାଟା ମୁଁ ଠାବ କରିପାରିଲି ନାହିଁ । ଏତିକିବେଳେ ଶୁଭିଲା ତୁମ କୁକୁର ଭୁକୁଛି । ମୁଁ ଶବ୍ଦ ବାରିବାରି ଗୁହାର ଦରଜାପାଖରେ ଆସି ପହଞ୍ଚିଲି । ତା’ପରେ ଯାହାହେଲା ତୁମେ ସବୁଜାଣ ।’’

 

ପିଲାମାନେ ତଟସ୍ଥ ହୋଇ ଇଭାନ୍‍ସ୍‍ଙ୍କୁ ଚାହିଁ ରହିଥିଲେ । ଉଇଲ୍‌କକ୍ସ କହିଲା, ‘‘ବାଃ, ବିଚିତ୍ର ଭାବରେ ପ୍ରାଣରକ୍ଷା କଲେ ଆପଣ ?’’

 

‘‘ଯେତେହେଲେ ବି, ତୁମମାନଙ୍କର ସାହାଯ୍ୟ ପାଇନଥିଲେ ମୋର ଜୀବନ ରହିନଥାନ୍ତା-। ଆଜିଠାରୁ ମୁଁ ତୁମରି ଉପରେ ନିର୍ଭର କରି ରହିବି । ତୁମେମାନେ ମୋତେ ବିଶ୍ୱାସ କର-। କୌଣସି ପ୍ରକାର ଭୟ କରନାହିଁ ।’’

 

ଗର୍ଡ଼ନ୍‍ ଚିନ୍ତିତ ହୋଇ ବସିଥାଏ । ସେ କହିଲା, ‘‘ଆଚ୍ଛା ଓ୍ୱାଲଷ୍ଟୋନ୍‌ ସହିତ ଗୋଟାଏ ରାଜିନାମା କରିଦେଲେ କେମିତି ହୁଅନ୍ତା ?’’

 

‘‘ଓ୍ୱାଲଷ୍ଟୋନ୍‌ ସହିତ ରାଜିନାମା ! ଲଙ୍କାରେ ହରି ଶବ୍ଦ !! ପିଲାଏ, ଜାଣିନା, ସେଇଟା ଏକନମ୍ବର ବଦମାସ୍‌ । ଦୁନିଆର ହୀନତମ ବିଶ୍ୱାସଘାତକ । ଆଜି କାନ୍ଧରେ ହାତ ପକାଇ ବନ୍ଧୁ ହୋଇଛି ତ କାଲି ତୋଟିକାଟି ଖୁନ୍‌ କରିଦେଇଥିବ । ଏପରି ଲୋକ ସହିତ କି ରାଜିନାମା କରିବା-?’’

 

‘‘ମୁଁ କ’ଣ କହୁଥିଲି କି ଆମେ ଯଦି ଲାଗିପଡ଼ି ତା’ ଡଙ୍ଗାଟା ମରମତି କରିଦିଅନ୍ତୁ, ତେବେ ବି କ’ଣ ସେ.... ?’’ ଗର୍ଡ଼ନ୍‍ ପଚାରିଲା ।

 

‘‘ସେ ଯାହା କରିବ ତା’ ତ ମୁଁ କହିଲି । ତଥାପି ତୁମର ସେଥିରେ ଲାଭ କ’ଣ ? –ଧର ଡଙ୍ଗାଟା ମରାମତି ହୋଇଯିବା ପରେ ସେ ଡଙ୍ଗା ନେଇ ସମୁଦ୍ର ପାରହୋଇ ଅନ୍ୟ କେଉଁଠିକି ଚାଲିଯିବ, ତୁମେସବୁ ଏଠାରୁ କିପରି ଉଦ୍ଧାର ପାଇବ ?’’

 

‘‘ଆମେ କ’ଣ ସେଇ ଡଙ୍ଗାଟା ପାଇଲେ ଏ ଅଜ୍ଞାତ ଦ୍ୱୀପରୁ ଉଦ୍ଧାର ପାଇପାରିବୁ ?’’ –ଆଶ୍ଚର୍ଯ୍ୟ ହୋଇ ଗର୍ଡ଼ନ୍‍ ପଚାରିଲା ?

 

‘‘ନିଶ୍ଚୟ ।’’

 

‘‘ଏତେବଡ଼ ପ୍ରଶାନ୍ତ ମହାସାଗର ପଡ଼ିଛି । ଏହି ଡଙ୍ଗାଟାରେ ଚଢ଼ି ହଜାର ମାଇଲ ସମୁଦ୍ର ପଥ ଅତିକ୍ରମ କରିହେବ ?’’

 

ଇଭାନ୍‍ସ୍‍ ଟିକିଏ ମୃଦୁ ହସି ହସି କହିଲେ, ‘‘ହଜାରେ ମାଇଲ ଯିବାର କୌଣସି ଆବଶ୍ୟକତା ନାହିଁ । ଏଠାରୁ ବାଟ ତିରିଶ ପଞ୍ଚତିରିଶ ମାଇଲ ଚାଲିଗଲେ ଆମେ ଏପରି ଏକ ସ୍ଥାନରେ ପହଞ୍ଚିଯିବା, ଯେଉଁଠି ଆମେ ଯେକୌଣସି ବଡ଼ ଜାହାଜ ପାଇପାରିବା ।’’

 

ଏକଥା ଶୁଣି ପିଲାମାନେ ଅବାକ୍‌ ହୋଇଗଜଲେ । ମୋଟେ ତିରିଶ ମାଇଲ !! ମନୁଷ୍ୟଜଗତଠାରୁ ମୋଟେ ତିରିଶ ମାଇଲ ଦୂରରେ ରହି ସେମାନେ ଏତେକଷ୍ଟ ପାଉଛନ୍ତି ?

 

ବ୍ରାଆଁତ୍‍ ପଚାରିଲା, ‘‘ତା’ହେଲେ, ଏ ଦ୍ୱୀପ ଚାରିପାଖରେ ସମୁଦ୍ର ନାହିଁ ?’’ ଇଭାନ୍‌ସ୍ କହିଲେ, ଅଛି । ଏ ଦ୍ୱୀପର ଚାରିପାଖରେ ସମୁଦ୍ର ଅଛି । କିନ୍ତୁ କେବଳ ପଶ୍ଚିମ ଦିଗର ସମୁଦ୍ରଟା ବିରାଟ । ଅନ୍ୟ ଦିଗରେ ସମୁଦ୍ର ଅଗଭୀର, ସେଗୁଡ଼ାକ ଗୋଟାଏ ଗୋଟାଏ ପ୍ରଣାଳୀ । ଗୋଟିଏ ଦେଶକୁ ଅନ୍ୟ ଦେଶଠାରୁ ପୃଥକ୍‍ କରୁଥିବା ଅଣଓସାରିଆ ସମୁଦ୍ର । ସେସବୁ ପ୍ରଣାଳୀ ଅତିକ୍ରମ କରିବାକୁ ବେଶି ସମୟ ଲାଗିବ ନାହିଁ । ତୁମର ଏ ଦ୍ୱୀପଟା କେଉଁଠି ଅଛି । ତାହା ବର୍ତ୍ତମାନ ବୋଧହୁଏ ତୁମେସବୁ ବୁଝିପାରୁଥିବ ।’’

 

‘‘ବୋଧହୁଏ ପ୍ରଶାନ୍ତ ମହାସାଗରର ଦକ୍ଷିଣପ୍ରାନ୍ତରେ ଥିବା ଗୋଟାଏ ଦ୍ୱୀପ ହେବ ।’’

 

‘‘ଠିକ୍‌ ଧରିଛ । ଦକ୍ଷିଣ ଆମେରିକାର ମାନଚିତ୍ର ଭଲକରି ଦେଖିଛଟି ? ଦକ୍ଷିଣ ଆମେରିକାର ହର୍ଣ୍ଣ ଅନ୍ତରୀପ ଅଞ୍ଚଳରେ ଶହ ଶହ ଛୋଟ ଛୋଟ ଦ୍ୱୀପ ଅଛି । ସେ ଭିତରେ ହାନୋଭାର ଦ୍ୱୀପ ଦେଖିଥିବ । ତୁମର ଏ ଦ୍ୱୀପଟି ସେହି ପାଖରେ ଗୋଟିଏ ଦ୍ୱୀପ ।’’

 

ଇଭାନ୍‍ସ୍‍ଙ୍କର ବର୍ଣ୍ଣନା ଶୁଣି ପିଲାମାନଙ୍କର ମୁହଁ ଓ ଆଖିରେ ଆଶା ଓ ଆନନ୍ଦର ଆଲୋକ ଖେଳିଗଲା । ଆଖି ଆଗରେ ଖୋଲିଗଲା ଦକ୍ଷିଣ ଆମେରିକାର ମାନଚିତ୍ର । ଇଭାନ୍‌ସ୍‍ ସେ ଅଞ୍ଚଳର ଭୂଗୋଳ ସମ୍ବନ୍ଧରେ ବୁଝାଇବାକୁ ଲାଗିଲେ ।

Image

 

ଚତୁରେ ଚାତୁରୀ

 

ଓ୍ୱଲଷ୍ଟୋନ୍‍ ପକ୍ଷରୁ ନିଶ୍ଚୟ ଆକ୍ରମଣ ହେବ । ଏଥିରେ ଆଉ ସନ୍ଦେହ ନାହିଁ । କେଟ୍‌ ମାଉସୀ କହିଲେ, ‘‘ସେ ବଦମାସ୍‍ଗୁଡ଼ାଙ୍କ ଭିତରେ କାହାକୁ କେହି କମ୍‌ ନୁହେଁ । କେବଳ ସେହି ଫର୍ବସ୍‍ ଲୋକଟା ଯାହା ଟିକିଏ ନରମ ।’’

 

କିନ୍ତୁ ଇଭାନ୍‍ସ୍ କହିଲେ, ‘‘ସେଇଟା ତ ଅସଲ ଜଣେ । ମତେ ପରା ସେହି ଫର୍ବସ୍‍ ଗୁଳି କରିଥିଲା । ସେ ଭିତରୁ କେହି ଭଲ ନୁହେଁ । ବୁଝିଲ ପିଲାଏ, ତୁମେମାନେ ସମସ୍ତେ ସାବଧାନରେ ରହ ।’’

 

ଇଭାନ୍‌ସ୍‍ ପିଲାମାନଙ୍କୁ ନାନା ବିଷୟରେ ତାଲିମ ଦେଲେ । ଫରାସୀ ଗୁହା ଭିତରୁ ସବୁପ୍ରକାର ଜିନିଷ ନେଇ ଭିତରର ହଲ୍‍ଘରେ ରଖିଦିଆଗଲା । କେଟ୍‌ ମାଉସୀ ଓ ଇଭାନ୍‍ସ୍‍ ଯଥାସମ୍ଭବ ପିଲାମାନଙ୍କୁ ନେଇ ସର୍ବଦା ସେହି ହଲ୍‍ଘରେ ରହିଲେ । ଫରାସୀ ଗୁହା ପ୍ରାୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଲା । ଅବଶ୍ୟ ଦରବାଜା ଲାଗିଥାଏ ।

 

କିନ୍ତୁ କିଛିଦିନ ଧରି ଓ୍ୱାଲଷ୍ଟୋନ୍‌ର କୌଣସି ସ୍ୱରଶବ୍ଦ ଶୁଭିଲା ନାହିଁ । ଦସ୍ୟୁମାନେ ଭାବିଥିଲେ ଯେ କେଟ୍‌ ଓ ଇଭାନ୍‍ସ୍‍ ମରିଯାଇଚନ୍ତି । ତେଣୁ ସେମାନେ ନିଶ୍ଚିନ୍ତରେ ଥା’ନ୍ତି । ବୋଧହୁଏ ପିଲାଙ୍କ ଗୁହାରେ କିପରି ପଶିବେ ତା’ର ଉପାୟ ଖୋଜୁଥାନ୍ତି ।

 

ଦିନେ କ’ଣହେଲା ଦୁଇ ତିନିଜଣ ଛୋଟପିଲା ଫରାସୀ ଗୁହାରେ ବସି କ’ଣ କରୁଛନ୍ତି । ଏତିକିବେଳେ ଦୁଇଜଣ ଅପରିଚିତ ଲୋକ ଗୁହା ପାଖରେ ଆସି ଠିଆହେଲା । ପିଲାମାନେ ଭୟଭୀତ ହୋଇଗଲେ । ଚୁପ୍‌ କରି ଜଣେପିଲା ହଲ୍‍ଘରକୁ ଯାଇ ଇଭାନ୍‍ସ୍‍ଙ୍କୁ ଖବରଦେଲା, ଇଭାନ୍‍ସ୍‌ ଛପି ଛପି ଆସି ସେ ଦୁଇଜଣଙ୍କୁ ଚାହିଁଦେଇ ଗୋଟାଏ ଗୁପ୍ତଘର ଭିତରେ ଲୁଚିଗଲେ । କିଛିସମୟ ପରେ ଇଭାନ୍‍ସ୍‍ଙ୍କ ପ୍ରସ୍ତାବ କ୍ରମେ ଡୋନ୍‌ଗାନ୍‌ ପ୍ରଭୃତି ବଡ଼ବଡ଼ ପିଲାମାନେ ଲୋକ ଦୁଇଟା ସହିତ କଥାଭାଷା କରିବାରୁ ସେମାନେ କହିଲେ ଯେ ସମୁଦ୍ରରେ ସେମାନଙ୍କର ଜାହାଜ ବୁଡ଼ିଗଲା, ସେମାନେ ନିରାଶ୍ରୟ ଭାବରେ ଏ ନିର୍ଜନ ଦ୍ୱୀପରେ ବୁଲୁଛନ୍ତି; ପିଲାମାନେ ଟିକିଏ ଆଶ୍ରୟ ଦେଲେ ସେମାନେ ବଡ଼ ଉପକୃତ ହୁଅନ୍ତେ ।

 

‘‘ହଉ, ଆପଣମାନେ ଏହି ଗୁହାରେ ରହନ୍ତୁ ।’’ କହି ସେମାନଙ୍କୁ ଫରାସୀ ଗୁହାଟା ଦେଖାଇ ଦିଆଗଲା । ସେ ଦୁଇଜଣ ଫରାସୀ ଗୁହାଟାକୁ ଭଲଭାବେ ଦେଖିସାରି ଅତି ଭଲଲୋକ ପରି କମ୍ବଳ ବିଛାଇ ଚୁପ୍‌ଚାପ୍ ଆଖିବୁଜି ଶୋଇପଡ଼ିଲେ । ଶୋଇବାର କିଛିସମୟ ପରେ ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଲେ । ତେଣେ ପିଲାମାନେ କେଟ୍‌ ମାଉସୀଙ୍କୁ ପ୍ରଶ୍ନ ବାଣରେ ଅଥୟ କରିପକାଇଲେ–

 

‘‘ମାଉସୀ, ସେ ଲୋକ ଦୁଇଟା କିଏ ? କ’ଣ, ଓ୍ୟାଲଷ୍ଟୋନ୍‌ ଦଳର ଲୋକ ?’’

 

ଶେଷକୁ ଇଭାନ୍‌ସ୍‍ କହିଲେ, ‘‘ସେ ଦୁଇଟାଙ୍କ ମଧ୍ୟରୁ ଗୋଟାଏ ହେଉଛି ଫର୍ବସ୍‍ ଓ ଆରଟା ରକ୍‌ ।’’

 

ପିଲାଏ ଭୟଭୀତ ହୋଇ ପଚାରିଲେ, ସେ ଦୁଇଟାଙ୍କୁ ଆମ ଗୁହାରେ କାହିଁକି ସ୍ଥାନଦେଲେ ? ଆପଣ କହିଥିଲେ, ଆମେତ ସେମାନଙ୍କୁ ମାରି ମାରି ତଡ଼ି ଦିଅନ୍ତୁ । ଆମେ ଏତେଜଣଙ୍କୁ ସେମାନେ ଦୁଇଜଣ, କ’ଣ ପାରନ୍ତେ ?

 

ଇଭାନ୍‌ସ୍‍ କହିଲେ, ‘‘ସେ କଥା ଆଜି ରାତିରେ ପରୀକ୍ଷା କରି ଦେଖାଯିବ । କିନ୍ତୁ ସେମାନେ କେଡ଼େ ଶୟତାନ ଦେଖୁଛଟି । ସେମାନଙ୍କର ମତଲବ ହେଲା ଅସହାୟ ନାବିକ ଭାବରେ ଆସି ଏଠାରେ କିଛିଦିନ ଆଶ୍ରୟ ନେଇ ଏଠାକାର ହାଲ୍‍ଚାଲ୍‍ ସବୁ ଟିପି ନେବେ । ଓ୍ୟାଲଷ୍ଟୋନ୍‌ ଆମ ଗୁହା ଭିତରର ସବୁ ଖବର ପାଇଯିବା ପରେ ଆକ୍ରମଣ ଆରମ୍ଭ କରିଦେବ ।’’

 

‘‘ହେଁ ! ସତେନା ? ଆମେ କ’ଣ ଏଡ଼େ ବୋକା ହୋଇଛୁ ?’’

 

‘‘କଦାପି ନୁହଁ । ଦେଖିବା କିଏସେ ଚତୁର, ସେମାନେ ନା, ଆମେ ।’’

 

ଇଭାନ୍‌ସ୍‍ କହିଲେ–‘‘ଆପଣ ଯାହା କହିବେ, ଆମେ ତାହା କରିବାକୁ ପ୍ରସ୍ତୁତ ଅଛୁ ।’’

 

ଚୁପ୍‌ଚାପ୍‌ ଭାବରେ ରାତିର ଖିଆପିଆ ସରିଲା । ଦସ୍ୟୁ ଦୁଇଟା ଘୁଙ୍ଗୁଡ଼ି ମାରି ଶୋଇଛନ୍ତି । ଦେଖାଗଲା ମୋକୋ ଗୋଟାଏ କମ୍ବଳ ଧରି ଗୁହା ଭିତରକୁ ଶୋଇବା ପାଇଁ ଆସିଲା-। ଦସ୍ୟୁମାନଙ୍କର ଘୁଙ୍ଗୁଡ଼ି, କ୍ଷଣକ ପାଇଁ ବନ୍ଦ ହୋଇଗଲା । ସେମାନେ ଭାବିଲେ ପିଲାଗୁଡ଼ାକ କ’ଣ ଶୋଇନାହାନ୍ତି କି ? କିନ୍ତୁ ପୁଣି ଘୁଙ୍ଗୁଡ଼ି ଶୁଭିଲା । ମୋକୋ ତା’ର ବିଛଣା ପକାଇ ଶୋଇପଡ଼ିଲା-। ସେ ବି ଘୁଙ୍ଗୁଡ଼ି ଆରମ୍ଭ କରିଦେଲା । ତିନିଜଣଙ୍କ ଘୁଙ୍ଗୁଡ଼ିରେ ଫରାସୀ ଗୁହାଟା ସରଗରମ ହୋଇଗଲା ।

 

କିନ୍ତୁ ମୋକୋକୁ ସବୁ କଥା ବୁଝାଇଦେଇ ସେମାନଙ୍କ ପାଖକୁ ପଠାଯାଇଥାଏ । ତେଣୁ ସେ ଖାଲି ଶୋଇବାର ଛଳନା କରି ପଡ଼ିଥାଏ । ମୋକୋ ଶୋଇବାକୁ ଆସିବା ପରେ ଇଭାନ୍‌ସ୍‍ ଓ କେଟ୍‌ ଗୁପ୍ତକୋଠରୀ ଭିତରୁ ହଲ୍‍ଘରକୁ ଚାଲିଗଲେ । ଏବଂ ଫରାସୀ ଗୁହା ଓ ହଲ୍‍ଘରକୁ ଯୋଗକରୁଥିବା ଛୋଟିଆ ରାସ୍ତାଟିକୁ ବନ୍ଦକରିଦିଆଗଲା, ଯଦି ଦସ୍ୟୁମାନେ ରାତିରେ ଆକ୍ରମଣ କରିବେ ତେବେ ସହଜରେ ଦରଜା ଖୋଲିପାରିବେ ନାହିଁ । ଫରାସୀ ଗୁହାଠାରୁ ହଲ୍‍ଘରଟା ସମ୍ପୂର୍ଣ୍ଣ ପୃଥକ୍ ହୋଇଗଲା । କେବଳ ଗୁପ୍ତକୋଠରୀ ଭିତର ଦେଇ ଦୁଇ ଗୁହାକୁ ରାସ୍ତାଥାଏ ।

 

ରାତି ସେତେବେଳକୁ ବାରଟା । ମୋକୋ ମିଛ ଘୁଙ୍ଗୁଡ଼ି ମାରି କେତେବେଳେ କ’ଣ ଘଟିବ ଦେଖିବା ପାଇଁ ଛକି ରହିଥାଏ । ଏତିକିବେଳେ ଫର୍ବସ୍‍ ଓ ରକ୍‌ ଚୁପ୍‌ଚାପ୍ ହୋଇ କଥାଭାଷା ହେବାର ଶୁଣାଗଲା ।

 

ରକ୍‌ ପଚାରିଲା, ‘‘ଏ ବଣୁଆ ଲୋକଟା ଚାକର ଟୋକା ହେବ, ନା ?’’

 

ଫର୍ବସ୍‌ କହିଲା, ‘‘ହଁ । ଏ ଟୋକା ଆମକୁ ଜଗିବ ବୋଲି ଶୋଇଛି । ନିଦରେ ତ ଘୁଙ୍ଗୁଡ଼ି ମାରୁଛି । ଦେବା କି ? –ଧନର ତୋଟି ଚିପି ଦେବା ?’’

 

‘‘ନା, ନା, ଏତିକିବେଳୁ ଗଣ୍ଡଗୋଳ କରି ଲାଭନାହିଁ । ଓ୍ୟାଲଷ୍ଟୋନ୍‌ ତ ଏହି ପାଖଆଖରେ କେଉଁଠି ଲୁଚିଥିବ । ସେ ହୁକୁମ ଦେବାମାତ୍ରେ ଆମେ କାମ ଖତମ କରିଦେବା, ଆଗେ ସେ ଭିତର ଘରେ କ’ଣ କ’ଣ ସବୁ ଅଛି ଚାଲ ଦେଖି ଆସିବା ।’’

 

‘‘ହଉ, ଉଠ । ପିଲାଗୁଡ଼ାକ ତ ସବୁ ନିଘୋଡ଼ ନିଦରେ ଶୋଇଥିବେ । କାହାରି ସ୍ୱରଶବ୍ଦ ଶୁଭୁନାହିଁ ।’’

 

ସଙ୍ଗେ ସଙ୍ଗେ ରକ୍ ଓ ଫର୍ବସ୍ ଶୋଇବା ସ୍ଥାନରୁ ଉଠି ହଲ୍‍ଘରକୁ ଯାଉଥିବା ରାସ୍ତା ଭିତରେ ପଶିଲେ । ଏଣେ ମୋକୋ ତା’ର ଛୁରା ସଜାଇ ରଖିଲା । ମୋକୋ ଦେଖିଲା ରକ୍‌ ଓ ଫର୍ବସ୍‍ ପଥରଗୁଡ଼ାକ ଗୋଟି ଗୋଟି କରି ଘୁଞ୍ଚାଇ ପକାଉଛନ୍ତି । ଆଉ ଅଳ୍ପ ସମୟ ପରେ ସେମାନେ ଦରଜାଟା ଖୋଲିଦେବେ । ଗୋଟାଏ ଚରମ ମୁହୂର୍ତ୍ତ ପାଇଁ ସେ ଅପେକ୍ଷା କରି ରହିଲା ।

 

ସତକୁ ସତ ସେ ଦୁଇଜଣ ପଥର ସବୁ ଘୁଞ୍ଚାଇ ପକାଇ ଦରଜା ଖୋଲିବାକୁ ବସିଲେ । ରକ୍ ଦରଜାରେ ହାତ ଦେଇଛି କି ନାହିଁ ତା’ ବେକଟା ଉପରେ କାହାର ଗୋଟାଏ ଲୁହା ସାଞ୍ଜୁପରି ହାତଟାଏ ଆସି ପଡ଼ିଗଲା । ସେ ଚମକିପଡ଼ି ଚାହିଁଦିଏ ତ ତା’ର ଦେହ ମୁଣ୍ଡ ଭୟରେ ଥରିଉଠିଲା । ଆଖି ଆଗରେ ସେ ଯେପରି ଗୋଟାଏ ପ୍ରକାଣ୍ଡ ଭୂତ ଦେଖିଲା । ତା’ ପାଟିରୁ ଅସ୍ପଷ୍ଟ କଣ୍ଠରେ ବାହାରି ପଡ଼ିଲା, ‘‘ଭୂ, ଭୂ..... ତ ନା ଇ-ଭା-ନ୍‌-ସ୍‍ ? ....ଇଭାନ୍‌ସ୍‍ ତୁ ଆସି ଏଇଠି ?’’ କହୁ କହୁ ଲୋକଟା ହାତରେ ତା’ର ଛୁରିଟା ଧରିନେଲା ।

 

ବଜ୍ରଗମ୍ଭୀର କଣ୍ଠରେ ଇଭାନ୍‌ସ୍‍ କହିଲେ, ‘‘ହଁ ହଁ, ମୁଁ ଇଭାନ୍‌ସ୍‍ ତୋର ଯମ’’, ‘‘ଏବଂ ରକ୍‍ର ହାତରେ ଏପରି ଆଘାତ କଲେ ଯେ ତା’ ଛୁରିଟା ତଳେ ପଡ଼ିଗଲ । ପରମୁହୂର୍ତ୍ତରେ ଦୁଇଜଣଙ୍କ ମଧ୍ୟରେ ଲାଗିଗଲା ମରାମରି । ଇଭାନ୍‌ସ୍‍ ଦୁଇ ହାତରେ ଚିପି ଧଇଲେ ରକ୍‌ର ତୋଟି-। ନିରୁପାୟ ଅବସ୍ଥାରେ ପଡ଼ି ବି ରକ୍‌ ବିଧା ଗୋଇଠା ମାରି ଦରାଣ୍ଡିହେଲା ତା’ର ଛୁରିଟାକୁ ପାଇବା ଲାଗି । ତେଣୁ ମୋକୋ ଯାଇ ମାଡ଼ିବସିଲା ଫର୍ବସ୍‌ ଉପରେ । ଠିକ୍‌ ସେତିକିବେଳେ ଦରଜାଟା ଭିତର ପଟରୁ ଖୋଲିଗଲା ଏବଂ କ୍ରସ୍‌, ଓଏବ୍‌, ଉଇଲ୍‍କକ୍ସ ପ୍ରଭୃତି ପିଲାମାନେ ମୋକୋ ସହିତ ମିଶି ଫର୍ବସ୍‍କୁ ଅଣନିଃଶ୍ୱାସ କରି ଚିପି ଧରିଲେ । ସେ ଲୋକଟା ଆର୍ତ୍ତନାଦ କରୁଥାଏ-

 

ରକ୍‌ ଇଭାନ୍‍ସ୍‍ଙ୍କ କବଳରୁ ରକ୍ଷାପାଇବା ଲାଗି ଜୋରସୋରରେ ଲାଗିଗଲା । ସୌଭାଗ୍ୟବଶତଃ ତା’ ହାତରେ ତା’ର ଛୁରିଟା ପଡ଼ିଗଲା । ବ୍ରାଆଁତ୍‍, ଡୋନ୍‌ଗାନ୍‍ ଓ ବକ୍‍ସ୍‌ଟାର ମିଶି ରକ୍‌କୁ ଧରିବାକୁ ଯାଉଛନ୍ତି । ଏତିକିବେଳେ ସେ ଇଭାନ୍‌ସ୍‍ଙ୍କ କାନ୍ଧରେ ଗୋଟାଏ ଛୁରାମାଡ଼ ଦେଇ ଦୌଡ଼ି ଚାଲିଗଲା, ଇଭାନ୍‌ସ୍‍ ବିଜୁଳିବେଗରେ ଗୋଟାଏ ପିଲା ହାତରୁ ପିସ୍ତଲଟା ଛଡ଼ାଇ ନେଇ ରକ୍‌ର ପିଛା ଧରିଲେ ଏବଂ ଜଙ୍ଗଲର ଅନ୍ଧାର ଭିତରେ ରକ୍‌ ଲୁଚି ଯାଉଥିବା ଅବସ୍ଥାରେ ତା’ ଉପରକୁ ଗୁଳିକଲେ । କିନ୍ତୁ ରକ୍‍ର କୌଣସି ଚିତ୍କାର ବା ଶବ୍ଦ ଶୁଭିଲା ନାହିଁ–ବୋଧହୁଏ ଗୁଳିଟା ତା’ ଦେହରେ ବାଜିଲା ନାହିଁ । ଇଭାନ୍‌ସ୍‍ ବାଧ୍ୟହୋଇ ଫେରିଆସିଲେ ।

 

ଏଣେ ପିଲାମାନେ ଫର୍ବସ୍‍କୁ ଖୁବ୍‌ ଜୋରରେ ମାଡ଼ିବସିଥାନ୍ତି । ଇଭାନ୍‌ସ୍‍ ଛୁରିଟା ନେଇ ତାକୁ ମାରିବାକୁ ଆଗେଇ ଆସିଲେ । ସେ କାତର ଭାବରେ ପ୍ରାଣଭିକ୍ଷା କରିବାକୁ ଲାଗିଲେ । ତା’ର ଚିତ୍କାର ଶୁଣି କେଟ୍‍ ମାଉସୀ ହଲ୍‍ଘର ଭିତରକୁ ଦୌଡ଼ି ଆସିଲେ । ସେ ଦେଖିଲେ ଯେ ଏ ବିଚରା ସେହି ଫର୍ବସ୍‍ ଯେ କି ଦିନେ ଓ୍ୟାଲଷ୍ଟୋନ୍‌ କବଳରୁ ତାଙ୍କର ପ୍ରାଣରକ୍ଷା କରିଥିଲା । ତା’ର ଅବସ୍ଥା ଦେଖି ତାଙ୍କର ନାରୀ ହୃଦୟ ତରଳି ଗଲା । ତା’ର ପ୍ରାଣରକ୍ଷା କରିବା ପାଇଁ ସେ ପିଲାମାନଙ୍କୁ ଅନୁରୋଧ କଲେ ।

 

ଇଭାନ୍‌ସ୍‍ କହିଲେ, ‘‘ଆଶ୍ଚର୍ଯ୍ୟ କଥା, ଏଇଟାକୁ ଆପଣ ଭଲଲୋକ ବୋଲି କହୁଛନ୍ତି ? ଏଇଟା ପରା ମୋତେ ଗୁଳି କରିଥିଲା । ତଥାପି ଆପଣ ଯେତେବେଳେ କହୁଛନ୍ତି, ୟାକୁ ନ ମାରି ଛାଡ଼ିଦେଇଛି । କିନ୍ତୁ ବଦମାସ୍‍ଟାକୁ ବାନ୍ଧିରଖିବାକୁ ପଡ଼ିବ ।’’

 

ପିଲାମାନେ ସଙ୍ଗେ ସଙ୍ଗେ ତାକୁ ଦଉଡ଼ାରେ ବାନ୍ଧି ଗୋଟାଏ ଗୁପ୍ତକୋଠରୀ ଭିତରେ ନେଇ ଗଡ଼ାଇଦେଲେ ।

Image

 

ସଂଗ୍ରାମ

 

କୌଣସିମତେ ସକାଳ ହୋଇଗଲା । ପିଲାମାନେ ଆଶଙ୍କା କରିଥିଲେ ଯେ ରକ୍‌ ଖସି ପଳାଇବାର ଅଳ୍ପ କିଛିସମୟ ପରେ ଓ୍ୱାଲଷ୍ଟୋନ୍‍ର ଲୋକେ ଆକ୍ରମଣ ଆରମ୍ଭ କରିଦେବେ । କିନ୍ତୁ ତାହା ହେଲା ନାହିଁ । ଇଭାନ୍‌ସ୍‍ ସାହସଦେଇ କହିଲେ, ‘‘ଏଭଳି ଚୁପ୍‌ ହୋଇ ରହିଯିବାଟା ସେମାନଙ୍କର ଗୋଟାଏ ଛଳନା । ଆମେ ସର୍ବଦା ଯୁଦ୍ଧପାଇଁ ପ୍ରସ୍ତୁତ ହୋଇ ରହିବା ଭଲ । ରକ୍‌ ଯେତେବେଳେ ଗୁହା ଭିତରର ସବୁ ଦେଖିଯାଇଛି ସେ ଯାଇ ନିଶ୍ଚୟ ଓ୍ୱାଲଷ୍ଟୋନ୍‍କୁ ସବୁକଥା ଜଣାଇ ଦେବ । ସେମାନେ ହଠାତ୍‌ ଆକ୍ରମଣ ଚଳାଇଦେଇ ପାରନ୍ତି ।’’

 

ପିଲାମାନେ ପଚାରିଲେ, ‘‘ତା’ହେଲେ ଆମେ ବର୍ତ୍ତମାନ କ’ଣ କରିବା ?

 

‘‘ଯେ ଯାହାର ଗୁଳି ବନ୍ଧୁକ ଧରି ପ୍ରସ୍ତୁତ ହୋଇଯାଅ ।’’

 

ପାଞ୍ଚ ମିନିଟ୍‌ ମଧ୍ୟରେ ପିଲାମାନେ ପ୍ରସ୍ତୁତ ହୋଇଗଲେ । ଏ ଭିତରେ ଫର୍ବସ୍‌କୁ ନାନାପ୍ରକାର ପ୍ରଲୋଭନ ଦେଖାଇ କେଟ୍‌ ମାଉସୀ ତା’ଠାରୁ ଦସ୍ୟୁମାନଙ୍କ ବିଷୟରେ ଦୁଇ ଚାରିଟା ଖବର ସଂଗ୍ରହ କରିଥିଲେ । ତା’ କଥାରୁ କେବଳ ଏତିକି ଜଣାଗଲା ଯେ ଓ୍ୱାଲଷ୍ଟୋନ୍‌ ଓ ତା’ର ସାଥୀମାନେ ପାଖ ଜଙ୍ଗଲରେ ଲୁଚି ରହିଛନ୍ତି । ଯେକୌଣସି ମୁହୂର୍ତ୍ତରେ ସେମାନେ ଆକ୍ରମଣ କରିପାରନ୍ତି । ତେଣୁ ବ୍ରାଆଁତ୍‌, ଡୋନ୍‍ଗାନ୍‌, ଗର୍ଡ଼ନ୍‌ ଓ ସର୍ଭିସ୍‌କୁ ଧରି ଇଭାନ୍‌ସ୍‌ ଜଙ୍ଗଲ ଉଦ୍ଦେଶ୍ୟରେ ବାହାରିପଡ଼ିଲେ । ଅନ୍ୟମାନେ ଗୁହା ଜଗିବା ପାଳିରେ ରହିଲେ । ପାଖରେ ତ ଯଥେଷ୍ଟ ଗୁଳି ବନ୍ଧୁକ ଅଛି, ଭୟ କ’ଣ !!

 

ଜଙ୍ଗଲ ଭିତର । ଯହିଁ ଦେଖିବ ତହିଁ ଗଛ । ଓ୍ୱାଲଷ୍ଟୋନ୍‍ର ସାଥୀମାନେ କେଉଁଠି ଲୁଚିଛନ୍ତି କିଏ ଜାଣେ ! ଖୁବ୍‌ ସାବଧାନରେ ଚାଲିବା କଥା । ଇଭାନ୍‌ସ୍‌ କହିଲା, ‘‘ଦେଖ, କେହି କାହାରି ସହିତ କଥାଭାଷା ହେବେ ନାହିଁ । ସମସ୍ତେ ଲତାପତ୍ର ଉହାଡ଼ରେ ଲୁଚି ଲୁଚି ଚାଲିବେ । ନଇଁ ନଇଁ ଚାଲିବା ନିରାପଦ ଏବଂ ଦସ୍ୟୁମାନଙ୍କର କୌଣସି ଚିହ୍ନ ଦେଖିଲେ ସଙ୍ଗେ ସଙ୍ଗେ ଗୁଳି ଫୁଟାଇବ ।’’

 

ସମସ୍ତେ ଧାଡ଼ିବାନ୍ଧି ଛପିଛପିକା ଚାଲିଛନ୍ତି । ହଠାତ୍‌ ଦେଖାଗଲା । ଗୋଟାଏ ସ୍ଥାନରେ ଗୁଡ଼ାଏ ଦରଲିଭା ଅଙ୍ଗାର ପଡ଼ିଛି । ଟିକିଏ ଟିକିଏ ଧୂଆଁ ବି ବାହାରୁଛି । ତା’ହେଲେ ଦସ୍ୟୁମାନେ ରାତିରେ ଏଇଠି ରହିଛନ୍ତି । ବର୍ତ୍ତମାନ ବି ଏ ନିକଟରେ ରହିଥାଇ ପାରନ୍ତି । ପିଲାମାନେ ସେଠାରେ ଠିଆହୋଇ ଏଣେତେଣେ ଚାହୁଁଛନ୍ତି ଏପରି ସମୟରେ ନିକଟରେ ହଠାତ୍‌ ଗୋଟାଏ ବନ୍ଧୁକ ଫୁଟିଉଠିଲା ଏବଂ ସଙ୍ଗେ ସଙ୍ଗେ ଗୋଟାଏ ଗୁଳି ଆସି ବ୍ରାଆଁତ୍‍ର କାନମୁଣ୍ଡାରେ ଘଷିହୋଇ ଚାଲିଗଲା । ତା’ ପରେ ପରେ ଫୁଟିଉଠିଲା ଆହୁରି କେତେଟା ବନ୍ଧୁକ !

 

ପିଲାମାନଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଗଲା । ପରମୁହୂର୍ତ୍ତରେ ଡୋନ୍‌ଗାନ୍‌ ପାଗଳ ପରି ଦୌଡ଼ିଗଲା ନିକଟସ୍ଥ ଗୋଟାଏ ବୁଦା ପାଖକୁ । ବୁଦା ଭିତରୁ ବାହାରି ଆସୁଥିଲା ବନ୍ଧୁକର ଧୂଆଁ ଏବଂ ଠିକ୍‍ ସେହି ଧୂଆଁକୁ ଲକ୍ଷ୍ୟକରି ଗର୍ଜିଉଠିଲା ଡୋନ୍‌ଗାନ୍‌ର ରିଭଲଭର । ଡୋନ୍‌ଗାନ୍‌ ପଛରେ ଅନ୍ୟମାନେ ବି ଦୌଡ଼ିଗଲେ । ଦେଖାଗଲା ବୁଦା ଭିତରେ ରକ୍ତାକ୍ତ ଶରୀର ନେଇ ପଡ଼ିଛି ପାଇକ୍‍–ଓ୍ୱାଲଷ୍ଟୋନ୍‌ର ଅନ୍ୟତମ ସାଥୀ ସେ ।

 

ଇଭାନ୍‌ସ୍‍ କହିଲେ, ‘‘ସାବଧାନ, ଅନ୍ୟ ଦସ୍ୟୁଗୁଡ଼ାକ ନିଶ୍ଚୟ ଏ ନିକଟରେ କେଉଁଠି ଅଛନ୍ତି । ସମସ୍ତେ ଏଥର ନଇଁ ନଇଁ ଚାଲ ।’’

 

ଇଭାନ୍‌ସ୍‍ଙ୍କ ପାଟିରକଥା ପାଟିରେ ଅଛି ଫୁଟିଉଠିଲା ଆଉ ଗୋଟାଏ ବନ୍ଧୁକ ଏବଂ ସଙ୍ଗେ ସଙ୍ଗେ ଦୁଇ ହାତରେ କପାଳ ଚିପିଧରି ସର୍ଭିସ୍‍ ତଳେ ଗଡ଼ିଗଲା । ଦସ୍ୟୁମାନେ ଆକ୍ରମଣ ଆରମ୍ଭ କରିଦେଲେ ଏବଂ ପିଲାଙ୍କୁ ନେଇ ଇଭାନ୍‌ସ୍‌ ପ୍ରତି ଆକ୍ରମଣ ପାଇଁ ଡେଇଁପଡ଼ିଲେ । ବନ୍ଧୁକ ଶବ୍ଦରେ ବନଭୂମି କମ୍ପିଗଲା ।

 

ପାଖ ଲତାଗହଳରୁ ଶୁଣାଗଲା ଦୁଇଜଣ ଲୋକଙ୍କ ଭିତରେ ଧସ୍ତାଧସ୍ତି ଚାଲିଛି । ଡୋନ୍‌ଗାନ୍‌ ଚାହିଁ ଦେଖିଲା ପାଖରେ ବ୍ରାଆଁତ୍‍ ନାହିଁ । ତା’ହେଲେ କ’ଣ ବ୍ରାଆଁତ୍‍ କାହା ସହିତ ଯୁଦ୍ଧ କରୁଛି । ଡୋନ୍‌ଗାନ୍ ଓ ଅନ୍ୟ ଜଣେ ଦୁଇଜଣ ସହ ଲତାଗହଳ ଭିତରକୁ ପଶିଗଲେ । ଏଣେ ଗର୍ଡ଼ନ୍‍ ପାଖଦେଇ ସାଇଁକିନା ଗୋଟାଏ ଗୁଳି ଚାଲିଗଲା; ଗର୍ଡ଼ନ୍‍ ଚାହିଁଦିଏ ତ ଦେଖିଲା ପବନ ବେଗରେ ଧାଇଁ ପଳାଉଛି ରକ୍‌ । ଗର୍ଡ଼ନ୍‍ ପାଟିକରିଉଠିଲା, ‘‘ଗଲା, ଗଲା, ଖସିଗଲା ରକ୍‌ ।’’

 

ଆଖିପିଛୁଳାକେ ଇଭାନ୍‌ସ୍‌ଙ୍କ ରାଇଫଲ ଗର୍ଜନ କରିଉଠିଲା ଏବଂ ଅତି ଆଶ୍ଚର୍ଯ୍ୟ କଥା ରକ୍‌ କେଉଁଆଡ଼େ ଉଭାନ୍‌ ହୋଇଗଲା । ଇଭାନ୍‌ସ୍‍ ରାଇଫଲ ଦେଖାଇ ଆଗକୁ ଛୁଟିଗଲେ ରକ୍‌ ଉପରେ ଆଉ ଦୁଇଟା ଗୁଳି ବର୍ଷାଇ ଦେବାଲାଗି, କିନ୍ତୁ କାହିଁ, ରକ୍‌ ବା ତା’ର ମୃତଦେହର ସନ୍ଧାନ ମିଳିଲା ନାହିଁ ।

 

ତେଣେ ଲତା ଭିତରୁ ଡୋନ୍‌ଗାନ୍‌ ଗର୍ଜନକଲା, ‘‘ଛାଡ଼ନା ବ୍ରାଆଁତ୍‍, ଛାଡ଼ନା ବଦମାସ୍‌ଟାକୁ, ମାର୍‌ ତାକୁ । ମାର୍ !!’’ ବ୍ରାଆଁତ୍‍ କୋପ୍‌ ବୋଲି ଗୋଟାଏ ଦସ୍ୟୁ ସହିତ ଲଢ଼ୁଥିଲା । କୋପ୍‍ଟା ଗୋଟାଏ ପୋଷା ଷଣ୍ଢ ପରି ଦେଖାଯାଉଥାଏ । ତା’ ସହିତ ବ୍ରାଆଁତ୍‍ ପରି ପିଲା କେତେ ସମୟ ଲଢ଼ିବ । କୋପ୍‍ ବ୍ରାଆଁତ୍‍କୁ ତଳେ ପକାଇଦେଇ ଗୋଟାଏ ଛୁରାରେ ଭୁସିଦେବାକୁ ବସିଛି । ଏତିକିବେଳେ, ‘‘ମାର ତାକୁ ମାର !’’ କହି ସେ ପାଖରେ ଡୋନ୍‌ଗାନ୍ ପହଞ୍ଚିଗଲା । ଅବସ୍ଥା ଅସମ୍ଭାଳ ଦେଖି ଡୋନ୍‌ଗାନ୍‌ ଗୁଳି ଚଳାଇବାକୁ ବନ୍ଧୁକ ଟେକିଲା, କିନ୍ତୁ ହଠାତ୍ କୋପ୍‌ ବ୍ରାଆଁତ୍‍କୁ ଛାଡ଼ି ଡୋନ୍‍ଗାନ୍‍ ଦେହରେ ଛୁରା ବସାଇଦେଲା । ଛୁରାଟା ଡୋନ୍‍ଗାନ୍‌ର ଛାତି ଉପରେ ବସିଗଲା-। ସେ ବିଚରା ଛାତିକୁ ଚିପିଧରି ଆଣ୍ଠୁମାଡ଼ି ତଳେ ପଡ଼ିଗଲା । ପାଟିରୁ ପଦଟାଏ ବି କଥା ବାହାରିଲା ନାହିଁ । ପରମୁହୂର୍ତ୍ତରେ ଦେଖାଗଲା କୋପ୍‌ ଜଙ୍ଗଲ ଭିତରେ ଲୁଚିଗଲା । କିନ୍ତୁ ତା’ ପଛେ ପଛେ ଫୁଟିଉଠିଲା ପିଲାଙ୍କର ବନ୍ଧୁକ ।

 

ପିଲାଙ୍କ ଭିତରୁ ଦୁଇଜଣ ଆହତ ହୋଇପଡ଼ିଲେ । କିନ୍ତୁ ଦେଖାଗଲା ଦସ୍ୟୁମାନେ ଆଉ ସେଠାରେ ନାହାନ୍ତି । ସର୍ଭିସ୍‍ କପାଳରେ ସାମାନ୍ୟ ଆଘାତ ଲାଗିଥିଲା । କିଛିସମୟ ମଧ୍ୟରେ ସେ ଉଠିବସିଲା । କିନ୍ତୁ ଡୋନ୍‌ଗାନ୍‍ର ଅବସ୍ଥା ସାଙ୍ଘାତିକ । ସମସ୍ତେ ମିଶି ଡୋନ୍‌ଗାନ୍‌କୁ ଟେକିଆଣିଲେ-। ତାକୁ ନେଇ ଫରାସୀ ଗୁହାଆଡ଼େ ଚାଲିଛନ୍ତି, ହଠାତ୍ ଗୁହା ଭିତରୁ କାହାର କରୁଣ ଚିତ୍କର ଶୁଭିଲା-। ପିଲାମାନେ ପ୍ରମାଦ ଗଣିଲେ । ପାଖକୁ ଯାଇ ଦେଖନ୍ତି ତ ଅବସ୍ଥା ଅଣାୟତ୍ତ ।

 

କଥା କ’ଣ କି ସେମାନଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଓ୍ୱାଲଷ୍ଟୋନ୍‌ ଗୁହା ଆକ୍ରମଣ କରିଛି । ତା’ ସାଥିରେ ବ୍ରାଣ୍ଡ୍‌ ଓ କୁକ୍‌ ଅଛନ୍ତି । ଦେଖାଗଲା ଓ୍ୱାଲେଷ୍ଟୋନ୍‍ ଓ କୁକ୍‌ ଦୁଇଟା ପିଲାଙ୍କୁ ଧରି ଟାଣି ଟାଣି ନଦୀଆଡ଼କୁ ନେଇଯାଉଛନ୍ତି । ପିଲା ଦୁଇଟି ଚିତ୍କାର ଛାଡ଼ିଛନ୍ତି । ନଦୀରେ ପିଲାଙ୍କ ଡଙ୍ଗା ଉପରେ ଠିଆ ହୋଇଛି କୁକ୍‌ । ପିଲା ଦୁଇଟା ହେଉଛନ୍ତି ଜ୍ୟାକ୍‌ ଓ କୋଷ୍ଟାର୍‌ । ଇଭାନ୍‍ସ୍‍ ଦେଖିଲେ ଦସ୍ୟୁମାନଙ୍କୁ ଗୁଳି କଲେ ଗୁଳି ଯାଇ ଜ୍ୟାକ୍‌ ବା କୋଷ୍ଟାର୍ ଦେହରେ ବାଜିପାରେ । ତେଣେ ଦସ୍ୟୁମାନେ ଯଦି ପିଲାଦୁଇଟାଙ୍କୁ ନେଇ ଥରେ ଡଙ୍ଗା ଉପରେ ଚଢ଼ିଗଲେ ତେବେ ସେମାନଙ୍କୁ ଆଉ ଧରିହେବ ନାହିଁ ।

 

ଇଭାନ୍‍ସ୍‍, ବ୍ରାଆଁତ୍‍ ଓ ଗର୍ଡ଼ନ୍‍ ପ୍ରଭୃତି ନଦୀପାଖକୁ ପ୍ରାଣପଣେ ଦୌଡ଼ିଲେ । ଏତିକିବେଳେ ଫ୍ୟାନ୍‍ କେଉଁଠିଥିଲା କେଜାଣି, ତୀର ବେଗରେ ଦୌଡ଼ିଯାଇ ବ୍ରାଣ୍ଡ୍‌ ଉପରେ ଚଢ଼ିଗଲା । ବ୍ରାଣ୍ଡ୍‍ ଦେହରେ ଛନକା ପଶିଗଲା । ସେ କୋଷ୍ଟାର୍‌କୁ ଛାଡ଼ିଦେଇ ଚେହେଁକି ଉଠିଲାବେଳକୁ ଫ୍ୟାନ୍‌ ତା’ର ବେକମୁଣ୍ଡାକୁ କରି କାମୁଡ଼ି ଧରିଲା । ଓ୍ୱାଲଷ୍ଟୋନ୍‍ ବି ଜ୍ୟାକ୍‍କୁ ଛାଡ଼ିଦେଇ କୁକୁର ସଙ୍ଗେ ଲଢ଼ିବାକୁ ପଳାଇ ଆସିଲା ।

 

ଏତିକିବେଳେ ଦେଖାଗଲା ଫରାସୀ ଗୁହା ଭିତରୁ ଦୌଡ଼ିଆସୁଛି ଫର୍ବସ୍‍ । ଫର୍ବସ୍‌ କଥା ମନେ ଅଛିଟି । ପିଲାମାନେ ତା’ର ଗୋଡ଼ହାତ ବାନ୍ଧି ଗୁପ୍ତକୋଠରୀ ଭିତରେ ପକାଇ ଦେଇଥିଲେ । ବର୍ତ୍ତମାନ ଫର୍ବସ୍‍ ଦୌଡ଼ୁଛି ଓ୍ୱାଲଷ୍ଟୋନ୍‌ ପାଖକୁ । ସଇତାନ୍‍ଟା ବୋଧହୁଏ ଗୁପ୍ତକୋଠରୀ ଭିତରୁ ଖସିଗଲା । ଫର୍ବସ୍‍କୁ ଦେଖି ଇଭାନ୍‍ସ୍‍ ରାଇଫଲ ସଜାଡ଼ି ଧରିଲେ । ଆଉ ଦଶ ପନ୍ଦର ସେକେଣ୍ଡ ଭିତରେ ରାଇଫଲ ଗର୍ଜି ଉଠିଥାନ୍ତା, କିନ୍ତୁ ଆଶ୍ଚର୍ଯ୍ୟ କଥା, ଫର୍ବସ୍‍ ଯାଇଁ ଓ୍ୱାଲଷ୍ଟୋନ୍‌କୁ ସାହାଯ୍ୟ କରିବ କ’ଣ ଓଲଟି ଓ୍ୱାଲଷ୍ଟୋନ୍‍କୁ ଆକ୍ରମଣ କଲା । ଅପ୍ରତ୍ୟାଶିତ ଭାବରେ ଓ୍ୱାଲଷ୍ଟୋନ୍‌ ଉପରେ ମାଡ଼ିବସି ତା’ ମୁହଁ ଉପରେ ଲଗାଇଲା ମୁଥ ଉପରେ ମୁଥ ।

 

କିନ୍ତୁ ଓ୍ୱାଲଷ୍ଟୋନ୍‌ ପରି ରାକ୍ଷସ କ’ଣ ଏଥିକୁ ଡରିଯିବ । ସେ ସଙ୍ଗେ ସଙ୍ଗେ ପ୍ରତି ଆକ୍ରମଣ ଚଳାଇ ଫର୍ବସ୍‍କୁ ଏପରି ଗୋଟାଏ ଛୁରାମାଡ଼ ଦେଲା ଯେ ଫର୍ବସ୍‍ ରକ୍ତ ଜରଜର ହୋଇ ତଳେ ପଡ଼ିଗଲା ।

 

ଫର୍ବସ୍‍ ପ୍ରତି ଦୃଷ୍ଟିପାତ ନକରି ଓ୍ୱାଲଷ୍ଟୋନ୍‌ ଦୌଡ଼ିଲା ଜ୍ୟାକ୍‌କୁ ଧରିବା ପାଇଁ । ଜ୍ୟାକ୍‌ ସେତେବେଳେ ଫରାସୀ ଗୁହାଆଡ଼େ ପଳାଇବାକୁ ବସିଥାଏ । ହଠାତ୍‌ ତା’ର ମନେପଡ଼ିଲା ପ୍ୟାଣ୍ଟ ପକେଟରେ ତା’ର ରିଭଲଭରଟା ଅଛି । ଓ୍ୱାଲଷ୍ଟୋନ୍‌ ପୁଣି ତା’ ଆଡ଼କୁ ଆସୁଛି ଦେଖି ସେ ଚଟ୍‌କିନା ରିଭଲଭରଟା ବାହାର କରି ଓ୍ୱାଲଷ୍ଟୋନ୍‌ର ଛାତି ଉପରକୁ ଗୁଳି ଚଳାଇଲା, ଓ୍ୱାଲଷ୍ଟୋନ୍‌ ଅଟକିଗଲା-। ତେଣୁ ସଦଳବଳେ ମାଡ଼ିଆସିଲେ ଇଭାନ୍‍ସ୍‍ । ବ୍ରାଣ୍ଡ୍‍ ପ୍ରାଣବିକଳରେ ଡଙ୍ଗା ଉପରକୁ ପଳାଇଯାଇ ଓ୍ୱାଲଷ୍ଟୋନ୍‌କୁ ଡାକପକାଇଲା । ଦେହରୁ ରକ୍ତ ବୋହିଯାଉଥାଏ । ତଥାପି ଓ୍ୱାଲଷ୍ଟୋନ୍‌ ଘୁଷୁରି ଘୁଷୁରି ଡଙ୍ଗା ଉପରକୁ ଚଢ଼ିଗଲା । କ୍ଷଣକ ଭିତରେ ଡଙ୍ଗା ଚଳାଇଦେଲା କୁକ୍‌ । କିନ୍ତୁ ଠିକ୍ ସେହି ମୁହୂର୍ତ୍ତରେ ଦିଗଦିଗନ୍ତ ଥରାଇଦେଇ ଫରାସୀ ଗୁହାର କମାଣ ଗର୍ଜି ଉଠିଲା । ଦସ୍ୟୁମାନେ ଚକିତ ହୋଇଗଲେ । କିନ୍ତୁ ସେଇଟା ଥିଲା ସେମାନଙ୍କର ଜୀବନର ଶେଷ ମୁହୂର୍ତ୍ତ–ଠିକ୍‌ ଡଙ୍ଗା ଉପରେ କରି କମାଣର ଗୋଳା ଅଜାଡ଼ି ହୋଇପଡ଼ିଲା ଓ କୁକ୍ଷାତ ପାପୀ ଜୀବନର ଚିହ୍ନବର୍ଣ୍ଣ ଲିଭିଗଲା-

Image

 

ମୁକ୍ତି ପଥେ

 

ଡୋନ୍‌ଗାନ୍‍ ଓ ଫର୍ବସ୍‍ଙ୍କୁ ନେଇ ପିଲାମାନେ ଫରାସୀ ଗୁହାକୁ ଆସି ଦେଖନ୍ତି ତ ଗୁହା ଭିତର ବିପର୍ଯ୍ୟସ୍ତ ହୋଇପଡ଼ିଛି । କିନ୍ତୁ ସଂଗ୍ରାମରେ ବିଜୟଲାଭ କରିଥିବାରୁ ସମସ୍ତଙ୍କ ମନରେ ଆନନ୍ଦ । ବୁଝୁ ବୁଝୁ ଜଣାଗଲା ଦସ୍ୟୁମାନେ ଡଙ୍ଗାରେ ଚଢ଼ି ଖସି ପଳାଇବେ ଦେଖି ମୋକୋ କମାଣ ଚଳାଇଥିଲା । ସମସ୍ତେ ମୋକୋକୁ ଧନ୍ୟ ଧନ୍ୟ କହିଲେ ।

 

କେଟ୍‍ ମାଉସୀ ମନପ୍ରାଣ ଦେଇ ଡୋନ୍‌ଗାନ୍‌ ଓ ଫର୍ବସ୍‍ର ସେବାରେ ଲାଗିଗଲେ । କିନ୍ତୁ ଫର୍ବସ୍‍ ଦେହରେ ସାଙ୍ଘାତିକ ଆଘାତ ଲାଗିଥିଲା । ସେ ବିଚରା ଅଚେତ ହୋଇପଡ଼ିଥିଲା । ଫର୍ବସ୍‍ ପାଇଁ ମାଉସୀଙ୍କର ଭାରି ଦୁଃଖ । ବିଚରା ଦିନେ ତାଙ୍କର ଜୀବନ ରକ୍ଷା କରିଥିଲା । ତାଙ୍କରି ଉପଦେଶ ଗ୍ରହଣ କରି ସେ ଦସ୍ୟୁବୃତ୍ତି ଛାଡ଼ି ଦେବ ବୋଲି ଶପଥ କରିଥିଲା । ଏବଂ ତାଙ୍କରି ଅନୁରୋଧ ରକ୍ଷାକରି ସେ ଦୌଡ଼ିଯାଇଥିଲା ଓ୍ୱାଲଷ୍ଟୋନ୍‌ ହାତରୁ ଜ୍ୟାକ୍‌ ଓ କୋଷ୍ଟାରକୁ ଉଦ୍ଧାର କରିବା ଲାଗି । ତା’ର ଚେତନା ଫେରାଇ ଆଣିବାଲାଗି କେଟ୍‍ ମାଉସୀ ବହୁତ ଚେଷ୍ଟା କଲେ । ଶେଷକୁ ତା’ର ଚେତନା ଫେରିଆସିଲା, କିନ୍ତୁ ସେ ଖୁବ୍ କମ୍‍ ସମୟ ।

 

ସେହି ଅଳ୍ପ ସମୟ ମଧ୍ୟରେ ସେ ମାଉସୀଙ୍କୁ ଧନ୍ୟବାଦ ଦେଇ କହିଲା, ‘‘ମା’, ତୁମେ ମୋତେ ସ୍ୱର୍ଗର ବାଟ ଦେଖାଇଲ । ଭଗବାନ ତୁମର ସହାୟ ହୁଅନ୍ତୁ । ମୁଁ ପାପୀ ହୋଇ ମରୁନାହିଁ, ମଙ୍ଗଳ କାମ କରି ମରୁଛି । ମୁଁ ଆନନ୍ଦରେ ମରୁଛି । ପାପୀ ମଲେ ନର୍କରେ ପଡ଼େ । ମୁଁ କ’ଣ ନର୍କରେ ପଡ଼ିବି ?

 

କେଟ୍‌ ମାଉସୀଙ୍କର ଆଖିରୁ ଲୁହ ଝରିଗଲା । ସେ ଆଶ୍ୱସନା ଦେଇ କହିଲେ, ‘‘ନା ଫର୍ବସ୍‍, ତୁମେ ଆଉ ପାପୀ ନୁହଁ । ଅନ୍ୟର ମଙ୍ଗଳ ପାଇଁ ଯେ ପ୍ରାଣଦିଏ ସେ ତ ଶ୍ରେଷ୍ଠ ଧାର୍ମିକ । ତୁମପାଇଁ ସ୍ୱର୍ଗର ଦ୍ୱାର ଖୋଲାଅଛି ।’’

 

‘‘କ୍ଷମାକର ପ୍ରଭୁ, କ୍ଷମାକର ମୋତେ ।’’ କହୁ କହୁ ଫର୍ବସ୍‍ର ଦୁଇହାତ ଉପରକୁ ଉଠିଗଲା, ଆଖି ତା’ର ମୁଦି ହୋଇଗଲା ଅନନ୍ତ ଶାନ୍ତିରେ ।

 

ଫ୍ରାଁସୋଆଁ ବଦୋଆଁଙ୍କ କବର ପାଖରେ ଫର୍ବସ୍‍କୁ ବି କବର ଦେଇଦିଆଗଲା । ପାଖପାଖ ହୋଇ ଦୁଇଟି କ୍ରସ୍‌ ଚିହ୍ନ ଶୋଭାପାଇଲା ଅନାଗତ କାଳଯାଏ ।

 

କିଛିଦିନ ପରେ କେଟ୍‌ ମାଉସୀଙ୍କ ସେବା ଫଳରେ ଡୋନ୍‌ଗାନ୍‌ ସୁସ୍ଥହୋଇ ବସିଲା । ସେତେବେଳେ ସୁଦ୍ଧା ଦ୍ୱୀପ ଶତ୍ରୁଶୂନ୍ୟ ହୋଇନଥାଏ । ଏତେ ଦସ୍ୟୁ ମରିବାସତ୍ତ୍ୱେ କୋପ୍‌ ଓ ରକ୍ ଆହୁରି ବଞ୍ଚିଛନ୍ତି । ସେମାନେ ନିର୍ମୂଳ ନହେବାଯାଏ ଶାନ୍ତିନାହିଁ । ଦିନେ ଇଭାନ୍‌ସ୍‍, ଗର୍ଡ଼ନ୍‍, ବ୍ରାଆଁତ୍‍ ଓ ଉଇଲ୍‍କକ୍ସ ଅସ୍ତ୍ରଶସ୍ତ୍ର ଧରି କୋପ୍‌, ରକ୍‌କୁ ଖୋଜି ବାହାରିଲେ ।

 

ଜଙ୍ଗଲ ଭିତରେ ଦେଖାଗଲା କୋପ୍‍ ଗୋଟାଏ ଗଛମୂଳରେ ମରିପଡ଼ିଛି, ତା’ ପିଠିରେ ଦୁଇଟା ଗୁଳି ବସିଛି । ସେଯାଏଁ ସେଠାକୁ କୌଣସି ହିଂସ୍ରଜନ୍ତୁ ଆସିନଥିବାରୁ ତା’ର ଶବ ପଡ଼ିରହିଛି-। ଆଉ କିଛିବାଟ ଗଲାପରେ ଦେଖାଗଲା ଗୋଟାଏ ବଡ଼ ଗାତ ଭିତରେ ପଡ଼ିଛି ରକ୍‍ର ଶବ-। ମନେଥିବ, ସେ ଯେତେବେଳେ ଦୌଡ଼ି ପଳାଉଥିଲା ସେତେବେଳେ ତାକୁ ଲକ୍ଷ୍ୟକରି ଇଭାନ୍‍ସ୍‍ ଗୁଳି ଚଳାଇଥିଲେ ଏବଂ ତା’ ପରେ ପରେ ରକ୍‌ର କୌଣସି ପତ୍ତା ମିଳିନଥିଲା । ପିଲାମାନେ ଶିକାର ଧରିବା ଲାଗି ଜଙ୍ଗଲରେ ଏଣେତେଣେ ଗାତଖୋଳି ଗାତ ଉପରେ ଡାଳପତ୍ର ଘୋଡ଼ାଇ ଦେଉଥିଲେ । ଗୁଳିମାଡ଼ ଖାଇ ଦୌଡ଼ି ଚାଲିଯାଉଥିବା ସମୟରେ ରକ୍‍ ସେଥିରୁ ଗୋଟାଏ ଗାତରେ ଗଳିପଡ଼ିଥିଲା ଏବଂ ସେହି ଭିତରେ ତା’ର ପ୍ରାଣବାୟୁ ଉଡ଼ିଗଲା ।

 

ଆଉ ଜଙ୍ଗଲରେ ବୁଲିବା ଅନାବଶ୍ୟକ । ସମସ୍ତେ ଗୁହାକୁ ଫେରିଆସି ଗୁହାରେ ଏ ସମ୍ବାଦ ଦେଇଦେଲେ । ପିଲାମାନେ ସ୍ୱସ୍ତିର ନିଃଶ୍ୱାସ ମାରିଲେ । ଏଥର ବିଚାର ଚାଲିଲା ଦ୍ୱୀପରୁ କିପରି ଉଦ୍ଧାର ପାଇବା ।

 

ଇଭାନ୍‌ସ୍‍ କହିଲେ, ‘‘ଓ୍ୱାଲଷ୍ଟୋନ୍‌ର ବଡ଼ ଡଙ୍ଗାଟା ପୂର୍ବ ଉପକୂଳରେ ପଡ଼ିଛି । ଚାଲ କିଛି ପଟା ଓ ହାତ ହତିଆର ନେଇ ସେ ଡଙ୍ଗାଟା ମରାମତି କରିବା ।’’ ଫଳତଃ ଇଭାନ୍‌ସ୍‍ଙ୍କ ସହିତ କେତେଜଣ ବଡ଼ବଡ଼ ପିଲାଯାଇ କିଛିଦିନ ଭିତରେ ଡଙ୍ଗାଟା ମରାମତି କରିଦେଲେ । ଡଙ୍ଗାଟାକୁ ନଦୀ ଭିତର ଦେଇ ହ୍ରଦକୁ ଅଣାଗଲା ଏବଂ ଗୁହାର ବିଭିନ୍ନ ଜିନିଷ ମଧ୍ୟରୁ ଅତ୍ୟାବଶ୍ୟକ ଜିନିଷଗୁଡ଼ାକୁ ଡଙ୍ଗାରେ ଆଣି ବୋଝାଇ କରାଗଲା । ଖାଦ୍ୟପେୟ, ଅସ୍ତ୍ରଶସ୍ତ୍ର, ଯନ୍ତ୍ରପାତି, ଲୁଗାପଟା, ଔଷଧ ଓ ବହିପତ୍ର ସବୁ ପ୍ରଥମେ ଆଣି ଡଙ୍ଗାରେ ରଖାଗଲା । ଗୁଡ଼ାଏ ବହିଥାଏ । ତଥାପି ସେଥିରୁ କୌଣସିଟାକୁ ବାଦ୍‍ ଦିଆଗଲା ନାହିଁ । କେଟ୍‌ ମାଉସୀ କହିଲେ, ‘‘ପୁସ୍ତକ ମନୁଷ୍ୟର ଶ୍ରେଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ଅନ୍ୟତମ, ପୁସ୍ତକକୁ କେବେହେଲେ ହତାଦର କରିବ ନାହିଁ-। ସେଗୁଡ଼ାକ ସାବଧାନରେ ରଖ ।’’

 

ଇଭାନ୍‍ସ୍‍ କହିଲେ, ‘‘କେବଳ ବହିନେଲେ ଚଳିବ ନାହିଁ, ଟଙ୍କା ବି ଆବଶ୍ୟକ । ତେଣୁ ପିଲାଙ୍କର ଟଙ୍କା ବାକ୍‌ସଟା ବି ବହିପତ୍ର ପାଖରେ ସାବଧାନରେ ରଖ । ଦେଶକୁ ଫେରିଯିବା ପାଇଁ ଟଙ୍କା ପଇସା ବେଶି ଦରକାର ।’’

 

ଫେବୃଆରୀ ମାସ ପାଞ୍ଚ ତାରିଖରେ ଦ୍ୱୀପ ଛାଡିବାପାଇଁ ଠିକ୍‌ କରାଗଲା । ତେଣୁ ଚାରି ତାରିଖ ଦିନ ଉପରବେଳା ଗୁଆନାକୋ ପ୍ରଭୃତି ପଶୁପକ୍ଷୀଗୁଡ଼ାଙ୍କୁ ଛାଡ଼ିଦିଆଗଲା । ଛାଡ଼ିଦେବା ମାତ୍ରେ ସେଗୁଡ଼ାକ ମନଖୁସିରେ ଡିଆଁମାରି ଜଙ୍ଗଲକୁ ପଳାଇଲେ ।

 

ଗର୍ନେଟ କହିଲା, ‘‘ଦେଖୁଛ, ଦେଖୁଛ ଏଗୁଡ଼ାକ ଏତେଦିନ ଧରି ଖାଇପିଇ ରହିଲେ, ଗଲାବେଳକୁ ପଦଟାଏ ଧନ୍ୟବାଦ ବି ଦେଉ ନାହାନ୍ତି ।’’

 

ସର୍ଭିସ୍‍ କହିଲା, ‘‘ଭାଇରେ, ସେଇଟା ହେଉଛି ଦୁନିଆର ରୀତି–କଥାଟାକୁ ଏପରି ଗମ୍ଭୀର ଭାବରେ ଏଡ଼େ ସୁନ୍ଦର ଅଭିନୟ କରି କହିଲା ଯେ ସମସ୍ତେ ଠୋ ଠୋ ହୋଇ ହସିଉଠିଲେ ।’’

Image

 

ବାହୁଡ଼ା ଯାତ୍ରା

 

ଅଠରଶ ବାଷଠି, ଫେବୃଆରୀ ପାଞ୍ଚ ତାରିଖ । ସକାଳୁ ସକାଳୁ ଡଙ୍ଗା ଛାଡ଼ିଦିଆଗଲା । ଚାରମାନ୍ ଦ୍ୱୀପରୁ ବିଦାୟଯାତ୍ରା ଆରମ୍ଭ ହୋଇଗଲା । ଏହି ଦ୍ୱୀପରୁ ଉଦ୍ଧାର ପାଇବାଲାଗି କେତେ ଚେଷ୍ଟାକରି ନାହାନ୍ତି ପିଲାମାନେ ! କିନ୍ତୁ ବିଦାୟବେଳାରେ ମନଟା କେମିତି କେମିତି ଲାଗିଲା । ଏହି ଗୁହା, ଏହି ହ୍ରଦ, ଏହି ନଦୀ, ଏହି ବନ, ଜଙ୍ଗଲ ପ୍ରତିଟି ସହିତ ନିବିଡ଼ ସମ୍ପର୍କ ରହିଥିଲା । ଏହି ଭିତରେ କଟିଯାଇଛି ଦୀର୍ଘ ଦୁଇବର୍ଷ । କେତେ ହସ, କେତେ କାନ୍ଦ, କେତେ ଆଶା, କେତେ ଆଶଙ୍କା, କେତେ ସ୍ମୃତି ସହିତ ଏମାନେ ଜଡ଼ିତ ନୁହନ୍ତି । ଡଙ୍ଗା ଆଗେଇ ଚଲିଲା । ଗୋଟି ଗୋଟି ହୋଇ ସବୁ ପଛରେ ପଡ଼ିରହିଲେ । ଗଛଲତା ଗହଳରେ ଫରାସୀ ଗୁହା ଆଉ ଦେଖାଗଲା ନାହିଁ । ଫ୍ରାଁସୋଆଁ ବଦୋଆଁଙ୍କ ସମାଧି ଉଦ୍ଦେଶ୍ୟରେ ଶେଷ ନମସ୍କାର ଜଣାଇଦେଇ ପିଲାମାନେ ଆଗକୁ ଚାହିଁଲେ ।

 

ଡଙ୍ଗାଯାଇ ସମୁଦ୍ରରେ ପଡ଼ିଲା । ଉପକୂଳ ଲହରୀର ଆନନ୍ଦ କୋଳାହଳରେ ପିଲାମାନଙ୍କ ହୃଦୟରେ ନୂତନ ଜାଗରଣ ଚାଲିଆସିଲା । କୂଳରୁ ଅନୁକୂଳ ପବନ ବୋହୁଥିଲା । ସାଥୀରେ ଇଭାନ୍‌ସ୍‍ଙ୍କ ପରି ସୁଦକ୍ଷ ନାବିକ ଥିଲେ । ଘରମୁହାଁ ହୋଇ ଡଙ୍ଗା ଦୌଡ଼ିଚାଲିଲା । ଦେଶମାଟିରେ ପହଞ୍ଚିବାର ସୁଖସ୍ୱପ୍ନରେ ପିଲାମାନେ ବିଭୋର ହୋଇଗଲେ । ମାଆ କିପରି ଧାଇଁଆସି କୋଳକରି ନେବେ, ବାପା କିପରି ଖୁସିହୋଇ ମୁଣ୍ଡ ଆଉଁସି ଦେବେ, ସାନ ଭାଇଭଉଣୀ କିପରି ଅଳି କରିବେ; ଅଜ୍ଞାତ ଦ୍ୱୀପର ଗପ ଶୁଣାଇବା ଲାଗି ସାଥୀମାନେ କିପରି ଆସି ଚାରିପାଖରେ ରୁଣ୍ଡ ହୋଇଯିବେ । ତେଣେ ସ୍କୁଲରେ କେତେ ପାଠପଢ଼ା ହୋଇ ଯିବଣି, କେତେ ନୂଆ ବହି କେତେ ନୂଆ ଅଙ୍କ, କେତେ ବିଷୟ ଶିଖିବାକୁ ନମିଳିବ–ଏହିସବୁ ଚଳଚିତ୍ର ଆଖି ଆଗରେ ଖେଳିଯାଉଥାଏ ।

 

ପାଞ୍ଚ ସାତ ଦିନ ଧରି ସମୁଦ୍ରରେ ଡଙ୍ଗା ଚାଲିଥାଏ । କିନ୍ତୁ କାହିଁ, ସ୍ଥଳଭାଗ ତ ଆସୁନାହିଁ-! ଇଭାନ୍‌ସ୍‍ କ’ଣ ମିଛ କହୁଥିଲେ କି ? ମନରେ ଦ୍ୱନ୍ଦ୍ୱ ଦେଖାଦେଲା । ଡଙ୍ଗା ଆସି ଅବାଟରେ ପଡ଼ିଯାଇ ନାହିଁତ !

 

ଫେବୃଆରୀ ତେର ତାରିଖ । ସକାଳବେଳଟା । ଅଳ୍ପ ସମୟ ହେଲା ସୂର୍ଯ୍ୟ ଉଦୟ ହୋଇଛନ୍ତି । ହଠାତ୍ ସର୍ଭିସ୍‍ ପାଟିକରିଉଠିଲା, ‘‘ଧୂଆଁ, ଧୂଆଁ ଦେଖାଯାଉଛି !’’

 

ସବୁ ପିଲା ଚାହିଁରହିଲେ ଧୂଆଁ ଆଡ଼କୁ । ଧୂଆଁଟା କି ଧୂଆଁ ବୋଲି ପଚାରି ପଚାରି ପିଲାମାନେ ଇଭାନ୍‌ସ୍‍ଙ୍କୁ ବ୍ୟସ୍ତ କରିଦେଲେ । ଇଭାନ୍‌ସ୍‍ କହିଲେ, ‘‘ନିଶ୍ଚୟ ଗୋଟାଏ ଷ୍ଟିମର୍‍ ଜାହାଜ ଆସୁଛି ।’’

 

ବ୍ରାଆଁତ୍‍ ଦୂରବୀକ୍ଷଣ ଯନ୍ତ୍ରଧରି ଡଙ୍ଗାର ମାସ୍ତୁଲ ଉପରକୁ ଚଢ଼ିଗଲା । ସେହି ଉପରୁ ଆନନ୍ଦରେ ଚିତ୍କାର କରିଉଠିଲା, ‘‘ଜାହାଜ ଆସୁଛି, ଗୋଟାଏ ବଡ଼ ଜାହାଜ ଆସୁଛି ।’’

 

ଜାହାଜ ପାଖକୁ ପାଖକୁ ଚାଲି ଆସିଲା । ଦେଖାଗଲା ତାହା ଏକ ବଣିକ ଜାହାଜ । ପିଲାମାନେ ରୁମାଲ ହଲାଇ ଜାହାଜକୁ ଡାକିବାକୁ ଲାଗିଲେ । ଯେଉଁମାନଙ୍କର ରୁମାଲ ନଥିଲା ସେମାନେ ଦେହର ଜାମା ବାହାର କରି ହଲାଇଲେ । ଜାହାଜ କପ୍ତାନ ପିଲାମାନଙ୍କର ସଙ୍କେତ ଦେଖିପାରିଲେ । ଜାହାଜର ସିଟି ଶୁଭିଲା–ଅର୍ଥାତ୍‌ ଜାହାଜରୁ ଇଙ୍ଗିତ ଆସିଲା, ‘‘ଆମେ ଜାଣିଲୁ, ଆମେ ଜାଣିଲୁ, ବ୍ୟସ୍ତ ହୁଅନା, ଜାହାଜ ରହିବ ।’’

 

ପିଲାଙ୍କ ଆନନ୍ଦ ଦେଖେ କିଏସେ । ଏହିପରି ଏକ ଜାହାଜ ଯଦି ପୂର୍ବରୁ ଆସିଥାନ୍ତା, ସେମାନେ କେବହୁଁ ଘରେ ପହଞ୍ଚି ଯାଇଥାନ୍ତେ । ପାଞ୍ଚ ଦଶ ମିନିଟ୍‌ ଭିତରେ ଜାହାଜ ଆସି ଠିଆହେଲା । ଇଭାନ୍‌ସ୍‍ ଡଙ୍ଗା ନେଇ ଜାହାଜ ପାଖରେ ଲଗାଇ ଦେଲେ । ଦେଖାଗଲା ଜାହାଜର ନାମ ହେଉଛି ‘ଗ୍ରାଫଟନ୍‌’ ନାବିକମାନେ ଆନନ୍ଦରେ ଆସି ପିଲାମାନଙ୍କୁ ଓ ସେମାନଙ୍କର ଜିନିଷପତ୍ରଗୁଡ଼ିକୁ ଜାହାଜକୁ ଉଠାଇନେଲେ । ତା’ପରେ ଡଙ୍ଗାଟାକୁ ପାଣିରେ ଭସାଇ ଦିଆଗଲା । ସମୁଦ୍ର ମଝିରୁ ଏତେବଡ଼ ଜାହାଜ ଉପରକୁ ଉଠାଇହେଲା ନାହିଁ ।

 

ଜାହାଜଟି ଅଷ୍ଟ୍ରେଲିଆ ଯାଉଥିଲା । ତା’ର କ୍ୟାପଟେନ୍‍ଙ୍କ ନାମ ଲଙ୍ଗ୍‌ । କ୍ୟାପଟେନ୍‌ ଲଙ୍ଗ୍‌ ଦୁଇ ବର୍ଷ ପୂର୍ବେ ଖବର କାଗଜରୁ ଆକଲାଣ୍ଡ ବନ୍ଦରର ଦୁର୍ଘଟଣା ବିଷୟ ପଢ଼ିଥିଲେ । ଆଜି ଦୁଇ ବର୍ଷ ପରେ ସେହି ପିଲାମାନଙ୍କ ଉଦ୍ଧାର କରିପାରିଥିବାରୁ ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । କ୍ୟାପଟେନ୍‍ଙ୍କ ପକ୍ଷରେ ଏ କ’ଣ କମ୍‍ ଗୌରବର ବିଷୟ ।

 

ଜାହାଜରେ ଗୋଟିଏ ଭୋଜିର ଆୟୋଜନ କରିଦିଆଗଲା । ଭୋଜିରେ ନାନାପ୍ରକାରର ମିଷ୍ଟାନ୍ନ, ନାନା ଜାତିର ଫଳ, ନାନା କିସମର ଆଚାର ଓ ଚଟଣି ଦିଆଗଲା । ଖିଆପିଆ ଆରମ୍ଭ ହୋଇଗଲା । କ୍ୟାପଟେନ୍‍ ଟିକିଏ ଚଟଣି ଚାଟୁ ଚାଟୁ ପଚାରିଲେ, ‘‘ଆଚ୍ଛା, କହିଲ ଦେଖି ଏ ଚଟଣିଟା କିପରି ହୋଇଛି ।’’

 

‘‘ସାର୍‌ ଖୁବ୍‌ ବଢ଼ିଆ ହୋଇଛି ।’’

 

‘‘ବେଶ୍‌, ତୁମ ଭିତରୁ ଯେ ତୁମ ଚାରମାନ୍‍ ଦ୍ୱୀପକଥା ସୁନ୍ଦରଭାବେ ଶୁଣାଇ ପାରିବ ତାକୁ ଆହୁରି ମେଞ୍ଚେ ଚଟଣି ଦିଆଯିବ ।’’

 

ହାଃ ହାଃ ହାଃ ହାଃ–ଗୋଟାଏ ହସର ରୋଳ ଖେଳିଗଲା ଜାହାଜ ଭିତରେ । ପିଲାମାନେ ମୁଁ କହିବି, ମୁଁ କହିବି, କହି ନାଚି ଉଠିଲେ । ଏ ଭିତରେ ବକ୍‌ସ୍‍ଟାର ତା’ର ଡାଇରି ଖୋଲିଦେଲା । ଡାଇରି ଲେଖିବା ଅଭ୍ୟାସ ତା’ର ପିଲାଦିନରୁ ଥାଏ । ସେ ତା’ ଡାଇରିରେ ପ୍ରତ୍ୟେକ ଘଟଣା ଟିକିନିଖିକରି ଟିପିଥାଏ । ଡାଇରି ଲେଖିବା ଗୋଟାଏ ଭାରି ଭଲ ଅଭ୍ୟାସ । ସେ ଡାଇରି ଖୋଲିବା ଦେଖି ଅନ୍ୟପିଲାମାନେ ଚୁପ୍ ହୋଇଗଲେ ।

 

ବାକ୍‌ସ୍‍ଟାର ଆରମ୍ଭ କଲା, ଫେବୃଆରୀ ଚଉଦ, ଅଠରଶ ଷାଠିଏ ସନ୍ଧ୍ୟାବେଳେ ମା’ଙ୍କୁ ନମସ୍କାର କରି......

Image